

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଥିଲେ । ଅଣସର ଘରେ ଚତୁର୍ଦ୍ଧାମୂରତିଙ୍କର ଗୁପ୍ତ ସେବା ହୋଇଥିଲା । ଅନେକ ସେବାସୁଶ୍ରୁଷା ପାଇ ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି ।
ଆଜି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବାକୁ ରାଜପ୍ରାସାଦ ଯାଇଛନ୍ତି । ଦଇତାପତି ସେବକ, ପତିମହାପାତ୍ର ସେବକ ମାନେ ଆଜି ରୁପା ଥାଳିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଛନ୍ତି । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଛନ୍ତି ।
ଗତକାଲି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଶମୀରେ ଶଯ୍ୟା ଛାଡି ଅଣସର ଘରେ ଚକାରେ ବିଜେ ହୋଇଥିଲେ ଶ୍ରୀଜିଉ । ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଷଷ୍ଠୀରୁ ନବମୀ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧୀରେ ଧୀରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଖଳିଲାଗି ଏକାଦଶୀଠୁ ଠାକୁରମାନଙ୍କୁ ଖଳି ଲାଗି କରାଯାଇଛି । । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡ଼ରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଗୋଟେପଟେ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଶ୍ରୀନଅରକୁ ଯାଇଛି । ଅନ୍ୟ ଅର୍ଥରେ ଏଥର ରଥଯାତ୍ରା ପାଇଁ ତତ୍ପର ହେବାକୁ ଗଜପତିଙ୍କୁ ବାର୍ତ୍ତା ମିଳିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।