
ସମ୍ପ୍ରତି ପାକିସ୍ତାନରେ ଯୁଦ୍ଧ ପ୍ରସ୍ତୁତିର ହୁଙ୍କାର ଶୁଣାଯାଉଛି। ଭାରତ ସୀମାରେ ଉତ୍ତେଜନା ବୃଦ୍ଧି ପାଉଛି, ସାମରିକ କନଭୟ ସୀମାନ୍ତ ଅଞ୍ଚଳ ଆଡକୁ ମୁହାଁଇଛନ୍ତି, ଆକାଶରେ ଯୁଦ୍ଧ ବିମାନସବୁ ଗର୍ଜନ କରୁଛନ୍ତି ଏବଂ ସରକାରୀ ଟିଭି ଚ୍ୟାନେଲଗୁଡ଼ିକରେ ଯୁଦ୍ଧର ସମ୍ଭାବନା ବିଷୟରେ ଆଲୋଚନା ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିରନ୍ତର କଠୋର ବାର୍ତ୍ତା ଦେଉଛନ୍ତି। କିନ୍ତୁ ଏସବୁ ଘୋଷଣା ମଧ୍ୟରେ ପାକିସ୍ତାନର ସାଧାରଣ ଲୋକ କେବଳ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। ‘ଆମେ ଗୁଳି ଚାହୁଁନାହୁଁ, ଆମେ ରୁଟି ଚାହୁଁ !’
ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସାଧାରଣ ଲୋକ ଯୁଦ୍ଧର କଥା ଶୁଣି କେବଳ ଭୟଭୀତ ନୁହଁନ୍ତି, ବରଂ କ୍ରୋଧିତ ମଧ୍ୟ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇସଲାମାବାଦର ୨୧ ବର୍ଷୀୟ ଛାତ୍ରୀ ତହସୀନ ଜେହରା କୁହନ୍ତି, ଆମେ ପୂର୍ବରୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ବିଶୃଙ୍ଖଳିତ ରାଜନୀତି କାରଣରୁ ବଡ଼ କଷ୍ଟ ଭୋଗିଚାଲିଛୁ। ଏବେ ଉପରୁ ଯୁଦ୍ଧର ଧମକ ଅଛି ! ଏସବୁ ଭୟଙ୍କର। ଆମେ ଯୁଦ୍ଧ ଚାହୁଁନାହୁଁ, ଆମେ ଶାନ୍ତି ଚାହୁଁ। ଜାହରାଙ୍କ ପରି ହଜାର ହଜାର ଯୁବ ବର୍ଗ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତିତ। ଏହି ସମୟରେ ସମସ୍ତେ କହୁଛନ୍ତି ଯେ ସରକାର ଏବଂ ଜେନେରାଲ ମିଶି ଲୋକଙ୍କୁ ଠକୁଛନ୍ତି। ଆମେ ଏହି ସରକାର ଉପରେ ବିରକ୍ତ ହୋଇଗଲୁଣି।
ସେନା ଜେନେରାଲଙ୍କ ଅପେକ୍ଷା ଦରଦାମ ବୃଦ୍ଧିର ଭୟ ଅଧିକ
ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ସରକାରଙ୍କ କଠୋର ବୟାନ ମଧ୍ୟ ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରୁନାହିଁ। ଇସଲାମାବାଦର ଜଣେ ଛାତ୍ର ଇନାମୁଲ୍ଲା କୁହନ୍ତି ଯେ ଦେଶ ଆଉ ପୂର୍ବ ପରି ଶକ୍ତିଶାଳୀ ନାହିଁ। ଆର୍ଥିକ ପରିସ୍ଥିତି ଏବଂ ରାଜନୈତିକ ଅସ୍ଥିରତା ଆମକୁ ଦୁର୍ବଳ କରିଦେଇଛି। ଏହି ଯନ୍ତ୍ରଣାକୁ ଆଶ୍ୱସ୍ତିରେ ପରିଣତ କରିବା ପାଇଁ, ‘ଯୁଦ୍ଧ ନୁହେଁ, ନିଯୁକ୍ତି ଦିଅ’ ଭଳି ମିମ୍ସ ଏବଂ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେତେକ ଏହାକୁ ହାସ୍ୟରସପୂର୍ଣ୍ଣ ବୋଲି ବିବେଚନା କରନ୍ତି ତ କେତେକ ଏହାକୁ ନିଜକୁ ସମ୍ଭାଳିବାର ଏକ ଉପାୟ ବୋଲି ବିବେଚନା କରନ୍ତି।
ସେନା ଉପରେ ଜନତାଙ୍କର କ୍ରୋଧ
ପୂର୍ବରୁ ସଙ୍କଟ ସମୟରେ ଏକତାର ପ୍ରତୀକ ଭାବରେ ବିବେଚିତ ପାକିସ୍ତାନର ସେନା ଏବେ ନିଜେ ସମାଲୋଚନାର ଶିକାର ହେଉଛି। ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ଏବଂ ତାଙ୍କ ସମର୍ଥକମାନଙ୍କ ଉପରେ ଦମନ ପରେ ସେନା ପ୍ରତି ଲୋକଙ୍କ ଧାରଣା ବଦଳିଯାଇଛି। ଇମ୍ରାନଙ୍କ ଦଳର ପୂର୍ବତନ ସାଂସଦ ଆଲିଆ ହମଜା କୁହନ୍ତି ଯେ, ଯଦି ଜନତା ସାଙ୍ଗରେ ନାହାନ୍ତି ,ତେବେ ଯୁଦ୍ଧରେ କିଏ ଲଢ଼ିବ? ସେନାକୁ ଲୋକଙ୍କ ବିଶ୍ୱାସ ଫେରି ପାଇବାକୁ ପଡିବ। ରାଜନୀତିରେ ସେନାର ହସ୍ତକ୍ଷେପ ଏବଂ ମାନବାଧିକାର ଉଲ୍ଲଂଘନ ଯୋଗୁ ଏବେ ଅନେକ ଯୁବକ ଅସନ୍ତୁଷ୍ଟ।
ପାକ୍ ଅଧିକୃତ କାଶ୍ମୀରର ନୀଲମ ଭ୍ୟାଲି ଏବଂ କେରନ ଭଳି ଅଞ୍ଚଳରେ ନୀରବତା ଛାଇରହିଛି। ପର୍ଯ୍ୟଟକମାନେ ଆଉ ଆସୁନାହାଁନ୍ତି। କେରାନରେ ପର୍ଯ୍ୟଟନ ପରିଚାଳନା କରୁଥିବା ରାଜା ଅମଜାଦ କୁହନ୍ତି ଯେ କୌଣସି ସରକାରୀ ନିଷେଧର ଆବଶ୍ୟକତା ନାହିଁ; ଲୋକମାନେ ନିଜେ ଭୟରେ ବାହାରକୁ ଆସୁନାହାଁନ୍ତି। ଏହି ସମୟରେ, ଆଥମାକାମର ୪୦ ବର୍ଷୀୟା ସାଦିଆ ବିବି ତାଙ୍କ ପିଲାମାନଙ୍କ ପାଇଁ ଘର ପଛରେ ଏକ ବଙ୍କର ନିର୍ମାଣ କରୁଛନ୍ତି। ସେ କୁହନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଗୁଳି ବର୍ଷା ହୋଇନାହିଁ, କିନ୍ତୁ କେବେ ଆରମ୍ଭ ହେବ ତାହା କେହି ଜାଣନ୍ତି ନାହିଁ।
ମୁଁ ଦେଶ ଛାଡିବାକୁ ଚାହୁଁଛି…
ଏବେ ପାକିସ୍ତାନରେ ବହୁ ସଂଖ୍ୟକ ଯୁବକ ଦେଶ ଛାଡିବାକୁ ଇଚ୍ଛା କରୁଛନ୍ତି। ଇସଲାମାବାଦର ୩୧ ବର୍ଷୀୟା ଜାରା ଖାନ କୁହନ୍ତି ଯେ ଏ ଦେଶରେ ଜୀବନ ନିର୍ବାହନ ବହୁତ କଷ୍ଟକର। ଚାକିରୀ ନାହିଁ, ସମ୍ବଳ ନାହିଁ, ଏବଂ ପରିବାର ପୋଷଣ କରିବା କଥା ଚିନ୍ତା ମଧ୍ୟ କରିହେବ ନାହିଁ। ସେ କୁହନ୍ତି ଯେ ଦେଶରେ ରହିବା ଏବେ ଏକ ବୋଝ ପାଲଟିଯାଇଛି। ଏପରି ପରିସ୍ଥିତିରେ ଯୁଦ୍ଧ ବିଷୟରେ କଥାବାର୍ତ୍ତା କରିବା ମୂର୍ଖତାପୂର୍ଣ୍ଣ ମନେହୁଏ।
ଦେଶ ଏକ ରାଜନୈତିକ ଯୁଦ୍ଧରେ ଫସି ରହିଛି।
ପାକିସ୍ତାନର ରାଜନୈତିକ ଏବଂ ସାମରିକ ନେତୃତ୍ୱ ମଧ୍ୟରେ ବିବାଦ, ବିରୋଧୀ ନେତାଙ୍କ ଉପରେ ଦମନ ଏବଂ ଅର୍ଥନୀତିର ଅବନତିଶୀଳ ଅବସ୍ଥା ଦେଶକୁ ଏକ ଗଭୀର ସଙ୍କଟ ଭିତରକୁ ଠେଲି ଦେଇଛି। ଯୁଦ୍ଧର ଧମକରେ ଦେଶର ଲୋକମାନେ ଆହୁରି ଭୟଭୀତ ଏବଂ ଭାଙ୍ଗି ପଡ଼ିଛନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ସ୍ୱର ସ୍ପଷ୍ଟ ଯେ – ଆମେ ଯୁଦ୍ଧ ଚାହୁଁନାହୁଁ କି ସ୍ଲୋଗାନ ଚାହୁନାହୁଁ… ଆମେ ରୁଟି, ଆଶ୍ଵସ୍ତି ଏବଂ ଶାନ୍ତି ଚାହୁଁ ।