

ଆଲେଖ୍ୟ – ଓମକାର ମିଶ୍ର
କିଙ୍ଗ୍ ଛାଡିଲେ ରିଙ୍ଗ୍। ଟିମ୍ ଇଣ୍ଡିଆର ମେରୁଦଣ୍ଡ ଭାବେ ଦୀର୍ଘ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ ରଣାଙ୍ଗନରେ ରାଜ୍ କରିଆସିଥିବା ଦୁର୍ଦ୍ଦର୍ଶ ବ୍ୟାଟର୍ ତଥା କିଙ୍ଗ୍ କୋହଲି ଭାବେ ପରିଚିତ ବିରାଟ କୋହଲୀ ଆଜି ଟେଷ୍ଟ କ୍ରିକେଟରୁ ସମସ୍ତ ମୋହ ମାୟା ତୁଟାଇ ସନ୍ନ୍ୟାସ ନେଇଛନ୍ତି।
ବିଶ୍ୱର ସବୁଠାରୁ ଫିଟ୍ କ୍ରିକେଟରଙ୍କ ମଧ୍ୟରୁ ଜଣେ
36 ବର୍ଷୀୟ ବିରାଟ କୋହଲି ତାଙ୍କ ବୟସର ବିଶ୍ୱର ସବୁଠାରୁ ଫିଟ୍ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଏଥିପାଇଁ ସେ ଜିମ୍ ଏବଂ ପଡ଼ିଆରେ କଠିନ ଝାଳ ବୁହାନ୍ତି। ସେ ସଦ୍ୟ ସ୍ଥଗିତ IPL 2025 ରେ ମଧ୍ୟ ବହୁତ ଫିଟ୍ ଦେଖାଯାଉଥିଲେ। ଏହି ସିଜିନରେ, ସେ 11ଟି ମ୍ୟାଚରେ 63.73 ହାରରେ 505 ରନ କରିଛନ୍ତି ଏବଂ ସର୍ବାଧିକ ରନ ସ୍କୋରର ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମାତ୍ର 5 ରନ ପଛରେ ଅଛନ୍ତି। କେବଳ ଏତିକି ନୁହେଁ, ଏହି ଆଇପିଏଲରେ ତାଙ୍କର ସର୍ବାଧିକ ୭ଟି ଅର୍ଦ୍ଧଶତକ ମଧ୍ୟ ଅଛି। ଏହି ଉତ୍କୃଷ୍ଟ ଫର୍ମ ସହିତ, ସେ ଇଂଲଣ୍ଡ ଗସ୍ତରେ ଯାଇପାରିଥାନ୍ତେ, କିନ୍ତୁ ତା ପୂର୍ବରୁ ସେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ।
ଏହି ଦୁର୍ବଳତା ଯୋଗୁ ସନ୍ୟାସ ନେବାକୁ ବାଧ୍ୟ ହେଲେ
ପ୍ରକୃତରେ, ବିରାଟ କୋହଲିଙ୍କ ବ୍ୟାଟ୍ କିଛି ସମୟ ଧରି ଟେଷ୍ଟ କ୍ରିକେଟରେ ନୀରବ ରହିଛି। ଅଫ୍ ଷ୍ଟମ୍ପ ବାହାରକୁ ବଲ ଯିବା ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ହୋଇଗଲା। ଏହି ବଲଗୁଡ଼ିକ ତାଙ୍କୁ ପ୍ରତ୍ୟେକ ଥର କଷ୍ଟ ଦେଉଥିଲା। ସେ ଏଥିରେ ବହୁତ ପରିଶ୍ରମ କରିଥିଲେ, କିନ୍ତୁ ପରିସ୍ଥିତି ସେହିପରି ରହିଲା। ବର୍ଡର-ଗାଭାସ୍କର ଟ୍ରଫି ଭଳି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜରେ ମଧ୍ୟ, ଅଫ୍-ଷ୍ଟମ୍ପ ବାହାରେ ଡେଲିଭରି ଖେଳିବାକୁ ଚେଷ୍ଟା କରିବା ସମୟରେ ସେ ସାତ ଥର ଆଉଟ୍ ହୋଇଥିଲେ।
ଭେଟେରାନ କ୍ରିକେଟର ବିରାଟ କୋହଲି ମେ ୧୨ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ସହିତ ଟେଷ୍ଟ କ୍ରିକେଟରେ ତାଙ୍କ ଭବିଷ୍ୟତକୁ ନେଇ ଗତ କିଛି ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। କୋହଲି ଏବେ କେବଳ 50 ଓଭର ଫର୍ମାଟରେ ଦେଖିବାକୁ ପାଇବେ। ୩୬ ବର୍ଷୀୟ କୋହଲି ଗତ ବର୍ଷ ହିଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଅବସର ଘୋଷଣା କରି ବିରାଟ କୋହଲି ଲେଖିଛନ୍ତି – ଯେତେବେଳେ ସେ ଖେଳର ଏହି ଫର୍ମାଟରୁ ଦୂରେଇ ଯାଉଛନ୍ତି, ଏହା ସହଜ ନୁହେଁ। କିନ୍ତୁ ଏହା ଠିକ୍ ଲାଗୁଛି। ସେ ନିଜର ସର୍ବସ୍ୱ ଦେଇଛନ୍ତି ଏବଂ ଏହା ତାଙ୍କୁ ତାଙ୍କ ଆଶାଠାରୁ ଅଧିକ ଦେଇଛି। ବିରାଟ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୪୬.୮୫ ହାରରେ ୩୦ଟି ଶତକ ସହାୟତାରେ ୯୨୩୦ ରନ୍ କରିଛନ୍ତି। ସେ ଜାନୁଆରୀ 2025 ରେ ସିଡନୀରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।
ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ଅବସର ନେଇଛନ୍ତି। ଟେଷ୍ଟ କ୍ରିକେଟରୁ ବିରାଟ ଅବସର ନେବା ନେଇ କେତେକ କାରଣକୁ ଦାୟୀ କରାଯାଉଛି। ସେଥିରୁ ଦୁଇଟି ପ୍ରମୁଖ କାରଣ ହେଲା ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ଵ ନ ମିଳିବା ଏବଂ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ କୋହଲିଙ୍କର ନ ପଟିବା। କୁହାଯାଏ ଯେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ କୋହଲି ଦଳର ଅଧିନାୟକ ହେବା ଲାଗି ବିସିସିଆଇ କୁ ଜଣାଇଥିଲେ। କିନ୍ତୁ ବିସିସିଆଇ କୁଆଡେ ଏଥିଲାଗି କୋହଲୀଙ୍କୁ ନାସ୍ତିବାଣୀ ଶୁଣାଇଦେଲେ, ଯାହା ଫଳରେ ଏଥିରେ ଅସନ୍ତୁଷ୍ଟ ହୋଇ କୋହଲି ଅଚାନକ ଏହି ଅବସର ନିଷ୍ପତ୍ତି ନେଲେ। ବିସିସିଆଇ ରୋହିତଙ୍କ ସ୍ଥାନରେ ଜଣେ ଯୁବ ଖେଳାଳୀଙ୍କୁ ଟେଷ୍ଟ ଦଳର ଅଧିନାୟକ କରିବାକୁ ମ
ନସ୍ଥ କରିଥିବା ଜଣାଯାଏ। ଏହି ପଦ ଲାଗି ବିସିସିଆଇ ଶୁଭଙ୍କର ଗିଲଙ୍କୁ ଅଧିନାୟକ କରିବାକୁ
ସ୍ଥିର କରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି
।
ଅନ୍ୟ କାରଣଟି ହେଲା ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ବୟସାଧିକ୍ୟ ଆଉ ଟେଷ୍ଟରେ ଫର୍ମହରା ହେବା କାରଣରୁ କୋହଲୀ ଦଳରେ ରହି ଖେଳନ୍ତୁ ବୋଲି ଚାହୁଁନଥିଲେ। ସେ ତାଙ୍କ ସ୍ଥାନରେ ଜଣେ ଯୁବ ବ୍ୟାଟରଙ୍କୁ ଖେଳାଇବାର ପକ୍ଷଧର ଅଟନ୍ତି। ଏହି ସବୁ କାରଣରୁ ବିରାଟ ଟେଷ୍ଟରୁ ଅବସର ନେବାର ଏହି ବିରାଟ ନିଷ୍ପତ୍ତି ନେଲେ ବୋଲି କୁହାଯାଉଛି