
ଅପରେସନ ସିନ୍ଦୂର ଏମିତି ତଗଡା ପ୍ରହାର ଲଦିଛି ଯେ ଯାହା ଫଳରେ ଏବେ ପାକିସ୍ତାନ ପ୍ରତିକ୍ଷଣରେ ଥରହର ହେଉଛି। ଭାରତର ନାଁ ଶୁଣିଲେ ଭୟରେ ଥରୁଛି । ତେଣୁ ଭାରତ ସହ କୌଣସି ପରିସ୍ଥିତିରେ ପଙ୍ଗା ନେବାକୁ ଆଉ ଛାହୁଁନି ପାକିସ୍ତାନ କି ସମ୍ପର୍କ ପୁଣି ଥରେ ବିଗାଡିବାକୁ ବି ଚାହୁଁନି । ତଥାପି ଆଗକୁ ପାକିସ୍ତାନ ରଙ୍ଗ ବଦଳାଇଦେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।କାରଣ ଏଇଟା ତାର ପରମ୍ପରାରେ ଅଛି।
ତଥାପି ଭାରତ ପହଲଗାମ୍ ପ୍ରତିଶୋଧ ନେବାକୁ ଏମିତି ପାନେ ଦେଇଛି ଯେ ପାକିସ୍ତାନ କାଳକାଳକୁ ମନେ ରଖିଥିବ । ତେଣୁ ଭାରତ କଥା ଶୁଣିଲା ବେଳକୁ ପଟପଟ ଥରୁଥିବା ପାକିସ୍ତାନ ଭାରତ ସହ ଏବେର ପରିସ୍ଥିତିରେ କୌଣସି ବି ଭୂଲଭଟକା କରିବାକୁ ଚାହୁଁନି । ଯାହାର ବଡ଼ ଉଦାହରଣ ପାକିସ୍ତାନରେ ଅଟକ ଥିବା ବିଏସଏଫ ଯବାନଙ୍କ ଘରବାହୁଡ଼ା । ଭାରତର ଆକ୍ସନ ଆଉ ଅସ୍ତ୍ରବିରତି ପରେ ପାକିସ୍ତାନ ବିଏସଏଫ ଯବାନଙ୍କୁ ଛାଡ଼ିଛି । ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତକୁ ହସ୍ତାନ୍ତର କରି ପାକିସ୍ତାନ । ଅଟାରୀ ବର୍ଡର ଦେଇ ଭାରତ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ।
ପଞ୍ଜାବ ଫିରୋଜପୁର ସେକ୍ଟରରେ ମୁତୟନ ଥିବା ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ୨୩ ଏପ୍ରିଲରେ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ୨୩ ଅର୍ଥାତ ପହଲଗାମ୍ ହମଲା ପର ଦିନ ତାଙ୍କୁ ପାକିସ୍ତାନ ରେଞ୍ଜର ଅଟକ ରଖିଥିଲେ । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ପଣ କରିଥିବା ବେଳେ ଏହି ସମୟରେ ହିଁ ଯବାନଙ୍କୁ ଅଟକ ରଖି ପାକିସ୍ତାନ ଭାରତକୁ ଚାପ ପକାଇବାକୁ ଭାବୁଥିବା ବେଳେ ଭାରତ କିନ୍ତୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଲା । କୂଟନୈତିକ ସ୍ତରରେ ଚାପ ଏବଂ ସିଧାସଳକ ଆକ୍ରମଣ କରି ପାକିସ୍ତାନକୁ ପଙ୍ଗୁ କରିଦେଲା । ଆଉ ପରେ ବାଧ୍ୟ ହୋଇ ସ୍ଥିତି ସୁଧାରିବାକୁ ଯେବେ ପାକିସ୍ତାନ ମୁଣ୍ଡନୁଆଁଇଲା ସେବେ ଭାରତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କଲା । ଆଉ ଅସ୍ତ୍ରବିରତି ପରେ ପରେ ହିଁ ଯବାନଙ୍କୁ ଅଟକ ରଖିବାର ୨୧ଦିନ ପରେ ଶେଷରେ ତାଙ୍କୁ ଛାଡିଛି ପାକିସ୍ତାନ । ତେଣୁ ସଂକ୍ଷେପରେ ଏତିକି କୁହାଯାଇପାରେ, ପାକିସ୍ତାନ ଛାତିରେ ଭାରତ ପାଇଁ ଏ ଡର ରହିବା ଭଲ।
ପୂର୍ବରୁ ୨୦୧୯ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମଧ୍ୟ ପାକିସ୍ତାନ ଛାଡିଥିଲା । ପାକିସ୍ତାନ ସୀମାରେ ଖସିପଡ଼ିବା ପରେ ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ପରେ ଭାରତର ଚାପ ଓ କୂଟନୈତିକ ଚାଲ ଆଗରେ ହାର ମାନି ବାୟୁବୀର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା ପାକିସ୍ତାନ । ଆଉ ଏବେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସଙ୍କୁ ମଧ୍ୟ ଛାଡିଛି ପାକିସ୍ତାନ ।