ନବୀନ ଉଠୁଛନ୍ତି, ପୁଣି ଘୁମେଇପଡୁଛନ୍ତି – ବିଜେଡି ବି ଘୁମେଇପଡୁଛି – ଦଳ ଉଠିବ କେମିତି ?
……………………………………………………………………
କଥା କଥାରେ
ଜବାହର ମିଶ୍ର
ସମ୍ମାନ ନିଉଜ୍
……………………………………………………………………..
ନିର୍ବାଚନ ପରଠାରୁ ବିଜେଡିର ରାଜନୈତିକ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦଳାଧିପତିଙ୍କ ଚିନ୍ତାର ବିଶେଷ କାରଣ ହୋଇଛି।ଦଳର ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ କ୍ଷୋଭଜନିତ ବ୍ଲଡ୍ ପ୍ରେସର୍ ଖୁବ୍ ବଢିଛି, ଅସନ୍ତୋଷଜନିତ ଡାଇବେଟିସ ତଥା ସୁଗାର୍ ଲେବୁଲ ଚାରି ଶହ ପାର୍ କରିଛି ଆଉ ଦଳର ଭବିଷ୍ୟତ ଏବେ କନ୍ଷ୍ଟିପେସନ ଅବସ୍ଥାକୁ ଚାଲିଆସିଛି। ଏପରି ଅଜବ ଗଜବ ସ୍ଥିତିରେ ଦଳର ଗତି, ପ୍ରଗତି, ଅଗ୍ରଗତି ସ୍ଥାଣୁ ପାଲଟିଯାଇଛି। ଏହାରି ଉପରେ କଥା କଥାରେ ମୁଁ ଜବାହର ମିଶ୍ର
ମାତ୍ର ୬ ମାସ ଆଗରୁ ରାଜ୍ୟ ରାଜନୀତିରେ ସିଂହ ସମାନ ଗର୍ଜନ ଛାଡୁଥିବା ବିଜେଡିର ଏ ଶଶକ ସମାନ ଦୂରବସ୍ଥା କାହିଁକି ହେଲା ? ଏଥିଲାଗି ଦାୟୀ କିଏ ? ୨ମାସ ତଳେ ଦଳର ବରିଷ୍ଠ ନେତା ଅମର ଶତପଥୀ ଦେଇଥିବା କ୍ଷୋଭାତ୍ମକ ବିବୃତିକୁ ଯଦି ଆଧାର କରାଯାଏ , ତେବେ ସ୍ପଷ୍ଟ ବୁଝାପଡିବ ଯେ ଏଥିସକାଶେ ଦଳର ସଭାପତି ନବୀନ ପଟ୍ଟନାୟକ ମୁଖ୍ୟତଃ ଦାୟୀ । ଯଦିଓ ଦଳର ବିପର୍ଯ୍ୟୟ ଲାଗି ପାଣ୍ଡିଆନଙ୍କୁ ଅଧିକାଂଶ ନେତା କର୍ମୀ ଦାୟୀ କରୁଛନ୍ତି, କିନ୍ତୁ ମୂଳ କାରଣ ହେଉଛନ୍ତି ଖୋଦ ନବୀନ। ଦିନେ କେବଳ ରାଜ୍ୟ ରାଜନୀତିରେ ନୁହେଁ, ଜାତୀୟ ରାଜନୀତିରେ ବି ଖାସ୍ ଦବଦବା ରଖିଥିବା ନବୀନ ଥିଲେ ବିଜେଡିର ଅସଲ ବଳ। ତାଙ୍କରି ଅବିଶ୍ଵସନୀୟ ଲୋକପ୍ରିୟତା କାରଣରୁ ବିଜେଡି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାର ରାବିଡି ମଲେଇ ଏକା ଏକା ଖାଇଲା। କିନ୍ତୁ ତାଙ୍କର କିଛି ଭୁଲ୍ ବିଜେଡିର ଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରି ରାଜେନ୍ଦ୍ରାସନରୁ ଆଣି ସଡକାସନରେ ବସେଇଦେଲା। ଏଥିନେଇ ଏହା କୁହାଯାଇପାରେ ଯେ ଯେଉଁ ନବୀନ ଦିନେ ବିଜେଡିର ଅସଲ ବଳ ବୋଲି ବିବେଚିତ ହେଉଥିଲେ, ଆଜି ସେହି ନବୀନଙ୍କ ଗୋଟିଏ ଭୁଲ୍ ଯୋଗୁ ବିଜେଡିର ଏ ଶୋଚନୀୟ ଅବସ୍ଥା ହେଲା। ସେହି ନବୀନଙ୍କ ଯୋଗୁ ବିଜେଡିର ସ୍ଥିତି ଆଜି ଟଳମଳ।
ଦଳର ଏପରି ଦୟନୀୟ ସ୍ଥିତି କାରଣରୁ ତାଙ୍କର ରାଜନୈତିକ ମର୍ଯ୍ୟାଦା ଏବେ ବିଲୁପ୍ତ ଅବସ୍ଥାକୁ ଗତି କରୁଥିବା ବୁଝିବା ପରେ ନବୀନ ଏବେ ନିଜକୁ ଘରକୋଣର ବଧୂ ପରି ଅସୂର୍ଯ୍ୟମ୍ପଶ୍ୟା କରିବା ଛାଡି ଦଳୀୟ ନେତା କର୍ମୀଙ୍କ ଲାଗି ସର୍ବସୁଲଭ କରିଛନ୍ତି। ଏବେ ସେ ଦଳର ନେତା କର୍ମୀଙ୍କୁ ବଡ ଆଦରଭରା ସ୍ଵରରେ ଡାକୁଛନ୍ତି – ମୋ ସୁନାମାନେ, ମୋ ଧନମାନେ, ଆସ, ବସ, ଅନ୍ ଲୋଡ୍ ମାଲ୍ ପରି ତଳେ ପଡି ଧୂଳିରେ ଲୋଟୁଥିବା ଦଳକୁ ପୁଣି କିପରି କ୍ଷମତା ବଗିରେ ଅପ୍ ଲୋଡ୍ କରିବା , ସେ ବିଷୟରେ ଉପାୟ କାଢିବା। ନେତାମାନେ ପାଖକୁ ତ ଆସୁଛନ୍ତି, କିନ୍ତୁ ଏହି ମଉକାରେ ନଇଁପଡିଥିବା ନବୀନଙ୍କୁ ପୁଞ୍ଜିଭୂତ ଅସନ୍ତୋଷର ତେଢା ବଚନ ଶୁଣାଇବା ଭୁଲୁନାହାନ୍ତି ।
ନିକଟରେ ୪ ଦିନ ଧରି ନବୀନ ନିବାସରେ ନବୀନ ୧୪୭ଟି ଯାକ ନିର୍ବାଚନମଣ୍ଡଳୀର ନେତାମାନଙ୍କୁ ପର୍ଯ୍ୟାୟକ୍ରମେ ଡାକି ସଦସ୍ୟତା ଅଭିଯାନକୁ ଜୋରଦାର କରିବା ଲାଗି ପରାମର୍ଶ ଦେଲେ। କିନ୍ତୁ ସମସ୍ତେ ଗୋଟିଏ କଥା ପଚାରିଲେ ଯେ ନିର୍ବାଚନରେ ଦଳର ପରାଜୟ ଲାଗି ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାହିଁକି ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଉତ୍ତର କିଛି ନ ମିଳିବାରୁ ନେତା କର୍ମୀ ନିଜର ଅସନ୍ତୋଷତକ ଝାଡି ପଳାଇ ଆସିଲେ। ସେହିପରି ନିକଟରେ ନବୀନ ନିବାସରେ ଦଳର ୧୨ ଜଣିଆ ଉପଦେଷ୍ଟା କମିଟିର ବୈଠକ ବସିଥିଲା । ଦଳର ବରିଷ୍ଠ ନେତାମାନେ ସଂଗଠନକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ମାତ୍ର ତା’ପୂର୍ବରୁ ଦଳର ଆଭିମୁଖ୍ୟ କ’ଣ ହେବ,ତାହା ସ୍ପଷ୍ଟ କରାଯାଉ ବୋଲି ସେମାନେ ଦାବି କରିଥିଲେ । “ପ୍ରଥମେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉ, ତା’ପରେ ସଂଗଠନ କଥା । କର୍ମୀ ଓ ନେତାଙ୍କ ଭିତରେ ଅବିଶ୍ୱାସର ବାତାବରଣ ରହିଛି, ମନୋବଳ ବୃଦ୍ଧି ପାଇଁ ଦଳକୁ ତା’ର ଆଭିମୁଖ୍ୟ ସ୍ପଷ୍ଟ କରାଇବା ଦରକାର ।” ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ବିଜେଡିର ୧୨ଜଣିଆ ଉପଦେଷ୍ଟା ମଣ୍ଡଳୀ ।ଦଳ ଯେଭଳି ଭାବେ ବିଜେପି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଛି ତା’ର ପ୍ରତିକୂଳ ପ୍ରଭାବ ଦଳୀୟ ସଂଗଠନ ଉପରେ ପଡ଼ୁଥିବା ନେତାମାନେ ଖୋଲାଖୋଲି କହିଥିଲେ । ଏପରିକି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଦଳ କାହିଁକି ଶୀଘ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କଲାନି ଓ ଦ୍ୱନ୍ଦ୍ୱ ଜାରି ରଖିଛି ତାହା କହିବା ସହ ନେତାମାନେ ନିଜ ନିଜର ଅସନ୍ତୋଷ ମଧ୍ୟ ନବୀନଙ୍କୁ ଅବଗତ କରାଇଛନ୍ତି । ଏହାସହିତ ଦଳର ଏଭଳି ନୀତି ଯୋଗୁ ଏବେ ସଦସ୍ୟତା ଅଭିଯାନକୁ ନେଇ ତୃଣମୂଳସ୍ତରରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆଗ୍ରହ ନଥିବା ମଧ୍ୟ ନବୀନଙ୍କୁ ଜଣାଇଥିଲେ । ସଂଗଠନକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପାଣ୍ଠି ମଧ୍ୟ ଜିଲ୍ଲାସ୍ତରକୁ ଦିଆଯାଉନଥିବା ନେତାମାନେ ବୈଠକରେ ଉପସ୍ଥାପନ କରିଥିବା ଜଣାପଡ଼ିଛି । ମାତ୍ର ଦଳର ଏତେ ବିପର୍ଯ୍ୟୟ ପରେ ମଧ୍ୟ ନବୀନଙ୍କ ଚେତା ପଶିନି । ଏହି ଉପଦେଷ୍ଟାମଣ୍ଡଳୀର ନେତାମାନଙ୍କ କଥା ଶୁଣିବା ପରେ ନବୀନ ସ୍ପଷ୍ଟ ଭାବେ କିଛି ନକହି ସେ ବିଷୟରେ ଚିନ୍ତା କରିବେ ବୋଲି କହି ବୈଠକରୁ ଉଠି ପଳାଇଥିବା ଜଣାପଡ଼ିଛି । କେବଳ ଏତିକିରେ ଦଳର ଅସୁସ୍ଥତା ସୀମିତ ରହିନାହିଁ।ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ବୁଲିବେ। ଅଗଷ୍ଟ ମାସରୁ ବିଜେଡି ଏମିତି ପ୍ରଚାର କରୁଛି। ନିଜେ ନବୀନ ବି ଦଳୀୟ କାର୍ଯ୍ୟାଳୟ ସଭାରେ ଏହି ସୂଚନା ଦେଇଥିଲେ। ଡିସେମ୍ବର ସରିବାକୁ ଯାଉଛି, ସେ ପଦାକୁ ବାହାରିଲେନି। ନିଜ ନିର୍ବାଚନମଣ୍ଡଳୀରେ ୬ ମାସ ଭିତରେ ପାଦ ପକାଇପାରିଲେନି। ନବୀନ ନ ବୁଲିବା ଦ୍ବାରା ବିଜେଡି ନେତାମାନେ ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ଯେହେତୁ ନବୀନ ହିଁ ବିଜେଡିର ଏକମାତ୍ର ଭରସା, ତେଣୁ ତାଙ୍କର ଉଦାସୀନତା ଓ ନୀରବତା ସମସ୍ତଙ୍କୁ ଚିନ୍ତିତ କରିଛି। କାହା ଭରସାରେ ଶାସକ ଦଳ ବିରୋଧରେ ସେମାନେ ରଣହୁଙ୍କାର ଦେବେ, ତାହା ଜାଣିପାରୁ ନାହାନ୍ତି। ଏମିତିରେ ବି ଶୀର୍ଷ ସ୍ତରରେ ସରକାରଙ୍କୁ ଅଡ଼ୁଆରେ ପକାଇଲା ପରି କୌଣସି କାମ ଏ ଯାଏ ବିଜେଡି କରିନାହିଁ। ବିଜେଡି ୨୪ ବର୍ଷ ଧରି ଶାସନରେ ରହିଥିଲା। ନବୀନ ଯେ କୌଣସି ସ୍ଥାନକୁ ଆଉ ଯେଉଁ ଦଳୀୟ କାର୍ଯ୍ୟକ୍ରମକୁ ଯାଇଛନ୍ତି, ସେଠାରେ ବହୁ ଲୋକଙ୍କର ସମାଗମ ହେଉଥିଲା। କ୍ଷମତା ଚାଲିଗଲା ପରେ ସ୍ଥିତି ବଦଳିଯାଇଛି। ଯେଉଁ ନିର୍ବାଚନମଣ୍ଡଳୀକୁ ନବୀନ ଯିବେ, ସେଠାରେ ବଡ଼ ସମାବେଶ କରିବାକୁପଡ଼ିବ। ପରାଜୟର ଗ୍ଲାନିରୁ ମୁକୁଳି ନଥିବା ବିଜେଡି ନେତାମାନେ ଏଭଳି ସମାବେଶ ଆୟୋଜନ କରିବା ମାନସିକତାରେ ନାହାନ୍ତି। ବିଧାୟକ, ପରାଜିତ ପ୍ରାର୍ଥୀ କେହି ଆଗ୍ରହ ଦେଖାଉ ନାହାନ୍ତି। ଛାମୁଆ ନେତାଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହେବାର ଆଉ ଏକ କାରଣ ହେଲା ରାଜ୍ୟ କମିଟି ଗଠନ ନହେବା। ନିର୍ବାଚନ ଫଳ ଆସିବାର ମାସକ ପରେ ନବୀନ ସବୁ ରାଜ୍ୟ କମିଟି ଭାଙ୍ଗି ଦେଇଥିଲେ। ହେଲେ ୫ ମାସ ପରେ ମଧ୍ୟ ନୂଆ କମିଟି ଗଠନ ନୋହିଲା। କାହା କଥାରେ ସେମାନେ ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି କର୍ମୀ ପ୍ରଶ୍ନ କଲେଣି। ମାମଲତକାର ନେତାମାନେ କହିଲେ ବି କେହି ଶୁଣୁ ନାହାନ୍ତି। କାରଣ ଏମାନଙ୍କ ଉପରେ ଆଉ କାହାର ଭରସା ନାହିଁ। ଏଇଥିପାଇଁ ଯେ ଶଙ୍ଖ ଭବନରେ ହାକିମାତି କରୁଥିବା ବରିଷ୍ଠ ନେତାଙ୍କର ନିଜ ଗଡ଼ ବିଜେପି ହାତକୁ ଗଲାଣି। ଏହି ଦୂରବସ୍ଥା ଦଳର ନେତା କର୍ମୀଙ୍କ ମନରେ ଭୟ ଆଶଙ୍କା ଜାତ କରିଛି ଯେ ଆଗକୂ ଦଳର ଆଉ ସେମାନଙ୍କ ଭବିଷ୍ୟତ କଣ। ଏପରି ଭୟ ଆଶଙ୍କା ସେମାନଙ୍କୁ ଦଳତ୍ୟାଗ ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ ବୋଲି କୁହାଯାଉଛି
- Now human doctors will have a day off – robot doctors will perform “superhuman” surgeries !Highlights – Humanoid Robot Doctor: Imagine if robots replaced humans in surgeries, especially those that until now
- Kolkata’s turning pitch turned out to be a Villain for India – turning a potential victory into a defeatBy-Jawahar Mishra …………………………………………………………………….. The overly-spiny pitch in Kolkata turned India’s chances of winning into a defeat, handing
- Bihar election setback – Opposition alliance now on the sinking Titanic shipBy – Jawahar Mishra ……………………………………………………………………. The results of the Bihar assembly elections have made the horoscope
- Putin made ‘flying bombs ‘ – can destroy a entire city – panic in UkraineUkraine’s intelligence agency has inspected Russian factories where ‘flying bombs’ are being manufactured. The number of these
- Dharmendra’s hospital video viral – employee arrested – condemned by Amitabh BachchanVeteran Bollywood actor Dharmendra, who was on ventilator at Breach Candy Hospital in Mumbai, was discharged on
- After Delhi it is Srinagar : Police station blown up in explosion – 9 dead, 29 injured“Blast at Nowgam Police Station in Srinagar (J&K)A massive explosion occurred late Friday night (November 14, 2025)
