


ପାକ୍ ଅଣୁ ଅସ୍ତ୍ର ହସ୍ତଗତ ଲାଗି ଆମେରିକାର ଗୁପ୍ତ ରଣନୀତି
……………………………………………………………………..
ପାକିସ୍ତାନର ଅସୁରକ୍ଷିତ ପରମାଣୁ ଅସ୍ତ୍ର ଜବତ କରିବାକୁ ଆମେରିକାର କ’ଣ ଯୋଜନା ରହିଛି ଏବଂ ସମ୍ପ୍ରତି ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହା ସମ୍ଭବପର ହୋଇପାରିବ କି ?
ଆମେରିକା, ଇସ୍ରାଏଲ ଏବଂ ୟୁରୋପ ବିଶ୍ୱାସ କରନ୍ତି ଯେ ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ଯୋଗୁ ଏହି ବୋମାଗୁଡ଼ିକ ଆତଙ୍କବାଦୀ ସଂଗଠନ (ଲସ୍କର-ଏ-ତୈବା ପରି) ହାତରେ ପଡ଼ିପାରେ। ସ୍ପଷ୍ଟ ଭାବରେ ଆତଙ୍କବାଦୀ ସଂଗଠନ ହାତରେ ପରମାଣୁ ବୋମା ପଡ଼ିବା ଅର୍ଥ ମାନବ ସଭ୍ୟତା ପାଇଁ ବିପଦକୁ ଆମନ୍ତ୍ରଣ କରିବା।
ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୁଏ, ତେବେ ବିଶ୍ୱ ପରମାଣୁ ଯୁଦ୍ଧ ବିପଦର ସମ୍ମୁଖୀନ ହୋଇପାରେ। ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ ନ କରିବାର ନୀତି ପ୍ରତି ପ୍ରତିବଦ୍ଧ। କିନ୍ତୁ ଏହାର ବିପରୀତରେ ପାକିସ୍ତାନ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇ ଆସୁଛି। ପହଲଗାମ ଆକ୍ରମଣର ଜବାବ ପରେ ପାକିସ୍ତାନୀ ମନ୍ତ୍ରୀମାନେ ମଧ୍ୟ ଅନେକ ଥର ପରମାଣୁ ଯୁଦ୍ଧର ଧମକ ଦେଇଥିଲେ, ଯାହା ଯୋଗୁ ଆମେରିକା ସମେତ ସମଗ୍ର ବିଶ୍ୱ ଚିନ୍ତିତ। ଭାରତ ଆରମ୍ଭରୁ ହିଁ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାର ନୀତି ଘୋଷଣା କରିଆସିଛି, କିନ୍ତୁ ପାକିସ୍ତାନର କ୍ଷେତ୍ରରେ ଏହା ନୁହେଁ। ପାକିସ୍ତାନ ବରାବର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଆସୁଛି।
ପାକିସ୍ତାନ ବିଷୟରେ ସମସ୍ତେ ଜାଣନ୍ତି ଯେ ଗଣତନ୍ତ୍ର ନାମରେ ଏଠାରେ ପ୍ରକୃତ ଶାସନ ସେନା କରୁଛି। ଜନତାଙ୍କ ସମ୍ମୁଖରେ ଉତ୍ତରଦାୟୀତ୍ୱ ନେବାରେ ସେନାର କୌଣସି ସମସ୍ୟା ନାହିଁ। ଏହା ସହିତ, ବିଶ୍ୱବାସୀ ଅନୁଭବ କରୁଛନ୍ତି ଯେ ଯଦି ଇସଲାମିକ ଉଗ୍ରବାଦୀମାନେ ପାକିସ୍ତାନ ସରକାର କିମ୍ବା ସେନାକୁ ନିଜ ନିୟନ୍ତ୍ରଣକୁ ନେଇଯାଆନ୍ତି, ତେବେ ପରମାଣୁ ବୋମା ସେମାନଙ୍କ ହାତରେ ରହିବ। ଉଲ୍ଲେଖନୀୟ ଯେ ୨୦୧୨ ମସିହାରେ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିବା ପାଇଁ ବ୍ରିଗେଡିୟର ଅଲି ଖାନଙ୍କ ସମେତ ଚାରି ଜଣ ପାକିସ୍ତାନୀ ସାମରିକ ଅଧିକାରୀଙ୍କୁ ଦଣ୍ଡ ଦିଆଯାଇଥିଲା।
ଆମେରିକାର ” ସ୍ନାଚ୍ ଆଣ୍ଡ୍ ଗ୍ରାବ୍” ରଣନୀତି
……………………………………………………………………
ଏହି ସମସ୍ତ ଆଶଙ୍କା ଯୋଗୁ ଆମେରିକା ‘ସ୍ନାଚ୍ ଆଣ୍ଡ୍ ଗ୍ରାବ୍’ ତଥା “ଛଡାଇଆଣ ଆଉ ହାତେଇନି” ନାମକ ଏକ କଥିତ ଗୁପ୍ତ ରଣନୀତି ପ୍ରସ୍ତୁତ କରିଛି ବୋଲି ବିଶ୍ୱାସ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଜବତ କରିବା କିମ୍ବା ସୁରକ୍ଷିତ ରଖିବା। ଯାହା ଦ୍ଵାରା ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଆତଙ୍କବାଦୀ ସଂଗଠନ, ଦାୟିତ୍ୱହୀନ ତତ୍ତ୍ଵ କିମ୍ବା ଶତ୍ରୁ ଶକ୍ତିଙ୍କ ହାତରେ ନ ପଡ଼େ। ଏହି ଯୋଜନା ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ବୈଶ୍ଵିକ ଚିନ୍ତା ବିଶେଷକରି ‘ ଉନ୍ମୁକ୍ତ ପରମାଣୁ ଅସ୍ତ୍ର’ ର ବିପଦକୁ ନେଇ ଉଦ୍ଦିଷ୍ଟ ।
ପାକିସ୍ତାନର ପରମାଣୁ ବୋମା ନେଇ ବିଶ୍ୱବ୍ୟାପୀ ଚିନ୍ତା
…………………………………………………………………….
ଏକ ଆକଳନ ଅନୁଯାୟୀ, ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଅସ୍ତ୍ର ଅଛି, ଯାହାକୁ ବିଭିନ୍ନ କ୍ଷେପଣାସ୍ତ୍ର (ଯେପରିକି ନସର, ଘୌରୀ, ଶାହିନ, ଗଜନବୀ) ଏବଂ ସାମରିକ ଘାଟିରେ ନିୟୋଜିତ କରାଯାଇଛି। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଗୁପ୍ତ ଭାବରେ ସୁଡ଼ଙ୍ଗ, ପର୍ବତ ଏବଂ ସାମରିକ ଘାଟିରେ ରଖାଯାଇଛି। ବିଶ୍ୱର ବିଭିନ୍ନ ଦେଶ ବିଶେଷକରି ଆମେରିକା, ଇସ୍ରାଏଲ ଏବଂ ୟୁରୋପ ଅନୁଭବ କରନ୍ତି ଯେ ପାକିସ୍ତାନର ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ଯୋଗୁ ଏହି ବୋମାଗୁଡ଼ିକ ଆତଙ୍କବାଦୀ ସଂଗଠନ (ଲସ୍କର-ଏ-ତୈବା ପରି) ହାତରେ ପଡ଼ିପାରେ। ସ୍ପଷ୍ଟ ଭାବରେ, ଆତଙ୍କବାଦୀ ସଂଗଠନ ହାତରେ ପରମାଣୁ ବୋମା ପଡ଼ିବା ଅର୍ଥ ମାନବ ସଭ୍ୟତା ପାଇଁ ବିପଦକୁ ଆମନ୍ତ୍ରଣ କରିବା। ବିଶେଷକରି ୯/୧୧ଆକ୍ରମଣ ପରେ ଆମେରିକା ପାକିସ୍ତାନର ପରମାଣୁ ଅସ୍ତ୍ରାଗାରକୁ ଏହାର ସୁରକ୍ଷା ପାଇଁ ବିପଦ ବୋଲି ବିବେଚନା କରିଥିଲା।
ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏବଂ ରେଳମନ୍ତ୍ରୀ ହନିଫ ଆବାସି ଭାରତ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇଥିଲେ, ଯାହା ଯୋଜନାକୁ ଅଧିକ ପ୍ରାସଙ୍ଗିକ କରିଥିଲା। ‘ଛଡେଇଆଣ ଏବଂ ହାତେଇନିଅ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଭୁଲ ହାତରେ ନ ପଡ଼େ ତାହା ନିଶ୍ଚିତ କରିବା। ଏହି ଯୋଜନା ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର (ଯେପରିକି ଇସ୍ରାଏଲ ଏବଂ ଭାରତ) ର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଉଦ୍ଦିଷ୍ଟ।
ଯୋଜନାର ଉଲ୍ଲେଖ ଏବଂ ଉତ୍ପତ୍ତି
……………………………………………………………………. ୨୦୧୧ ମସିହାରେ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ଏନ୍,ବି,ସି, ନିଉଜ୍ ଏକ ରିପୋର୍ଟରେ ଦାବି କରିଥିଲା ଯେ ଆମେରିକା ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଜବତ କରିବା ପାଇଁ ଏକ ଆକସ୍ମିକ ଯୋଜନା ପ୍ରସ୍ତୁତ କରିଛି। ୯/୧୧ ଆକ୍ରମଣ ପରଠାରୁ ଏହି ଯୋଜନା ଆମେରିକାର ପ୍ରାଥମିକତା ହୋଇଆସିଛି। ୨ ମଇ ୨୦୧୧ରେ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିବା ଆମେରିକାର ଅପରେସନ ପାକିସ୍ତାନର ପରମାଣୁ ଅସ୍ତ୍ରାଗାରର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଥିଲା। କୁହାଯାଏ ଯେ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅଶଫାକ କୟାନି ପରମାଣୁ ସୁରକ୍ଷା ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇଙ୍କୁ ଫୋନ୍ କରି ଆମେରିକା ପରମାଣୁ ଅସ୍ତ୍ରଶସ୍ତ୍ର ଜବତ କରିବାକୁ ଚେଷ୍ଟା କରିପାରେ ବୋଲି ତାଙ୍କର ଆଶଙ୍କା ପ୍ରକାଶ କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ୍ ହାଉସର ଆତଙ୍କବାଦ ନିରୋଧୀ ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ରୋଜର କ୍ରେସି ଏନବିସି ନିଉଜ୍ କୁ କହିଛନ୍ତି ଯେ ଆମେରିକା ସରକାର ପରମାଣୁ ଅସ୍ତ୍ରକୁ ନେଇ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହେଲେ ତାହାର ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି। ପାକିସ୍ତାନରେ ଗୃହଯୁଦ୍ଧ, ସାମରିକ ବିଦ୍ରୋହ କିମ୍ବା ବ୍ୟାପକ ଅସ୍ଥିରତା ଭଳି ଆଭ୍ୟନ୍ତରୀଣ ବିଶୃଙ୍ଖଳା ପରିସ୍ଥିତିରେ ଆମେରିକା ଏହି ଯୋଜନା କାର୍ଯ୍ୟକାରୀ କରିବ। ୨୦୧୧ ସୁଦ୍ଧା, ଆତଙ୍କବାଦୀ ସଂଗଠନଗୁଡ଼ିକ (ଯେପରିକି ଲସ୍କର-ଏ-ତୈବା) ପରମାଣୁ ଅସ୍ତ୍ର ହାସଲ କରିବାକୁ ଚେଷ୍ଟା କରିଥିଲେ, ସେଥିପାଇଁ ଆତଙ୍କବାଦୀମାନେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ଅତି କମରେ ଛଅଟି ସ୍ଥାନକୁ ଟାର୍ଗେଟ କରିଥିଲେ।
ଆମେରିକା ଏହି ଯୋଜନାକୁ କିପରି କାର୍ଯ୍ୟକାରୀ କରିବ ?
…………………………………………………………………… ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେରିକା ସାଟେଲାଇଟ୍ ଚିତ୍ର, ମାନବ ବୁଦ୍ଧିମତ୍ତା ( ହ୍ୟୁମିଣ୍ଟ) ଏବଂ ସାଙ୍କେତିକ ଗୁପ୍ତଚର (ସିଗିଣ୍ଟ) ମାଧ୍ୟମରେ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ ଉପରେ ବରାବର ସତର୍କ ନଜର ରଖିଛି। ଯଦି 'ବୁଲେଟିନ୍ ଅଫ୍ ଦି ଆଟମିକ୍ ସାଇଣ୍ଟିଷ୍ଟସ୍'ର ୨୦୨୩ ର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ପାକିସ୍ତାନର ପରମାଣୁ ଅସ୍ତ୍ର ଆକ୍ରୋ, ଖୁଜଦାର ଏବଂ ପାନୋ ଆକିଲ୍ ଭଳି ସ୍ଥାନରେ ଅଛି। ଆବଶ୍ୟକ ହେଲେ, ଡେଲ୍ଟା ଫୋର୍ସ କିମ୍ବା ନେଭି ସିଲ୍ସ ଭଳି ଆମେରିକୀୟ ସ୍ୱତନ୍ତ୍ର ବାହିନୀ ବିଜୁଳି ବେଗରେ ପାକିସ୍ତାନରେ ପ୍ରବେଶ କରି ପରମାଣୁ ଅସ୍ତ୍ରଶସ୍ତ୍ର ଦଖଲ କରିନେବେ। ତଥାପି ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରଗୁଡିକ ଅନେକ ଗୁପ୍ତ ସ୍ଥାନରେ ବିକ୍ଷିପ୍ତ ହୋଇରହିଛି, ଯାହା ଏହି ଅପରେସନକୁ ଜଟିଳ କରୁଛି। ପାକିସ୍ତାନ 'ସ୍ନାଚ୍ ଆଣ୍ଡ୍ ଗ୍ରାବ୍' ଯୋଜନାକୁ ଏହାର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ବିବେଚନା କରିଥିଲା ଏବଂ ୨୦୧୧ ରେ ପରଭେଜ୍ ମୁଶାରଫ୍ ଏହାକୁ ଯୁଦ୍ଧର କାରଣ ବୋଲି କହିଥିଲେ।
ପରମାଣୁ ଅସ୍ତ୍ର ହାସଲ କରିବାରେ ଆମେରିକା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ
…………………………………………………………………… ପାକିସ୍ତାନ ତାହାର ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନ (ଏସ୍,ପି,ଡି,) ର ଗଠନ କରିଛି, ଯାହା ଅସ୍ତ୍ରଶସ୍ତ୍ରର ପରିଚାଳନା ଏବଂ ସୁରକ୍ଷାର ତଦାରଖ କରେ। ପାକିସ୍ତାନ ଦାବି କରୁଛି ଯେ ଏହାର ଅସ୍ତ୍ରଶସ୍ତ୍ର ସୁରକ୍ଷିତ ଏବଂ ଯେକୌଣସି ବାହ୍ୟ ହସ୍ତକ୍ଷେପରୁ ସେଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି। 'ଛଡେଇଆଣ ଏବଂ ହାତେଇନିଅ' ଯୋଜନା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜଟିଳ ଏବଂ ବିପଦପୂର୍ଣ୍ଣ। ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୁଡ଼ଙ୍ଗ, ପର୍ବତ ଏବଂ ସାମରିକ ଘାଟିରେ ଲୁଚାଇ ରଖିଛି। ସେଗୁଡିକର ସଠିକ୍ ସ୍ଥାନ ଖୋଜିବା କଷ୍ଟକର। ପାକିସ୍ତାନୀ ସେନା ଏହାର ପରମାଣୁ ଅସ୍ତ୍ରକୁ ଜାତୀୟ ଗର୍ବର ପ୍ରତୀକ ବୋଲି ଭାବେ। ୨୦୧୧ ମସିହାରେ ପୂର୍ବତନ ସାମରିକ ଶାସକ ପରଭେଜ ମୁଶାରଫ ଚେତାବନୀ ଦେଇଥିଲେ ଯେ ସ୍ନାଚ୍ ଆଣ୍ଡ୍ ଗ୍ରାବ୍ ପରି କାର୍ଯ୍ୟ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ କରିପାରେ। ମୁଶାରଫଙ୍କ ବ୍ୟତୀତ ପାକିସ୍ତାନୀ ସେନା ଏବଂ ସରକାର ମଧ୍ୟ ଏହି ଯୋଜନାକୁ ସେମାନଙ୍କର ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି ବିବେଚନା କରିଥିଲେ। ଆବୋଟାବାଦ ଅପରେସନ ପରେ, ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ଅଶଫାକ ପରଭେଜ କୟାନି ପରମାଣୁ ସୁରକ୍ଷା ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇଙ୍କ ସହ ଯୋଗାଯୋଗ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ। ଏପରି କାର୍ଯ୍ୟ ପାକିସ୍ତାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବ, ଯାହା ଚୀନ୍ ଏବଂ ରୁଷ ଭଳି ଦେଶ ସହିତ ଉତ୍ତେଜନା ବୃଦ୍ଧି କରିପାରେ। ପାକିସ୍ତାନର ଏକ ପ୍ରମୁଖ ସହଯୋଗୀ ଚୀନ୍ ଏପରି ହସ୍ତକ୍ଷେପକୁ ବିରୋଧ କରିପାରେ। ଅଧିକନ୍ତୁ ଯଦି ଅପରେସନଟି ସଫଳ ନହୁଏ କିମ୍ବା ଭୁଲ ସମୟରେ କାର୍ଯ୍ୟକାରୀ ହୁଏ, ତେବେ ଏହା ଏକ ପରମାଣୁ ଯୁଦ୍ଧ ଆରମ୍ଭ କରିବା ଭଳି ହେବ।
ଆମେରିକାର ବର୍ତ୍ତମାନର ଚିନ୍ତା
……………………………………………………………………. ବିଗତ କିଛି ବର୍ଷ ମଧ୍ୟରେ ଆମେରିକା ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଚିନ୍ତା ପ୍ରକାଶ କରିଥିଲା। ଡିସେମ୍ବର ୨୦୨୪ ରେ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ଫାଇନର କହିଥିଲେ ଯେ ପାକିସ୍ତାନର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆମେରିକା ପାଇଁ ଏକ ଉଦୀୟମାନ ( ଉଭା ହେଉଥିବା)ବିପଦ ସୃଷ୍ଟି କରିପାରେ। ଏହି କାରଣରୁ ଆମେରିକା ପାକିସ୍ତାନର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସହିତ ଜଡିତ କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛି, ଯେପରିକି ସେପ୍ଟେମ୍ବର ୨୦୨୪ ରେ ଚାରୋଟି ପ୍ରତିଷ୍ଠାନ ଉପରେ ଏପରି ପ୍ରତିବନ୍ଧକ ଲଗାଇଥିଲା। ଆମେରିକା ପାକିସ୍ତାନକୁ ତାର ପରମାଣୁ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସହାୟତା ପ୍ରଦାନ କରିଛି, କିନ୍ତୁ ପାକିସ୍ତାନ ଏହାକୁ ସୀମିତ ଭାବରେ ଗ୍ରହଣ କରିଛି। ଯଦିଓ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଆମେରିକା କ୍ୱେଟାରେ ଥିବା ପାକିସ୍ତାନୀ ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ କବଜା କରିନେଇଛି। ତେବେ ଏହି ଦାବିଗୁଡ଼ିକ ଅସତ୍ୟାପିତ ତଥା ସତ୍ୟାଧାରିତ ନୁହେଁ। ଉଭୟ ପକ୍ଷରୁ ଏଥିନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟୀକରଣ ଆସିନାହିଁ।