
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିିଛି। ଭାରତକୁ ଚ୍ୟାଲେଞ୍ଜ କରୁଥିବା ପାକିସ୍ତାନ ବର୍ତ୍ତମାନ ଗୋଳାବାରୁଦର ଅଭାବର ସମ୍ମୁଖୀନ ହେଉଛି। ଯୁଦ୍ଧ କଥା କହୁଥିବା ପାକିସ୍ତାନ ପାଖରେ ମାତ୍ର ୯୬ ଘଣ୍ଟାର ଗୁଳି ବାକି ଅଛି। ଏପରି ପରିସ୍ଥିତିରେ ଯଦି ଭାରତ ସହିତ ଯୁଦ୍ଧ ହୁଏ, ତେବେ ପାକିସ୍ତାନ କେବଳ ୪ ଦିନ ପାଇଁ ଭାରତକୁ ଜବାବ ଦେଇପାରିବ, ତାହା ପରେ ପରାଜୟ ଆଉ ଆତ୍ମସମର୍ପଣ ନିଶ୍ଚିତ।
ଗୋଟିଏ ପଟେ ପାକିସ୍ତାନର ନେତାମାନେ ଭାରତକୁ ଯୁଦ୍ଧ ପାଇଁ ଧମକ ଦେଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ସାମରିକ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। କାରଣ ପାକିସ୍ତାନ ଗୋଳାବାରୁଦର ଘୋର ଅଭାବର ସମ୍ମୁଖୀନ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା କେବଳ ୪ ଦିନ ପାଇଁ ଯୁଦ୍ଧ ଲଢ଼ିବାର କ୍ଷମତା ରଖିଛି। ଏହା ପରେ ତାଙ୍କ ସେନା ଗୋଳାବାରୁଦର ଅଭାବ ଯୋଗୁ ପୂର୍ବ ପରି ଆତ୍ମସମର୍ପଣ କରିବେ।
ସେହିଭଳି ଭାରତର ସାମରିକ ଶକ୍ତି ସହ ପାକିସ୍ତାନର ତୁଳନା ନାହିଁ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି। ପାକିସ୍ତାନର ପରିସ୍ଥିତି ଏପରି ହୋଇଯାଇଛି ଯେ ପାକିସ୍ତାନୀ ସେନା ପାଖରେ ଟ୍ୟାଙ୍କ ଚଲାଇବା ପାଇଁ ଇନ୍ଧନ ନାହିଁ। M୧୦୯ ହାୱିଜର୍, BM-୨୧ ମଲ୍ଟିପଲ ରକେଟ ଲଞ୍ଚର୍ ପାଇଁ କୌଣସି ଗୁଳି ଉପଲବ୍ଧ ନାହିଁ, ନୂତନ ବନ୍ଧୁକ SH-୧୫ ପାଇଁ କୌଣସି ଗୁଳି ବାକି ନାହିଁ, ବନ୍ଧୁକ ଏବଂ ରକେଟ ଲଞ୍ଚର୍ କେବଳ ପ୍ରଦର୍ଶନୀର ବସ୍ତୁ ହୋଇଗଲାଣି।
ପାକିସ୍ତାନର ଦାରିଦ୍ର୍ୟ ବିଶ୍ୱକୁ ଅଛପା ନୁହେଁ। ଭାରତକୁ ଧମକ ଦେଉଥିଲେ ହେଁ ଏହାର ଆର୍ଥିକ ଅବସ୍ଥା ବହୁତ ଖରାପ। ସେମାନଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି।ସେନାକୁ ତେଲ ଏବଂ ରାସନ ମଧ୍ୟ ହ୍ରାସ କରିବାକୁ ପଡ଼ିଛି। ଆର୍ଥିକ ଅବସ୍ଥା ଖରାପ ହେବାରୁ ପାକିସ୍ତାନୀ ସେନା ଯୁଦ୍ଧ ଅଭ୍ୟାସ ଅନେକାଂଶରେ ବନ୍ଦ କରିଦେଇଛି। ପେଟ୍ରୋଲ ଏବଂ ଡିଜେଲ ଅଭାବରୁ ସାମରିକ ଯାନଗୁଡ଼ିକ ନିଷ୍କ୍ରିୟ ହୋଇପଡ଼ିରହିଛି। ପାକିସ୍ତାନ ଚୀନରୁ ୪୦ଟି VT-୪ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଡର କରିଛି। ବର୍ତ୍ତମାନ ପାକିସ୍ତାନ ପାଖରେ ୩୫୦ଟି VT-୪ ଟ୍ୟାଙ୍କ ଅଛି, କିନ୍ତୁ ଭାରତର ସାମରିକ ଶକ୍ତି ଆଗରେ ସେ ଦୁର୍ବଳ। କାରଣ ଭାରତୀୟ ସେନା ପାଖରେ ୧୦୦୦ ରୁ ଅଧିକ T୯୦ ଟ୍ୟାଙ୍କ, T-୭୨ ଏବଂ ସ୍ବଦେଶୀ ଅର୍ଜୁନ ଟ୍ୟାଙ୍କ ଅଛି, ଯାହା ଯେକୌଣସି ସ୍ଥଳ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିପାରିବ।
ଗୁଳି ଗୋଳା ବିକି ପାକିସ୍ତାନ ନିଜ ଗୋଡରେ କୁରାଢି ଚୋଟ ମାରିଲା
ସୂତ୍ର ଅନୁସାରେ ପାକିସ୍ତାନ ଭାରତ-ପାକିସ୍ତାନ ସୀମା ନିକଟରେ ନୂତନ ଗୋଳାବାରୁଦ ଡିପୋ (ଗୋଦାମ) ନିର୍ମାଣ କରିଛି, ଯାହା ଦ୍ଵାରା ଯୁଦ୍ଧ ସମୟରେ ସେଗୁଡ଼ିକୁ ତୁରନ୍ତ ବ୍ୟବହାର କରାଯାଇପାରିବ। କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୟୁକ୍ରେନକୁ ଗୁଳି ବିକ୍ରୟ କରି ପାକିସ୍ତାନ ନିଜ ପାଦରେ ନିଜେ କୁରାଢି ମାରିଛି। ପାକ୍ ସେନା ଏବେ ଖାଲି ଅସ୍ତ୍ର ଆଉ ଗୁଳି ଗୋଳା ଭଣ୍ଡାର ଏବଂ ଦୁର୍ବଳ ପ୍ରତିରକ୍ଷାକୁ ଧରି ଅସହାୟତାର ସହିତ ଠିଆ ହୋଇଛି।
ପାକିସ୍ତାନର ଆର୍ଥିକ ଅବସ୍ଥା ମଧ୍ୟ ଏହି ସଙ୍କଟକୁ ବୃଦ୍ଧି କରୁଛି। ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଛି, ଋଣ ବୃଦ୍ଧି ପାଉଛି ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ସେନା ଉପରେ ମଧ୍ୟ ପ୍ରଭାବ ପକାଇଛି। ସେଠାରେ ଏବେ ରାସନ କାଟ୍ କରାଯାଉଛି, ସାମରିକ ଅଭ୍ୟାସ ବନ୍ଦ କରାଯାଉଛି ଏବଂ ଇନ୍ଧନ ଅଭାବ ଯୋଗୁ ଯୁଦ୍ଧାଭ୍ୟାସ ସ୍ଥଗିତ ରଖାଯାଇଛି।
ସାଇବର ଫ୍ରଣ୍ଟରେ ପାକିସ୍ତାନ ମଧ୍ୟ ଲଜ୍ଜିତ। ଏହି ସମୟରେ ପାକିସ୍ତାନ ମଧ୍ୟ ସାଇବର ଯୁଦ୍ଧରେ ହାରୁଛି। ମେ ୧ ତାରିଖରେ, ପାକିସ୍ତାନୀ ହ୍ୟାକର୍ ଗୋଷ୍ଠୀ 'ସାଇବର ଗ୍ରୁପ୍ HOAX1337' ଏବଂ 'ନ୍ୟାସନାଲ୍ ସାଇବର କ୍ରୁ' କିଛି ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବାକୁ ବିଫଳ ପ୍ରୟାସ କରିଥିଲେ। ଭାରତର ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲେ। ପାକ୍ ହ୍ୟାକର୍ସମାନେ ଆର୍ମି ପବ୍ଲିକ୍ ସ୍କୁଲ ନାଗୋରୋଟା ଏବଂ ସୁଞ୍ଜୱାନର ୱେବସାଇଟ୍ ହ୍ୟାକ୍ କରି ସେଠାରେ ଉତ୍ତେଜନାମୂଳକ ବାର୍ତ୍ତା ପୋଷ୍ଟ କରିବାକୁ ଚେଷ୍ଟା କରିଥିଲେ। ବିଗତ ଦିନରେ ୧୦ ଲକ୍ଷ ଥର ସେମାନେ ହ୍ୟାକ୍ କରିବାର ଅସଫଳ ପ୍ରୟାସ କରିଥିଲେ। ଏହା ବ୍ୟତୀତ ପୂର୍ବତନ ସୈନିକଙ୍କ ସ୍ୱାସ୍ଥ୍ୟ ସେବା ସହ ଜଡିତ ୱେବସାଇଟ୍ ମଧ୍ୟ ଟାର୍ଗେଟ କରାଯାଇଥିଲା।