

ପାକିସ୍ତାନରେ ଲୋକମାନେ ଘୋର ଖାଦ୍ୟ ଅଭାବର ସମ୍ମୁଖୀନ ଆଉ ଆକାଶଛୁଆଁ ଦରଦାମ ବୃଦ୍ଧି ସମସ୍ୟାରେ ପୀଡିତ। ଦେଶ ଚଳାଇବା ପାଇଁ ପାକ୍ ସରକାରଙ୍କୁ ବାରମ୍ବାର ହାତରେ ଭିକ୍ଷା ଥାଳ ଧରି ସାରା ବିଶ୍ୱ ବୁଲିବାକୁପଡ଼ୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପାକିସ୍ତାନ ସରକାର ନିଜ ଲୋକଙ୍କ ଭୋକ ମେଣ୍ଟାାଇବାକୁ ଯଥାସମ୍ଭବ ଚେଷ୍ଟା କରି ବିଫଳ ରହିବା ସତ୍ତ୍ଵେ ନିରନ୍ତର ନିଜର ଅସ୍ତ୍ରଶସ୍ତ୍ର ଭଣ୍ଡାର ବୃଦ୍ଧି କରିଚାଲିଛି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଦେଶ ଚଳାଇବାକୁ ପାଖରେ ପଇସା ନ ଥିବାବେଳେ ପାକିସ୍ତାନ ଯୁଦ୍ଧ ବିମାନ, ଡ୍ରୋନ୍ ଏବଂ ବୋମା କିଣିବା ପାଇଁ ଏତେ ବିପୁଳ ପରିମାଣର ଟଙ୍କା କେଉଁଠାରୁ ଆଣୁଛି ?
ଯଦିଓ ପାକିସ୍ତାନ ଆର୍ଥିକ ଦେବାଳିଆ ହେବାର ଦ୍ୱାରଦେଶରେ ଅଛି, ତଥାପି ଏହାର ସେନା ଏବେ ବି ଶକ୍ତିଶାଳୀ ରହିଛି। ପାକିସ୍ତାନ ସେନାର ପ୍ରତ୍ୟେକ ଆବଶ୍ୟକତା ପୂରଣ ହୋଇଛି। ପାକିସ୍ତାନର ଜିଡିପି ମାତ୍ର ୨୩୬ ବିଲିୟନ ଡଲାରର, ତଥାପି ପାକିସ୍ତାନ ୨୦୨୫ ମସିହାରେ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ୭ ବିଲିୟନ ଡଲାରରୁ ଅଧିକ ଅର୍ଥର ବ୍ୟବସ୍ଥା କରିଛି। ତେବେ ପ୍ରଶ୍ନ ଉଠେ ଯେ ଏହି ଟଙ୍କା କେଉଁଠାରୁ ଆସୁଛି ଆଉ କେଉଁ ଦାନବୀର ଦାତା ଏତେ ବିପୁଳ ଅର୍ଥ ପାକିସ୍ଥାନକୁ ଦେଉଛି କେଉଁ ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ?
ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ଆମଦାନୀର ୮୦ ପ୍ରତିଶତରୁ ଅଧିକ ଚୀନରୁ ଆସିଛି। ବିଶେଷ କଥା ହେଉଛି ଯେ ଚୀନ୍ ପାକିସ୍ତାନକୁ କେବଳ ଅସ୍ତ୍ରଶସ୍ତ୍ର ଦେଉନାହିଁ, ବରଂ ଋଣରେ ଟଙ୍କା ମଧ୍ୟ ଦେଉଛି। ଚୀନ୍ ପାକିସ୍ତାନକୁ କମ୍ ସୁଧ ଏବଂ ନମନୀୟ ସର୍ତ୍ତାବଳୀରେ ଦୀର୍ଘକାଳୀନ ଋଣ ଦେଇଛି। ଏହାର ଅର୍ଥ ହେଉଛି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ନଗଦ ଟଙ୍କାର ଆବଶ୍ୟକତା ନାହିଁ। ତାଙ୍କୁ କେବଳ ଚୀନ୍ରୁ ଋଣ ନେବାକୁ ରାଜି ହେବାକୁ ପଡିବ ଏବଂ ସେ ଅସ୍ତ୍ରଶସ୍ତ୍ର ପାଇବ। ତଥାପି, ଏହି ଅସ୍ତ୍ରଗୁଡ଼ିକ କେତେ ପ୍ରଭାବଶାଳୀ, ତାହା ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଉପରେ ଭାରତର ଆକ୍ରମଣରୁ ସ୍ପଷ୍ଟ ହୋଇଗଲା। ଏହି ଭୁଲ୍ ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହେଲା, ଯିଏ 'ଚାଇନିଜ୍ ସାମଗ୍ରୀ'କୁ ଆଧୁନିକ ଅସ୍ତ୍ର ଭାବରେ ବିବେଚନା କରୁଥିଲା ଏବଂ ଭାରତ ଏହାର ଅନେକ ବିମାନ ଘାଟୀ ନଷ୍ଟ କରିଦେଲା।
ପାକ୍ ସେନାର ନିଜସ୍ୱ ଆୟ ଆଉ ଶକ୍ତି ଅଛି
ପାକିସ୍ତାନୀ ସେନା ନିଜେ "ରାଷ୍ଟ୍ର ଭିତରେ ନିଜେ ଏକ ସ୍ଵୟଂଚାଳିତ ରାଷ୍ଟ୍ର" ପାଲଟିଯାଇଛି। ପାକ୍ ସେନାର ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ଅଛି। ସେନା ପିଜା ଠାରୁ ସିମେଣ୍ଟ ପର୍ଯ୍ୟନ୍ତ ଅଗଣିତ ବ୍ୟବସାୟ ଚଳାଉଛି । ଏହାର ଅନେକ କାରଖାନା, ହାଉସିଙ୍ଗ୍ ପ୍ରୋଜେକ୍ଟ ତଥା ଗୃହ ନିର୍ମାଣ ପ୍ରକଳ୍ପ ଏବଂ ଇନଭେଷ୍ଟମେଣ୍ଟ କାଉନସିଲ୍ ତଥା ନିବେଶ ପରିଷଦ ଅଛି ଏବଂ ସବୁକିଛି ପାକିସ୍ତାନ ସେନାର କବଜା କରାଯାଇଛି। ଏହାର ଅର୍ଥ ହେଉଛି ଯେ ସରକାରଙ୍କ ବଜେଟକୁ ଛାଡି ସେନା ସ୍ଵତନ୍ତ୍ର ଭାବେ ବିପୁଳ ରୋଜଗାର କରେ , ଖର୍ଚ୍ଚ ବି କରେ ଏବଂ ନିଜ ପାଇଁ ଅସ୍ତ୍ରଶସ୍ତ୍ର ମଧ୍ୟ କିଣେ।
ଆମେରିକା ଏବଂ ଇଂଲଣ୍ଡର ମଧ୍ୟ ହାତ ଅଛି
୧୯୪୮ ମସିହାରୁ ଏ ଯାଏ କେବଳ ଆମେରିକା
ପାକିସ୍ତାନକୁ ୪୦ ବିଲିୟନ ଡଲାରର ଆର୍ଥିକ ଏବଂ ସାମରିକ ସହାୟତା ଦେଇଛି, ଯାହା କି ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ୫୦ ହଜାର କୋଟି ଟଙ୍କା ହେବ। ଯଦି କାନାଡା, ବ୍ରିଟେନ ଏବଂ ୟୁରୋପ ଦ୍ୱାରା ଦିଆଯାଇଥିବା ଟଙ୍କାକୁ ମିଶାଇ ଦିଆଯାଏ, ତେବେ ଏହି ସଂଖ୍ୟା ୫୫ ବିଲିୟନ ଅତିକ୍ରମ କରିବ , ଯାହା କି ଭାରତୀୟ ମୁଦ୍ରାରେ ୫ ଲକ୍ଷ କୋଟି ଟଙ୍କା ପାଖାପାଖି ହେବ। ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ଏହି ସବୁ ଦେଶ ଅଧିକାଂଶ ଟଙ୍କା ଦେଇଥିଲେ। କିନ୍ତୁ ପାକିସ୍ତାନ ଏହାର ସେନାକୁ ଶକ୍ତିଶାଳୀ କରିବା ପାଇଁ ଏହାକୁ ଆଖିବୁଜା ଖର୍ଚ୍ଚ କରିଛି।
ଏଥିରୁ ପୁଣି ସେନା ସିଂହ ଭାଗ ନିଜେ ପକେଟସ୍ଥ କରିଛି। ପୂର୍ବତନ ପାକିସ୍ତାନୀ ରାଷ୍ଟ୍ରଦୂତ ହୁସେନ ହକ୍କାନି ବହୁ ପୂର୍ବରୁ କହିଥିଲେ ଯେ, "ଦକ୍ଷିଣ କୋରିଆ ୧୫ ବିଲିୟନ ଡଲାର ଏବଂ ତାଇୱାନ ୧୦ ବିଲିୟନ ଡଲାର ପାଇଲେ। ସେତିକିରେ ସେମାନେ ନିଜର ଅର୍ଥନୀତି ଗଢ଼ି ଏତେ ଉପରକୁ ଗଲେ। ଆଉ ଆମେ ୫୫ ବିଲିୟନ ଡଲାର ପାଇଲୁ ଏବଂ ଆମେ କେବଳ ଏକ ଭ୍ରମ ସୃଷ୍ଟି କଲୁ।" ହକ୍କାନି କହିବାର ଉଦ୍ଦେଶ୍ୟ ଥିଲା ଯେ ପାକିସ୍ତାନ ଏହି ଟଙ୍କାକୁ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ବ୍ୟବହାର କରିଆସିଛି, ଯେତେବେଳେ କି ଅନ୍ୟ ଦେଶମାନେ ଏହାକୁ ବିକାଶ ପାଇଁ ବ୍ୟବହାର କରୁଥିଲେ। ସେ କହିଥିଲେ ଯେ ପାକିସ୍ତାନ କେବେ ବି ଭାରତ ପ୍ରତି ତାର ଅସହିଷ୍ଣୁ ଭାବ ଛାଡିନାହିଁ। ମିଳିଥିବା ପ୍ରତ୍ୟେକ ଡଲାର ପାକିସ୍ତାନକୁ ନୁହେଁ, କେବଳ ସେନାକୁ ମଜବୁତ କରିଆସିଛି। ସେ କହିଥିଲେ ଯେ, "ପାକିସ୍ତାନ ପ୍ରତି ଦୁଇ ବର୍ଷରେ ଥରେ ଆମେରିକା କୋଳକୁ ଫେରିଯାଏ, ଏମିତିକି ଗାଳି ଖାଇବା ସତ୍ତ୍ଵେ। କାରଣ ଆମେରିକା ହିଁ ବିଲ୍ ଦେଇଥାଏ।"
ଆଇ,ଏମ୍,ଏଫ୍, ସାହାଯ୍ୟ କରିଆସୁଛି
ଏଇ କେଇ ଦିନ ତଳେ ଭାରତ – ପାକ୍ ସଂଘର୍ଷ ଚାଲିଥିବାବେଳେ ୯ ମଇ ୨୦୨୫ରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପୁଣି ଥରେ ପାକିସ୍ତାନକୁ ୨.୪ ବିଲିୟନ ଡଲାରର ନୂତନ ସହାୟତା ମଞ୍ଜୁର କରିଛି। ଯଦିଓ ମୁଦ୍ରା ପାଣ୍ଠି ବାରମ୍ବାର କହୁଛି ଯେ ପାକିସ୍ତାନ ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରାଯିବା ଉଚିତ, ତଥାପି ଏପର୍ଯ୍ୟନ୍ତ ପାକିସ୍ତାନର ସେନା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏହା କିପରି ହୋଇପାରେ, ସେ ନିଜେ ଶକ୍ତି, ବ୍ୟବସାୟ ଏବଂ ସମ୍ବଳର ମାଲିକାଣୀ। ଏବେ ପାକିସ୍ତାନ ସରକାରଙ୍କୁ ମୁଦ୍ରା ପାଣ୍ଠିରୁ ମିଳିଥିବା ନୂତନ ଟଙ୍କାକୁ ପାକିସ୍ତାନୀ ସେନାର ଇଚ୍ଛା ଅନୁଯାୟୀ ବ୍ୟବହାର କରିବାକୁ ପଡିବ। ମୁଦ୍ରା ପାଣ୍ଠି ଏବଂ ଆମେରିକା ଉଭୟ ଏହା ଜାଣନ୍ତି। କିନ୍ତୁ ସେମାନଙ୍କର ରଣନୀତି ଏବଂ ଆର୍ଥିକ ସ୍ୱାର୍ଥ ଯୋଗୁ ସେମାନେ ପୂର୍ବ ପରି ଆଖି ବୁଜି ବସିଛନ୍ତି।