

ଭାରତ ଆଉ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ହୋଇଛି। ଏ ନେଇ ଦୁଇ ଦେଶ ବିଧିବଦ୍ଧ ଘୋଷଣା କରିଛନ୍ତି। ଭାରତର ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିସରୀ ଏହି ସୂଚନା ଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଏହି ଯୁଦ୍ଧ ବିରତି ଭାରତର ସର୍ତ୍ତ ଅନୁଯାୟୀ ହୋଇଛି। ଆଗାମୀ ୧୨ ତାରିଖରେ ଦୁଇ ଦେଶର ସୈନ୍ୟ ଅଭିଯାନ ମହାନିର୍ଦ୍ଦେଶକ ( ଡି,ଜି,ଏମ୍,ଓ,)ଙ୍କ ମଧ୍ୟରେ ବୈଠକ ବସିବ।
ବୈଦେଶିକ ସଚିବ ବିକ୍ରମ ମିସରୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ ଆଜିର ଦିନ ୧୨ ଟା ସମୟରେ ପାକିସ୍ତାନର ଡ଼ି ଜି ଏମ୍ ଓ ଫୋନ୍ କରି ଯୁଦ୍ଧ ବିରତି ଲାଗି ଇଚ୍ଛା ପ୍ରକଟ କରିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗି ସହମତି ହେଲା। ଏହାପରେ ଆଜି ଅପରାହ୍ନ ୫ ଟା ବେଳେ ଯୁଦ୍ଧ ବିରତି ଲାଗୁ ହେଲା। ଅର୍ଥାତ୍ ଉଭୟ ପକ୍ଷ ତରଫରୁ ଆକ୍ରମଣ ଆଉ ପ୍ରତିଆକ୍ରମଣରେ ବିରାମ ଲାଗିଲା।
ଯୁଦ୍ଧ ବିରତି ନେଇ ଟ୍ରମ୍ପଙ୍କ ଦାବି
ସେହିପରି ଯୁଦ୍ଧ ବିରତି ନେଇ ଦୁଇ ଦେଶ ସହମତ ହୋଇଛନ୍ତି ବୋଲି ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଏନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ ଏବଂ ଆମେ ଏଥିରେ ସଫଳ ହୋଇଛୁ।
ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ଆହୁରି କହିଛନ୍ତି ଯେ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ମୁଁ ଭାରତ ଏବଂ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲୁ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶେହବାଜ ସରିଫ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ସେନା ମୁଖ୍ୟ ଅସୀମ ମୁନିର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅସୀମ ମାଲିକ ସାମିଲ ଅଛନ୍ତି। ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଭାରତ ଏବଂ ପାକିସ୍ତାନ ସରକାର ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଏବଂ ଏକ ନିରପେକ୍ଷ ସ୍ଥାନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସରିଫଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ପଥ ବାଛିବା କ୍ଷେତ୍ରରେ ପ୍ରଦର୍ଶନ କରାଯାଇଥିବା ଦୂରଦୃଷ୍ଟି, ବିଚକ୍ଷଣତା ଏବଂ କୂଟନୈତିକ ବୁଦ୍ଧିକୁ ଆମେ ପ୍ରଶଂସା କରୁଛୁ। ଶନିବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ରୁବିଓ ମୁନିରଙ୍କୁ ଶାନ୍ତ ରହିବାକୁ କହିଥିଲେ। ରୁବିଓ କହିଛନ୍ତି ଯେ ଏହି ମାମଲାକୁ ଆଗକୁ ବଢାଇବା ଦ୍ୱାରା ପାକିସ୍ତାନର କ୍ଷତି ହେବ। ରୁବିଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ବିଷୟରେ କହିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଦାର ଏକ ବୟାନ ଦେଇ କହିଛନ୍ତି ଯେ ଆମେ ଯୁଦ୍ଧବିରତି ପାଇଁ ରାଜି। ପରେ ଯାହା ହେବ, ଆମେ ତାହାକୁ ଗ୍ରହଣ କରିବୁ।
ପାକିସ୍ତାନର ମଦ୍ରାସା ଛାତ୍ର ଯୁଦ୍ଧ ଲଢ଼ିବେ
ଉଲ୍ଲେଖନୀୟ ଯେ ଆଜି ପାକିସ୍ତାନର ସଂସଦରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ କହିଥିଲେ ଯେ ଯଦି ଭାରତ ସହିତ ଯୁଦ୍ଧ ହୁଏ, ତେବେ ଆମ ଦେଶର ମଦ୍ରାସାଗୁଡିକର ଛାତ୍ରମାନେ ପାକିସ୍ତାନର ଦ୍ଵିତୀୟ ଧାଡ଼ିର ସୈନ୍ୟ ହିସାବରେ ଲଢ଼ିବେ। ଆବଶ୍ୟକ ପଡିଲେ ସେମାନଙ୍କୁ ମୁତୟନ କରାଯିବ। ଆଜି ଭାରତ ସରକାର କହିଥିଲେ ଯେ, ପାକିସ୍ତାନ ସୀମାନ୍ତ ଅଞ୍ଚଳକୁ ନିଜ ସୈନ୍ୟମାନଙ୍କୁ ସ୍ଥାନାନ୍ତର କରୁଛି, ଯାହା ୧୯୯୯ କାର୍ଗିଲ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଭଳି ସୈନ୍ୟ ସମାବେଶ ଦେଖାଯାଇଛି। ତେବେ, ଭାରତୀୟ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସତର୍କ ଅଛି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସରକାର କହିଛନ୍ତି ଯେ, ପାକିସ୍ତାନ ଚାରୋଟି ରାଜ୍ୟରେ ୨୬ଟି ସୈନିକ ସ୍ଥାନ ଏବଂ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ କରିଥିବା ପରେ, ଭାରତ ପାକିସ୍ତାନର ଛଅଟି ବାୟୁସେନା ଘାଟି ଉପରେ ସଠିକ ଆକ୍ରମଣ କରିଛି। ଲକ୍ଷାଧିକ ସୈନ୍ୟ ସୀମାନ୍ତକୁ ସ୍ଥାନାନ୍ତର କରିବାର ଦିନକ ପରେ ପାକିସ୍ତାନ ଯୁଦ୍ଧ ବିରତି ଲାଗି ରାଜି ହେବା ତାହାର ବିବଶତାକୁ ଦର୍ଶାଇଛି।
ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଥିଲେ ଯେ ପାକିସ୍ତାନ ଋଣ ଟଙ୍କାରେ ଯୁଦ୍ଧ ଲଢିବ। ପାକିସ୍ତାନ ମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀ ଏପରିକି ସେନା ମୁଖ୍ୟ ମୁନୀରଙ୍କ ଦାମ୍ଭିକତା ଏତେ ଶୀଘ୍ର ଫୁସକିଯାଇ ଯୁଦ୍ଧ ବିରତି ଲାଗି ରାଜି ହେବା ନିଶ୍ଚିତ ଭାବେ ଯୁଦ୍ଧ କ୍ଷେତ୍ରରେ ଭାରତର ଶ୍ରେଷ୍ଠତ୍ଵକୁ ପ୍ରତିପାଦିତ କରିଛି