
ବଲିଉଡ୍ ଚଳଚିତ୍ର ଶିଳ୍ପର ଅଭିନେତା ଆଉ ଅଭିନେତ୍ରୀ ବିଶେଷ କରି ବଡ଼ ବଡ ଷ୍ଟାର୍ ମାନେ କାହିଁକି ରାଜନୈତିକ ପ୍ରସଙ୍ଗରେ ବିଶେଷ କରି ସରକାରଙ୍କ ବିରୋଧରେ ମତାମତ ଦେବାକୁ ଉଚିତ ମଣନ୍ତି ନାହିଁ। ଏହାର ଉତ୍ତର ଦେଇଛନ୍ତି ପ୍ରସିଦ୍ଧ ଗୀତିକାର ଏବଂ ସ୍କ୍ରିପ୍ଟ ଲେଖକ ଜାଭେଦ ଅଖତର ।
ଉଲ୍ଲେଖନୀୟ ଯେ ଜାଭେଦ ଅଖତର ତାଙ୍କର ସ୍ପଷ୍ଟବାଦିତା ପାଇଁ ବେଶ୍ ଜଣାଶୁଣା। ସେ ଚଳଚ୍ଚିତ୍ର ଶିଳ୍ପ ଏବଂ ସାମାଜିକ ପ୍ରସଙ୍ଗ ଉପରେ ବିନା ଦ୍ୱିଧାରେ ନିଜର ମତାମତ ପ୍ରକାଶ କରନ୍ତି। ଅନେକ ଥର ସେ ତାଙ୍କ ବକ୍ତବ୍ୟ ପାଇଁ ଲୋକଙ୍କ ଟାର୍ଗେଟରେ ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାଭେଦ କହିଛନ୍ତି ଯେ କାହିଁକି ବଲିଉଡ୍ ସେଲିବ୍ରିଟିମାନେ, ବିଶେଷକରି ବଡ଼ ସେଲିବ୍ରିଟିମାନେ ରାଜନୈତିକ ପ୍ରସଙ୍ଗରେ ନୀରବ ରହିବାକୁ ପସନ୍ଦ କରନ୍ତି।
ଏ ସମ୍ପର୍କରେ ଜାଭେଦ କହିଛନ୍ତି ଯେ ସେମାନେ କଥା କହିବାକୁ ଏଡ଼ାନ୍ତି ନାହିଁ, କିନ୍ତୁ ଭୟ କରନ୍ତି।କାଳେ ପାଟିରୁ ଏମିତି ସେମିତି କଥା ଖସିଯିବନାହି ତ ।ଜାଭେଦ ଅଖତାର ୨୦୧୭ ମସିହାରେ ଗୋଲ୍ଡେନ ଗ୍ଲୋବ ପୁରସ୍କାର ଉତ୍ସବରେ ହଲିଉଡ୍ ଅଭିନେତ୍ରୀ ମେରିଲ୍ ଷ୍ଟ୍ରିପଙ୍କ ଏକ ଭାଷଣର ଉଲ୍ଲେଖ କରିଥିଲେ। ଏହି ଅଭିନେତ୍ରୀ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା କରିଥିଲେ। କିନ୍ତୁ ତାଙ୍କ ଉପରେ କୌଣସି ଆୟକର ଚଢାଉ ହୋଇ ନଥିଲା। ଜାଭେଦ କହିଛନ୍ତି, “ମେରିଲ୍ ଷ୍ଟ୍ରିପ୍ ଆମେରିକା ସରକାରଙ୍କ ବିରୁଦ୍ଧରେ ଏକ ବୟାନ ଦେଇଥିଲେ, କିନ୍ତୁ ତାଙ୍କ ଉପରେ କୌଣସି ଆୟକର ଚଢାଉ କରାଯାଇ ନଥିଲା।
ବର୍ତ୍ତମାନ ଏହା ସେଲିବ୍ରିଟିଙ୍କ ମଧ୍ୟରେ ଏକ ବଦ୍ଧମୂଳ ଧାରଣା ହୋଇଯାଇଛି। ଯଦି ଏହି ଭୟ କାହା ହୃଦୟରେ ଅଛି, ତେବେ ସେମାନେ ଆୟକର, ଇ,ଡି, ସି,ବି,ଆଇ,ର ଚଢାଉ ବିଷୟରେ ଚିନ୍ତିତ ହେବେ ଯେ ସେମାନଙ୍କର ଫାଇଲ୍ ଖୋଲାଯିବ ଏବଂ ସେମାନଙ୍କର ତଦନ୍ତ କରାଯିବ। ମୁଁ ହୁଏତ ସେହି କିଛି ସ୍ୱର ମଧ୍ୟରୁ ଜଣେ ଯିଏ ମୁହଁ ଖୋଲି କହୁଛି, କିନ୍ତୁ ମୁଁ ବୁଝିପାରୁଛି ଯେ ଅନ୍ୟମାନେ କାହିଁକି ମୁହଁ ଖୋଲି କହୁ ନାହାଁନ୍ତି।"ତେବେ ବର୍ଷ ବର୍ଷ ଧରି, ଜାଭେଦ ଅଖତର ପ୍ରାୟତଃ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏଥିପାଇଁ ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି।