
ଆଲେଖ୍ୟ – ଜବାହର ମିଶ୍ର
………………………………………………………………
ଉପରାଷ୍ଟ୍ରପତି ପଦ ନିର୍ବାଚନରେ ଭୋଟ ନ ଦେଇ ବିଜେଡି ଏକ ନିରାପଦ ରାସ୍ତାରେ ଆରାମରେ ବାହାରିଯିବ ବୋଲି ଯାହା ଭାବିଥିଲା, ତାହା ତାହାର ଭାଵନାର ଅନୁକୂଳ ହେଲାନାହିଁ, ବରଂ ଏହି ଆରାମ୍ ହରାମ୍ ହୋଇ ଦଳକୁ ବିଭିନ୍ନ ଆଲୋଚନା – ସମାଲୋଚନାର ସମ୍ମୁଖୀନ କରାଇବା ସହ ଏହାକୁ ଏହି ଜବରଦସ୍ତ ପ୍ରଶ୍ନର ଘେରରେ ଘେରାଉ କରେଇଦେଲା ଯେ ଦଳ ଭୋଟ ନ ଦେଇ କଣ ଲାଭ ପାଇଲା ?
ଦଳ କଣ ଲାଭ ପାଇଲା କି ନାହିଁ, ତାହା ଦଳର ସଭାପତି ଆଉ ଦଳର ପରଦା ପଛର ନିର୍ଦ୍ଦେଶକ ଭଲ ଭାବେ ଜାଣିଥିବେ।
ଦଳର ସବୁତକ ରାଜ୍ୟସଭା ସାଂସଦ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇନାହାଁନ୍ତି । ତା ସତ୍ତ୍ଵେ ଏନଡିଏ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେଇଛନ୍ତି ଆଉ ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ଏବେ କଥା ଉଠୁଛି ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନ ନେଇ ବିଜେଡି ପାଇଲା କଣ ଲାଭ ? ଲୋକସଭାରେ ଏବେ ବିଜେଡିର ସାଂସଦ ସଂଖ୍ୟା ଶୂନ୍ ଆଉ ରାଜ୍ୟସଭାରେ ଦଳର ସଂଖ୍ୟା ମାତ୍ର ୭ । ହେଲେ ତା ପରେ ବି ବିଜେଡିର ସମର୍ଥନ ପାଇବା ପାଇଁ ବିଜେପି ନେତାମାନେ ନବୀନଙ୍କ ସହ କଥା ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ନବୀନଙ୍କ ସହ ଫୋନରେ କଥା ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଥିଲା ।
ହେଲେ ବିଜେଡି କିନ୍ତୁ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନଦେଇ ଭୋଟ୍ ଦାନ ପ୍ରକ୍ରିୟାରୁ ଦୂରେଇ ରହିବ ବୋଲି ଘୋଷଣା କଲା । ହେଲେ ପ୍ରଶ୍ନ ହେଉଛି ଯେ, ଏହି ନିର୍ବାଚନରେ ଭୋଟ୍ ନଦେଇ ବିଜେଡିକୁ କିଛି ଫାଇଦା ମିଳିଲା କି ? - ନା କେବଳ ବିରୋଧ କରିବନି ବୋଲି ଭୋଟଦାନରୁ ଓହରିଗଲା, ତାକୁ ନେଇ ଗରମାଗରମ ଚର୍ଚ୍ଚା ଚାଲିଛି । ମୋଦୀ ସରକାରର ଅନେକ ପ୍ରସଙ୍ଗକୁ ନବୀନ ଖୋଲାମଞ୍ଚରେ ସମର୍ଥନ ଜଣାଇଛନ୍ତି । ସଂସଦରେ ଯେକୌଣସି ବିଲ୍ ହେଉ କି ଆଉ କିଛି ହେଉ , ବିଜେଡି ସାଂସଦମାନେ ଅଧିକାଂଶ ସମୟରେ ଏନଡିଏ ମେଣ୍ଟକୁ ସମର୍ଥନ ଜଣାଇ ଆସୁଥିଲେ । ହେଲେ ଯେବେଠୁ ଓଡ଼ିଶାରେ ସରକାର ବଦଳିଛି, ସେବେଠୁ ବିଜେଡି-ବିଜେପି ସମ୍ପର୍କରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକୁ ନେଇ ଓଡ଼ିଶା ରାଜନୀତି ମଧ୍ୟ ସରଗରମ ରହିଛି । ଓ୍ୱାକଫ୍ ବିଲ୍ ସମୟରେ ବିଜେଡିର କିଛି ନେତା ଏହି ବିଲକୁ ସମର୍ଥନ କରିଥିବାବେଳେ କିଛି ନେତା ଏହାକୁ ବିରୋଧ କଲେ ।
ତେଣୁ ଏଥର ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇ ସେଫ୍ ଗେମ୍ ଖେଳିଥିବା ଚର୍ଚ୍ଚା ହେଉଛି ।
ଚର୍ଚ୍ଚା ହେଉଥିଲା ଯେ ବିଜେଡି ଯଦି ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ ଦିଏ, ତେବେ ବିଜେପି ନେତାଙ୍କର ରୋଷର ଶିକାର ହୋଇପାରେ ଆଉ ସେ ରୋଷର ପରିଣାମ କଣ ହୋଇପାରେ, ତାହା ଭିନ୍ନ କଥା। ଅନ୍ୟପଟେ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କୁ ଯଦି ବିଜେଡି ସମର୍ଥନ କରିଥାନ୍ତା, ତେବେ ବିଜେଡି-ବିଜେପି ଏକ ବୋଲି କେଉଁଠି ନା କେଉଁଠି ଲୋକଙ୍କ ପାଖକୁ ଖବର ଯାଇଥାଆନ୍ତା । ତେଣୁ ଦୁଇ ଆଡକୁ ଦେଖି ନବୀନ ସମଦୂରତ୍ୱ କାର୍ଡ ଖେଳିବା ସହିତ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ବିଜେଡିର ଏ ନିଷ୍ପତ୍ତି ବିଜେପିକୁ ଫାଇଦା ଦେଇଛି ବୋଲି କିଛି ବିଜେପି ନେତା କହୁଛନ୍ତି । ଅନ୍ୟପଟେ ନବୀନ ସମଦୂରତ୍ୱ ଫର୍ମୁଲା ଆପଣେଇ ବିଜେଡି-ବିଜେପି ସମ୍ପର୍କକୁ ଆହୁରି ଅଧିକ ରୋଚକ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଦେଖିବାକୁ ବାକି ରହିଲା, ଆଗକୁ ଏ ସମ୍ପର୍କ କେଉଁ ମୋଡ଼ ନେଉଛି ?
ତେବେ ସେ ଯାହା ହେଉ, ନବୀନ ସମ ଦୂରତ୍ବର ଫର୍ମୁଲା ଆପଣାଇଲେ ବି ଏ ଫର୍ମୁଲା ପରୋକ୍ଷରେ ସୂଚାଇ ଦେଉଛି ଯେ ବିଜେଡ଼ି ବାହରେ ବାହାରେ ବିଜେପି ଠାରୁ ନିଜକୁ ଯେତେ ଦୂରରେ ରଖିଲେ ବି ଭିତରେ ଭିତରେ କିନ୍ତୁ ବିଜେପିର ଖୁବ୍ ନିକଟତର ରହିଛି। ଭୋଟ ନ ଦେବାର ଅର୍ଥ ହେଉଛି ଯେ ଯେଉଁ ବାଟେ ବି ହେଉ ବିଜେପିର ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବା ଆଉ କଲା ମଧ୍ୟ ।
ଏହା ପଛରେ କାରଣ ପଛେ ଯାହା ଥାଉ । ଏହି ଅବସରରେ ଏକ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ବିଜେଡିର ଏହି ଫର୍ମୁଲାକୁ ଠିକ୍ ଖାପ ଖାଉଛି। ଗୀତଟି ହେଲା - ଦୂରିଆଁ ନଜ୍ ଦିକିଆ ବନଗଇ, ଅଜବ୍ ଇତେଫାକ୍ ହେଁ । ପ୍ୟାର୍ କି ସହେନାଇଆ ବଜଗଇ, ଅଜବ ଇତେଫାକ୍ ହେଁ । ଅର୍ଥାତ୍ ଦୂରତ୍ବ ଏବେ ନୈକଟ୍ୟରେ ପରିଣତ ହୋଇଛି, ଯାହା କି ଏକ ଅଜବ ସଂଯୋଗ ଅଟେ। ପ୍ରେମର ସହେନାଇ ବାଜିଗଲା, ଯାହାକି ଏକ ଅଜବ ସଂଯୋଗ ଅଟେ। ବିଜେଡି ଆଉ ବିଜେପି ସମ୍ବନ୍ଧ ପରିପ୍ରେକ୍ଷୀରେ ଏହି ଗୀତଟିର ଭାବାର୍ଥ ହେଉଛି ଯେ, ଉଭୟ ଦଳ ମଧ୍ୟରେ ଦୂରତ୍ବ ବାହାରକୁ ଯେତେ ବେଶୀ ବଢେଇ ଚଢ଼େଇ ଦେଖେଇଲେ ବି ବାସ୍ତବରେ ଏହା ଭିତରେ ସବୁବେଳେ ନିକଟତର ହୋଇରହିଛି, ଯାହାକି ଏକ ଅଜବ ସଂଯୋଗ ଅଟେ । ବାହାରକୁ ଦୁଇ ଦଳ ପରସ୍ପର ପ୍ରତି ଯେତେ ବୈରଭାବ ପ୍ରଦର୍ଶନ କଲେ ବି ଭିତରେ କିନ୍ତୁ ମିଶିକରି ପ୍ରେମର ସହେନାଇ ବଜାଉଛନ୍ତି, ଯାହା କି ଏକ ଅଜବ ସଂଯୋଗ ଅଟେ। ବାସ୍ତବରେ ଏ ଦୁଇ ଦଳ ଅଜବ୍ ଦଳ ଅଟନ୍ତି ଆଉ ସେମାନଙ୍କ ପ୍ରେମର କେମେଷ୍ଟ୍ରୀକୁ ବୁଝିବା ଏତେ ସହଜ ନୁହେଁ। ଏ କେମେଷ୍ଟ୍ରୀ ବଡ ଅଜବ କେମେଷ୍ଟ୍ରୀ ଅଟେ। ଏ ସମ୍ପର୍କରେ ଆଉ କିଛି କହିବାର ଆବଶ୍ୟକତା ନାହିଁ। ସମଝଦାରୋ କୋ ଇସାରା କାଫି।
