

ମୁଖ୍ୟାଂଶ – ଭାରତର ମୋଟ ସମ୍ପତ୍ତିର ଏକ ବଡ଼ ଅଂଶ କିଛି ମୁଷ୍ଟିମେୟ ଲୋକଙ୍କ ପାଖରେ ଅଛି। ବିଶେଷଜ୍ଞଙ୍କ ମତରେ, ମାତ୍ର ₹୧.୫୨ କୋଟି ଟଙ୍କାର ସମ୍ପତ୍ତି ଥିଲେ ଆପଣ ମଧ୍ୟ ଦେଶର ଶ୍ରେଷ୍ଠ ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇପାରିବେ।
…………………………………………………………………….
ଭାରତର ସମ୍ପତ୍ତି କ୍ଷେତ୍ରରେ ଗଭୀର ଅସମାନତା ସ୍ପଷ୍ଟ ଭାବରେ ଦେଖାଯାଉଛି। ଟିକସ ବିଶେଷଜ୍ଞ ନୀତିନ କୌଶିକଙ୍କ ମତରେ ଦେଶର ଶ୍ରେଷ୍ଠ ୧% ଧନୀମାନଙ୍କ ମଧ୍ୟରେ ସାମିଲ ହେବା ପାଇଁ କୋଟିପତି ହେବା ଜରୁରୀ ନୁହେଁ। ପ୍ରକୃତରେ ଆପଣ କେବଳ ₹ ୧ କୋଟି.୫୨ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ରଖି ଏହି ଧନୀକ କ୍ଲବରେ ଯୋଗ ଦେଇପାରିବେ। ତଥାପି, ପ୍ରକୃତ ଚିତ୍ର ଆଶ୍ଚର୍ଯ୍ୟଜନକ। ଏହି ୧% ଜନସଂଖ୍ୟା ଭାରତର ମୋଟ ସମ୍ପତ୍ତିର ୪୦% ଧାରଣ କରନ୍ତି ତଥା ଏତିକି ସମ୍ପତ୍ତିର ମାଲିକ ଅଟନ୍ତି। ଅପରପକ୍ଷରେ ଦେଶର ଅଧା ଜନସଂଖ୍ୟା ମୋଟ ସମ୍ପତ୍ତିର ମାତ୍ର ୬% ଧାରଣ କରନ୍ତି।
ଧନୀ ଭାରତୀୟମାନେ କେଉଁଠାରେ ଧନ ନିବେଶ କରନ୍ତି ?
ଭାରତର ଧନୀ ଲୋକମାନେ ଏପରି ଜିନିଷରେ ନିବେଶ କରନ୍ତି, ଯାହାର ମୂଲ୍ୟ ସମୟ ସହିତ ବୃଦ୍ଧି ପାଉଥାଏ। ଏଥିରେ ରିଅଲ୍ ଇଷ୍ଟେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ସମ୍ପତ୍ତି। ଏହା ବ୍ୟତୀତ ସୁନା ସର୍ବଦା ମୁଦ୍ରାସ୍ଫୀତି ଏବଂ ଅସ୍ଥିରତାରୁ ସୁରକ୍ଷାର ଏକ ନିର୍ଭରଯୋଗ୍ୟ ମାଧ୍ୟମ ହୋଇଆସିଛି। ଧନୀ ଲୋକମାନେ ଷ୍ଟକ୍, ଷ୍ଟାର୍ଟଅପ୍ ଏବଂ ପାରିବାରିକ ବ୍ୟବସାୟରେ ମଧ୍ୟ ନିବେଶ କରିବାକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ ମଧ୍ୟବିତ୍ତ ଶ୍ରେଣୀ ପ୍ରାୟତଃ ସ୍ଥିର ଜମା ଏବଂ କମ୍ ରିଟର୍ଣ୍ଣ ଆକାଉଣ୍ଟରେ ଟଙ୍କା ରଖି ସଠିକ୍ ସୁଯୋଗ ପାଇଁ ଅପେକ୍ଷା କରି ରହନ୍ତି। ଏହି କାରଣରୁ ଶୀଘ୍ର ଧନୀ ବର୍ଗରେ ସାମିଲ ହେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ।
କୋଟିପତିଙ୍କ ସଂଖ୍ୟାରେ ଅଭିବୃଦ୍ଧି
ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଉଚ୍ଚ ନେଟ୍ ୱର୍ଥ ବ୍ୟକ୍ତି (HNWI) ହବ୍ ଭାବରେ ଉଭା ହେଉଛି। ୨୦୨୫ ର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୮୫ ହଜାର,୬ ଶହ ୯୮ ଜଣ HNWI ଅଛନ୍ତି, ଅର୍ଥାତ୍ ଯେଉଁମାନଙ୍କର ନେଟ୍ ୱର୍ଥ ୧ କୋଟି ଟଙ୍କାରୁ ଅଧିକ। କେବଳ ୨୦୨୫ ରେ ଭାରତରେ କୋଟିପତିଙ୍କ ସଂଖ୍ୟା ୧୬୫ ରୁ ୧୯୧ କୁ ବୃଦ୍ଧି ପାଇଛି, ଅର୍ଥାତ୍ ଧନୀକ ବର୍ଗରେ ୨୬ ଜଣ ନୂତନ କୋଟିପତି ସାମିଲ ହୋଇଛନ୍ତି। ଭାରତୀୟ କୋଟିପତିଙ୍କ ପାଖରେ ବର୍ତ୍ତମାନ ପ୍ରାୟ 0.୯୫ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୮ ହଜାର ୫ ଶହ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି, ଯାହା ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ଠାରୁ ଅଧିକ।
