
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚି ଏହା ଅବ୍ୟାହତ ରହିଥିବାବେଳେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ,ଏମ୍, ଏଫ୍,) ପାକିସ୍ତାନକୁ ୧ ଶହ କୋଟି ଡଲାର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୮ ହଜାର ୫ ଶହ କୋଟି ଟଙ୍କାର ଋଣ ଦେଇଛି। ଭାରତ ନିଶ୍ଚିତ ଭାବରେ ଏହା ବିରୁଦ୍ଧରେ ସ୍ୱର ଉଠାଇଥିଲା। କିନ୍ତୁ ଇଚ୍ଛା ସତ୍ତ୍ୱେ, ଭାରତ ଏହି ପେମେଣ୍ଟ ପ୍ୟାକେଜ ବିରୁଦ୍ଧରେ ଭୋଟ ଦେଇପାରିଲା ନାହିଁ। ଭାରତ ପାକିସ୍ତାନର ଖରାପ ଟ୍ରାକ୍ ରେକର୍ଡକୁ ଉଦ୍ଧୃତ କରି ଋଣକୁ ବିରୋଧ କରିଥିଲା ଏବଂ ପାଣ୍ଠିକୁ ବିରୋଧ କରି କହିଥିଲା ଯେ ଅତୀତରେ ପାକିସ୍ତାନକୁ ମିଳିଥିବା ଆର୍ଥିକ ସହାୟତାର ସଠିକ୍ ବ୍ୟବହାର କରାଯାଇ ନାହିଁ।
ମୁଦ୍ରା ପାଣ୍ଠିରେ ଅନୁଦାନ ନିଷ୍ପତ୍ତି କିଏ ନିଏ ? ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କାର୍ଯ୍ୟନିର୍ବାହୀ ବୋର୍ଡରେ ସଦସ୍ୟ ଦେଶ କିମ୍ବା ଦେଶଗୁଡ଼ିକର ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ୨୫ ଜଣ ନିର୍ଦ୍ଦେଶକ ଥାଆନ୍ତି। ସେମାନେ ଋଣ ଅନୁମୋଦନ ସମେତ ଦୈନନ୍ଦିନ ପରିଚାଳନା କାର୍ଯ୍ୟ ସମ୍ଭାଳନ୍ତି। ଜାତିସଂଘ ପରି ଯେଉଁଠାରେ ପ୍ରତ୍ୟେକ ଦେଶର ଗୋଟିଏ କରି ଭୋଟ ଥିବାବେଳେ ମୁଦ୍ରା ପାଣ୍ଠିରେ ଭୋଟ ଦେବା ଶକ୍ତି ପ୍ରତ୍ୟେକ ସଦସ୍ୟର ଆର୍ଥିକ ଶକ୍ତି ଉପରେ ଆଧାରିତ। ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶଗୁଡ଼ିକର ଭୋଟିଙ୍ଗ୍ ସେୟାର ତଥା ଭୋଟଦାନ ଅଂଶ ଅସାମାନ୍ୟ ଭାବରେ ଅଧିକ। ତେଣୁ ଜିନିଷଗୁଡ଼ିକୁ ସରଳ କରିବା ପାଇଁ ମୁଦ୍ରା ପାଣ୍ଠି ସାଧାରଣତଃ ସହମତିରେ ନିଷ୍ପତ୍ତି ନେଇଥାଏ। ଯେଉଁ କ୍ଷେତ୍ରରେ ଭୋଟ୍ ଆବଶ୍ୟକ, ସେହି କ୍ଷେତ୍ରରେ ସିଷ୍ଟମ ତଥା ପ୍ରଚଳିତ ବ୍ୟବସ୍ଥା ଆନୁଷ୍ଠାନିକ "ନା" ଭୋଟ୍ ର ଅନୁମତି ଦିଏନାହିଁ। ନିର୍ଦ୍ଦେଶକମାନେ ସପକ୍ଷରେ ଭୋଟ ଦେଇପାରିବେ କିମ୍ବା ବିରତ ରହିପାରିବେ। ଋଣ କିମ୍ବା ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେବାର କୌଣସି ବ୍ୟବସ୍ଥା ନାହିଁ।
ଭାରତ କାହିଁକି ଭୋଟ ଦେଇପାରିଲାନାହିଁ ?
ପାକିସ୍ତାନକୁ ଋଣ ମଞ୍ଜୁର କରିବା ପାଇଁ ଗତ ଶୁକ୍ରବାର ଦିନ ଯେଉଁ ଭୋଟ ଦାନ ହେଲା , ଭାରତ ସେଥିରୁ ବିରତ ରହିଥିଲା। ମୁଦ୍ରା ପାଣ୍ଠିର "ନାହିଁ" ଭୋଟଦାନର ଅନୁମତି ନାହିଁ। ଅର୍ଥାତ୍ ମୌଖିକ ବିରୋଧ କଲେ ବି ତାକୁ ଭୋଟରେ ରୂପାନ୍ତରିତ କରିହେବନାହିଁ ।
ମତଦାନରୁ ବିରତ ରହି, ଭାରତ ମୁଦ୍ରା ପାଣ୍ଠିର ଭୋଟିଂ ସିଷ୍ଟମର ସୀମା ମଧ୍ୟରେ ନିଜର ଅସନ୍ତୋଷ ପ୍ରକାଶ କଲା ଏବଂ ଆନୁଷ୍ଠାନିକ ଭାବରେ ନିଜର ଆପତ୍ତିକୁ ଲିପିବଦ୍ଧ କରିବା ଲାଗି ଭାରତ ଏହି ମୌଖିକ ସୁଯୋଗର ଉପଯୋଗ କଲା। ଭାରତ ମୁଦ୍ରା ପାଣ୍ଠିର ବର୍ତ୍ତମାନର ସହାୟତାର ପ୍ରଭାବ ଉପରେ ପ୍ରଶ୍ନ ଉଠାଇ କହିଛି ଯେ ପାକିସ୍ତାନକୁ ଗତ ୩୫ ବର୍ଷ ମଧ୍ୟରୁ ୨୮ ବର୍ଷ ପାଇଁ ସହାୟତା ମିଳିଛି, ଯାହା ମଧ୍ୟରୁ ଗତ ପାଞ୍ଚ ବର୍ଷରେ ଏପରି ଚାରୋଟି କାର୍ଯ୍ୟକ୍ରମ ଥିଲା , ଯେଉଁଥିରେ କୌଣସି ସାର୍ଥକ କିମ୍ଵା ସ୍ଥାୟୀ ସୁଧାର ହୋଇନାହିଁ। ଭାରତ ଅର୍ଥନୈତିକ ବ୍ୟାପାରରେ ପାକିସ୍ତାନୀ ସେନାର ନିରନ୍ତର ପ୍ରାଧାନ୍ୟକୁ ଦୃଢ଼ ଭାବରେ ଉଲ୍ଲେଖ କରିଥିଲା, ଯାହା ସ୍ୱଚ୍ଛତା, ନାଗରିକ ତଦାରଖ ଏବଂ ସ୍ଥାୟୀ ସଂସ୍କାରକୁ ଦୁର୍ବଳ କରିଥାଏ।
ସୀମାପାର ଆତଙ୍କବାଦକୁ ପୃଷ୍ଠପୋଷକତା ପ୍ରଦାନ କରୁଥିବା ଦେଶକୁ ପାଣ୍ଠି ଯୋଗାଇବାକୁ ଭାରତ ଦୃଢ଼ ବିରୋଧ କରିଥିଲା। ଭାରତ ଚେତାବନୀ ଦେଇଛି ଯେ ଏପରି ସମର୍ଥନ ବୈଶ୍ଵିକ ପ୍ରତିଷ୍ଠାନଗୁଡ଼ିକର ପ୍ରତିଷ୍ଠାକୁ ବିପଦରେ ପକାଇଥାଏ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡକୁ କ୍ଷୁର୍ଣ୍ଣ କରିଥାଏ।