


ଇସ୍ରାଏଲ ଇରାନ ଉପରେ ଆଜି ସକାଳେ ଘୋର ଆକ୍ରମଣ କରିଛି। ଜବାବରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧ ଉତ୍ତେଜନା ଆତ୍ମପ୍ରକାଶ କରିଛି।
ଇରାନର ରାଜଧାନୀ ତେହେରାନ ପାଖରେ ଗୋଟିଏ ପରେ ଗୋଟିଏ ୬ଟି ପ୍ରମୁଖ ସାମରିକ ଘାଟିକୁ ଇସ୍ରାଏଲ ଆଜି ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଇରାନର ଦାୟୀତ୍ୱରେ ଥିବା ଆଇ,ଆର୍,ଜି,ସି, ମୁଖ୍ୟ ହୁସେନ ସଲାମି ଏବଂ ଦୁଇ ଜଣ ପରମାଣୁ ବୈଜ୍ଞାନିକ ନିହତ ହୋଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଏହାକୁ ନିଶ୍ଚିତ କରିଛି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ଇରାନର ସେନା ମୁଖ୍ୟ ମହମ୍ମଦ ବାଘେରି ଏବଂ ଅନେକ ବରିଷ୍ଠ ସେନା ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରଥମିକ ସୂତ୍ରରୁ ଜଣାପଡ଼ିଛି ଯେ ଇସ୍ରାଏଲ ଳର ଆକ୍ରମଣରେ ଅନ୍ୟୁନ ୧୪ ଜଣ ନିହତ ହୋଇଛନ୍ତି।
ଶୁକ୍ରବାର ସକାଳେ ଇସ୍ରାଏଲୀ ଜେଟ୍ ର ତେହେରାନ ଉପରେ ପ୍ରଚଣ୍ଡ ଆକ୍ରମଣ ସମଗ୍ର ମଧ୍ୟପ୍ରାଚ୍ୟର ନିଦ ଭାଙ୍ଗିଦେଇଛି। ବିଶ୍ୱରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି। ଏବେ ହମାସ ପରେ ଇରାନ ସହିତ ଇସ୍ରାଏଲ ଯୁଦ୍ଧକ୍ଷେତ୍ରରେ ମୁହାଁମୁହିଁ ହୋଇଛି। ମଧ୍ୟପ୍ରାଚ୍ୟରେ ଗତ କିଛି ଦିନ ଧରି ଯେଉଁ ବିସ୍ଫୋରକ ମୁହୂର୍ତ୍ତର ଆଶଙ୍କା ଥିଲା ,ତାହା ଆସି ଉପଗତ ହୋଇଛି। ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଶୁକ୍ରବାର ସକାଳେ ଇସ୍ରାଏଲ ଇରାନର ରାଜଧାନୀ ତେହେରାନ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରିଛି। ଏହା ପରେ ସମଗ୍ର ଇରାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶୀଘ୍ର ଇରାନ ତେହେରାନର ତାର ଆକାଶ ସୀମା ବନ୍ଦ କରିଦେଇଥିଲା।
ଏହା ପରେ ଇରାନ ସମଗ୍ର ବିଶ୍ୱକୁ ଆକ୍ରମଣର ପ୍ରମାଣ ଦେଖାଇଲା ଏବଂ ପ୍ରତିଶୋଧ ନେବା ଆରମ୍ଭ କଲା। ଏବେ ଇରାନ ମଧ୍ୟ ପ୍ରତିଶୋଧ ନେଇଛି। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି। ଇରାନ ପକ୍ଷରୁ କେତେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ଏବଂ ଇସ୍ରାଏଲର କେଉଁ ସହରକୁ ଟାର୍ଗେଟ କରାଯାଇଛି ସେ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ପ୍ରତିଶୋଧମୂଳକ ଆକ୍ରମଣ କରିବା ପୂର୍ବରୁ ଇରାନ ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲା। ଏଥିରେ X ଆକାଉଣ୍ଟରେ ଲେଖାଯାଇଥିଲା - ମନେରଖନ୍ତୁ, ଆମେ ଏହା ଆରମ୍ଭ କରିନାହୁଁ।
ଇରାନ ତାର ଉଦ୍ଦେଶ୍ୟ ପ୍ରକାଶ କଲା
ଏହା ପରେ, ଇରାନ ମିଲିଟାରୀ ଆଉ ଏକ ପୋଷ୍ଟ ପୋଷ୍ଟ କରି ଲେଖିଲା, ‘କେବେ ବି କାହାକୁ ଯୁଦ୍ଧକୁ ନିମନ୍ତ୍ରଣ କରନାହିଁ (ଯୁଦ୍ଧରେ ଆକ୍ରମଣାତ୍ମକ ହୁଅ ନାହିଁ), କିନ୍ତୁ ଯଦି କେହି ତୁମକୁ ଯୁଦ୍ଧ କରିବାକୁ ଡାକନ୍ତି, ତେବେ ତାକୁ ଉତ୍ତର ଦିଅ ( ଶତ୍ରୁ ବିରୁଦ୍ଧରେ ଯୁଦ୍ଧରେ କୌଣସି ନମ୍ରତା ଦେଖାଅ ନାହିଁ), କାରଣ ଯିଏ ଯୁଦ୍ଧକୁ ନିମନ୍ତ୍ରଣ କରେ ସେ ଜଣେ ଅତ୍ୟାଚାରୀ। ଏବଂ ଅତ୍ୟାଚାରୀ ସର୍ବଦା ପରାଜିତ ହୁଏ।’ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ନିଜର ସୁରକ୍ଷାକୁ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି କରିଛି। ଟ୍ରମ୍ପ ପ୍ରଶାସନ ଚିନ୍ତିତ ଯେ ଇସ୍ରାଏଲ ଆମେରିକାର ଅନୁମତି ବିନା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିପାରେ। ଟ୍ରମ୍ପ କହିଛନ୍ତି ଯେ ଇରାନକୁ ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ଇତିମଧ୍ୟରେ ଇସ୍ରାଏଲ ଆକ୍ରମଣ ନେଇ ଇରାନ ଆମେରିକାକୁ ଭୟଙ୍କର ପରିଣାମ ପାଇଁ ଚେତାବନୀ ଦେଇଛି।
ଇସ୍ରାଏଲ ଇରାନ ଉପରେ ଆକ୍ରମଣ କାହିଁକି କଲା?
ଏହି ଆକ୍ରମଣର କାରଣ ଆଜିର ନୁହେଁ, ବରଂ ଏହା ପଛରେ ରହିଛି ଦୀର୍ଘ ବର୍ଷର ପରମାଣୁ ବିବାଦ। ଇସ୍ରାଏଲ ବାରମ୍ବାର କହିଆସୁଛି ଯେ ଯଦି ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକା ନ ଯାଏ, ତେବେ ଗୋଟିଏ ଦିନ ଏହା ମହା ବିନାଶ ଆଣିପାରେ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜାତିକୁ ତାଙ୍କ ସମ୍ବୋଧନରେ କହିଛନ୍ତି, 'ଇରାନ ଆମକୁ କ୍ଷତି ପହଞ୍ଚାଇବାର କ୍ଷମତା ରଖିଛି। ଆମେ ଏଥିପାଇଁ ପ୍ରସ୍ତୁତି ମଧ୍ୟ କରିଛୁ। ମୁଁ ଆଗାମୀ କିଛି ଦିନ ପାଇଁ ଇସ୍ରାଏଲୀ ନାଗରିକଙ୍କୁ ସହଯୋଗ ପାଇଁ ନିବେଦନ କରୁଛି।' ସେ କହିଛନ୍ତି- 'ଏହି ଆକ୍ରମଣ କରାଯାଇଛି , କାରଣ ଇରାନ ପରମାଣୁ ଅସ୍ତ୍ର ତିଆରି ପାଇଁ ବିପଜ୍ଜନକ ପଦକ୍ଷେପ ନେଇଛି। ଇରାନ ଅତି କମରେ ୯ ଟି ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ୟୁରାନିୟମ ରଖିଛି।' ଏହାର ଯୋଜନା ହେଉଛି ୬ ବର୍ଷ ମଧ୍ୟରେ ୨୦ ହଜାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରିବା, ଯାହା ଗୋଟିଏ ମୁହୂର୍ତ୍ତରେ ଇସ୍ରାଏଲରେ ପହଞ୍ଚିପାରିବ।
ଇସ୍ରାଏଲ-ଇରାନ ପରମାଣୁ ବିବାଦ କ’ଣ?
ଇରାନ କହିଛି ଯେ ସେ କେବଳ ବିଦ୍ୟୁତ୍ ଏବଂ ଚିକିତ୍ସା ବିଜ୍ଞାନ ଭଳି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛି। କିନ୍ତୁ ଆମେରିକା ଏବଂ ଇସ୍ରାଏଲ ଏହାକୁ ହଜମ କରିପାରୁନାହାଁନ୍ତି। ଏହି ଉଭୟ ଦେଶ ସନ୍ଦେହ କରୁଛନ୍ତି ଯେ ଇରାନ ଚୁପଚାପ୍ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକା ଭୟ କରୁଛି ଯେ ଯଦି ଏହି ବୋମା ତିଆରି ହୁଏ, ତେବେ ଇରାନ ଯେକୌଣସି ସମୟରେ ଇସ୍ରାଏଲ, ଉପସାଗରୀୟ ଦେଶ କିମ୍ବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିପାରିବ। ସେଥିପାଇଁ ସେ ଏହାକୁ ଯେକୌଣସି ମୂଲ୍ୟରେ ବନ୍ଦ କରିବାକୁ ଚାହୁଁଛି।
କେଉଁ ଚୁକ୍ତି ଯୁଦ୍ଧ ବନ୍ଦ ସମ୍ଭାବନାକୁ ଭଣ୍ଡୁର କଲା ?
୨୦୧୫ ମସିହାରେ ଆମେରିକା ଏବଂ ଅନ୍ୟ ଦେଶମାନେ ଇରାନ ସହିତ ଏକ ଚୁକ୍ତି କରିଥିଲେ, ଯାହାକୁ ଜେ,ସି,ପି,ଓ,ଏ, (ଜଏଣ୍ଟ କମ୍ପ୍ରେହେନ୍ସିଭ ପ୍ଲାନ ଅଫ୍ ଆକ୍ସନ) ନାମ ଦିଆଯାଇଥିଲା। ନିଷ୍ପତ୍ତି ନିଆଯାଇଥିଲା ଯେ ଇରାନ ତାର ପରମାଣୁ କାର୍ଯ୍ୟକ୍ରମକୁ
ମନ୍ଥର କରିବ ଏବଂ ବଦଳରେ ତା’ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ପ୍ରତ୍ୟାହାର କରାଯିବ। କିନ୍ତୁ ୨୦୧୮ ମସିହାରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେଲେ, ସେ ଆମେରିକାକୁ ଏହି ଚୁକ୍ତିରୁ
ଓହରାଇ ଆଣିଲେ। ସେ ଏହାକୁ ଅଦରକାରୀ ଏବଂ ଏକପାଖିଆ କହିଥିଲେ। ଟ୍ରମ୍ପ ବିଶ୍ୱାସ କରୁଥିଲେ ଯେ ଇରାନ ଲାଭ ପାଉଛି,
ବରଂ ସେ ଚୁପଚାପ୍ ବୋମା ତିଆରି କ
ରୁଛି ।
ପରବର୍ତ୍ତୀ ସମୟରେ କଣ ହେଲା?
ଆମେରିକା ପୁଣି ଥରେ ଇରାନ ଉପରେ କଠୋର କଟକଣା ଲଗାଇଲା। ପ୍ରତିବଦଳରେ, ଇରାନ ମଧ୍ୟ ଜେ,ସି,ପି,ଓ,ଏ,ର ର ନିୟମ ଭାଙ୍ଗିବା ଆରମ୍ଭ କଲା। ଏହା ଏହାର ୟୁରାନିୟମ ସମୃଦ୍ଧିର ସୀମା ବୃଦ୍ଧି କଲା, ଯାହା ପରମାଣୁ ବୋମା ତିଆରି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ତେବେ ସେ ଯାହା ହେଉ ମଧ୍ୟପ୍ରାଚ୍ୟରେ ଏହି ନୂଆ ଉତ୍ତେଜନା ଆଗକୁ ଏକ ବଡ ଯୁଦ୍ଧରେ ଏପରିକି ବିଶ୍ଵ ଯୁଦ୍ଧରେ ପରିଣତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଯୁଦ୍ଧ ତେଜିଲେ ଆମେରିକା ଇସ୍ରାଏଲ ସପକ୍ଷରେ ବାହାରିବ। ସେହିପରି ଋଷ ଆଉ ଚୀନ ଇରାନ ସପକ୍ଷରେ ପ୍ରତ୍ୟକ୍ଷ ଭାବେ ନ ହେଲେ ବି ପରୋକ୍ଷ ଭାବେ ବାହାରିବେ। ଫଳରେ ଏହା ହେଉ ହେଉ ବିଶ୍ଵ ଯୁଦ୍ଧରେ ପରିଣତ ହୋଇପାରେ। ଏପରି ସ୍ଥିତିରେ ବିଶ୍ଵଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ଜାତିସଂଘ ଏଥିରେ ହସ୍ତକ୍ଷେପ କରିବା ଅତି ଜରୁରୀ ହୋଇପଡିଛି