
ଘନେଇଲା ଭାରତ ଓ ପାକିସ୍ତାନ ଯୁଦ୍ଧ। କେତେବେଳେ ବି ହୋଇପାରେ ଆକ୍ରମଣ। ଏନେଇ ଭାରତ ସରକାର ସବୁ ପ୍ରକାର ସତର୍କତା ଆରମ୍ଭ କରିଦେଇଛନ୍ତି। ସେପଟେ ପାକିସ୍ତାନ କେତେବେଳେ ଚୀନ ଶରଣ ପଶୁଥିବା ବେଳେ କେତେବେଳେ ତୁର୍କୀର ସହଯୋଗ ଭିକ୍ଷା କରୁଛି।
ଏପଟେ ଭାରତ ସରକାର ଯୁଦ୍ଧ ପରିସ୍ଥିତିରେ କଭଳି ସାଧାରଣ ନାଗରିକଙ୍କ ସୁରିକ୍ଷିତ ରଖାଯାଇପାରିବ ସେ ନେଇ କିଛି ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଏୟାର ଷ୍ଟ୍ରାଇକ୍ ବେଳେ ସାଇରନ ବଜାଇ ସତର୍କତା ଅବଲମ୍ବନ କରିବା ଓ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମେ ୭ ତାରିଖରେ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର କିଛି ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସରକାରୀ ସୂତ୍ରରୁ ମିଳିଥିବା ଅନୁଯାୟୀ, ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ସକ୍ରିୟ କରାଯିବ, ଏବଂ ଶତ୍ରୁ ଆକ୍ରମଣ ସମୟରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ଏବଂ ଛାତ୍ରମାନଙ୍କୁ ନାଗରିକ ପ୍ରତିରକ୍ଷା ଉପରେ ତାଲିମ ଦିଆଯିବ। ସେହିପରି କ୍ରାସ୍ ବ୍ଲାକ ଆଉଟ୍ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ସଂସ୍ଥାଗୁଡ଼ିକୁ ଶୀଘ୍ର ଲୁଚାଇବାର କୌଶଳ ବି ରହିବ। ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନା ଏବଂ ଏହାର ଅଭ୍ୟାସକୁ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।
ଯୁଦ୍ଧ ସମ୍ଭାବନା ଘନେଇଲେ ଏବଂ ଏଥିନେଇ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଗଲେ ବି ବାସ୍ତବପକ୍ଷେ ଯୁଦ୍ଧ କେବେ ଆରମ୍ଭ ହେବ , ସେଥିନେଇ ଦ୍ଵନ୍ଦ ରହିଛି। ପହେଲଗାଓ ହମଲାର ପ୍ରାୟ ୧୫ ଦିନ ପରେ ବି ଯୁଦ୍ଧ ଆରମ୍ଭର କୈାଣସି ସଙ୍କେତ ଏ ପର୍ଯ୍ୟନ୍ତ ପରିଦୃଷ୍ଟ ହୋଇନାହିଁ। ହେବ ହେବ ହୋଇ ସମ୍ଭାବନା ଆଗକୁ ଆଗ ବଢ଼ିଚାଲିଛି। ସେଣେ ବିରୋଧୀ ଦଳର ନେତାମାନେ ଆଉ ରାଷ୍ଟ୍ରବାଦୀ ଲୋକେ ଯଥା ଶୀଘ୍ର ପାକିସ୍ତାନକୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଆକ୍ରମଣ ଲାଗି ଦାବି କରୁଛନ୍ତି। ତେବେ ଯୁଦ୍ଧ କିଛି ଛୁଆ ଖେଳ ନୁହେଁ ଯେ ଯେବେ ଚାହିଁବ , ସେବେ ଆରମ୍ଭ କରିଦେବେ। ଏଥିଲାଗି ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ରହିଛି। ନଚେତ୍ ଦେବାକୁ ନେବା ପଡ଼ିଯିବ। ଏ ସବୁ ଦୃଷ୍ଟିରୁ ସରକାର ସମସ୍ତ ଦିଗ ଉପରେ ବିଚାର ବିମର୍ଷ କରି ବ୍ୟାପକ ପ୍ରସ୍ତୁତି ସମ୍ପନ୍ନରେ ଲାଗିଛନ୍ତି ଏବଂ କେବେ ଆଉ କିପରି ଆକ୍ରମଣ କରାଯିବ, ତାହାର ଦାୟୀତ୍ଵ ତିନି ସେନା ବାହିନୀ ମୁଖ୍ୟଙ୍କ ହାତରେ ଛାଡିଛନ୍ତି।
ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦୀ ଏବଂ ସେମାନଙ୍କ ମୁନିବମାନଙ୍କୁ ନିପାତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଉଚ୍ଚସ୍ତରୀୟ ସଂକଳ୍ପ ପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭର ସମୟ ସମ୍ପର୍କରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ଭାରତ ପାକିସ୍ତାନ ବିରୋଧରେ କେବେ ଯୁଦ୍ଧ ଘୋଷଣା କରିବ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘କାର୍ଯ୍ୟ ବିଶାଳ ଏବଂ ସମୟ କମ୍’ ବକ୍ତବ୍ୟର ନିଷ୍କର୍ଷ ମଧ୍ୟ ବାହାର କରାଯାଉଛି। ବିଗତ ଯୁଦ୍ଧର ଅଭିଜ୍ଞତାକୁ ଆଧାର କରି ମୌସୁମୀ ସମୟରେ ତଥା ବର୍ଷା ଋତୁରେ ସାମରିକ ଅଭିଯାନ ହେବାର ଆଶା କରାଯିବନାହିଁ। ଏହାର ଅର୍ଥ ହେଉଛି ମୌସୁମୀ ପୂର୍ବରୁ ଜୁନ୍ ସୁଦ୍ଧା ଏହାକୁ ସମାପ୍ତ କରିବାକୁ ପଡିବ।
୧୯୬୫ ମସିହାର ଯୁଦ୍ଧ ଭାରତ ମୌସୁମୀ ଋତୁରେ ଲଢ଼ିଥିଲା।
ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ଭାରତ ନିଜ ପକ୍ଷରୁ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନ ପରାଜିତ ହୋଇଥିଲା ଏବଂ ବାଂଲାଦେଶର ଗଠନ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମାର୍ଚ୍ଚ ମାସରେ ସାମରିକ ଅଭିଯାନ ଆରମ୍ଭ କରିବାକୁ ସେନାକୁ କହିଥିଲେ କିନ୍ତୁ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ମାନେକ୍ସା ସ୍ପଷ୍ଟ କରିଥିଲେ ଯେ ସାମରିକ ପ୍ରସ୍ତୁତି ଏବଂ ମୌସୁମୀର ଆବଶ୍ୟକତାକୁ ବିଚାର କରି ୯ ମାସ ପରେ ହିଁ ଏହା ଆରମ୍ଭ କରିବା ସମ୍ଭବ ହେବ।
ଏ ସମ୍ପର୍କରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କମ୍ ସମୟ ବିଷୟକ ବକ୍ତବ୍ୟକୁ ବିଚାରକୁ ନେଲେ ଆଗାମୀ ମୌସୁମୀ ପୂର୍ବରୁ ସାମରିକ ଅଭିଯାନ ସମାପ୍ତ ହେବାର ସମ୍ଭାବନା ଅଧିକ ଦେଖାଯାଉଛି। ଯଦି ଆମେ ପୁରୁଣା ଯୁଦ୍ଧଗୁଡ଼ିକୁ ଦେଖିବା ତେବେ କେବଳ ୧୯୬୫ ମସିହାର ଯୁଦ୍ଧ ମୌସୁମୀ ଋତୁରେ ଆରମ୍ଭ ହୋଇଥିଲା। ଏହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବରରେ ମୌସୁମୀର ମଧ୍ୟଭାଗରେ ଶେଷ ହୋଇଥିଲା। ଏଥିରେ ପାକିସ୍ତାନର ଦାରୁଣ ପରାଜୟ ହୋଇଥିଲା।
ତେବେ ସେ ଯାହା ହେଉ, ଯୁଦ୍ଧରେ ହାର୍ ଯାହାର ହେଉ କି ଜିତ୍ ଯାହାର ହେଉ କି କମ୍ ବେଶୀ ହେଉ, ଉଭୟ ପକ୍ଷର କିନ୍ତୁ ଯଥେଷ୍ଟ କ୍ଷୟକ୍ଷତିର ସମ୍ମୁଖୀନ ହେବେ। ଏଣୁ ଯୁଦ୍ଧ କେବେ ବି ସ୍ବାଗତଯୋଗ୍ୟ ବିଷୟ ନୁହେଁ, ବରଂ ଏକ ତ୍ୟଜ୍ୟ ଆଉ ପରିତ୍ୟାଗର ବିଷୟ। ତେବେ ସେ ଯାହା ହେଉ, ପହେଲଗାଓରେ ପାକ୍ ସମର୍ଥିତ ଆତଙ୍କବାଦୀ ଯେ ପ୍ରକାର ଅମାନୁଷିକ ଆଉ ବର୍ବର ନରସଂହାର କଲେ ଆଉ କ୍ରମାଗତ ଭାବେ କରିଆସୁଛନ୍ତି, ତାହା ଏବେ ଆଉ ବରଦାସ୍ତଯୋଗ୍ୟ ହୋଇ ରହିନାହିଁ। ସବୁବେଳେ ସହନଶୀଳତାକୁ ପାକିସ୍ତାନ ଭାରତର ଦୁର୍ବଳତା ଭାବି ନେଇଛି। ଯାହା ଫଳରେ ପାକିସ୍ତାନ ପ୍ରରୋଚନାରେ ତାହାର ଲାଳିତପାଳିତ ଆତଙ୍କବାଦୀମାନେ ବାରମ୍ବାର ଭାରତରେ ଏପରି ଜଘନ୍ୟ କାଣ୍ଡ କରିବାର ଦୁଃସାହସ କରୁଛନ୍ତି। ଏଣୁ ସେମାନଙ୍କୁ ସବୁ ଦିନ ଲାଗି ସାବାଡ କରିବାକୁ ହେଲେ ସବୁବେଳ ସେମାନଙ୍କର ହେଲେ ଗୋଟିଏ ବେଳ ପୁରା ନିର୍ଣ୍ଣାୟକ ଭାବେ ଭାରତର ହେବା ଉଚିତ। ଯାହା ଫଳରେ କି ନା ରହିବ ବାଉଁଶ ନା ଆଉ ବାଜିବ ବଇଁଶୀ।