
ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ବିସ୍ଫୋରଣରେ ଓଡ଼ିଶା ରାଜନୀତିରେ ଏକ ବଡ ଧରଣର ପ୍ରକମ୍ପନ ସୃଷ୍ଟି ହୋଇଛି। ଏଥିରେ ରାଜ୍ୟ ରାଜନୀତିରେ ସୁନାମି ଆସିଛି ଏବଂ ପୁସ୍ତକର ବିଷୟବସ୍ତୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚାମୁଖର ହୋଇପଡିଛି।ପ୍ରକାଶିତ ପୁସ୍ତକର ସଂଶୋଧିତ ସଂସ୍କରଣରେ ମୁଖ୍ୟତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବିଶେଷ କରି ତାଙ୍କର ଚଳନ୍ତି ପ୍ରତିମା ଭି,କେ,ପାଣ୍ଡିଆନଙ୍କ ରାଜନୈତିକ ଧର୍ମ – କର୍ମର କେତେକ ଅଜଣା ତଥ୍ୟ ଉନ୍ମୋଚିତ ହୋଇଛି। ଦୀର୍ଘ ବାର ବର୍ଷ ଧରି ବିଜେଡିର ରାଜନୀତି ଏବଂ ଓଡ଼ିଶା ରାଜନୀତିର କେନ୍ଦ୍ରସ୍ଥଳରେ ରହି ଏହି ଦୁଇ ଚର୍ଚ୍ଚିତ ବିଶେଷ ବ୍ୟକ୍ତିତ୍ଵ ତାହାକୁ କିପରି ନିଜ ଇଚ୍ଛାମତେ ପ୍ରଭାବିତ ଆଉ ପରିଚାଳିତ କରୁଥିଲେ ଏବଂ ଏମାନଙ୍କ ଯୋଡିର ସାଇଡ୍ ଏଫେକ୍ଟ ଯୋଗୁ ଗତ ନିର୍ବାଚନରେ ବିଜେଡି କିପରି ଐତିହାସିକ ପରାଜୟର କଟୁ ସ୍ଵାଦ ଚାଖିଲା, ତାହା ମଧ୍ୟ ଏହି ଚର୍ଚ୍ଚିତ ପୁସ୍ତକଟିରେ ସ୍ଥାନିତ ହୋଇଛି।
ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ରହିଛି ଏହି ସବୁ ଚାଞ୍ଚଲ୍ୟକର ତଥ୍ୟ। ପାଣ୍ଡିଆନ୍ ପ୍ରହେଳିକା ସହ କିଏ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାନକୁହା, ସେ କଥା ଲେଖିଛନ୍ତି ରୁବେନ୍ ବାନାର୍ଜୀ। ଭି କେ ପାଣ୍ଡିଆନଙ୍କ ଆବିର୍ଭାବ ଓ ଦବଦବା ସମ୍ପର୍କିତ ପାଣ୍ଡିଆନ୍ ପ୍ରହେଳିକାର ଏକ ବଡ଼ ଅଧ୍ୟାୟ ଏହି ବହିରେ ସନ୍ନିବେଶିତ ଅଛି ।ପାଣ୍ଡିଆନ୍ କେମିତି ତାଙ୍କର ବିଶେଷ କଳା ବଳରେ ଶାସନ କଳକୁ ତଥା ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା,ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କଟୁ ବାକ୍ୟରସ ପକାଉଥିଲେ,ସେ ସବୁକଥା ମଧ୍ୟ ଉକ୍ତ ବହିରେ ରହିଥିବା ଲେଖକ ରୁବେନ ବାନାର୍ଜୀ ଏଥିରେ ଲେଖିଛନ୍ତି।
୨୦୨୪ ନିର୍ବାଚନ ପରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ଲେଖିଥିବା ପୁସ୍ତକର ସଂଶୋଧିତ ସଂସ୍କରଣରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି। ‘ଦି ପାଣ୍ଡିଆନ ପଜଲ୍’ ଅଧ୍ୟାୟରେ ସେ ଭି କେ ପାଣ୍ଡିଆନଙ୍କର ଚାକିରୀ ଜୀବନରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି, କ୍ଷମତାଶାଳୀ ବ୍ୟୁରୋକ୍ରାଟ୍ ହେବା ଏବଂ ରାଜନୀତିରେ ପ୍ରବେଶ କରିବା, ପାଣ୍ଡିଆନ ବିଜେଡିକୁ ଆସିବା ପରେ ବିଜେଡିର ଭାଗ୍ୟ ପରିବର୍ତ୍ତନ ହେବା ପ୍ରସଙ୍ଗକୁ ବର୍ଣ୍ଣନା କରିଛନ୍ତି। ଶ୍ରୀ ବାନାର୍ଜୀ ଲେଖିଛନ୍ତି ଯେ ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ବାନ୍ଧି ହୋଇ ରହିବା ଏବଂ କ୍ଷମତା ଲୋଭୀ ପାଣ୍ଡିଆନଙ୍କ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ତଳ ସ୍ତରରେ ନିର୍ବାଚନ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପାଣ୍ଡିଆନ ଏଥର ନିର୍ବାଚନ ପ୍ରଚାରରେ ମାତିଥିଲେ। ଭୁବନେଶ୍ବରରେ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍ରେ ନିର୍ବାଚନ ପରିଚାଳନାରେ ଜଣେ ଆଇପିଏସ୍ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ଥିଲେ। ଗ୍ରାଉଣ୍ଡରୁ ଲୋକଙ୍କ ମତ ପରିବର୍ତ୍ତନ ଅବା ଟଙ୍କା ବଣ୍ଟା ନେଇ ଆସୁଥିବା ମତକୁ ସେମାନେ ଠିକ୍ ଭାବେ ପରିଚାଳନା କରିପାରିଲେ ନାହିଁ। ଯାହା ବିଜେଡିକୁ ମହଙ୍ଗା ପଡ଼ିଲା। ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଉପରେ ରୁବେନ୍ ଲେଖିଛନ୍ତି ଯେ ଉପକୃତ ହୋଇଥିବା ବୈଷ୍ଣବ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଡ଼ିଆ ଅଧିକାରୀଙ୍କ ମାଧ୍ୟମରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା। ଏଥିପାଇଁ ପାଣ୍ଡିଆନ ଚାଟାର୍ଡ ବିମାନରେ ବହୁଥର ଦିଲ୍ଲୀ ଯିବା ସହ ବିଳମ୍ବିତ ରାତିରେ ଆଲୋଚନା କରି ପୁଣି ଭୁବନେଶ୍ବର ଫେରି ଆସୁଥିଲେ। ମେଣ୍ଟ ହେବା ଏକପ୍ରକାରର ଥୟ ଥିଲା। କିନ୍ତୁ ଓଡ଼ିଶା ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ ବୁଝାଇଥିଲା ଯେ ଓଡ଼ିଶାରେ ପାଣ୍ଡିଆନ ବିରୋଧରେ ଲୋକଙ୍କ ସ୍ବର ବଦଳୁଛି। ସରକାର ପରିବର୍ତ୍ତନ ପାଇଁ ଲୋକ ଚାହୁଁଛନ୍ତି। ଯଦି ବିଜେପି-ବିଜେଡି ମେଣ୍ଟ ହୁଏ ତେବେ କଂଗ୍ରେସ ଫାଇଦାରେ ରହିବ। ଓଡ଼ିଶାରେ ଅଣଓଡ଼ିଆ ପାଣ୍ଡିଆନଙ୍କ ବିରୋଧରେ ହାୱା ଥିବାରୁ ଏହାର ଫାଇଦା ଉଠାଇବାକୁ ସେମାନେ କେନ୍ଦ୍ରୀୟ ନେତୃତ୍ବଙ୍କୁ ବୁଝାଇ ପାରିଥିଲେ। ଯେଉଁଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ପ୍ରଚାର ସମୟରେ ମୁଖ୍ୟତଃ ପାଣ୍ଡିଆନଙ୍କୁ ଆକ୍ରମଣ କରିଥିଲେ। ରୁବେନ୍ ଲେଖିଛନ୍ତି ଯେ ବିଜେଡିର ତାରକା ପ୍ରଚାରକ ତାଲିକାରେ ୪୦ଜଣ ସ୍ଥାନ ପାଇଥିବାବେଳେ ପ୍ରଚାର ମଇଦାନରେ କେବଳ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟ ତାରକା ପ୍ରଚାରକଙ୍କୁ ଅଣଦେଖା କରାଯାଇଥିଲା। ପୂର୍ବରୁ ପାଣ୍ଡିଆନ ୧୪୭ଟି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ ମଞ୍ଚରେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରିବା ନେଇ ଜନଅସନ୍ତୋଷ ଥିବାବେଳେ ବିଜେପି ନେତୃତ୍ବଙ୍କ ପ୍ରଚାର ଲୋକଙ୍କ ମନକୁ ଛୁଇଁଥିଲା। ଜଣେ ଅଣଓଡ଼ିଆ, ଅଣନିର୍ବାଚିତ ବ୍ୟକ୍ତି କିପରି ଓଡ଼ିଶାର କ୍ଷମତାକୁ ହଡ଼ପ କରିଛି, ଓଡ଼ିଆଙ୍କ ପରିଚୟ ପ୍ରତି ଅପମାନ ସୃଷ୍ଟି ହୋଇଛି ତାହାକୁ ଦେଖାଇ ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଆଣିଥିଲା। ଯାହା ନିର୍ବାଚନ ପ୍ରଚାରରେ ବେଶ୍ ଫଳପ୍ରଦ ହୋଇଥିଲା। ସେହିପରି ନବୀନଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପ୍ରସଙ୍ଗରେ ଶ୍ରୀ ବାନାର୍ଜୀ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଗୀତା ତାଙ୍କ ଶେଷ ଦିନରେ ତାଙ୍କର ସେବା କରୁଥିବା ଲୋକଙ୍କୁ ପାଣ୍ଡିଆନ ଓ ନବୀନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ‘ମୁଁ ଆଶା କରୁଛି ଯେ ସେ ତାଙ୍କୁ ବିଭ୍ରାନ୍ତ କରୁ ନଥିବେ’। ଏପରିକି ଗୀତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ କିଏ ଭେଟିବେ , ତାହା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସ୍ଥିରୀକୃତ ହେଉଥିଲା। ଗୀତାଙ୍କ ପାଖେପାଖେ ପାଣ୍ଡିଆନଙ୍କ ଲୋକ ଥିଲେ। ନବୀନଙ୍କୁ ବୋଧହୁଏ ବୁଝାଇ ଦିଆଯାଇଥିଲା ଯେ ପୂର୍ବରୁ ତାଙ୍କ ସହ ଯେଉଁମାନେ ଦୀର୍ଘ କାଳ ଧରି ଥିଲେ, ସେମାନେ ତାଙ୍କ ନିଷ୍ପତ୍ତି ବିରୋଧରେ ଗୀତାଙ୍କୁ ନ ବୁଝାନ୍ତୁ। ପାଣ୍ଡିଆନ କିପରି କ୍ଷମତାଶାଳୀ ହେଲେ ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ବାନାର୍ଜୀ ଲେଖିଛନ୍ତି, ସିଏମ୍ଓରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ (ଏବେ ଅବସରପ୍ରାପ୍ତ) ସିଏମ୍ଓରେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ତିନି ଜଣ ଆଇଏଏସ୍ ଅଧିକାରୀ ଅଶୋକ ଦଲୱାଇ, ଜି. ମାଥିଭାଥନନ୍, ଭି.କେ ପାଣ୍ଡିଆନଙ୍କ ତାଲିକା କରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ଓ ସହାୟତା ବଣ୍ଟନ କରି ଚର୍ଚ୍ଚିତ ହୋଇଥିବା ପାଣ୍ଡିଆନ ତାଙ୍କର ପରିଶ୍ରମ ଓ କାର୍ଯ୍ୟଶୈଳୀ ପାଇଁ ଜଣେ ଦକ୍ଷ ଅଧିକାରୀ ଭାବେ ଗଣା ହେଉଥିଲେ। ତେଣୁ ସେ ତାଲିକାରେ ସ୍ଥାନ ପାଇଥିଲେ। ଶ୍ରୀ ଦଲୱାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବାକୁ ପସନ୍ଦ କରି ନଥିଲେ। ଏହାପରେ ମାଥିଭାଥନନଙ୍କୁ ନିଯୁକ୍ତି ମିଳିଥିଲା। ହେଲେ ବିଜେଡିର ବରିଷ୍ଠ ନେତାମାନଙ୍କ ଅଭିଯୋଗକୁ ସମାଧାନ କରିବାରେ ସେ ବିଫଳ ହୋଇଥିଲେ। ପ୍ରାୟ ବର୍ଷକ ପରେ ମାଥିଭାଥନନଙ୍କ ସ୍ଥାନରେ ତୃତୀୟ ପସନ୍ଦ ପାଣ୍ଡିଆନଙ୍କୁ ନିଯୁକ୍ତି ମିଳିଥିଲା। ପାଣ୍ଡିଆନ ତାଙ୍କ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ। ହେଲେ ପାଣ୍ଡିଆନଙ୍କ ଅସଲ ପରୀକ୍ଷା ୨୦୧୨ରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍ ବେଳେ ହୋଇଥିଲା। ସେତେବେଳେ ନବୀନ ଇଂଲଣ୍ଡରେ ଥିବାରୁ ଉକ୍ତ ରାତିରେ ପ୍ୟାରୀ ସବୁ ବିଜେଡି ବିଧାୟକଙ୍କୁ ଫୋନ୍ କରି ନବୀନ ନିବାସକୁ ଡାକିବା,ଏକାଠି କରିବା ବଡ଼ ଆହ୍ବାନ ଥିଲା। ନବୀନ ନିବାସର ବରିଷ୍ଠ ଅଧିକାରୀମାନେ ଏହି କାମ ପାଇଁ ପଛଘୁଞ୍ଚା ଦେଇଥିବାବେଳେ ପାଣ୍ଡିଆନ ଏହି କାମକୁ ସୂଚାରୁ ରୂପେ ତୁଲାଇଥିଲେ। ଏହାପରେ ନବୀନଙ୍କର ସେ ଆଖି ଓ କାନ ପାଲଟି ଯାଇଥିଲେ। ସିଏମ୍ଓରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସେ ଅଧିକ କ୍ଷମତାଶାଳୀ ହୋଇଯାଇଥିଲେ। ଏପରିକି ସିଏମ୍ଓ ବାହାରେ ବି ମୁଖ୍ୟ ସଚିବଙ୍କ ଠାରୁ ସେ ଅଧିକ ପ୍ରଭାବଶାଳୀ ଥିଲେ। ତାଙ୍କ ମାଧ୍ୟମରେ ନବୀନ ନିଷ୍ପତ୍ତି ନେଉଥିଲେ। ତେଣୁ ଜଣେ ଶାନ୍ତ ସ୍ବଭାବର ଦକ୍ଷ ମୁଖ୍ୟ ସଚିବ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦିଲ୍ଲୀ ଡେପୁଟେସନ୍ରେ ପଳାଇଥିଲେ। ଏହାପରେ ଯେତେ ମୁଖ୍ୟ ସଚିବ ଆସିଥିଲେ ବି ସମସ୍ତେ ପାଣ୍ଡିଆନଙ୍କ ନିଷ୍ପତ୍ତିରେ ଚାଲିଥିଲେ। ନବୀନଙ୍କ କାର୍ଯ୍ୟକାଳର ଶେଷ ମୁଖ୍ୟ ସଚିବ ଜାନୁଆରିରୁ ମେ’ ୨୦୨୪ ମଧ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୬ଟି ଅସହମତି ନୋଟ୍ ଲେଖିଥିଲେ। ହେଲେ ପ୍ରାଶାସନିକ ବ୍ୟବସ୍ଥା ବାହାରେ ଥିବା ଲୋକ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ସିଏମ୍ଓରେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି ନେଇ ଶ୍ରୀ ବାନାର୍ଜୀ ଲେଖିଛନ୍ତି ଯେ କେବଳ ଜେ ବି ପଟ୍ଟନାୟକଙ୍କୁ ଛାଡ଼ି (୧୯୯୦ରେ) କୌଣସି ମୁଖ୍ୟମନ୍ତ୍ରୀ ସିଏମ୍ଓରେ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇ ନଥିଲେ। ଶ୍ରୀ ବାନାର୍ଜୀ ନିଜ ପୁସ୍ତକରେ କିପରି ‘ସମ୍ବାଦ’ର ପୂର୍ବତନ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ୭୦ତମ ଜୟନ୍ତୀ ଅବସରରେ ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ସମ୍ପାଦକୀୟ ଲେଖି ବିଜେଡି ସରକାରରେ ଚାଲିଥିବା ବାବୁରାଜକୁ ବିରୋଧ କରିଥିଲେ ଏବଂ ଆଉ ତିନୋଟି ସମ୍ପାଦକୀୟ ଲେଖିବାରୁ ତାଙ୍କୁ କିପରି ବିଜେଡିରୁ ବିଦା କରାଯାଇଥିଲା ଏବଂ ‘ସମ୍ବାଦ’ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା, ସେ ବିଷୟରେ ରୁବେନ ତାଙ୍କ ପୁସ୍ତକଟିରେ ଉଲ୍ଲେଖ କରିଛନ୍ତି। ଏହାସହ ସାଂସଦ ବୈଜୟନ୍ତ ପଣ୍ଡା ଓ ଓଟିଭି ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ସଂପର୍କରେ ବି ସୂଚାଇଛନ୍ତି। ନବୀନଙ୍କ ବିଶ୍ବାସଭାଜନ ହେବା ପାଇଁ ପାଣ୍ଡିଆନ କେମିତି ବୈଜୟନ୍ତ ଓ ଅନ୍ୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ପାଣ୍ଡିଆନ କେମିତି ସରକାରକୁ ଅକ୍ତିଆର କରିଥିଲେ ତାହା ଉଲେଖ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ରୁବେନଙ୍କ ବହିରେ ପାଣ୍ଡିଆନଙ୍କ ସତ ଉନ୍ମୋଚନ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସତରେ କଣ ପାଣ୍ଡିଆନ ଏମିତି କରୁଥିଲେ ବୋଲି ଭିତରେ ଭିତରେ ଆଲୋଚନା ହେଉଛି। ଏହାକୁ ଖୋରାକ୍ ଯୋଗାଇଛି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତେରେଛା ବାଣ। ନବୀନଙ୍କ ସହ ରୁବେନଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବାରୁ ସେ ସତ ଜାଣିଥିବେ କହି ନିଆଁରେ ଘିଅ ଢ଼ାଳିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ସମୀର ଦାସ ମଧ୍ୟ ବିଷୋଦଗାର କରିଛନ୍ତି। ପାଣ୍ଡିଆନ କେମିତି ଚକ୍ରାନ୍ତ କରି ତାଙ୍କ ଟିକେଟ୍ କାଟିଥିଲେ ତାହା କ୍ୟାମେରାରେ କହିଛନ୍ତି। ପାଣ୍ଡିଆନଙ୍କୁ ନବୀନ କ୍ଲିନଚିଟ୍ ଦେଲେ ବି, ସେ ସକ୍ରିୟ ହେବା ପରଠାରୁ ବିଜେଡିରୁ କେମିତି ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିଥିଲେ ତାହା ସମସ୍ତଙ୍କୁ ଜଣା। କିନ୍ତୁ ସେହି ସମୟରେ କେହି ମୁହଁ ଖୋଲିବାକୁ କାହାର ସାହାସ ନଥିଲା। ଯିଏ ମୁହଁ ଖୋଲୁଥିଲା ତା ବିରୋଧରେ କଳବଳ କୌଶଳ ଲଗାଇ ହଇରାଣ କରାଯାଉଥିଲା। ଯାହାର ପର୍ଦାଫାଶ କରିଛି ରୁବେନ ବାନାର୍ଜୀଙ୍କ ବହି। ନବୀନଙ୍କ ବିଶ୍ବାସଭାଜନ ହେବା ପାଇଁ ପାଣ୍ଡିଆନ କେମିତି ବୈଜୟନ୍ତ ଓ ଅନ୍ୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ପାଣ୍ଡିଆନ କେମିତି ସରକାରକୁ ଅକ୍ତିଆର କରିଥିଲେ ତାହା ଉଲେଖ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି।
ରୁବେନଙ୍କ ବହିରେ ପାଣ୍ଡିଆନଙ୍କ ସତ ଉନ୍ମୋଚନ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସତରେ କଣ ପାଣ୍ଡିଆନ ଏମିତି କରୁଥିଲେ ବୋଲି ଭିତରେ ଭିତରେ ଆଲୋଚନା ହେଉଛି। ଏହାକୁ ଖୋରାକ୍ ଯୋଗାଇଛି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତେରେଛା ବାଣ। ନବୀନଙ୍କ ସହ ରୁବେନଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବାରୁ ସେ ସତ ଜାଣିଥିବେ କହି ନିଆଁରେ ଘିଅ ଢ଼ାଳିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ସମୀର ଦାସ ମଧ୍ୟ ବିଷୋଦଗାର କରିଛନ୍ତି। ପାଣ୍ଡିଆନ କେମିତି ଚକ୍ରାନ୍ତ କରି ତାଙ୍କ ଟିକେଟ୍ କାଟିଥିଲେ ତାହା କ୍ୟାମେରାରେ କହିଛନ୍ତି।
ପାଣ୍ଡିଆନଙ୍କୁ ନବୀନ କ୍ଲିନଚିଟ୍ ଦେଲେ ବି, ସେ ସକ୍ରିୟ ହେବା ପରଠାରୁ ବିଜେଡିରୁ କେମିତି ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିଥିଲେ ତାହା ସମସ୍ତଙ୍କୁ ଜଣା। କିନ୍ତୁ ସେହି ସମୟରେ କେହି ମୁହଁ ଖୋଲିବାକୁ କାହାର ସାହାସ ନଥିଲା। ଯିଏ ମୁହଁ ଖୋଲୁଥିଲା ତା ବିରୋଧରେ କଳବଳ କୌଶଳ ଲଗାଇ ହଇରାଣ କରାଯାଉଥିଲା। ଯାହାର ପର୍ଦାଫାଶ କରିଛି ରୁବେନ ବାନାର୍ଜୀଙ୍କ ବହି।
ନବୀନ- ବୈଜୟନ୍ତଙ୍କ ବିବାଦର ଅନ୍ୟ ଏକ କାରଣ କହିଛନ୍ତି ରୁବେନ ବାନାର୍ଜୀ । ପୂର୍ବରୁ ୨ ଜଣ ଭଲ ବନ୍ଧୁ ଥିଲେ । ତେବେ ବୈଜୟନ୍ତ ପଣ୍ଡାଙ୍କ ଉପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେହ ବଢିଥିଲା । ସୂଚନା ଅନୁଯାୟୀ ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କ କାନରେ ବିଷ ଭରା ଯାଉଥିଲା । କୁଆଡେ ବୈଜୟନ୍ତ ଆଉ ଜଣେ ବିଜୁ ବାବୁ ହୋଇଯିବେ ବୋଲି ପାଖ ଲୋକ କହୁଥିବା ନେଇ ସୂଚନା ରହିଛି ।
ବିଜୁ ବାବୁ ଓ ବୈଜୟନ୍ତ ଙ୍କ ମଧ୍ୟରେ ରହିଥିଲା ଅନେକ ସାମଞ୍ଜସ୍ୟ । ତେବେ ଲୋକଙ୍କ ମନ୍ତ୍ରଣା ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ବଢିଥିବା ନେଇ ସୂଚନା ରହିଛି ।
କେବଳ ସେତିକି ନୁହେଁ, ବିଜେଡି ନେତାମାନଙ୍କର ଆଗ୍ରହ ନଥିଲେ ବି ପାଣ୍ଡିଆନଙ୍କ ନିଷ୍ପତ୍ତି ବିରୋଧରେ କେହି ଯାଇପାରୁନଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ବିଜେଡି ଆଗ୍ରହ ପ୍ରକାଶ କରୁଥିଲା, ସେତେବେଳେ ଓଡ଼ିଶା ବିଜେପି ଅନ୍ୟ ଯୋଜନାରେ ଥିଲା। ପାଣ୍ଡିଆନ ବୁଝିପାରିଲେନି ରାଜନୀତିରେ କେହି ସବୁଦିନ ପାଇଁ ଶତ୍ରୁ ନଥାନ୍ତି କି ସବୁଦିନ ପାଇଁ ମିତ୍ର ନଥାନ୍ତି। ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ରଣନୀତି ଦେଖି ବିଜେଡିର ବରିଷ୍ଠ ନେତାମାନେ ତାଙ୍କୁ ଜଣେ ‘ବୁଦ୍ଧିମାନ ବୋକା’ ବୋଲି ଚିତ୍ରିତ କରୁଥିଲେ। ଅର୍ଥାତ୍ କାଉ ବେଶୀ ଚାଲାକ୍ ହେଲେ ଯାହା ହୁଏ। ପାଣ୍ଡିଆନଙ୍କ କ୍ଷେତ୍ରରେ ତାହା ହିଁ ହେଲା ଆଉ ନିର୍ବାଚନରେ ତାହାର ବିଷମ ପରିଣାମ ନବୀନ ଆଉ ବିଜେଡ଼ି ଭୋଗ କଲେ।