
ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ଆଜି ମଧ୍ୟାହ୍ନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ଯୁଦ୍ଧ ବିରାମ ଭାଙ୍ଗିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ।
ଆଜି ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଜେନେରାଲ ଅନୀଲ ଅନୀଲ ଚୌହ୍ବାନ, ତିନି ସେନା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । କାଲି ପାକିସ୍ତାନ ସହ ବୈଠକ ଥିବା ବେଳେ ଏନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ସେହିପରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆମେରିକାକୁ ଚରମ ବାଣୀ ଶୁଣାଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବ ପରେ ଭାରତକୁ ଅପରେସନ ‘ସିନ୍ଦୂର’ ସ୍ଥଗିତ ରଖିବାକୁ ପଡ଼ିଛି। ଏ କ୍ଷେତ୍ରରେ ଆମେରିକାର ଦୋମୁହାଁ ନୀତି ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ସମର୍ଥନ କରି ଓହରିଯିବା ଏବଂ ଅନ୍ୟପଟେ ପରୋକ୍ଷ ହସ୍ତକ୍ଷେପ ଦ୍ଵାରା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଜରିଆରେ ପାକିସ୍ତାନକୁ ଋଣ ଯୋଗାଇବା ଭଳି କାର୍ଯ୍ୟ ଆମେରିକାର ଅସଲ ଚେହେରାକୁ ପଦାରେ ପକାଇଛି।
ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ଚରମ ନିଷ୍ପତ୍ତି ଶୁଣାଇଛନ୍ତି। ଯଦି ପାକିସ୍ତାନ କିଛି କରେ, ତେବେ ଏହାର ଜବାବ ଅତ୍ୟନ୍ତ ବିଧ୍ବଂସକାରୀ ହେବ ବୋଲି ମୋଦୀ ଭାନ୍ସଙ୍କୁ କହିଛନ୍ତି। ଆମେରିକାର ଦୋମୁହାଁ ନୀତିକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ଏଭଳି କହିଥିବା କୁହାଯାଉଛି। କାରଣ ପହଲଗାଓଁ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଭାରତର ଆତଙ୍କବାଦ ବିରୋଧୀ ଯୁଦ୍ଧକୁ ଆମେରିକା ସମର୍ଥନ କରୁଛି। କିନ୍ତୁ ଅପରେସନ 'ସିନ୍ଦୂର' ଆରମ୍ଭ ହେବା ପରେ ଟ୍ରମ୍ପ ଉତ୍ତେଜନା ହ୍ରାସ ପାଇଁ ବାରମ୍ବାର ମତ ଦେଇଥିଲେ। ଉପରାଷ୍ଟ୍ରପତି ଭାନ୍ସ ପ୍ରଥମେ ଟ୍ରମ୍ପଙ୍କ ମତକୁ ଦୋହରାଇଥିଲେ। କିନ୍ତୁ ଭାରତର ଆକ୍ରମଣ ଜୋରଦାର ହେବା ପରେ ସେ ନିଜର ମତ ବଦଳାଇ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା କୌଣସି ହସ୍ତକ୍ଷେପ କରିବ ନାହିଁ କି ଏହାର କିଛି ନେଣ ଦେଣ ନାହିଁ ବୋଲି କହିଥିଲେ, ଯାହା ଆମେରିକାର ଦୋମୁହାଁ ନୀତିକୁ ସ୍ପଷ୍ଟ କରିଥିଲା।