

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆଜି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଦିଲ୍ଲୀର ଉପରାଜ୍ୟପାଳ ଶପଥ ପାଠ କରାଇଥିଲେ। ତାଙ୍କ ସହିତ ୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ବିଧାୟକ ଦଳର ନେତା ଭାବେ ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଲା । ନାଁ ଘୋଷଣା କରିଥିଲେ ପର୍ଯ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି ।
ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଆଜି ରାମଲୀଳା ମୈଦାନରେ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।
ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବା ପରେ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ରେଖାଗୁପ୍ତା ଦୌଡ଼ରେ ଆଗରେ ଥିଲେ । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ବିଜେନ୍ଦ୍ର ଗୁପ୍ତା ଓ ପ୍ରବେଶ ବର୍ମା, ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ । ଗତକାଲି ସକାଳୁ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଇ ହଲଚଲ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ହୋଇଥିଲା । ପର୍ଯ୍ୟବେକ୍ଷକ ଭାବେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଯୋଗଦେଇଥିଲେ ।
ଏଥର ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଛନ୍ତି । ରେଖା ଗୁପ୍ତା ପିଲାବେଳୁ ଆରଏସଏସର ସକ୍ରିୟ ସଦସ୍ୟା ରହିଛନ୍ତି । ସଂଘର ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘରର ସଚିବ ହୋଇଥିଲେ । ପୁଣି ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟ ହୋଇଥିଲେ ।
ରେଖା ଗୁପ୍ତା ୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ସଚିବ ହୋଇଥିଲେ । ଏହାପରେ ସେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରିୟ କାର୍ୟ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ ।
ରେଖା ଗୁପ୍ତା ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ ସିଟରୁ ହାରିଥିଲେ । ୨୦୧୫ରେ ସେ ପାଖାପାଖି ୧୧ ହଜାର ଭୋଟରେ ବନ୍ଦନା କୁମାରୀଙ୍କଠାରୁ ହାରିଥିଲେ । ସେହିପରି ୨୦୨୦ରେ ସେ ମାତ୍ର ୩ ହଜାର ୪୪୦ ଭୋଟରେ ହାରିଥିଲେ । ହେଲେ ଏଥର ସେ ବନ୍ଦନା କୁମାରୀଙ୍କୁ ବହୁତ ବଡ ବ୍ୟବଧାନରେ ପରାଜିତ କରି ବିଧାୟିକା ହୋଇଥିଲେ । ଆଉ ଏବେ ମୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।
ରେଖା ଗୁପ୍ତା ହରିୟାଣାର ଜିନ୍ଦର ବାସିନ୍ଦା । ତାଙ୍କ ନିଜ ଗାଁ ଜିନ୍ଦର ନନ୍ଦଗଡରେ । ଏଠାରେ ତାଙ୍କର ଜେଜେ ଓ ପୂରା ପରିବାର ରହୁଥିଲେ । ରେଖାଙ୍କ ବାପା ଜୟ ଭଗବାନଙ୍କ ଚାକିରି ଦିଲ୍ଲୀରେ ହୋଇଯାଇଥିଲା । ତେଣୁ ତାଙ୍କର ପୂରା ପରିବାର ଦିଲ୍ଲୀରେ ରହୁଥିଲେ । ରେଖା ଗୁପ୍ତାଙ୍କ ସ୍କୁଲଠାରୁ ଗ୍ରାଜୁଏସନ ଯାଏଁ ପଢା ଦିଲ୍ଲୀରେ ହୋଇଥିଲା । ରେଖା ୧୯୯୮ ମସିହାରେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ । ମନୀଷ ଦିଲ୍ଲୀରେ ସ୍ପେୟାର ପାର୍ଟସର ବ୍ୟବସାୟ କରୁଛନ୍ତି ।
ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହେବାର ୭ଟି ପ୍ରମୁଖ କାରଣ
……………………………………………………………………..
୧- ରେଖା ଗୁପ୍ତାଙ୍କ ସବୁଠାରୁ ବଡ଼ ଫ୍ୟାକ୍ଟର ବା କାରଣ ମଧ୍ୟରୁ ଗୋଟିଏ ହେଉଛି ଯେ ସେ ବଣିଆ ତଥା ବୈଶ୍ୟ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି। ଉଲ୍ଲେଖନୀୟ ଯେ ବଣିଆ ସମ୍ପ୍ରଦାୟକୁ ବିଜେପିର ମୁଖ୍ୟ ଭୋଟ ବ୍ୟାଙ୍କ ମଧ୍ୟରେ ଗଣନା କରାଯାଏ। ତାଙ୍କ ନାମ ଘୋଷଣା କରି ବିଜେପି ଏହାର ପ୍ରମୁଖ ଭୋଟରମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛି।
୨- ରେଖା ଗୁପ୍ତାଙ୍କ ସପକ୍ଷରେ ଯାଇଥିବା ଦ୍ୱିତୀୟ କାରଣ ହେଉଛି ରେଖା ଗୁପ୍ତା ଜଣେ ମହିଳା। ଦେଶର ଏହି ଅଧା ଜନସଂଖ୍ୟାକୁ ନରେନ୍ଦ୍ର ମୋଦିଙ୍କ ‘ନୀରବ ସମର୍ଥକ’ ବୋଲି ବିବେଚନା କରାଯାଏ ଏବଂ ଏବେ ସେମାନେ ଖୋଲାଖୋଲି ଭାବରେ ମୋଦିଙ୍କ ନାମକୁ ନିଜର ପ୍ରିୟ ନେତା ଭାବରେ ନେବା ଆରମ୍ଭ କଲେଣି। ଜଣେ ମହିଳାଙ୍କୁ ଦିଲ୍ଲୀର କମାଣ୍ଡ ହସ୍ତାନ୍ତର କରି, ବିଜେପି ମହିଳାମାନଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛି।
୩- ରେଖା ଗୁପ୍ତାଙ୍କ ସପକ୍ଷରେ ଯାଇଥିବା ତୃତୀୟ କାରଣ ହେଉଛି ସେ ମଧ୍ୟବିତ୍ତ ବର୍ଗର ପ୍ରତିନିଧିତ୍ୱ କରନ୍ତି। ରେଖା ଗୁପ୍ତା ଦିଲ୍ଲୀର ଶାଲିମାର ବାଗରୁ ଜିତିଛନ୍ତି, ଯାହା ସମ୍ପୂର୍ଣ୍ଣ ମଧ୍ୟବିତ୍ତ ବର୍ଗର ଅଞ୍ଚଳ। ବିଜେପିର ସବୁଠାରୁ ବଡ଼ ସମର୍ଥକଙ୍କ ମଧ୍ୟରେ ମଧ୍ୟବିତ୍ତ ବର୍ଗ ମଧ୍ୟ ସାମିଲ।
୪- ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚିବାରେ ସାହାଯ୍ୟ କରିଥିବା ଚତୁର୍ଥ କାରଣ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ତାଙ୍କର ଘନିଷ୍ଠତା। ବିଜେପି ସଂଗଠନ ପରି, ତାଙ୍କର ଆରଏସଏସରେ ମଧ୍ୟ ଗଭୀର ପ୍ରବେଶ ଅଛି। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପିଲାଦିନରୁ ସଂଘ ସହିତ ଜଡିତ।
୫- ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କ ସପକ୍ଷରେ ଯାଇଥିବା ପଞ୍ଚମ କାରଣ ହେଉଛି ବୟସ ତାଙ୍କ ସପକ୍ଷରେ ରହିବା। ରେଖା ଗୁପ୍ତାଙ୍କ ବୟସ ବର୍ତ୍ତମାନ ୫୦ ବର୍ଷ ଏବଂ ଏପରି ପରିସ୍ଥିତିରେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ସେ ଦୀର୍ଘ ସମୟ ପାଇଁ ଦିଲ୍ଲୀର ସେବା କରିପାରିବେ।
ରେଖା ଗୁପ୍ତାଙ୍କ ସପକ୍ଷରେ ଯାଇଥିବା ଷଷ୍ଠ କାରଣ ହେଉଛି ଛାତ୍ର ରାଜନୀତିରେ ତାଙ୍କର ଅଭିଜ୍ଞତା। ସେ ୧୯୯୨ ମସିହାରେ ଦୌଲତ ରାମ କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ଏବଂ ୧୯୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହୋଇଥିଲେ।
୭- ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଭୂମିସ୍ତରୀୟ ରାଜନୀତିର ଅଭିଜ୍ଞତା ଅଛି ଏବଂ ଏହା ମଧ୍ୟ ତାଙ୍କ ସପକ୍ଷରେ କାମ କରିଥିଲା। ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଉତ୍ତର ପୀତମପୁରାରୁ ଓ୍ଵାର୍ଡ ନମ୍ଵର୍ ୫୪ ରୁ କାଉନସିଲର ରହିଥିଲେ ଏବଂ ଦକ୍ଷିଣ ଦିଲ୍ଲୀ ସି,ଏମ୍,ଡି,ର ମେୟର ରହିଥିଲେ।
