


ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଗୁୂରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦୁର୍ଘଟଣାରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ବିମାନ କର୍ମଚାରୀଙ୍କ ସମେତ ସମସ୍ତ ୨୪୨ ଜଣ ଯାତ୍ରୀ ନିହତ ହୋଇଥିବା ଆଶଙ୍କା କରାଯାଇଛି। ଏମାନଙ୍କ ମଧ୍ୟରେ ଭାରତର ୧୬୯ ଜଣ, ବ୍ରିଟେନର ୫୩ ଜଣ, ପର୍ତ୍ତୁଗାଲର ୭ ଜଣ ଏବଂ କାନାଡାର ଜଣେ ଯାତ୍ରୀ ଅଛନ୍ତି।
ସୂଚନାଯୋଗ୍ୟ ଯେ,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। କୁହାଯାଉଛି ଏୟାର ଇଣ୍ଡିଆ ବିମାନଟି ବିମାନବନ୍ଦରର ସୀମା ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୨ଜଣ କ୍ରୁ ସଦସ୍ୟଙ୍କ ସହିତ ୨୩୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ୨୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି।
ବିମାନ ଦୁର୍ଘଟଣାଗସ୍ତ ହେବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ସିଞ୍ଚନ କରି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବିମାନଟି ବିମାନବନ୍ଦରରୁ ଉଡ଼ିବାର କିଛି ସମୟରେ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଥିବା କୁହାଯାଉଛି।
ଦୁର୍ଘଟଣାଗସ୍ତ ବିମାନ ବୋଇଂର ୭୮୭ ଡ୍ରିମଲାଇନର ବୋଲି କୁହାଯାଉଥିବା ବେଳେ ଏହା ୧୧ବର୍ଷ ପୁରୁଣା ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି। ଏହାଯାବତ ଦୁର୍ଘଟଣାର କାରଣ ଜଣାପଡ଼ି ପାରିନାହିଁ।
ଦିନ ୧ଟା ୩୮ ମିନିଟ୍ରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି। ବିମାନରେ ୨୩୦ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ବିମାନ କର୍ମଚାରୀ ଥିଲେ।
ବିମାନ ମଧ୍ୟାହ୍ନ ୧ଟା ୩୮ ମିନିଟ୍ ରେ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣ ଭରିଥିଲା। ତେବେ ମାତ୍ର ୨ ମିନିଟ୍ ପରେ କ୍ରାସ୍ ହୋଇଗଲା। ଏୟାରପୋର୍ଟର ବାଉଣ୍ଡ୍ରି ମଧ୍ୟ ପାର କରିପାରିନଥିଲା ବିମାନ। ଉପରକୁ ଯାଉ ଯାଉ ତଳକୁ ଖସି ଯାଇଥିଲା ତା ପରେ ଚାରିଆଡେ କେବଳ ଦେଖିବାକୁ ମିଳିଥିଲା କଳା ଧୂଆଁ। ଏହା ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଥିବାର କୁହାଯାଉଛି। ବିଜୟ ରୁପାନୀ ଲଣ୍ଡନ ଯାଉଥିଲେ।
ଏୟାରପୋର୍ଟରୁ ମେଘାନିନଗରର ଦୂରତ୍ବ ହେଉଛି ୧୫ କିଲୋମିଟର। ସୋସିଆଲ ମିଡିଆରେ ପ୍ଲେନ୍ କ୍ଲାସର ବହୁ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁର୍ଘଟଣାସ୍ଥଳରେ କଳାଧୂଆଁ ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଛି। ଦୁର୍ଘଟଣାସ୍ଥଳରେ ଏମର୍ଜନ୍ସି ରେସପନ୍ସ ଟିମ୍ଙ୍କୁ ମୁତୟନ କରାଯାଇଛି। ଅଧିକାରୀମାନେ ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରିପାରି ନାହାନ୍ତି। କ୍ରାସ୍ ହୋଉଥିବା ପ୍ଲେନ୍ ବୋଇଂ ୭୮୭ ଡ୍ରୀମଲାଇନର ଥିଲା। କୁହାଯାଉଛି ଯେ, ଏହା ୧୧ ବର୍ଷ ପୁରୁଣା ଥିଲା।
ବିମାନଟି ଭୂମିଠାରୁ ୮୨୫ ଫୁଟ୍ ଉଚ୍ଚରେ ଉଡୁଥିବା ବେଳେ ହଠାତ ନିଆଁ ପିଣ୍ଡୁଳା ଭଳି ଦେଖାଯାଇଥିଲା। ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ପ୍ରତ୍ୟକ୍ଷ ଭବେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ୨୦ ରୁ ୨୫ଟି ଅଗ୍ନିନିର୍ବାପକ ଟିମ୍ ଘଟଣାସ୍ଥଳରେ ନିଆଁ ଆୟତ୍ତ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
୨୦ ମେଡିକାଲ ଛାତ୍ର ନିହତ
ସେପଟେ ମେଘାନୀ ନଗର ଅଞ୍ଚଳରେ ବିଜେ ମେଡିକାଲ କଲେଜ ଅବସ୍ଥିତ। ଏହି ବିମାନ ଉଡ଼ାଣ ଆରମ୍ଭ ହେବାର ୫ ମିନିଟ୍ ପରେ ଏହି ମେଡିକାଲ କଲେଜର ହଷ୍ଟେଲ କୋଠାରେ ଧକ୍କା ହୋଇଥିଲା।
ହଷ୍ଟେଲ ଉପରେ ଏକ କ୍ୟାଣ୍ଟିନ୍ ଅଛି ।ସେଠାକୁ ଡାକ୍ତରୀ ଛାତ୍ରମାନେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ କରିବାକୁ ଆସନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିବା ଏୟାର ଇଣ୍ଡିଆ ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋଗୁଡ଼ିକରେ ଦେଖାଯାଉଛି ଯେ, ବିମାନର ପଛ ଭାଗ ହଷ୍ଟେଲ କୋଠା ସହିତ ଝୁଲୁଛି। ଆଗ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି ।
