
ଆଲେଖ୍ୟ – ଓମକାର ମିଶ୍ର
……………………………………………………………………
ଗ୍ରୀଷ୍ମ ଋତୁ ଆସିଲେ ସାରା ଭାରତ ଗରମ୍ ହୋଇଉଠେ ଆଇ,ପି,ଏଲ୍,ର ପ୍ରଚଣ୍ଡ ଉତ୍ତାପରେ। ଏହି ଉତ୍ତାପ କେବଳ ଭାରତ ଭିତରେ ସୀମାବଦ୍ଧ ରହେନାହିଁ। ଏହା ଭାରତର ସୀମା ସରହଦ ଲଙ୍ଘନ କରି ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ଉତ୍ତାପିତ କରେ। କହିବାକୁ ଗଲେ ଦୀର୍ଘ ଏକ ମାସ ଯାଏ ପ୍ରାୟ ଅଧା ବିଶ୍ଵ ଆଇ,ପି,ଏଲ୍, ର ଉତ୍ତାପର ମଜା ନିଏ ।
କେବଳ ଏତିକି ନୁହେଁ, ଏହି କ୍ରିକେଟ ମହୋତ୍ସବରେ ଖେଳାଳୀ କିଣା, ଟିକଟ ବିକ୍ରୀ,ପ୍ରସାରଣ ବିକ୍ରି ଆଉ ବିଜ୍ଞାପନ ବାବଦରେ ହଜାର ହଜାର କୋଟି ଟଙ୍କା ନେଣ ଦେଣ ହୁଏ। ଯେତେବେଳେ ଗୋଟିଏ ପ୍ରତିଯୋଗିତା ଲାଗି ଏତେ ବିପୁଳ ଟଙ୍କା ବିନିଯୋଗ ହେଉଛି, ସେତେବେଳେ ଦର୍ଶକଙ୍କ ଠାରୁ ନେଇ ଟିମ୍ ମାଲିକ, ବିଜ୍ଞାପନଦାତା ଏବଂ ଏହାର ପ୍ରଯୋଜକ ବି,ସି,ସି,ଆଇ, ସମସ୍ତେ ଖେଳାଳୀଙ୍କ ଠାରୁ ସେହିପରି ଉଚ୍ଚ ମାନର ପ୍ରଦର୍ଶନ ଆଉ ଚିତ୍ତାକର୍ଷକ ଫଳାଫଳ ଆଶା କରିବା ସ୍ଵାଭାବିକ। କିନ୍ତୁ ଏଥର ଚଳିତ ଆଇ,ପି, ଏଲ୍,ରେ ସେପରି ପ୍ରଦର୍ଶନ ଆଉ ଫଳାଫଳର ଘୋର ଅଭାବ ଦେଖାଦେଇଥିବାରୁ ସମ୍ପୃକ୍ତ ସମସ୍ତ ପକ୍ଷ ଘୋର ଚିନ୍ତିତ ଆଉ ବିଚଳିତ ହୋଇପଡ଼ିଥିବା ଲକ୍ଷଣୀୟ ହୋଇଛି।
ଆଇପିଏଲ୍ରେ ଫ୍ଲପ୍ ଫାଇଭ୍ ଫ୍ଲେୟାର । ମୋଟା ଅଙ୍କରେ ବିକ୍ରି, ଖେଳ କିନ୍ତୁ ଶୂନ । ଚାଲୁନି ବ୍ୟାଟ୍, ପ୍ରଦର୍ଶନ ଫିକା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଜାରି ରହିଛି । ୧୮ତମ ସଂସ୍କରଣରେ ଏବେ ପିକ୍ରେ ରହିଛି । ହେଲେ କିଛି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ଲାଗିଲାଣି । ବାରମ୍ବାର ଫ୍ଲପ୍ ହେଉଛନ୍ତି, ନିଲାମୀ ପ୍ରକ୍ରିୟାରେ ମୋଟା ଅଙ୍କରେ ବିକ୍ରି ହୋଇଥିବା ପାଞ୍ଚ ଖେଳାଳୀ ।
ଗତ ଆଇପିଏଲ୍ରେ ଗର୍ଜୁଥିବା ଏମାନଙ୍କ ବ୍ୟାଟ୍ ଏବେ ନିରବୀ ପଡ଼ିଛି । ଫଳରେ ଟିମ୍ର ସନ୍ତୁଳନ ବିଗିଡ଼ି ଯାଇଥିବା ବେଳେ ଏହାକୁ ନେଇ ଚିନ୍ତାରେ ରହିଛି ଫ୍ରାଞ୍ଚାଇଜ୍ ।
କିଏ ଏହି ପାଞ୍ଚ ଖେଳାଳି ? କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ପରେ ବି ପ୍ରଦର୍ଶନ ଜିରୋ । ଆଇପିଏଲ୍ ଅଧା ହେଲାଣି, ହେଲେ ଜାରି ରହିଛି ଫ୍ଲପ୍ ଶୋ’। ଲିଷ୍ଟରେ ରହିଛନ୍ତି, ରିଷଭ ପନ୍ତ, ରୋହିତ ଶର୍ମା, ଭେଙ୍କଟେଶ୍ ଆୟର, ଗ୍ଲେନ୍ ମାକ୍ସଓ୍ବେଲ୍ ଓ ମାର୍କସ ଷ୍ଟୋନିସ୍ । ଏମାନଙ୍କ ଭିତରେ ପ୍ରଥମ ସ୍ଥାନରେ ରହିଛନ୍ତି ଆଇପିଏଲ୍ ଇତିହାସରେ ସବୁଠୁ ଦାମିକା ଖେଳାଳି ରିଷଭ ପନ୍ତ । ଲକ୍ଷ୍ନୌ ସୁପରି ଜାଏଣ୍ଟସର ତାଙ୍କୁ ୨୭ କୋଟି ଟଙ୍କାରେ କିଣି ଅଧିନାୟକ କରିଛି, ହେଲେ ସେ ସୁପର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ବ୍ୟାଟ୍ ତାଙ୍କର ଗର୍ଜନ କରିବା ବନ୍ଦ କରିଦେଇଛି । ମୋଟ୍ ୮ଟି ମ୍ୟାଚ୍ରୁ ପନ୍ତ ୧୭.୧୭ ହାରରେ ୧୦୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ରହିଛି । ଏଲଏସଜି ବାରମ୍ବାର ହାରୁଥିବାରୁ ତାଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଫ୍ଲପ୍ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭେଙ୍କଟସ୍ ଆୟର । ଏହି ଧୁରନ୍ଧର ବ୍ୟାଟରଙ୍କୁ ଶାହାରୁଫ୍ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ୨୩.୭୫ କୋଟି ଟଙ୍କାରେ କିଣିଛି । ହେଲେ ଆଇପିଏଲରେ ଆୟର ଏଯାଏଁ ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇଛନ୍ତି । ବାମହାତୀ ବ୍ୟାଟରଙ୍କ ବ୍ୟାଟ୍ ଚଳିତ ସିଜିନରେ ଶାନ୍ତ ପଡ଼ିଛି । ୭ଟି ମ୍ୟାଚରୁ ସେ ୨୪.୫ ହାରରେ ୧୨୧ରନ୍ ସଂଗ୍ରହ କରିଛନ୍ତି । ଏ ବର୍ଷ ସାନ୍ ରାଇଜର୍ସ ହାଇଦ୍ରାବାଦ ବିରୋଧରେ ସର୍ବାଧିକ ୬୦ ରନ୍ର ପାଳି ଖେଳିଛନ୍ତି । ଫଳରେ ଡିଫେଣ୍ଡି ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସର ବିଜୟ ରଥ ମନ୍ଥର ଗତିରେ ଚାଲୁଛି ।
ଆଇପିଏଲର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ୍ ଶର୍ମା । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୋଟା ଅଙ୍କରେ ରିଟେନ୍ ରଖିଛି, ହେଲେ ବାରମ୍ବାର ସେ ଫ୍ଳପ୍ । ଏମଆଇକୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ଏହି ଦୁର୍ଦ୍ଧଶ ଓପନରଙ୍କ ବ୍ୟାଟ୍ ଏଥର ନିରବ ରହିଛି । ବର୍ତ୍ତମାନ ସୁଦ୍ଧା ରୋହିତ୍ ୬ଟି ମ୍ୟାଚ୍ ଖେଳି ମାତ୍ର ୮୨ ରନ୍ କରିଛନ୍ତି । ଏଥିରେ ସର୍ବାଧିକ ସ୍କୋର ୨୬ ରନ୍ ରହିଛି । ଲିଗ୍ ପର୍ଯ୍ୟାୟରେ ଆଗକୁ ଆହୁରି ଅନେକ ମ୍ୟାଚ୍ ରହିଥିବାରୁ ହିଟ୍ ମ୍ୟାନଙ୍କ ଶୋ’ ଚାଲିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।
ଆଇପିଏଲର ଆଉ ଏକ ବଡ଼ ଚେହେରା ହେଉଛନ୍ତି ଅଷ୍ଟ୍ରେଲିଆର ଧୁରନ୍ଧର ଖେଳାଳି ଗ୍ଲେନ୍ ମ୍ୟାକ୍ସଓ୍ବେଲ୍ । ରୟାଲ ଚ୍ୟାଲେଞ୍ଜର୍ସ ତାଙ୍କୁ ରିଲିଜ୍ କରିବା ପରେ ଚଳିତ ସିଜିନରେ ପଞ୍ଜାବ କିଙ୍ଗସ୍ ତାଙ୍କୁ ନିଜ ଦଳରେ ସାମିଲ୍ କରିଛି । ହେଲେ ମ୍ୟାକ୍ସ ଜଲଓ୍ବା ଦେଖିବାକୁ ମିଳୁନାହିଁ । ୪.୨ କୋଟି ଟଙ୍କାରେ ବିକ୍ରି ହୋଇଥିବା ଏହି ହାର୍ଡ ହିଟରଙ୍କ ଫ୍ଲପ୍ ଶୋ’ ଜାରି ରହିଛି । ୬ଟି ମ୍ୟାଚରୁ ସେ ୮.୨୦ ହାରରେ ମାତ୍ର ୪୧ ରନ୍ କରିଛନ୍ତି ।
ସେହିପରି ପଞ୍ଜାବ କିଙ୍ଗସ୍ ର ଅନ୍ୟ ଏକ ଫ୍ଲପ୍ ପ୍ଲେୟାର ହେଲେ ମାର୍କସ ଷ୍ଟୋନିସ୍ । ଫ୍ରାଞ୍ଚାଇଜ୍ ତାଙ୍କୁ ୧୧ କୋଟି ଟଙ୍କାରେ କିଣିଛି । ମାତ୍ର ଚଳିତ ସିଜିନ୍ ସେ ଫିକା ପଡ଼ିଛନ୍ତି । ୬ଟି ମ୍ୟାଚରୁ ମାତ୍ର ୬୬ ରନ୍ କରିଛନ୍ତି । ତେବେ ଆଇପିଏଲର ଏହି ପାଞ୍ଚ ଖେଳାଳି ମୋଟା ଅଙ୍କରେ କିଣା ହୋଇଥିଲେ ମଧ୍ୟ ବ୍ୟାଟ୍ ତାଙ୍କର ପ୍ରଭାବଶୂନ୍ୟ ହୋଇଛି । ଯାହାକୁ ନେଇ ଫ୍ରାଞ୍ଚାଇଜଙ୍କ ଠାରୁ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ରହିଛନ୍ତି ।
ଅସଲ କଥା ହେଉଛି ଯେ ସମସ୍ତ ଦଳ ଆଉ ଏହାର ମାଲିକମାନେ ଏବଂ ବିସିସିଆଇ ସମସ୍ତେ ଆଇ,ପି, ଏଲ୍, ରୁ ମୋଟା ମୁନାଫା ଉପରେ ଯେତେ ଅଧିକ ଧ୍ୟାନ ଦେଉଛନ୍ତି, ତାହାର ଅଧା ଧ୍ୟାନ ଖେଳାଳୀମାନଙ୍କ ଉତ୍ତମ ପ୍ରଦର୍ଶନ ଦେବା ଉପରେ ଦେଉନାହାନ୍ତି। ଫଳରେ ଖେଳାଳୀମାନେ ବି ନିଜର ଆୟ ଉପରେ ଅଧିକ ଧ୍ୟାନ ରଖି ବେପରବାଏ ପ୍ରଦର୍ଶନ ଦେଉଛନ୍ତି। ଏ ପ୍ରକାର ଧାରା ବିଗତ କେତେ ବର୍ଷ ହେଲା ଦେଖାଦେଇ ଗତ ବର୍ଷ ଆଉ ବିଶେଷ କରି ଚଳିତ ବର୍ଷ ଅଧିକ ମାତ୍ରାରେ ଦେଖାଦେଇଛି। ଏଥିରେ ମାଲିକ ଆଉ ବିସିସିଆଇର ବର୍ତ୍ତମାନ ଲାଗି ବିଶେଷ କିଛି କ୍ଷତି ହେବନାହିଁ, କିନ୍ତୁ ଦର୍ଶକ ଆଉ ଖେଳପ୍ରେମୀମାନେ ଖୁବ୍ ନିରାଶ ହେବେ। ଆଗକୁ ଏହି ଧାରା ଅବ୍ୟାହତ ରହିଲେ ଦର୍ଶକ ଆଉ ଟି,ଭି, ଦର୍ଶକମାନଙ୍କର ଆଇ,ପି, ଏଲ୍,ରୁ ମୋହଭଙ୍ଗ ହେବ। ସେତେବେଳେ ଟିକେଟ ବିକ୍ରି ସାଙ୍ଗକୁ ବିଜ୍ଞାପନ ଆୟ ପୁରା କମିଯିବ। ଫଳରେ ବିଜ୍ଞାପନ ଆଉ ପ୍ରସାରଣ ବାବଦରେ ବିସିସିଆଇର ଆୟ ପୁରା ମାଡ ଖାଇବ। ଏପରି ହେଲେ ଶୂନ୍ୟହସ୍ତ ବିସିସିଆଇ ଟିମ୍ ମାଲିକଙ୍କୁ କିଛି ଅର୍ଥ ଦେଇପାରିବ ନାହିଁ। ଏପରି ହେଲେ ଖେଳାଳୀମାନେ ବି ମୋଟା ଆୟରୁ ବଞ୍ଚିତ ହେବେ। ଏଣୁ ବିସିସିଆଇ ଆଉ ଟିମ୍ ମାଲିକମାନେ ଆଇ,ପି, ଏଲ୍,କୁ ଏତେ ବ୍ୟବସାୟିକ ନ କରି ଖେଳାଳୀଙ୍କ ଉତ୍ତମ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ