
କିଏ କହିଲା ଯେ ଏ ଘୋର କଳିଯୁଗରେ ଶ୍ରବଣ କୁମାରଙ୍କ ପରି ଅତି ପିତୃ ମାତୃ ଭକ୍ତ ପୁଅ ଆଉ ଦେଖିବାକୁ ମିଳୁନାହାନ୍ତି। ଅବଶ୍ୟ ତ୍ରେତୟା ଯୁଗ ପରି ଆଜିର ଘୋର ବସ୍ତୁବାଦୀ ଯୁଗରେ ଏତେ ବିପୁଳ ସଂଖ୍ୟାରେ ପିତୃ ମାତୃ ଭକ୍ତ ପୁଅ ମିଳୁନାହାନ୍ତି ସତ, କିନ୍ତୁ ପୁରା ନିଶ୍ଚିହ୍ନ ହୋଇନାହାନ୍ତି। କାଁ ଭାଁ ହେଲେ ମଧ୍ୟ ଆଜି ବି କେବେ ନା କେବେ, କେଉଁଠି ନା କେଉଁଠି ଶ୍ରବଣ କୁମାରଙ୍କ ପରି ଅତି ପରମ ପିତୃ ମାତୃ ଭକ୍ତ ପୁତ୍ର ମିଳିଯାଉଛନ୍ତି। ଏହି ତ ହେଉଛି ଭାରତର ବୈଶିଷ୍ଟ୍ୟ ।
ନିକଟରେ ଜଣେ ଶ୍ରବଣ କୁମାରଙ୍କ ସନ୍ଧାନ ମିଳିଛି, ଯାହାଙ୍କ ଅବିଚଳିତ ମାତୃସେବା ଆଉ ଭକ୍ତି ଦେଖି ନେତ୍ର ପବିତ୍ର ହୋଇଯାଇଛି ବୋଲି କୁହାଯାଇପାରେ। ୭୦୦ କି.ମି ବଳଦ ଗାଡ଼ିରେ ବସାଇ ୯୨ ବର୍ଷୀୟ ମା’କୁ କୁମ୍ଭ ମେଳା ବୁଲାଇ ନେଉଛି ୬୫ବର୍ଷୀୟ ବୃଦ୍ଧ ପୁଅ। ଗୋଡ଼ରେ ଯନ୍ତ୍ରଣା ହେଉଛି ସତ। ହେଲେ ମା’ର ଇଚ୍ଛା ଆଗରେ ସବୁ ଯନ୍ତ୍ରଣା ପାଣି ଫୋଟକା ପରି ଲାଗୁଛି।
ତେଣୁ ସବୁ କଷ୍ଟକୁ ପଛରେ ପକାଇ ୬୫ ବର୍ଷୀୟ ସୁଦେଶ ପାଲ୍ ମଲ୍ଲିକ, ମୁଣ୍ଡରେ ଠେକା ମାରି ପାଦରେ ଚାଲିଚାଲି ବଳଦ ଗାଡ଼ି ଉପରେ ମା’କୁ ବସାଇ ଟାଣିଟାଣି ନେଉଛନ୍ତି ପବିତ୍ର ପ୍ରୟାଗରାଜ ବୁଲାଇବାକୁ।
ପାଦରେ ଯନ୍ତ୍ରଣା: ମୁଜାଫରନଗର ମେଘପୁର ଗାଁର ସୁଦେଶ ପାଲ୍ ମଲ୍ଲିକ। ବୟସ ତାଙ୍କର ୬୫ ବର୍ଷ। ନିଜେ ବୟସର ଅପରାହ୍ନରେ ପାଦ ଦେଇସାରିଲେଣି।ହେଲେ ମା’ର ଇଚ୍ଛା ଆଗରେ ବୟସ ବି ବାଧକ ସାଜିପାରିନାହିଁ।
ଏବେ ଦେଶର ସବୁଠୁ ବଡ଼ ପର୍ବ ଚାଲିଛି ମହାକୁମ୍ଭ। ଦୀର୍ଘ ୧୪୪ ବର୍ଷ ପରେ ପଡ଼ିଛି ମହାକୁମ୍ଭ। ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇବାକୁ ସମସ୍ତଙ୍କର ଇଚ୍ଛା।
ଏହି ପବିତ୍ର ଭୂମିରେ ଥରେ ପାଦ ପଡିଲେ ପାପ ଦୂର ହେଇଯାଏ ବୋଲି ବିଶ୍ୱାସ ରହିଛି। ଆଉ ତ୍ରିବେଣୀ ସଙ୍ଗମରେ ବୁଡ ପକେଇଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ମନାଯାଏ।
ଆଉ ଯେତେବେଳେ ଏବେ ସେହି ଦିନ ପଡ଼ିଛି ତେଣୁ ୯୨ବର୍ଷୀୟ ବୁଢ଼ୀ ମା ଟିର ବି ପ୍ରୟାଗରାଜ ଯିବାକୁ ମନ ହୁଏ। ତେଣୁ ସେ ତାଙ୍କ ୬୫ ବର୍ଷୀୟ ପୁଅ ସୁଦେଶଙ୍କୁ ମହାକୁମ୍ଭ ବୁଲେଇ ନେବାକୁ କୁହନ୍ତି।
ସୁଦେଶଙ୍କ କହିବା କଥା: ସେପଟେ ସୁଦେଶଙ୍କର ବି ଗୋଡ଼ ଖରାପ। ୨୫ ବର୍ଷ ପୂର୍ବେ ତାଙ୍କର ଏକ ଆକ୍ସିଡ଼େଣ୍ଟ ହୋଇଥିଲା। ସେଥିରେ ଡ଼କ୍ଟର ମଧ୍ୟ ତାଙ୍କ ଗୋଡ଼କୁ ଅକାମୀ ଘୋଷଣା କରିଦେଇଥିଲେ।
ହେଲେ ସୁଦେଶଙ୍କ କହିବା କଥା ସେ ତାଙ୍କ ମାଆ ଏବଂ ଭଗବାନଙ୍କ ସେବା କରି ଆଶୀର୍ବାଦ ପାଇଛନ୍ତି। ତେଣୁ ତାଙ୍କ ଗୋଡ଼ରେ ଏବେ ଆଉ ଯନ୍ତ୍ରଣା ନାହିଁ।
ବାହାରିଲେ ପ୍ରୟାଗରାଜ: ଯଦିଓ ଗୋଡ଼ ସମ୍ପୂର୍ଣ୍ଣ ଭଲ ହୋଇ ନଥାଏ। କିନ୍ତୁ ମାଙ୍କ ପାଟିରୁ ମହାକୁମ୍ଭ ବୁଲିବା କଥା ଶୁଣି, ସମସ୍ତ କଷ୍ଟକୁ ଭୁଲି ମାଙ୍କୁ ବୁଲେଇନେବା ପାଇଁ ପ୍ରସ୍ତୁତ ହେଲେ ପୁଅ।
ମାଆର ସ୍ୱପ୍ନ ପୂରା କରିବା ପାଇଁ ନିଜ କଷ୍ଟକୁ ପଛରେ ପକାଇ ମହାକୁମ୍ଭ ଅଭିମୁଖେ ମାଆକୁ ନେଇ ଯାତ୍ରା ଆରମ୍ଭ କଲେ କଳିଯୁଗର ଶ୍ରବଣ କୁମାର।
ପାଦରେ ଚପଲ, ମୁଣ୍ଡରେ ପଗଡ଼ି ଦେହରେ ଧଳା ପାଇଜାମା ପିନ୍ଧି ବୃଦ୍ଧା ମାଆକୁ ବଳଦଗାଡିରେ ନିଜେ ଟାଣି ଟାଣି ପ୍ରୟାଗରାଜ କୁମ୍ଭମେଳା ବୁଲାଇବାକୁ ଘରୁ ବାହାରି ଯାଆନ୍ତି ବୃଦ୍ଧା ପୁଅ।
ଞଦଞଦିନକୁ୫୦ ରୁ ୬୦କି.ମି: ଘରୁ ପ୍ରୟାଗରାଜ ୭୦୦ କି.ମି। ଯାହାକୁ ଅତିକ୍ରମ କରିବାକୁ ଲାଗିଯିବ ୧୩ ଦିନ। ତେଣୁ ସୁଦେଶଙ୍କ କହିବା କଥା ସେ ପ୍ରତିଦିନ ୫୦ ରୁ ୬୦ କିଲୋମିଟର ଚାଲୁଛନ୍ତି।
ଆଉ ତାଙ୍କୁ ବାଟରେ ଯିଏ ଦେଖୁଛି ତାଙ୍କ ମାତୃ ଭକ୍ତିକୁ ପ୍ରଶଂସା ନକରି ରହିପାରୁନି। ଯାହାକି ଆଜି କାଲିର ସମାଜ ପାଇଁ ଏକ ବଡ଼ ଉଦାହରଣ।
କୁମ୍ଭମେଳାରେ ବିଚିତ୍ର ପ୍ରାଣୀ
………………………………….
ପ୍ରୟାଗରାଜରେ କୁମ୍ଭମେଳା ଚାଲିନାହିଁ ଯେ କୁମ୍ଭମେଳା ସହିତ ଯେପରି ଏକ ବିଚିତ୍ର ମେଳା ବି ଯୋଡିହୋଇଯାଇଥିବା ପ୍ରତୀତ ହୁଏ। ଦୈନିକ ସେଠାରେ ଏକରୁ ନେଇ ଏକାଧିକ ବିଚିତ୍ର ଆଉ କୌତୁକିଆ- ହାସ୍ୟୋଦ୍ଦୀପକ ଦୃଶ୍ୟ ଦେଖିବାକୁ ମିଳୁଛି।
ଏହି କ୍ରମରେ ନିକଟରେ କୁମ୍ଭମେଳାରେ ଜଣେ ମଧ୍ୟବୟସ୍କା ମହିଳା ତାଙ୍କ ସ୍ବାମୀ କାଳେ କୁମ୍ଭମେଳାରେ ହଜିଯିବେ ଆଉ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯିବେ, ସେହି ଭୟରେ ତାଙ୍କ ସ୍ଵାମୀଙ୍କର ଅଣ୍ଟାରେ ଦଉଡା ବାନ୍ଧି ନିଜ ଅଣ୍ଟାରେ ଗୁଡେ଼ଇ ଆଗେ ଆଗେ ଚାଲିଛନ୍ତି