
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ ଆମେରିକା ଉପରେ ଏକ ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଖ୍ଵାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା ଗତ ୧ ଶହ ବର୍ଷ ଧରି ଦେଶଗୁଡ଼ିକୁ ଯୁଦ୍ଧ କରାଉଛି। ସେ ସାରା ବିଶ୍ୱରେ ଘଟୁଥିବା ଯୁଦ୍ଧଗୁଡ଼ିକୁ ଆମେରିକାର ଅସ୍ତ୍ର ଉତ୍ପାଦନ ଆଉ ବିକ୍ରି ବାବଦ ଆୟର ଏକ ବୃହତ ଉତ୍ସ ଭାବରେ ବର୍ଣ୍ଣନା କରିଛନ୍ତି।
ଖ୍ଵାଜା ଆସିଫଙ୍କ ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାୱାଜା ଆସିଫ ତାଙ୍କ ବିବୃତ୍ତିରେ କହିଛନ୍ତି, ‘ଆମେରିକୀୟମାନେ ବିଶ୍ୱର ସବୁଠି ଯୁଦ୍ଧ କରୁଛନ୍ତି, ହୁଏତ ଗତ ୧ ଶହ ବର୍ଷ ଧରି। ସେମାନେ ୨୬୦ଟି ଯୁଦ୍ଧ ଲଢ଼ିଛନ୍ତି। ଚୀନ ମାତ୍ର ୩ଟି ଯୁଦ୍ଧ କରିଛି। ସେମାନେ (ଆମେରିକା) ଏବେ ବି ଟଙ୍କା ରୋଜଗାର କରୁଛନ୍ତି। ସାମରିକ ଶିଳ୍ପ ସେମାନଙ୍କର ଜିଡିପିର ଏକ ବଡ଼ ଅଂଶ। ତେଣୁ ସେମାନଙ୍କୁ ଯୁଦ୍ଧରେ ସାମିଲ ହେବାକୁ ପଡ଼େ। ସେମାନେ ଦେଶଗୁଡ଼ିକୁ ଯୁଦ୍ଧ କରାନ୍ତି, କେତେବେଳେ ଏଠାରେ, କେତେବେଳେ ସେଠାରେ… ଯେତେବେଳେ ଦେଶଗୁଡ଼ିକ ଲଢ଼ନ୍ତି ସେମାନେ ରୋଜଗାର କରନ୍ତି।’ ଖ୍ଵାଜା ଆସିଫ କହିଛନ୍ତି ଯେ ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଟଙ୍କା ରୋଜଗାର କରିବା ପାଇଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରେ।
ଆମେରିକା ଦେଶଗୁଡ଼ିକୁ ଦେବାଳିଆ କରିଦେଲା
ଖ୍ଵାଜା ଆସିଫ ତାଙ୍କ ବୟାନକୁ ପ୍ରମାଣିତ କରିବା ପାଇଁ ଦେଶଗୁଡ଼ିକର ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଛନ୍ତି ଯେ ଆମେରିକା ପାଲେଷ୍ଟାଇନ, ସିରିଆ, ମିଶର ଏବଂ ଲିବିଆରେ ଏହା କରିଛି। ଏମାନେ ଧନୀ ଦେଶ ଥିଲେ, ଯୁଦ୍ଧ ଯୋଗୁଁ ଏବେ ଦେବାଳିଆ ହୋଇଗଲେଣି ଏବଂ ଆମେରିକା ଟଙ୍କା ରୋଜଗାର କରିଛି। ତାଙ୍କର ଏହି ବୟାନ
ପରେଏ ସାରା ବିଶ୍ୱରେ ପୁଣି ଥରେ ଆମେରିକାର ଭୂମିକା ଉପରେ ବିତର୍କ ଆରମ୍ଭ ହୋଇଛି। ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦରେ ଅସ୍ତ୍ରବିରତିର ଶ୍ରେୟ ବାରମ୍ବାର ନେଉଛନ୍ତି। ଡୋନାଲ୍ଡ ଟ୍ରମ୍ପ ସଂଧ୍ୟା ୫:୩୭ ସମୟରେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ଘୋଷଣା କରିଥିଲେ। ସେବେଠାରୁ ସେ ତାଙ୍କର ସମସ୍ତ ଗସ୍ତ ଏବଂ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହା ଉଲ୍ଲେଖ କରିଆସୁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ବାଣିଜ୍ୟ ଧମକ ଦେଇ ଯୁଦ୍ଧବିରତି ଆଣିଛନ୍ତି, ଯେତେବେଳେ ଭାରତ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି।