୨୭ ସାଲ୍ କେ ବାଦ୍ – ଦୁଃଖ ଦିନ ଭର ବିତେରେ ଭୈୟା ଅବ୍ ସତ୍ତାକା ସୁଖ ଆୟୋରେ – ରଙ୍ଗ ତାରୋ ଜୀବନ ମେଁ ନୟା ଲାୟୋରେ



ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିଛି। ଯାହା କେହି କେବେ ଆଶା କରି ନ ଥିଲା। ବର୍ତ୍ତମାନ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ଦଖଲ କରି ୭୦ ଟି ମଧ୍ୟରୁ ୪୮ ଟି ଆସନ ଦଖଲ କରି ଏକ ବିପୁଳ ବିଜୟ ସହ କ୍ଷମତାର ଦଣ୍ଡ ଆମ୍ ଆଦମୀ ପାର୍ଟି ହାତରୁ ଛଡାଇଆଣଛି। ଆମ୍ ଆଦମୀ ପାର୍ଟିକୁ୨୨ ଟି ଆସନ ପାଇଛି। କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳିନାହିଁ।
ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିବା ସହିତ ଦୁଇ ବଡ ନେତା ମଧ୍ୟ ହାରି ଯାଇଛନ୍ତି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ। ଅରବିନ୍ଦ କେଜ୍ରାୱାଲ ପ୍ରାୟ ୩ ହଜାର ଭୋଟରେ ହାରିଥିବା ବେଳେ ମନୀଷ ମାତ୍ର ୬ ଶହ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି। ତେବେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଆତୀଶ ବିଜୟ ଲାଭ କରିଛନ୍ତି।
ଆମ୍ ଆଦମୀ ପାର୍ଟିର ଦାରୁଣ ପରାଜୟ ଆଉ ବିଜେପିର ଭବ୍ୟ ବିଜୟ ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି।
ଯମୁନାର ବିଷାକ୍ତ ଏବଂ ଦୂଷିତ ପାଣିରେ ହିଁ ଆପର ଡଙ୍ଗା ବୁଡେଇଦେଇଛି । ଅନ୍ୟପଟେ ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିଓ୍ବାଲ୍ ଏବଂ ଅନ୍ୟ ବଡ ବଡ ନେତା ଜେଲ୍ ଯିବା ଆପ ହାରିବାର ମୁଖ୍ୟ କାରଣ ହୋଇପାରେ । ତେବେ ପ୍ରକୃତରେ କେଉଁଠି କେଜ୍ରିଓ୍ବାଲଙ୍କ ଡଙ୍ଗା ବୁଡିଲା ଆସନ୍ତୁ ଜାଣିବା ।
ଯମୁନା ପାଣିରେ ବିଷ ସମସ୍ୟା :
ଦିଲ୍ଲୀ ଜନତାଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ୍ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରେ ସେ ଏହା ମଧ୍ୟ କହିଥିଲେ ଯେ, ଦିଲ୍ଲୀରେ ପ୍ରବାହିତ ହେଉଥିବା ଯମୁନା ନଦୀକୁ ପୁରାପୁରି ପରିବର୍ତ୍ତନନ କରିଦେବେ । ଯମୁନାରେ ଥିବା ମଇଳା ଏବଂ ବିଷାକ୍ତ ପଦାର୍ଥକୁ ସେ ସଫା କରିଦେବେ । କିନ୍ତୁ ତାଙ୍କର ୩ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ବି ସେ ଯମୁନାକୁ ସଫା କରିବାର ପ୍ରତିଶ୍ରୁତି ପୂରଣ କରିପାରିନଥିଲେ । ଫଳରେ ବିଜେପି ଏହାର ଭଲ ଫାଇଦା ନେଇ ଆପ ସରକାରଙ୍କୁ ଟାଗେର୍ଟ କରିଥିଲା ।
ବିଷାକ୍ତ ପାଣି ଘେରରେ କେଜ୍ରିଓ୍ବାଲ୍ :
ହରିୟାଣା ସରକାର ଯମୁନା ପାଣିକୁ ବିଷାକ୍ତ କରୁଥିବା ଅଭିଯୋଗ କରି ନିଜ ସରକାର ଉପରୁ ଦୋଷ ହଟାଇବାକୁ ଚେଷ୍ଟା କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ୍ । କିନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ସେହି ପାଣି ପିଇ କେଜ୍ରିଓ୍ବାଲଙ୍କୁ ଉଚିତ୍ ଜବାବ୍ ଦେଇଥିଲେ । ଏବଂ ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଥିଲେ ଯେ , ସେ ବି ଏହି ପାଣି ପିଅନ୍ତି । ଯମୁନା ପାଣି ବିଷାକ୍ତକୁ ନେଇ ସବୁବେଳେ ଅରବିନ୍ଦ କେଜ୍ରିଓ୍ବାଲ୍ ପଛଘୁଞ୍ଚା ଦେଇଥିବା ବେଳେ ଏହାକୁ ସଫା କରିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ଅଲଗା କାର୍ଯ୍ୟକାଳରେ ଯମୁନାର ପାଣିକୁ ସଫା କରାଯିବାର ଦାବି କରୁଥିଲେ ।
ଦୃଢ ଏବଂ ସଚ୍ଚୋଟର ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ :
ତେବେ ଦ୍ବିତୀୟ ପ୍ରସଙ୍ଗ ହେଉଛି , ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କର ସଚ୍ଚୋଟ ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ । ଦିଲ୍ଲୀରେ ଏକ୍ସାଇଜ୍ ପଲିସୀ ଲାଗୁ ହେବା ପରେ ଆପର ବହୁ ନେତାଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିଲା । ଏବଂ ଅଭିଯୋଗ ହୋଇଥିଲା ଯେ ,ଶହ ଶହ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ତେବେ ଏହାପରେ ଆପର ନେତା ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ , ମନୀଷ ସିସୋଦିଆ , ଅମାନତୁଲ୍ଲା ଖାନ୍ , ସଞ୍ଜୟ ସିଂହ ଏବଂ ନିଜେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିଲା । ଏବଂ କିଛି ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା ।
ବିଜେପି ଏହି ମାମଲାକୁ ନେଇ ବହୁତ ପ୍ରେସ କନଫରେନ୍ସ କରିଥିଲା ଓ ଲୋକଙ୍କୁ ଜଣାଇଥିଲା ଯେ , ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦୃଢ ଏବଂ ସଚ୍ଚୋଟତାର ଭାବମୂର୍ତ୍ତି ବୋଲି ମାନୁଥିଲେ ସେ ନିଜେ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି । ଆପର ନେତାମାନେ ଜେଲରୁ ବାହାରିବା ପରେ ଏହାକୁ ବିଜେପିର ଏକ ଚକ୍ରାନ୍ତ ବୋଲି କହିବା ସହ ସେମାନେ କୋର୍ଟରେ ଆପ୍ ବିରୁଦ୍ଧରେ ଗୋଟେ ବି ପ୍ରମାଣ ଉପସ୍ଥାପନ କରିପାରିବେ ନାହିଁ ବୋଲି କହିଥିଲା । ତଥାପି , ବିଜେପିର ନେତା ମାନେ ଦିଲ୍ଲୀବାସୀଙ୍କ ନିକଟରେ ଆପ୍ ବିରୋଧରେ ସେମାନଙ୍କ ବାର୍ତ୍ତାକୁ ପହଞ୍ଚାଇବାରେ ସଫଳ ହୋଇଥିଲେ ।
ଏମସିଡି କ୍ଷମତାରୁ କ୍ଷତି :
ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ସାମ୍ନାକୁ ଆସୁଛି ତାହା ଦେଖି ଲାଗୁଛି , ଏଥର ଆପ କ୍ଷମତାରୁ ହଟିବ । ଦିଲ୍ଲୀର ଲୋକେ ଏହାକୁ ଏମସିଡି ସହ ମଧ୍ୟ ଯୋଡୁଛନ୍ତି । ଦିଲ୍ଲୀ ଏମସିଡିରେ ଆପ୍ କ୍ଷମତାରେ ଅଛି । ଏପରି ପରିସ୍ଥିତିରେ ଏହା ଆଉ ଏକ ସଂଯୋଗ ମଧ୍ୟ ହୋଇପାରେ ଯେ , ଯେଉଁ ପାର୍ଟିର ସରକାର ଏମସିଡିରେ ଦଳ ଗଠନ କରେ । ସେହି ପାର୍ଟି ନିର୍ବାଚନରେ ପରାଜୟର ସାମ୍ନା କରିଥାଏ ।
ଏମସିଡିର ଶକ୍ତି କଣ ଓଲଟା ପ୍ରଭାବ ପକାଇଲା କି ?
ଦିଲ୍ଲୀରେ ସଫାସୁତରା , ସ୍ବେରଜ୍ ବ୍ୟବସ୍ଥା ଏବଂ ଅନ୍ୟସବୁ ପ୍ରସଙ୍ଗକୁ ନେଇ ଅରବିନ୍ଦ କେଜ୍ରିଓ୍ବାଲ୍ ପୂର୍ବ କିଛି ବର୍ଷ ଧରି ବିଜେପିକୁ ଟାଗେର୍ଟ କରିଆସୁଥିଲେ । ସେ କହୁଥିଲେ ଯେ ବିଜେପି ନେତାମାନେ ଏମସିଡିର ସମସ୍ତ କାମ କରନ୍ତି ନାହିଁ ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି କରନ୍ତି । କିନ୍ତୁ , ଏମସିଡି ନିର୍ବାଚନରେ ଆପ ଦଳ ବିଜୟୀ ହେବା ପରେ, ବଲ ତାଙ୍କ କୋର୍ଟରେ ପଡ଼ିଗଲା ଏବଂ ଏବେ ଲୋକମାନେ ତାଙ୍କୁ ଅଳିଆ ଅପସାରଣ, ସ୍ୱେରେଜ୍ ସଫା କରିବା ଏବଂ ରାସ୍ତା ମରାମତି ଭଳି ଜିନିଷଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ଏବେ, ନିର୍ବାଚନରେ ମଧ୍ୟ, ଆମ ଆଦମୀ ପାର୍ଟିର ନେତାମାନେ ଏହି ପ୍ରସଙ୍ଗରେ ପଛକୁ ହଟି ରହିଥିଲେ, ଅର୍ଥାତ୍ ଏମ୍ ସି ଡି ମଧ୍ୟ ଆପ ଡଙ୍ଗାରେ କିଛି ପାଣି ମିଶାଇଥିଲା । ମୋଦି ମ୍ୟାଜିକ କାମ କଲା ଭାଜପାର ବିଜୟ ପଛରେ ତିନୋଟି ବଡ଼ କାରଣ-
ମାଗଣା ବିଦ୍ୟୁତ୍ ଏବଂ ପାଣି ବଦଳରେ ଟିକସ ଛାଡ଼ ଉପରେ ଦାବି: ଆମ ଆଦମୀ ପାର୍ଟି ମାଗଣା ବିଦ୍ୟୁତ୍ ପାଣି ଏବଂ ଅନ୍ୟାନ୍ୟ ସୁବିଧାକୁ ନିଜର ନିର୍ବାଚନୀ ଏଜେଣ୍ଡା କରିଥିଲା। ସେହି ସମୟରେ ଭାଜପା ଏକ ନୂତନ ବାଜି ଖେଳିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟକର ଛାଡ଼ ସୀମା ୭ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଘୋଷଣା ଭୋଟରଙ୍କୁ ଆକର୍ଷିତ କରିଛି। ଏହି କାରଣରୁ ମଧ୍ୟବିତ୍ତ ବର୍ଗର ଲୋକମାନେ ଭାଜପାକୁ ସମର୍ଥନ କରୁଥିବା ଦେଖାଯାଉଛି।
ମୋଦି ଯାଦୁ ଏବଂ ଆକ୍ରମଣାତ୍ମକ ପ୍ରଚାର ଅଭିଯାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ତାଙ୍କ ନେତୃତ୍ୱରେ ଭାଜପାର ଆକ୍ରମଣାତ୍ମକ ଅଭିଯାନ ମଧ୍ୟ ବିଜୟ ଦିଗରେ ସହାୟକ ହେଉଥିବା ପରି ମନେ ହେଉଛି। ଭାଜପା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅନେକ ଆକ୍ରମଣ ଆରମ୍ଭ କରିଛ। ବିଶେଷକରି ମୁଖ୍ୟମନ୍ତ୍ରୀ ଗୃହର ନବୀକରଣ ଏବଂ ଯମୁନା ପ୍ରଦୂଷଣ ଭଳି ପ୍ରସଙ୍ଗ ଉଠାଇ, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଭାବ ପକାଉଛି।
ନିର୍ବାଚନ ପୂର୍ବରୁ ଏଏପି ନେତାମାନେ ଦଳ ଛାଡିବା: ଦିଲ୍ଲୀ ନିର୍ବାଚନରେ ଭାଜପା ଆଗୁଆ ହେବାର ଏକ ବଡ଼ କାରଣ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ନେତାମାନେ ଦଳ ଛାଡି ଭାଜପାରେ ଯୋଗଦେବା ବୋଲି କୁହାଯାଉଛି।