
ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃପ୍ତ ଘୋଷଣା କରିଥିଲେ। ଆଉ ଏବେ ସେହି ଗୁରୁଦାୟୀତ୍ବ ନିର୍ବାହନର ସମୟ ଉପଗତ ହୋଇଛି। ସରକାରକୁ ଆସିବା ପରେ ବି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମୀତ ଶାହାଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ ଅବ୍ୟାହତ ରହିଛି। ସେମାନଙ୍କ ତୀକ୍ଷ୍ଣ ନଜରରେ ରହିଛି ସରକାର ସହ ରାଜ୍ୟ ସଂଗଠନ। ଉଭୟ ଦିଗକୁ ଗୁରୁତ୍ବ ଦେଇ ଦଳ ଲମ୍ବା ଇନିଙ୍ଗ୍ସ ଖେଳିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିଜେଡି ଓ କଂଗ୍ରେସ ଏହାକୁ ଦିବା ସ୍ବପ୍ନ କହି ଏଡ଼ାଇ ଦେଇଛନ୍ତି।
୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ। ନୂଆ ବର୍ଷରୁ ପଡ଼ିବ ବିକାଶର ଶିଳାନ୍ୟାସ। ଏହିପରି ଭାବେ ପୂର୍ବୋଦୟ ବିକାଶରେ ଓଡ଼ିଶା ରହିଛି ଫୋକସ୍ରେ। ନିକଟରେ ଡିଜି ସମ୍ମିଳନୀ ଅବସରରେ ମୋଦି ଓ ଶାହା ତିନିଦିନ ଓଡ଼ିଶାରେ ରହିଥିଲେ। ସବୁଠାରୁ ବଡ଼ କଥା ହେଲା ମୋଦି ପ୍ରଥମ ଦିନ ନବୀନ ନିବାସ ସମ୍ମୁଖରେ ରାଜନୈତିକ ସଭା କରି କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ। ଏହାସହ ରାଜ୍ୟ କାର୍ଯ୍ୟାଳୟରେ ବି ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀଙ୍କ ବୈଠକ କରି ସେମାନଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିଥିଲେ। ଏବେ ଆଗାମୀ ଜାନୁଆରୀ ମାସରେ ପୁଣି ମୋଦି ଦୁଇଥର ଓଡ଼ିଶା ଆସିବେ। ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ସେ ଯୋଗଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଡିସେମ୍ବର ଶେଷ ସପ୍ତାହରେ ଦୁଇଦିନିଆ ଗସ୍ତରେ ଆସିବେ। ମୋଦି ଓ ଶାହାଙ୍କ ଘନ ଘନ ଗସ୍ତର କାରଣ ହେଲା ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବା। ଏଥିପାଇଁ ରାଜ୍ୟ ବିଜେପି ଉତ୍ସାହିତ ଥିବାବେଳେ ବିଜେଡି ଓ କଂଗ୍ରେସ କହିଛନ୍ତି ଗସ୍ତର କିଛି ବି ପ୍ରଭାବ ପଡିବନି।
ଲଗାତର ଭାବେ ମୋଦି ଓ ଶାହାଙ୍କ ଗସ୍ତ ଓଡ଼ିଶା ରାଜନୀତିରେ ହଲ୍ ଚଲ୍ ସୃଷ୍ଟି କରୁଛି। ସେପଟେ ରାଜ୍ୟରେ ଯଦିଓ ବିଜେପି ସରକାରକୁ ଆସିଛି , କିନ୍ତୁ ସଂଗଠନର ସୁଦୃଢୀକରଣର ଯେ ଆବଶ୍ୟକତା ରହିଛି ଏକଥା କେନ୍ଦ୍ରୀୟ କମିଟି ଅନୁଭବ କରିଛି। ଓଡ଼ିଶାବାସୀଙ୍କ ବିଶ୍ବାସ ଭାଜନ ହେବା ଲାଗି ନିକଟରେ ପ୍ରଥମଥର ପାଇଁ ଡିଜି ସମ୍ମିଳନୀ ଏବଂ ନୌସେନା ଦିବସର ଆୟୋଜନ କରାଯାଇଛି । ଆଉ ଏବେ ଆଗାମୀ ଜାନୁଆରୀ ମାସରେ ପ୍ରବାସୀ ଭାରତୀୟ ଦିବସ ଭଳି କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରାଯାଉଛି। ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଯେ ବିଜେପି ଓଡ଼ିଶାରେ ଲମ୍ବା ଶାସନ କରିବା ପାଇଁ ଯେଉଁ ଯୋଜନା ରଖିଛି, ତାକୁ ଫଳପ୍ରଦ କରିବାକୁ ଶୀର୍ଷ ନେତୃତ୍ବ ଚେଷ୍ଟା ଜାରି ରଖିଛନ୍ତି।ଏବେ ଦେଖିବାର କଥା ହେଉଛି ଯେ, ବିଜେପିକୁ ଓଡ଼ିଶାରେ ସଫଳତା ମିଳିବା ପରେ ଆଗକୁ ଆଗେଇଯିବା ଲାଗି ବିରୋଧୀ ବିଜେଡି ଓ କଂଗ୍ରେସକୁ ଦଳ କେମିତି ସାମ୍ନା କରୁଛି। ତେବେ ସେ ଯାହା ହେଉ, ଉଭୟ ପ୍ରଧାନମନ୍ତ୍ରୀ ଆଉ ଗୃହ ମନ୍ତ୍ରୀ ଓଡ଼ିଶାକୁ ଘନ ଘନ ଗସ୍ତ କଲେ କି ବିଶେଷ ଯୋଜନାମାନ ଯୋଗାଇଦେଲେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇଯିବନାହିଁ । ଏଥିଲାଗି ଆବଶ୍ୟକ ରହିଛି ରାଜ୍ୟରେ ପ୍ରତିଷ୍ଠିତ ନୂଆ ବିଜେପି ସରକାରର ପାରିବା ପଣିଆ। ଏହାରି ଉପରେ ସବୁ କିଛି ନିର୍ଭର କରୁଛି। ଶାସକ ଦଳରେ ଯଦି ଗୋଷ୍ଠୀ କନ୍ଦଳ ରହେ ଆଉ ସରକାର ଯଦି ଚାପଗ୍ରସ୍ତ ହୋଇ ସ୍ଵାଧୀନ ଭାବେ କାର୍ଯ୍ୟ କରିନପାରେ, ତେବେ ଡବଲ୍ ଇଞ୍ଜିନର କିଛି ଉପାଦେୟତା ରହିବନାହି ଆଉ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବା କେବଳ ଶସ୍ତା ସ୍ଲୋଗାନରେ
ସୀମିତ ରହିଯିବ। କେନ୍ଦ୍ରର ବିଜେପି ସରକାର ଓଡିଶାକୁ କେବଳ ଭିତ୍ତିଭୂମି ଯୋଗାଇଦେବ। କିନ୍ତୁ ଏହି ଭିତ୍ତିଭୂମି ଉପରେ ସୌଧର ନିର୍ମାଣ କାର୍ଯ୍ୟ ରାଜ୍ୟର ବିଜେପି ସରକାରକୁ କରିବାକୁ ପଡ଼ିବ। ଯଦି ରାଜ୍ୟ ଶାଖାରେ ଗୋଷ୍ଠୀ ବିବାଦ ଲାଗି ରହେ ଆଉ ସରକାର ଉପରେ ବାହ୍ୟଚାପ ରହେ, ତେବେ ୧ନମ୍ବର ରାଜ୍ୟର ସ୍ବପ୍ନ କିପରି ସାକାର ହେବ ? ଏଣୁ କେନ୍ଦ୍ର ବିଜେପି ନେତୃତ୍ବକୁ ଏହା ସୁନିଶ୍ଚିତ କରିବାକୁହେବ ଯେ ରାଜ୍ୟର ମୋହନ ସରକାର ଯେପରି ଚାପମୁକ୍ତ ହୋଇ କେନ୍ଦ୍ର ସହିତ ସମନ୍ଵୟ ରକ୍ଷାପୂର୍ବକ କାର୍ଯ୍ୟ କରିଯିବ। କେବଳ କଥାରେ ଡବଲ୍ ଇଞ୍ଜିନ କହିଦେଲେ ସରକାରରୂପୀ ରେଳଗାଡ଼ିର ବେଗ ବଢି ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବନାହିଁ। ଗୋଷ୍ଠୀ ବିବାଦ ଆଉ ଚାପ ଅବ୍ୟାହତ ରହିଲେ ଉଭୟ ଇଞ୍ଜିନ ଫେଲ୍ ମାରିପାରେ। ଏଣୁ ଓଡ଼ିଶାକୁ ୧ ନମ୍ଵର୍ କରିବାକୁ ହେଲେ ଉଭୟ ଆଗ ଆଉ ପଛ ଇଞ୍ଜିନକୁ କାର୍ଯ୍ୟକ୍ଷମ ଆଉ ଗତିଶୀଳ କରିରଖିବାକୁପଡିବ।