


ପଞ୍ଚଭୂରେ ଲୀନ ହେଲା ସୁପର୍ ଷ୍ଟାର୍ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର। ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି। ମୁଖାଗ୍ନି ଦେଇଥିଲେ ପୁଅ ଅଭିନେତା ବାବୁସାନ। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଇଥିଲା ଉତ୍ତମ ମହାନ୍ତିଙ୍କ ମରଶରୀର। ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିରହିଥିଲା।
ଅଫେରା ରାଇଜକୁ ଚାଲିଯାଇଥିବା ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବର୍ଷ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ।
ତାଙ୍କର ପରଲୋକରେ ଓଲିଉଡ୍ରେ ଏକ ଯୁଗର ଅବସାନ ଘଟିଲା ।ଏଥିସହ ଉତ୍ତମଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେହାନ୍ତ ଖବର ଆସିବା ପରେ ସେ ସମବେଦନା ଜଣାଇଥିଲେ ଓ ଟ୍ବିଟ୍ ମଧ୍ୟ କରିଥିଲେ ।