
ସମ୍ପ୍ରତି କଟକ-ଭୁବନେଶ୍ବରକୁ ଟ୍ବିନ୍ ସିଟି ବା ଦ୍ବୈତ ନଗରୀ କୁହାଯାଉଥିବାବେଳେ ଆଗକୁ ରାଜ୍ୟ ସରକାର ରାଜ୍ୟର ତିନି ପ୍ରମୁଖ ସହର ଯଥା କଟକ-ଭୁବନେଶ୍ବର-ପୁରୀକୁ ନେଇ ଟ୍ରାଇ ସିଟି ବା ତ୍ରୈତ ନଗରୀ ଗଠନ କରିବାକୁଯାଉଛନ୍ତି। ଏହା ଫଳରେ ତିନି ସହର ଏକ ପ୍ରକାର ଭାବେ ମିଶିଯିବ।
ସରକାରଙ୍କର ସମସ୍ତ ଅତ୍ୟାଧୁନିକ ସେବା, ସୁବିଧା ଏହି ତିନି ସହରକୁ ଲକ୍ଷ୍ୟ କରି ଆରମ୍ଭ ହେବ। ଯେପରି ଟ୍ରାଫିକ ସମସ୍ୟା ଦେଖାଯିବନି ସେଥିପାଇଁ ଅଧିକ ଓଭରବ୍ରିଜ୍ ଓ ରିଂ ରୋଡ୍ ନିର୍ମାଣ କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସହର ଯେପରି ଯୋଜନାବଦ୍ଧ ଭାବେ ବଢ଼ିବ, ସେଥିପାଇଁ ବିଭିନ୍ନ ସହରରେ ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ ହେବ। ଏହି ଟିପି ସ୍କିମ୍ ପାଇଁ ସ୍ବତନ୍ତ୍ର ବିଭାଗ କରି ଦାୟିତ୍ବ ଦିଆଯିବ। ସବୁ ଟିପି ସ୍କିମ୍ କୁ ଧାର୍ଯ୍ୟ ସମୟ ମଧ୍ୟରେ ଯେପରି ଶେଷ କରାଯିବ ସେଥିପାଇଁ ସ୍ବତନ୍ତ୍ର ସେଲ୍ ଗଠନ ହେବ।
ଏବେ ଭୁବନେଶ୍ବରରେ ଟିପି ସ୍କିମ୍ ଚାଲିଥିବାବେଳେ ଖୁବ୍ ଶୀଘ୍ର କଟକ, ବ୍ରହ୍ମପୁର, ରାଉରକେଲାରେ ଟିପି ସ୍କିମ୍ ଆରମ୍ଭ ହେବ। ସବୁ ସହରାଞ୍ଚଳରେ ବିନା ପ୍ଲାନ୍ ଅନୁମୋଦନରେ କୌଣସି ନିର୍ମାଣ କାର୍ଯ୍ୟ ହେବନି। ଏଥିପାଇଁ ସ୍ବତନ୍ତ୍ର ପ୍ଲାନିଂ ସେଲ୍ ଖୋଲିବ। ସବୁ ସହର ଯେପରି ଯୋଜନାବଦ୍ଧ ଭାବେ ବଢ଼ିବ, ଲୋକଙ୍କ ଆବାସିକ ଘରରୁ ଆରମ୍ଭ କରି ବ୍ୟାବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁ ଯେପରି ସରକାରଙ୍କ ନୀତିନିୟମ ଅନୁଯାୟୀ ନିର୍ମାଣ ହେବ ତାହା ଉପରେ ଫୋକସ୍ ଦିଆଯିବ। ଏଥିପାଇଁ ଆବଶ୍ୟକୀୟ ମାନବସମ୍ବଳ ଓ ଭିତ୍ତିଭୂମି ପୌରସଂସ୍ଥାଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବର ସହ ନେଇଛନ୍ତି। ଟ୍ରାଫିକ ସମସ୍ୟା ସମାଧାନ ପାଇଁ କ’ଣ ଭିତ୍ତିଭୂମି ଆବଶ୍ୟକ, କେଉଁଠି ରିଂ ରୋଡ୍, ଓଭରବ୍ରିଜ୍ ନିର୍ମାଣ ହେବ, ସାଧାରଣ ପରିବହନ ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ ସେନେଇ ପ୍ରସ୍ତାବ ମାଗିଛନ୍ତି। ଏନେଇ ଦୁଇ ଥର ବୈଠକ ବି ନେଲେଣି। ତେଣୁ ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବଡ଼ ଯୋଜନା ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
