
କଟକ ବଡ଼ ମେଡ଼ିକାଲ ଯାଏ ମେଟ୍ରୋ ଟ୍ରେନ୍ ଗଡିବ। ପୂର୍ବରୁ ଏହା ତ୍ରିଶୁଳିଆ ଯାଏ ସମ୍ପ୍ରସାରିତ ହେବାର ଯୋଜନା ଥିଲା। କିନ୍ତୁ ଏବେ ଏହା ବଡ ମେଡିକାଲ ଯାଏ ସମ୍ପ୍ରସାରିତ ହେବା ନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାଜ୍ୟରେ ମେଟ୍ରୋ ଟ୍ରେନ୍ ଗଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସଦ୍ୟ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଣିକି କେବଳ ତ୍ରିଶୁଳିଆ ନୁହେଁ, କଟକ ବଡ଼ ମେଡିକାଲ ଯାଏ ସଂପ୍ରସାରିତ ହେବ ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବଡ ମେଡିକାଲ ଯାଏ ସଂପ୍ରସାରଣ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ମନ୍ତ୍ରୀଙ୍କ କହିବାନୁଯାୟୀ, କଟକ ବସ୍ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ । ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଏହି କମିଟି ଅନୁଧ୍ୟାନ କରୁଛି । ନୂଆ ଡିପିଆର ବି ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମଧ୍ୟ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ସହଯୋଗ ଦେବ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ପୂର୍ବରୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଦିଆଯାଇଥିବା ସୂଚନାଂ ଅନୁଯାୟୀ, ମେଟ୍ରୋ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ ହେବ । ଏଥିପାଇଁ ୬ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳ ପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି ।
ତେବେ ନୂଆବର୍ଷ ୨୦୨୪ରେ ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପ୍ରସ୍ତାବ ରହିଛି । ଏଥିପାଇଁ ମୋଟ ୨୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ।
ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବ । ଯାହାର ଯାତ୍ରୀ କ୍ଷମତା ରହିବ ୭୬୫ । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବଢ଼ାଯିବ । ଘଣ୍ଟାପ୍ରତି ୮୫ କିମି ବେଗରେ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍ । ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା କରାଯିବ । ପ୍ରତି ୧୦ ମିନିଟରେ ଚଳାଚଳ କରିବ ମେଟ୍ରୋ ଟ୍ରେନ୍ । ଯାହାକୁ ପୂର୍ବ ସରକାର ୨୦୨୮ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ନୂଆ ସରକାର ୨୦୨୭ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ନୂଆ ଡିପିଆର ପ୍ରସ୍ତୁତ କରି ଏହାକୁ ସଂପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି ।
