
ନବ ଦାସଙ୍କ ହତ୍ୟା ମାମଲା ଏବେ କଡ ଲେଉଟାଇଛି। ଯାହା ଫଳରେ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ ନବ ଦାସଙ୍କୁ ହତ୍ୟା କରିନି ଏ,ଏସ୍,ଆଇ, ଗୋପାଳ ଦାସ। ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ ।ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ ।
ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଆହୁରି କହିଛନ୍ତି ଯେ, ଏହା ଗୋଟିଏ ପ୍ରି ପ୍ଲାନିଂ ମର୍ଡର। ସେଦିନ ଗୋପାଳ ୩ଥର ବ୍ଲାଙ୍କ୍ ଫାୟାରିଂ କରିଥିଲେ।
ବାଣ ଫୁଟିବା ଶଦ୍ଦ ହେବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ। ଅନ୍ୟ କେହି ସ୍ନାଇପର ଦୂରରେ ଥାଇ ଗୁଳି କରିଥାଇପାରନ୍ତି। ନବଙ୍କ ସାର୍ଟ ମିଳି ନ ଥିବାରୁ ସନ୍ଦେହ ଦୃଢୀଭୂତ ହେଉଛି। ପୋଲିସ ଚାର୍ଜସିଟ୍ରେ ରକ୍ତଭିଜା ସାର୍ଟ ମିସିଂ ଥିବାରୁ ସନ୍ଦେହ ହେଉଛି। ଗୋପାଳଙ୍କ ଗୁଳିରେ ସୁଟ୍ ହୋଇନି। ଚାପରେ ପଡି ଗୋପାଳ ମାରିଥିବା କହିଛନ୍ତି।
ଅନ୍ୟପଟେ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ଗୁରୁବାର ମୁହଁ ଖୋଲଥିଲେ ପୂର୍ବତନ ବିଧାୟିକା ଓ ନବଦାସଙ୍କ ଝିଅ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ। ବାସଭବନରେ ବୁଧବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦୀପାଳି କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।
ସବୁଠାରୁ ବଡ଼କଥା ହେଲା ଯେ, ଗୁଳିମାଡ଼ରେ ଜୁଡ଼ୁବୁଡ଼ୁ ହୋଇଥିବା ନବଙ୍କ ରକ୍ତ ଭିଜା ସାର୍ଟ କେଉଁ ଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋପାଳଙ୍କ ଓକିଲ । କ୍ରାଇମବ୍ରାଞ୍ଚ ଦେଇଥିବା ସିଜ୍ ଲିଷ୍ଟରେ ନବ ଦାସଙ୍କ ରକ୍ତଭିଜା ସାର୍ଟଟି ମିସିଂ ଅଛି, ଯାହା ଦ୍ୱାରା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ଗୋପାଳଙ୍କ ଓକିଲ ନରେଶ ନାୟକ ।
ତେବେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦିନେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଗୋପାଳଙ୍କ ଓକିଲ ଦେଇଥିବା ବୟାନ ପୁଣି ଷଡ଼ଯନ୍ତ୍ର ଆଡକୁ ବଡ଼ ଇସାରା କରୁଛି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ବିଜେପି ବିଧାୟକ ବାବୁ ସିଂ ମଧ୍ୟ ପୂର୍ବରୁ ଶାଣିତ ସ୍ୱରରେ ଦୀପାଳିଙ୍କୁ କହିଥିଲେ ଯେ, ପୂର୍ବ ସରକାରରେ ତାଙ୍କ ବାପାଙ୍କ ହତ୍ୟା ଘଟଣାର ଖୁଲାସା ହୋଇପାରିନଥିଲା କି ତାଙ୍କ ପରିବାରକୁ ନ୍ୟାୟ ମିଳିନଥିଲା । ଏବେର ବିଜେପି ସରକାର ଉପରେ ଭରସା କରି ସିବିଆଇ ତଦନ୍ତ ଦାବି କରିଥିବାରୁ ଧନ୍ୟବାଦ, ଆମ ସରକାର ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବେ ଏବଂ ସତ ସାମ୍ନାକୁ ଆଣିବେ ।