
ପୂର୍ବତନ ପୋଲିସ୍ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ରଙ୍କ ବହି “COMEDY IN KHAKEE” ଗତକାଲି ଓଡ଼ିଶାରେ ପ୍ରକାଶିତ ହୋଇଛି, ଯେଉଁଥିରେ ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଗୋଟିଏ ପରେ ଗୋଟିଏ ଲମ୍ବା ଅଭିଯୋଗ ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ। ଲମ୍ବା ସମୟ ଧରି ଲୋକେ ଅଭିଯୋଗ କରିଥିଲେ। ମୁଖିଆ ଭାବୁଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା କାଫି। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଚିହିଁକି ଉଠିଥିଲେ ମୁଖିଆ। ରାଗରେ ଗୁଣୁଗୁଣୁ ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କୁ ଡାକିବାକୁ ହିନ୍ଦୀରେ ନିର୍ଦ୍ଦେଶ ଦେଇଥିଲେ। ସେଠାକାର ବିଧାୟକ ଖୋଦ୍ ମୁଖିଆ ହୋଇଥିବାରୁ କେହି କିଛି କହିବାକୁ ସାହସ କରିନଥିଲେ ବୋଲି ପ୍ରକାଶ ମିଶ୍ର ଲେଖିଛନ୍ତି।
ସେ ଆହୁରି ଲେଖିଛନ୍ତି, କିଛି ସମୟ ପରେ ମୁଖିଆ ପୁଣି ଥରେ ଚିଡ଼ିଯାଇ ‘ୟାହାଁକା ଏମ୍ ଏଲ୍ ଓ କୋ ଜଲଦି ବୁଲାଓ” ବୋଲି କହିଥିଲେ। ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପଥିବା ବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ତା’ପରେ ମୁଖିଆ ଜାଣିବାକୁ ପାଇଥିଲେ ଯେ, ଏଠି ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କ ମୁହଁ ଏମିତି ହୋଇଗଲା ଯେମିତି ଏକ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡେଇଲା ପରି ହୋଇଯାଏ ବୋଲି ଲେଖିଛନ୍ତି ପ୍ରକାଶ ମିଶ୍ର।
ବିଧାନସଭାରେ ବିଭାଗର ଉତ୍ତର ଦେବାକୁ କେମିତି ବଞ୍ଚୁଥିଲେ ନବୀନ? ତା’ର ଗୁମର ଖୋଲିଛନ୍ତି ପ୍ରକାଶ। ସେ ଲେଖିଛନ୍ତି, ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ ହଟାହଟା ହୋଇଥିଲେ ନବୀନ। ପରେ ଏହାର ରାସ୍ତା ବାହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନକର୍ତ୍ତାଙ୍କୁ ବିଧାନସଭାରେ ଅନୁପସ୍ଥିତ ହେବାକୁ କୁହାଯାଉଥିଲା। ପ୍ରଶ୍ନକର୍ତ୍ତା ନ ରହିଲେ ସେହି ପ୍ରଶ୍ନର ଉତ୍ତର ରଖିବାକୁ ହେବନାହିଁ ଏବଂ ଆଲୋଚନା ହେବ ନାହିଁ। ସେହି ଟ୍ରିକ୍ ଆପଣାଇ ଥିଲେ ନବୀନ। ଏହାସହ ଆରମ୍ଭ ବେଳେ ବିଧାନସଭାରେ ଉତ୍ତର ରଖିବାକୁ କେମିତି ହଟହଟା ହୋଇଥିଲେ ସେ ନେଇ ମଧ୍ୟ ବହିରେ ଉଲ୍ଲେଖ କରିଛନ୍ତି ପ୍ରକାଶ।
ସେ ଲେଖିଛନ୍ତି ଯେ, ପ୍ରଥମ ଦିନରେ ଜଣେ ବିଧାୟକଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ପଢିଥିଲେ ନବୀନ। ପରେ ସେହି ପ୍ରଶ୍ନ ଆଧରରେ ଅନ୍ୟ ବିଧାୟକମାନେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ସମ୍ଭାବ୍ୟ ପ୍ରଶ୍ନ ଓ ତା’ର ଉତ୍ତର ମଧ୍ୟ ଅଧିକାରୀମାନେ ତାଙ୍କୁ ପ୍ରସ୍ତୁତ କରି ଦେଇଥିଲେ। କିନ୍ତୁ ନବୀନ ଯେଉଁ ଉତ୍ତର ରଖିଥିଲେ, ତାହା ପ୍ରଶ୍ନ ସହ ତାଳମେଳ ଖାଉନଥିଲା। ଏମିତି ୨ରୁ ୩ଟି ପ୍ରଶ୍ନର ଉତ୍ତର ତାଳମେଳ ନଖାଇବାରୁ ବିଧାନସଭାରେ ବିଧାୟକମାନେ ହୋ ହଲ୍ଲା କରିଥିଲେ। ପରେ ବାଚସ୍ପତି ତାଙ୍କୁ ଭଲ ଭାବେ ପ୍ରସ୍ତୁତ ହେଇ ଆସିବାକୁ କହିଥିଲେ ବୋଲି ପ୍ରକାଶ ଲେଖିଛନ୍ତି।
