


ଆଲେଖ୍ୟ – ଜବାହର ମିଶ୍ର
ବରିଷ୍ଠ ସାମ୍ବାଦିକ
କାହିଁକି ସମସ୍ତ ଦେଶ ପରମାଣୁ ବୋମା ତିଆରି କରିପାରିବେନାହିଁ କି ରଖିପାରିବେନାହିଁ ? ଆମେରିକା ଏବଂ ଇସ୍ରାଏଲ ଇରାନର ପରମାଣୁ ବୋମା ତିଆରି କରିବା ପ୍ରୟାସକୁ କିପରି ବିଫଳ କଲେ?
ଆମେରିକା କାହିଁକି ନିରନ୍ତର ଇରାନର ପରମାଣୁ କାର୍ଯ୍ୟକ୍ରମ ବିରୁଦ୍ଧରେ ରହିଛି? ଆମେରିକା କାହିଁକି ଚାହୁଁଛି ଯେ ଇରାନ ପରମାଣୁ ଅସ୍ତ୍ର ତିଆରି ନ କରୁ? କାହିଁକି ସମସ୍ତ ଦେଶ ପରମାଣୁ ବୋମା ରଖିପାରିବେ ନାହିଁ, ଆମେରିକା ଏବଂ ଇସ୍ରାଏଲ ଇରାନର ପ୍ରୟାସକୁ କିପରି ବିଫଳ କଲେ?…ଆସନ୍ତୁ ଆପଣଙ୍କୁ ଏ ସମ୍ପର୍କରେ ସବୁକିଛି ତଥ୍ୟ କହିବୁ।
…………………………………………………………………….
ସମ୍ପ୍ରତି ଇସ୍ରାଏଲ ଇରାନର ସଶସ୍ତ୍ର ଘାଟି ଏବଂ ଏହାର ପରମାଣୁ ଘାଟି ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି, ଯାହାକୁ ସେ ‘ରାଇଜିଂ ଲାୟନ’ ନାମ ଦେଇଛି। ଇସ୍ରାଏଲୀ ସେନା ଦାବି କରିଛି ଯେ ଏହି ଆକ୍ରମଣରେ ସେମାନେ ଇରାନର ପରମାଣୁ ଘାଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି। ଏହା ସହିତ ଇରାନର ଅନେକ ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି। ଯେତେବେଳେ ଆମେରିକା ଇରାନକୁ ତାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ବାରମ୍ବାର ଚେତାବନୀ ଦେଉଥିଲା, ସେତେବେଳେ ଇସ୍ରାଏଲ ଇରାନ ଉପରେ ଏହି ଆକ୍ରମଣ କରିଥିଲା।
ବିଶ୍ୱର କେତେ ଦେଶ ପାଖରେ ପରମାଣୁ ବୋମା ଅଛି?
ବର୍ତ୍ତମାନ ଇରାନ ଏହି ଆକ୍ରମଣର ଜବାବରେ ଇସ୍ରାଏଲ ଏବଂ ଆମେରିକାକୁ "ଗମ୍ଭୀର ପରିଣାମ" ଭୋଗିବାକୁ ଧମକ ଦେଇଛି। ଉଲ୍ଲେଖନୀୟ ଯେ, ଏହି ଉଭୟ ଦେଶ ବିଶ୍ୱର ସେହି ୯ ଟି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନେ ପରମାଣୁ ଶକ୍ତିରେ ସମ୍ପନ୍ନ। ଏହା ସହିତ ଏହି ଘଟଣା ଏକ ବଡ଼ ପ୍ରଶ୍ନ ଉଠାଇଛି ଯେ ବିଶ୍ୱର କେବଳ ୯ ଟି ଦେଶ ପାଖରେ କାହିଁକି ପରମାଣୁ ଅସ୍ତ୍ର ଅଛି? ଏହି ଦେଶଗୁଡ଼ିକ କେଉଁ କେଉଁ ଦେଶ ? ବାକି ଦେଶଗୁଡ଼ିକ କାହିଁକି ଏହି ପରମାଣୁ ଶକ୍ତି ହାସଲ କରିପାରିବେ ନାହିଁ ? ଯଦି କୌଣସି ଦେଶ ପରମାଣୁ ବୋମା ତିଆରି କରିବାକୁ ଚାହେଁ, ତେବେ ତାକୁ କ'ଣ କରିବାକୁ ପଡିବ? ଆସନ୍ତୁ ଏହି ସମସ୍ତ କଥାକୁ ଏକ ସରଳ ଏବଂ ଆକର୍ଷଣୀୟ ଉପାୟରେ ବୁଝିବା।
ପରମାଣୁ ଶକ୍ତିର ୯ ମହାନାୟକ
୍ ବିଶ୍ୱରେ କେବଳ ୯ଟି ଦେଶ ପରମାଣୁ ଅସ୍ତ୍ରଶସ୍ତ୍ରର ଶକ୍ତିରେ ସଜ୍ଜିତ... ଏବଂ ଏଗୁଡ଼ିକ ହେଉଛନ୍ତି, ଯଥା- ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଇସ୍ରାଏଲ୍ ଏବଂ ଉତ୍ତର କୋରିଆ। ସେମାନଙ୍କ ପାଖରେ ମୋଟ ପ୍ରାୟ ୧୨ ହଜାର ୧ଶହ ୨୧ ଟି ପରମାଣୁ ଅସ୍ତ୍ର ତଥା ଆଟମ୍ ବମ୍ ଅଛି। ଆକର୍ଷଣୀୟ କଥା ହେଉଛି ଯେ ଏଥିମଧ୍ୟରୁ ୯୦ ପ୍ରତିଶତ ପରମାଣୁ ଅସ୍ତ୍ର କେବଳ ଆମେରିକା ଏବଂ ରୁଷ ପାଖରେ ଅଛି ! କିନ୍ତୁ ଅନ୍ୟ ଦେଶଗୁଡ଼ିକ କାହିଁକି ଏହି ସୁପର
ପାୱାର କ୍ଲବରେ ସାମିଲ ହୋଇପାରିବେ ନାହିଁ ? ଆସନ୍ତୁ ଏହାର ଗୁପ୍ତ କଥା ମଧ୍ୟ ଉନ୍ମୋଚନ କରିବା।
ପରମାଣୁ ବୋମା ତିଆରି କରିବା ପିଲା ଖେଳ ନୁହେଁ
ସତରେ ପରମାଣୁ ବୋମା ତିଆରି କରିବା କୈାଣସି ପିଲା ଖେଳ ନୁହେଁ। ଏହା ଏକ ଉଚ୍ଚସ୍ତରୀୟ ବିଜ୍ଞାନ , ଯାହା ୟୁରାନିୟମ ସମୃଦ୍ଧି, ପରମାଣୁ ବିଭାଜନ ଏବଂ ଫ୍ୟୁଜନ ଭଳି ଅନେକ ବୈଜ୍ଞାନିକ ପ୍ରକ୍ରିୟା ଆବଶ୍ୟକ କରେ। ଏଥିପାଇଁ ପ୍ରଚୁର ଟଙ୍କା, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ପ୍ରୟୋଗଶାଳା ଏବଂ ସୁପର-ସ୍ମାର୍ଟ ବୈଜ୍ଞାନିକ ଆବଶ୍ୟକ। ଅନେକ ଦେଶ ପାଖରେ ଏହା ଆରମ୍ଭ କରିବା ପାଇଁ ଶକ୍ତି ମଧ୍ୟ ନାହିଁ। କିନ୍ତୁ କିଛି ଦେଶ, ଯେପରିକି ଜାପାନ ଏବଂ ଜର୍ମାନୀ, ଯଦି ଚାହାଁନ୍ତି , ତେବେ ପରମାଣୁ ବୋମା ତିଆରି କରିବାକୁ ସେମାନେ ଯଥେଷ୍ଟ ସକ୍ଷମ। ତଥାପି ସେମାନେ ଏହା କାହିଁକି କରୁନାହାନ୍ତି ? ଏହାର ଉତ୍ତର ହେଉଛି NPT ବା ନିଉକ୍ଲିଆର୍ ନନ୍ ପ୍ରଲିଫରେସନ୍ ଟ୍ରିଟି ତଥା ପରମାଣୁ ଅପ୍ରସାରଣ ଚୁକ୍ତି ।
NPT: ପରମାଣୁ ଅସ୍ତ୍ରର ଦ୍ୱାରପାଳ
୧୯୬୮ ମସିହାରେ ବିଶ୍ୱ ସମୁଦାୟ ଏକ ବଡ଼ ପଦକ୍ଷେପ ନେଇ NPT ନାମକ ଏକ ଚୁକ୍ତ
ନାମା ସୃଷ୍ଟି କଲା, ଯାହା ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ପରମାଣୁ ଅସ୍ତ୍ରର ପ୍ରସାରକୁ ରୋକିବା ତଥା ଆଉ ଅନ୍ୟ କୋୖଣସି ଦେଶ ଯେପରି ପରମାଣୁ ଅସ୍ତ୍ର ତିଆରି ନ କରନ୍ତି, ଯାହା ଫଳରେ ବିଶ୍ଵରେ ପରମାଣୁ ଅସ୍ତ୍ର ପ୍ରତିଯୋଗୀତା ବୃଦ୍ଧି ପାଇ ବିଶ୍ଵ ଶାନ୍ତି ଆଉ ସୁରକ୍ଷା ବିପନ୍ନ ନ ହୁଏ । ୧୯୦ ଟି ଦେଶ ସେତେବେଳେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ନିୟମ ଥିଲା ଯେ କେବଳ ପାଞ୍ଚଟି ଦେଶ - ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ ଏବଂ ଚୀନ - ପରମାଣୁ ଅସ୍ତ୍ର ରଖିପାରିବେ, କାରଣ ସେମାନେ
ଏ୧୯୬୮ ପୂର୍ବରୁ ଏହି ଅସ୍ତ୍ର ବିକଶିତ କରିସାରି
ଥିଲେ। କିନ୍ତୁ ତା’ପରେ ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତର କୋରିଆ କିପରି ପରମାଣୁ ଅସ୍ତ୍ର ତିଆରି କଲେ ? ତାହା ପ୍ରକୃତରେ ବଡ଼
ରୋଚକ ବିଷୟ । ଏହି ଚାରିଟି ଦେଶ ନା ଏହି ଚୁକ୍ତିର ଅଂଶବିଶେଷ ହୋଇଥିଲେ ନା ପରମାଣୁ ପରୀକ୍ଷଣ କରିବା ପରେ ଏଥିରୁ ବାହାର ହୋଇଗଲେ।
ପରମାଣୁ ବୋମା ତିଆରି କରିବାକୁ ଅନୁମତି କିଏ ଦିଏ?
ସତ କହିବାକୁ ଗଲେ, ପରମାଣୁ ବୋମା ତିଆରି କରିବା ପାଇଁ କାହାରି "ଅନୁମତି" ଆବଶ୍ୟକ ନାହିଁ। କିନ୍ତୁ ହଁ, NPT ର ନିୟମ ଭାଙ୍ଗିବା ପାଇଁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡିବ। ଯଦି କୌଣସି ଦେଶ ଏହି ଚୁକ୍ତି ଭଙ୍ଗ କରି ପରମାଣୁ ଅସ୍ତ୍ର ତିଆରି କରେ, ତେବେ ତାକୁ ସାରା ବିଶ୍ୱରୁ ପ୍ରତିବନ୍ଧକ, ଆର୍ଥିକ କଟକଣାର ସମ୍ମୁଖୀନ ଏବଂ ଏପରିକି ସାମରିକ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିପାରେ। ଇରାନ ଏହାର ସଦ୍ୟତମ ଉଦାହରଣ । ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ତଥା (IAEA) ପ୍ରତ୍ୟେକ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ କଡା ନଜର ରଖେ। ଏହା ନିଶ୍ଚିତ କରେ ଯେ ପରମାଣୁ ପ୍ରଯୁକ୍ତିବିଦ୍ୟା କେବଳ ବିଦ୍ୟୁତ୍ ଉତ୍ପାଦନ ଭଳି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ, କିନ୍ତୁ ପରମାଣୁ ବୋମା ତିଆରି ପାଇଁ ଯେପରି ବ୍ୟବହାର କରାନଯାଏ। ଯଦି କୌଣସି ଦେଶ ବୋମା ତିଆରି କରିବାକୁ ଚେଷ୍ଟା କରେ, ତେବେ IAEA ଏବଂ ଜାତିସଂଘ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ମଧ୍ୟପ୍ରାଚ୍ୟର ଭବିଷ୍ୟତ କ’ଣ?
ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପ୍ରମାଣିତ କରେ ଯେ ପରମାଣୁ ଅସ୍ତ୍ରର ଭୟଙ୍କର କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହା ଉପରେ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଏକ ବାରୁଦ ଗଦା ଉପରେ ପକାଇଛି। ବଡ଼ ପ୍ରଶ୍ନ ହେଉଛି ଯେ କଣ ବିଶ୍ୱ କେବେ ଏହି ପରମାଣୁ ବିପଦରୁ ନିଜକୁ ମୁକ୍ତ କରିପାରିବ କି ? ନା ମହାଶକ୍ତିର ଖେଳ ଏହିପରି ଜାରି ରହିବ ? ଯେପର୍ଯ୍ୟନ୍ତ ବିଶ୍ୱର ସମସ୍ତ ଦେଶ NPT ନିୟମ ପାଳନ କରିବେ ଏବଂ ବୈଷୟିକ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଅବ୍ୟାହତ ରହିବ, ସେ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରର ପରିସର ସୀମିତ ରହିବ। କିନ୍ତୁ ଇସ୍ରାଏଲ-ଇରାନ ଭଳି ଉତ୍ତେଜନା ଆମକୁ ଅନୁଭବ କରାଏ ଯେ ଏହି ପରମାଣୁ ଶକ୍ତି କେତେ ବିନାଶକାରୀ ହୋଇପାରେ। କିନ୍ତୁ ବିଶ୍ୱ କ’ଣ ଏହି ବିପଦରୁ ରକ୍ଷା ପାଇପାରିବ? କେବଳ ସମୟ ଏହା କହିପାରିବ।