

କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ? ଏହା ଜାଣିବା ନେଇ ଉତ୍ସୁକତା ଦିନକୁ ଦିନ ଗଭୀର ହୋଇଚାଲିଛି, କିନ୍ତୁ ଉତ୍ତର ପଦାକୁ ଆସୁନାହିଁ।ଉତ୍ତର ଲଟକିକରି ରହିଯାଇଛି ଯୋଗ୍ୟତାର ଆଧାର ଉପରେ। ଆଉ ଯୋଗ୍ୟତା ଆଧାରରେ ଯେଉଁମାନଙ୍କ ନାମ ସମ୍ମୁଖକୁ ଆସୁଛି, ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସମସ୍ତଙ୍କ ଆଗରେ ରହିଛି।
ବିଜେପିର ପରବର୍ତ୍ତୀ ସଭାପତି ହେବା ପାଇଁ କଣ ଯୋଗ୍ୟତା ହୋଇପାରେ ? ଦକ୍ଷିଣ ଓ ପୂର୍ବାଞ୍ଚଳକୁ ଛାଡିଦେଲେ ଦେଶର ଅନ୍ୟଭାଗରେ ବିଜେପି ନିଜକୁ ପ୍ରତିଷ୍ଠିତ କରିପାରିଛି । ପୂର୍ବର ବିହାର ଓ ଦକ୍ଷିଣର ତାମିଲନାଡୁ ଏବଂ କେରଳରେ ଆଗାମୀ ଦିନରେ ନିର୍ବାଚନ ହେବ । ଏହି ଦୃଷ୍ଟିରୁ ଦକ୍ଷିଣ କିମ୍ବା ପୂର୍ବ ଭାରତରୁ କାହାକୁ ବିଜେପି ରାଷ୍ଟ୍ରୀୟ ସଭାପତି ରୂପେ ବାଛିପାରେ । ଦ୍ବିତୀୟ ଯୋଗ୍ୟତା ହେଲା ପାର୍ଟି ପ୍ରତି ଆନୁଗତ୍ୟ ଓ ସାଙ୍ଗଠନିକ ଦକ୍ଷତା । ତୃତୀୟ ଯୋଗ୍ୟତା ହେଲା ଆରଏସ୍ଏସ୍ ତଥା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସମ୍ପର୍କ । ଏହି ସବୁ ଯୋଗ୍ୟତା ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଶନ ରେଡ୍ଡୀଙ୍କ ନାଁ ସବୁଠୁ ଆଗରେ ରହିଛି । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇସାରଥିବା ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ଗଣାଯାଆନ୍ତି ।
ଏହା ଛଡା ପ୍ରଭାରୀ ଭାବେ ଉତ୍ତରପ୍ରଦେଶ ଓ ହରିଆଣା ବିଜେପିକୁ ବାରମ୍ବାର ବିଜୟ କରିବାରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ତୁଙ୍ଗ ନେତୃତ୍ବବନ୍ଦ ପ୍ରଶଂସା କରନ୍ତି । ନିକଟରେ ବିଜେପିକୁ ଓଡିଶାର ଶାସନ କ୍ଷମତାକୁ ଆଣିବାକୁ ଧର୍ମେନ୍ଦ୍ର ଏକ ମୁଖ୍ୟ ଭୂମିକା ନେଇଥିଲେ । ଏହି ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସଭାପତି ହେବା ବହୁ ସମ୍ଭାବନା ରହିଛି । ସେହିଭଳି ଜି.କିଶନ ରେଡ୍ଡୀ ଯୁବମୋର୍ଚ୍ଚାର ସଭାପତି ପଦବୀଠାରୁ ଆରମ୍ଭ କରି ବିଧାୟକ, ସଂସଦ ଓ କେନ୍ଦ୍ରମନ୍ତ୍ରୀଭାବେ ଦାୟିତ୍ବ ତୁଳାଇଛନ୍ତି । ଏବେ ମଧ୍ୟ ତେଲେଙ୍ଗାନା ରାଜ୍ୟ ସଭାପତି ଅଛନ୍ତି । କିଶନଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସର୍ମ୍ପକ ବେଶ ଭଲ । ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବାକୁ ଅଭିଳାଷା ଦୃଷ୍ଟିରୁ କିଶନ ରାଷ୍ଟ୍ରୀୟ ସଭାପତି ଦାବିଦାର ହୋଇପାରନ୍ତି ।
ଅନ୍ୟପକ୍ଷରେ ଉତ୍ତର ଭାରତର ତିନି ଚେହେରାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଜଣେ ଭଲ ସଂଗଠକ । ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ । ମହାରାଷ୍ଟ୍ର ମହାୟୁତି ଶାସନକୁ ବଜାୟ ରଖିବାରେ ରଖିବାରେ ରାଜ୍ୟ ପ୍ରଭାରୀ ଭୁପେନ୍ଦ୍ର ଉପଯୋଗିତାକୁ ସମସ୍ତେ ସ୍ବୀକାର କରନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ମୋହନଲାଲ ଖଟ୍ଟର ହରିୟାଣାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସର୍ମ୍ପକ ଖୁବ ନିବିଡ । ଜଣେ ଆରଏଏସ ପ୍ରଚାରକଭାବେ ମନହୋର ଖୁବ ଜଣାଶୁଣା ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବହୁବାର ମୁଖ୍ୟମନ୍ତ୍ରୀ ପଦ ତୁଳାଇଥିବା ତଥା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଜଣେ ଦକ୍ଷ ସଂଗଠକ ଓ ଆରଏସଏସ ସହ ନିବିଡ ସର୍ମ୍ପକ ପାଇଁ ଜଣାଶୁଣା । ପରବର୍ତ୍ତୀ ପଦବୀ ପାଇଁ ଶିବରାଜ ଉତମ ବିକଳ୍ପ । ମାତ୍ର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିବା ରାଜନୈତିକ ମହଲରେ ଆଲୋଚନା ହୁଏ । ଏହି ସବୁ ବିକଳ୍ପ ମଧ୍ୟରୁ ବିଜେପି କାହାରିକୁ ବି ରାଷ୍ଟ୍ରୀୟ ସଭାପତି କରିପାରେ । ଏହାଛଡା ସବୁବେଳେ ଆଶ୍ଚର୍ଯ୍ୟଜନକ ଚେହେରା ସାମ୍ନାକୁ ଆଣୁଥିବା ମୋଦି ଓ ଶାହାଙ୍କ ଯୋଢି କୌଣସି ନୂଆ ବ୍ୟକ୍ତିଙ୍କୁ ମଧ୍ୟ ମନୋନୀତି କରିପାରନ୍ତି ।