
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ବିସ୍ଫୋରକ ସ୍ଥିତିକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ କ୍ରମଶଃ ବଢ଼ିବାରେ ଲାଗିଛି। କାରଣ ଏହି ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି।
ଏପଟେ କିଟ୍ କ୍ୟାମ୍ପସରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି।ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ଓ ମହିଳା-ଶିଶୁ କଲ୍ୟାଣ ବିଭାଗ ସଚିବ ଏବଂ ପୋଲିସ କମିଶନର କିଟକୁ ଯାଇ ପଚରାଉଚରା କରିଛନ୍ତି।
ସେପଟେ ଓଡ଼ିଶାରେ ପହଞ୍ଚିଥିବା ନେପାଳର ଦୁଇ କାଉନସେଲିଙ୍ଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ଓ ସ୍ବାସ୍ଥ୍ୟମନ୍ତ୍ରୀ। ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବା ସହ କିଟ୍ କ୍ୟାମ୍ପସରେ ସ୍ବାଭାବିକ ବାତାବରଣ ଫେରାଇ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ନେପାଳର ଦୁଇ ଅଧିକାରୀଙ୍କୁ ଆଶ୍ବସନା ଦେଇଛନ୍ତି।
ସେପଟେ କିଟ୍ ମାଲିକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜଧାନୀରେ ଜୋରଦାର ବିକ୍ଷୋଭ କରିଛି ଏବିଭିପି । କିଟ୍ କ୍ୟାମ୍ପସ-୬ରେ ଥିବା ଲେଡିଜ ହଷ୍ଟେଲରେ ଏମବିଏ ଛାତ୍ରୀ ପ୍ରକୃତି ଆତ୍ମହତ୍ୟା ଖବର ଖେଳିଯିବା ପରେ ସହପାଠୀମାନେ ତାଙ୍କ ରୁମ୍ କବାଟ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରଥିଲେ କିଛି ମହିଳା କର୍ମଚାରୀଙ୍କ ସହ ହଷ୍ଟେଲର ଅନ୍ୟ ଝିଅମାନେ। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ଏହି ଗୋଟିଏ ଦୃଶ୍ୟ ହିଁ ପୂରା ଉତ୍ତେଜନା ପଛର ପୃଷ୍ଠଭୂମି ବୋଲି କୁହାଯାଉଛି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ପିଲାମାନେ ଉତ୍ତେଜିତ ହେବା, ସେମାନଙ୍କୁ ଦମନ କରିବାକୁ କିଟ୍ କର୍ତ୍ତୃପକ୍ଷ କଳବଳ ଲଗାଇ ଦେବା, କ୍ୟାମ୍ପସରୁ ତଡ଼ିଦେବା ଘଟଣା ସୃଷ୍ଟି କଲା ବିସ୍ଫୋରକ ସ୍ଥିତି । ଏବେ ସମଗ୍ର ଘଟଣାର ଛାନଭିନ ଆରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି।
ନେପାଳୀ ଛାତ୍ରୀ ଆତ୍ମହତ୍ୟା ପଛରେ କାରଣ କଣ ? କେଉଁ ପରିସ୍ଥିତିରେ କିଟ୍ କ୍ୟାମ୍ପସରେ ସୃଷ୍ଟି ହେଲା ଉତ୍ତେଜନା? କାହିଁକି ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ତଡ଼ି ଦିଆଗଲା? ଆନ୍ଦୋଳନକାରୀ ଛାତ୍ରଙ୍କୁ ବୁଝାସୁଝା କରିବାରେ କାହିଁକି ଫେଲ୍ ମାରିଲେ କିଟ୍ କର୍ତ୍ତୃପକ୍ଷ ? ପିଲାମାନଙ୍କୁ ମାଡ଼ ମାରି ଦମନ କରିବା ଭଳି ଜଘନ୍ୟ କାର୍ଯ୍ୟ କାହିଁକି କଲେ କିଟ୍ ସୁରକ୍ଷାକର୍ମୀ ? କିଟ୍ କ୍ୟାମ୍ପସରେ ପହଞ୍ଚି ଏସବୁ କାରଣ ଖୋଜିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଉଚ୍ଚଶିକ୍ଷା ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଏବଂ ପୋଲିସ କମିଶନର କିଟ୍ରେ ସରଜମିନ ଅନୁଧ୍ୟାନ କରିଛନ୍ତି । ଛାତ୍ରୀ ନିବାସକୁ ଯାଇ ପଚରାଉଚରା କରିଛନ୍ତି।
ସେପଟେ ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହି ପ୍ରସଙ୍ଗରେ ନେପାଳ ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବା ସହ କିଟ୍ କ୍ୟାମ୍ପସରେ ସ୍ବାଭାବିକ ବାତାବରଣ ଫେରାଇ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବସନା ଦେଇଛନ୍ତି।
ରାଜ୍ୟ ଅତିଥି ଭବନରେ ନେପାଳରୁ ଆସିଥିବା ଦୁଇ କାଉନସେଲିଙ୍ଗ ଅଫିସର ସଞ୍ଜୀବ ଦାସଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଥା ହୋଇଛନ୍ତି । ଶୀଘ୍ର କିଟ୍ରେ ସ୍ବାଭାବିକ ସ୍ଥିତି ଫେରି ଆସିବ ବୋଲି ଦୁଇ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଆଶା ରଖିଛନ୍ତି । ଏଥିସହ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଫୋନରେ କଥା ହୋଇଛନ୍ତି।
ନେପାଳର ରାଷ୍ଟ୍ରଦୂତ ଶଙ୍କର ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ କିଟ୍ ମାମଲାରେ ଉଭୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ସଠିକ ପଦକ୍ଷେପ ନେଇଛନ୍ତି। ଛାତ୍ରଛାତ୍ରୀମାନେ ୟୁନିଭର୍ସିଟି ଫେରିଯିବାକୁ ସେ ଅନୁରୋଧ କରିଛନ୍ତି।
ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ଉତ୍ତେଜନା ଘଟଣାରେ ରାଜଧାନୀର ଜୋରଦାର ପ୍ରତିବାଦ କରିଛି ଏବିଭିପି। କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କ ଗିରଫଦାରୀ ଦାବିରେ ଏବିଭିପି କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନରୁ ରାଲିରେ ବାହାରି ଲୋୟର ପିଏମଜିରେ ବିକ୍ଷୋଭ କରିଥିଲେ। ସେପଟେ ଯୁବ କଂଗ୍ରେସ ସଭାପତି ସାମ୍ଵାଦିକ ସମ୍ମିଳନୀ କରି କିଟ୍ କାଣ୍ଡ ଯୋଗୁଁ ଓଡ଼ିଶା ବିଶ୍ବରେ ନିନ୍ଦିତ ହେଲାଣି ବୋଲି କହିଛନ୍ତି। ଦୁଇ ଦିନ ଭିତରେ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରା ନ ଗଲେ କମିଶନରେଟ୍ ପୋଲିସ ଅଫିସ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
କିଟ୍ ବିବାଦ ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଛି। ଚାକିରୀ ଅଫର୍ କରି ପୁଣି ମନା କରି ଦେଉଛନ୍ତି କମ୍ପାନୀମାନେ। କିଟ୍ରେ ପଢୁଥିବା ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କୁ 'Blinkist' ନାମକ ଏକ କମ୍ପାନୀରୁ ସିନିଅର ସିଷ୍ଟମ ଆଡମିନଷ୍ଟ୍ରେଟର ଭାବେ ଅଫର୍ ଆସିଥିଲା । କିନ୍ତୁ କିଟ୍ ଉତ୍ତେଜନା ପରେ ସେଇ କମ୍ପାନୀ ତାଙ୍କୁ ଚାକିରୀ ଦେବାକୁ ମନା କରି ଦେଇଛି।