
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ଆଦ୍ଵିକ୍ ଶ୍ରୀବାସ୍ତବ ରିମାଣ୍ଡ ପରେ ଝାରପଡ଼ା ଜେଲ ଯାଇଛନ୍ତି। ରିମାଣ୍ଡ ବେଳେ ପୋଲିସ ପାଖରେ ସତ ବଖାଣିଥିଲେ ଆଦ୍ଵିକ। ମୃତ ଛାତ୍ରୀଙ୍କ ସହ ତାଙ୍କର ୨ ବର୍ଷର ପ୍ରେମ ସମ୍ପର୍କ ଥିଲା। ଯୁବତୀ ସମ୍ପର୍କ ରଖିବାକୁ ଚାହୁଁ ନ ଥିବାରୁ ଝଗଡ଼ା ହେଉଥିଲା। ଶୁକ୍ରବାର ଅଭିଯୁକ୍ତଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ ହୋଇଛି।
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ, ଯେଉଁମାନଙ୍କୁ ସମନ ହୋଇଥିଲା, ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣୀ କରି ସବୁ ରେକର୍ଡ କରିରଖିଛି। ଯାହା ନିଷ୍କର୍ସ ଆସିବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ମଧ୍ୟରେ ୧୦ ଜଣଙ୍କୁ ଗିରଫ କରାଯାଇସାରିଥିବା ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପୋଲିସ ତଦନ୍ତ ଆଉ ଫୋରେନସିକ ଯାଞ୍ଚ ଚାଲିଛି। ଭାଇରାଲ ଭିଡିଓର ଭଏସ ସ୍ପେକ୍ଟ୍ରୋଗ୍ରାଫି କରାଯିବ।
ଅଚ୍ୟୁତଙ୍କୁ ମାରାଥନ୍ ଜେରା
କିଟ୍ ରେ ନେପାଳୀ ଛାତ୍ରୀର ଆତ୍ମହତ୍ୟା ଘଟଣାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ କୁଳପତି, କୁଳସଚିବ ଏବଂ ଅନ୍ୟ କର୍ମଚାରୀଙ୍କୁ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଜେରା କରିଛି। ତିନି ସଚିବଙ୍କ ଆଗରେ ହାଜର ହୋଇଥିଲେ ଅଚ୍ୟୁତ । ଘଣ୍ଟାଏ କାଳ ଗୁଡ଼େଇ ତୁଡ଼େଇ ସମସ୍ତଙ୍କୁ ପ୍ରଶ୍ନ କରାଯାଇଥିଲା।
କମିଟିର ଶୁଣାଣୀବେଳେ ହାଜର ହୋଇଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଅନ୍ୟ ୭ ଜଣ । ଛାତ୍ରୀ ଆତ୍ମହତ୍ୟା ଓ ତା ପରବର୍ତ୍ତୀ ବିସ୍ଫୋରକ ସ୍ଥିତି କାହିଁକି ହେଲା, ତା ପାଇଁ କିଏ ଦାୟୀ, ତାର ଉତ୍ତର ଖୋଜିଛନ୍ତି ତିନି ଜଣିଆ କମିଟି । ଅଚ୍ୟୁତଙ୍କ ସମେତ ୮ ଜଣଙ୍କୁ ମାରାଥନ ପ୍ରଶ୍ନ ପଚାରି ଘଣ୍ଟାଚକଟା କରିଛନ୍ତି । କିଟ୍ କାଣ୍ଡ ନେଇ ଅଚ୍ୟୁତଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ତିନି ସଚିବ । ଗୃହ ବିଭାଗ ଏସିଏସ୍ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମାଙ୍କନ ଆଗରେ ବସି ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଅଚ୍ୟୁତ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ କାହିଁକି ସଠିକ ଢଂଗରେ ମ୍ୟାନେଜ କରିପାରିଲେନି କିଟ୍ କର୍ତ୍ତୃପକ୍ଷ । ଆତ୍ମହତ୍ୟା ପରବର୍ତ୍ତୀ ସ୍ଥିତି ସାଂଘାତିକ ରୂପ ନେଇପାରେ ବୋଲି ଠଉରାଇ ପାରିଲେନି କାହିଁକି ? କେବଳ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ସାଇନ-ଡାଏ ଘୋଷଣା ହେଲା ? କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ରେଳ ଷ୍ଟେସନରେ ଛଡ଼ାଗଲା ? କଣ ପାଇଁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କର୍ମୀମାନେ ମାଡ଼ ମାରିଲେ ? ଛାତ୍ରୀଙ୍କ ଅଭିଯୋଗ ପରେ କାହିଁକି ପଦକ୍ଷେପ ନିଆଗଲା ନାହିଁ? ମୃତ ଛାତ୍ରୀ ଓ ତାଙ୍କ ପ୍ରେମିକ କୁହାଯାଉଥିବା ଯୁବକଙ୍କ ସ୍ବର ରହିଥିବା ଏକ ଭାଇରାଲ ଭିଡିଓର ସତ କଣ ? ଶୁକ୍ରବାର ଅପରାହ୍ନ ୩ଟାରେ ଏହି କମିଟି ଶୁଣାଣୀ ଆରମ୍ଭ କରିଥିଲେ । ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିବା ଏହି ଶୁଣାଣୀରେ ପ୍ରଥମେ ହାଜର ହୋଇଥିଲେ କିଟ୍ର ନିଲମ୍ବିତ ଦୁଇ ଅଧିକାରୀ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ । ଜୟନ୍ତୀ ଓ ମଞ୍ଜୁସା ହେଉଛନ୍ତି ସେଇ ଦୁଇ ମହିଳା ଯେଉଁମାନେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଛାତ୍ରଛାତ୍ରୀ ଆହୁରି ତାତିଥିଲେ ଆଉ କିଟ୍ କ୍ୟାମ୍ପସରେ କରିଥିଲେ ଭଙ୍ଗାରୁଜା । ଜୟନ୍ତୀ ଓ ମଞ୍ଜୁସାଙ୍କ ପରେ କିଟ୍ କୁଳପତି ଶରଣଜିତ୍ ସିଂ ଏଂ କୁଳସଚିବ ଜ୍ଞାନରଂଜନ ମହାନ୍ତି କମିଟି ପାଖରେ ହାଜର ହୋଇଥିଲେ । ଜଣ ଜଣ କରି ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା । ନିଲମ୍ବିତ ଲେଜିଡ ହଷ୍ଟେଲ ଇନଚାର୍ଜ ଜୟନ୍ତୀ ନାଥ କହିଛନ୍ତି, ଯାହା ସତ, ତାହା ଖୁବ ଶୀଘ୍ର ସାମ୍ନାକୁ ଆସିବ । ହଷ୍ଟେଲରେ ପିଲାମାନଙ୍କୁ ଅଭିଭାବକଙ୍କ ଭଳି ଆକଟ କରିଥାଉ, ତାକୁ ଗଣମାଧ୍ୟମରେ ଭିନ୍ନ ଢଙ୍ଗରେ ପରିପ୍ରକାଶ କରାଯାଇଛି ।
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି, କୁଳ ସଚିବଙ୍କ ସହିତ ମୋଟ ୮ ଜଣଙ୍କୁ ହାଜର ପାଇଁ କମିଟି ନୋଟିସ୍ କରିଥିଲା। ଛାତ୍ରୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଛାତ୍ରଙ୍କୁ ସୁରକ୍ଷାକର୍ମୀଙ୍କ ମାଡ଼, ଦୁଇ ମହିଳା ଅଧିକାରୀଙ୍କ ଗାଳିଗୁଲଜ, ଉତ୍ତ୍ୟକ୍ତ ପିଲାଙ୍କ ଆନ୍ଦୋଳନ, ସାଇନ-ଡାଏ ଘୋଷଣା, ଛାତ୍ରଛାତ୍ରୀଙ୍କୁ କଟକ ଷ୍ଟେସନରେ ଛାଡ଼ିବା ଭଳି ପ୍ରତି ଘଟଣା ଉପରେ କମିଟି ପ୍ରଶ୍ନର ପାହାଡ଼ ଛିଡ଼ା କରିଥିଲା । ଜଣ ଜଣ କରି ସମସ୍ତଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି କମିଟି ଆଗରେ ।
ଅଚ୍ୟୁତଙ୍କ ପୋଲ ଖୋଲିଲେ ବିଧାୟକ ବାବୁ ସିଂହ
୧୯୯୧ ରେ ଯିଏ ମହର୍ଷି କଲେଜରେ ପାଠ ପଢ଼ାଇ ମାସିକ ୮ ଶହ ଟଙ୍କା ପାଉଥିଲେ , ଏବେ
ସେ ୧୫ ହଜାର କୋଟିର ମାଲିକ । ସେ ବିଜୁ ପଟ୍ଟନାୟକ ସରକାର ସମୟରେ ଆଇ,ଟି,ଆଇ, କରିବାକୁ ଋଣ ନେଲେ । ଯାହା ଗରିବ ପିଲାଙ୍କ ପାଇଁ ମିଳିବା କଥା । ସେ ପଇସା ଏ,ଆଇ,ସି,ଟି, ଦ୍ୱାରା ଆଣି ନିଜ ସାମ୍ରାଜ୍ୟର ବିସ୍ତାର କଲେ ।
ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡି ବସିଲେ, ସେତେବେଳେ ବିଜେଡି ଏଙ୍କୁ ସାଂସଦ କ
ଲା । ବିନା ବି,ଡି, ଏ,ଅନୁମତିରେ ଜଙ୍ଗଲ ଜମିରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କଲେ । କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ? ପ୍ରଦୀପ ପାଣିଗ୍ରାହୀଙ୍କୁ ଧମକାଇଲେ । ଦୁର୍ନୀତିଗ୍ରସ୍ତଙ୍କ ଢାଲ ହେଲେ, ଖାଲରେ ପଡିବେ । ପଥରଗାଡ଼ିଆ ମୌଜାରେ ଖାତା ନମ୍ବର ୪୨୦, ୮୯୧ ଜମି ହଡପ କଲେ । ଯେଉଁ ପୂର୍ବ ସରକାର ଲୋକ ଜମି ନେବାରେ ସାହାଯ୍ୟ କରିଛନ୍ତି, ଉତ୍ତର ଦେବେ କି ?
ବରମୁଣ୍ଡା ହାଉସିଂ ବୋର୍ଡରେ ଜଙ୍ଗଲ ଜମି ଥିବାରୁ ମାଲିକାନା ମିଳୁନି । ହେଲେ ବିଜେଡି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କ ପାଇଁ କିସମ ପରିବର୍ତ୍ତନ କରି ଦେଲେ । କୌଣସି ଦଳର ନେତାଙ୍କ ପିଲା ପଢି ପାରନ୍ତି କି ଚାକିରୀ କରି ପାରନ୍ତି । ହେଲେ ବିଜେପି ସେମାନଙ୍କୁ ଗଣ୍ଡଗୋଳ କି ଜମି ଦଖଲ କରିବକୁ ଶିଖାଏ ନାହିଁ । ଏସ୍,ସି, / ଏସ୍,ଟି, ଲୋକଙ୍କୁ କିଟ୍ ରେ ଚାକିରୀ ଦେଉଥିଲେ । ଆଉ ପରେ ଏସ୍,ସି,/ ଏସ୍,ଟି, ଲୋକଙ୍କୁ ଧମକାଇ କମ୍ ମୂଲ୍ୟରେ ଜମି ନେଉଥିଲେ । ଆଦିବାସୀ ପିଲାଙ୍କୁ ପାଠ ପଢାଇ ମସିହା ହୋଇଛନ୍ତି । ହେଲେ ସି, ଡବ୍ଲ୍ୟୁ, ସି, ରିପୋର୍ଟ ଅନୁସାରେ ୧୨ କୋଟି କେନ୍ଦ୍ର ଠାରୁ ନେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଠାରୁ ବର୍ଷକୁ ୫ କୋଟି ନେଉଛନ୍ତି । ଏନ୍,ଜି,ଓ ଠାରୁ ୨୧ କୋଟି ୪୨ ଲକ୍ଷ ଓ ବିଦେଶୀ ସଂସ୍ଥାରୁ ୨୦କୋଟି ନେଲେ । ଚାଉଳ ବାବଦରେ ରାଜ୍ୟ ସରକାରଙ୍କ ପାଖରୁ ୨୨ କୋଟି ୫୦ ଲକ୍ଷ ଟଙ୍କା ନେଉଛନ୍ତି । ତାହେଲେ ମାଗଣା କେଉଁଠି ପଢ଼ାଇଲେ ।ଜଗନ୍ନାଥ ମନ୍ଦିର କରି ଦୁର୍ନୀତି କରି ଚାଲିଲେ । ଦୁଇ ଜଣ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ ଯେପରି କହିଲେ ନେପାଳ ବଜେଟରୁ ଅଧିକ ଟଙ୍କା କୀଟ ଖାଇବାକୁ ଦିଏ । କଣ ଘରୁ ଆଣି ଦେଉଥିଲେ ? ଏପରି କଥା ଆଉ ନ କୁହାଯାଉ । ଆମ ପିଲା ବି ବାହାରେ ପଢୁଛନ୍ତି । ଆମ ଅର୍ଥନୀତି କମ ହୋଇପାରେ । ହେଲେ ଆମ ପିଲା ମାନଙ୍କ ଭବିଷ୍ୟତ ଥାଏ ।ମୁଖ୍ୟମନ୍ତ୍ରୀ ନେପାଳ ପିଲାଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବାହାର ପିଲା ଏଠି ପଢି ଆମ ଭାଷା ଓ ସଂସ୍କୃତି ସହ ଜଡିତ ହେଉଛନ୍ତି ।