
ଓଡ଼ିଶା ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ଡ. ହରିବାବୁ କମ୍ଭମପତି । ଏବେ ସେ ମିଜୋରାମର ରାଜ୍ୟପାଳ ଅଛନ୍ତି। ଡ. ହରି ବାବୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।
ସେ ୨୦୧୪ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ହରି ବାବୁ ।୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମା ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ | ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ ଥିଲେ । ହରି ବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି ।
୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ ହରି ବାବୁ ବିଶାଖାପାଟନମ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଦଳ ଦାୟିତ୍ଵ ଦେଇଥିଲା । ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ନିଯୁକ୍ତି ମିଳିନାହିଁ । ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ପୁରୀ ରାଜଭବନରେ ଜଣେ ଓଡ଼ିଆ ଏଏସ୍ଓ ଅଧିକାରୀଙ୍କୁ ନିର୍ମମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଓଡ଼ିଶାର ନୂଆ ବିଜେପି ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ । ଏପରିକି ରାଜ୍ୟପାଳଙ୍କ ଇସ୍ତଫା ଦାବି କରି ବିଧାନସଭାରେ ଅନେକ ଥର ହୋହଲ୍ଲା କରିଥିଲେ ବିରୋଧୀ ।
ଓଡ଼ିଶା ରାଜ୍ୟପାଳଙ୍କ ସମେତ ୫ ରାଜ୍ୟରେ ରାଜ୍ୟପାଳ ପରିବର୍ତ୍ତନ ହୋଇଛନ୍ତି । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ହୋଇଥିବା ବେଳେ ଜେନେରାଲ୍ (ଡ.) ବିଜୟ କୁମାର ସିଂହ ମିଜୋରାମ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ସେହିଭଳି ବିହାର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି । ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର କେରଳର ନୂଆ ରାଜ୍ୟପାଳ ହୋଇଛନ୍ତି । ସେପଟେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଜୟ କୁମାର ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ।