
ସମ୍ପ୍ରତି ଏନ୍,ସି,ଏ,ଇ,ଆର୍, ଦ୍ୱାରା ଏକ ଅଧ୍ୟୟନ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଯଦି ଭାରତ ଏହାର କିଛି ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରେ, ତେବେ ୨୦୩୦ ସୁଦ୍ଧା ଦେଶରେ ୩୫ କୋଟି ନିଯୁକ୍ତି ସୃଷ୍ଟି ହୋଇପାରିବ। ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ (NCAER)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ଯଦି ଭାରତ ନିଜର କିଛି ତ୍ରୁଟି ଦୂର କରେ, ତେବେ ଏହା ଆଗାମୀ ୨୦୩୦ ମସିହା ସୁଦ୍ଧା ୩୫ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିପାରିବ। ଏହି ନିଯୁକ୍ତି ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ହୋଇପାରେ। କିନ୍ତୁ ଏଥିପାଇଁ ଦକ୍ଷତା ବିକାଶ ଏବଂ ନିବେଶକୁ ତ୍ୱରାନ୍ୱିତ କରିବାକୁ ପଡିବ।
ପାଥୱେଜ୍ ଟୁ ଜବ୍ସ ଅନୁଯାୟୀ ୨୦୧୭-୧୮ ପରଠାରୁ ଭାରତର ଶ୍ରମଶକ୍ତି ୯ କୋଟି ବୃଦ୍ଧି ପାଇଛି, କିନ୍ତୁ କେବଳ ୬ କୋଟି ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ଅର୍ଥାତ୍ ଏପର୍ଯ୍ୟନ୍ତ ବହୁତ ଲୋକ ନିଯୁକ୍ତି ପାଇପାରୁ ନାହାଁନ୍ତି। ଅଧ୍ୟୟନରେ କୁହାଯାଇଛି ଯେ ଭବିଷ୍ୟତରେ ସେବା କ୍ଷେତ୍ରରୁ ୨୮ କୋଟି ନିଯୁକ୍ତି ଆସିପାରିବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯଦି ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଶ୍ରମ-ସଘନ ନିବେଶ ବୃଦ୍ଧି ପାଏ, ତେବେ ନିଯୁକ୍ତି ଦ୍ୱିଗୁଣିତ ହୋଇପାରିବ। କିନ୍ତୁ କିଛି ସମସ୍ୟା ଏହାକୁ ବାଧା ଦେଉଛି। ପ୍ରଥମତଃ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଦ୍ୱିତୀୟତଃ ଉତ୍ପାଦନରେ ଶ୍ରମର ଆବଶ୍ୟକତା ହ୍ରାସ ପାଉଛି। ତୃତୀୟତଃ ଦକ୍ଷ ଶ୍ରମିକଙ୍କ ଏକ ବିରାଟ ଅଭାବ ରହିଛି। ୨୦୧୮ରେ ୯୨ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ତାଲିମ ନଥିଲା। ୨୦୨୪ ସୁଦ୍ଧା ଏହି ସଂଖ୍ୟା ୬୫ ପ୍ରତିଶତକୁ ହ୍ରାସ ପାଇଲା, ତଥାପି କେବଳ ୪ ପ୍ରତିଶତ ଶ୍ରମିକଙ୍କ ପାଖରେ ଆନୁଷ୍ଠାନିକ ତାଲିମ ଅଛି।
ଏହିପରି ନିଯୁକ୍ତି ସୃଷ୍ଟି ହେବ
ଉକ୍ତ ଅଧ୍ୟୟନ ଅନୁଯାୟୀ ଭାରତରେ କୃଷି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ନିର୍ମାଣ କ୍ଷେତ୍ର ଏହାକୁ ସମ୍ଭାଳି ପାରିଲାନାହିଁ। ସେବା କ୍ଷେତ୍ରରେ ଉଚ୍ଚ-ଦକ୍ଷତାସମ୍ପନ୍ନ ଚାକିରି ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଦକ୍ଷତା ବ୍ୟବଧାନ ଏବେ ବି ବହୁତ ବ୍ୟାପକ ଅଟେ। ଏହାକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ କିଛି ପରାମର୍ଶ ଦେଇଛନ୍ତି। ଏଥିସକାଶେ ସ୍କୁଲଗୁଡ଼ିକରେ ବୃତ୍ତିଗତ ଶିକ୍ଷାଦାନ ବୃଦ୍ଧି କରାଯିବା ଉଚିତ, ଯେଉଁଠାରେ କି ଛାତ୍ରଛାତ୍ରୀମାନେ ଶିକ୍ଷାଗତ ଏବଂ ଦକ୍ଷତା-ଭିତ୍ତିକ ଟ୍ରାକ୍ ବାଛିପାରିବେ। ଏହା ସହିତ ସରକାର ସାଧାରଣ ଖର୍ଚ୍ଚ ବୃଦ୍ଧି କରିବା, ଟିକସ ହ୍ରାସ କରିବା, ନିବେଶ ପାଇଁ ପ୍ରୋତ୍ସାହନ ଦେବା ଏବଂ ଶ୍ରମ ନିୟମକୁ ସହଜ କରିବା ଉଚିତ।
୩୫ କୋଟି ନିଯୁକ୍ତି କିଛି ସାମାନ୍ୟ କଥା ନୁହେଁ। ଏତିକି ନିଯୁକ୍ତି ଦେଶରେ ବେକାରୀ ସମସ୍ୟାକୁ ପ୍ରାୟତଃ ସମାପ୍ତ କରିଦେଇ ପ୍ରଗତିର ନୂଆ ଅଧ୍ୟାୟ ଲେଖିବ। ସମ୍ଭବତଃ ଦେଶରେ କେହି ବେକାର ରହିବେନାହିଁ । ଦେଶର ମୁଣ୍ଡପିଛା ଆୟଭିତ୍ତିକ ଜିଡିପି ମଧ୍ୟ ବୃଦ୍ଧି ପାଇବ, ଯାହା ଫଳରେ ଦେଶ ବିଶ୍ଵର ଦୁଇ କି ତିନି ନମ୍ବର ବୃହତ୍ତମ ଅର୍ଥନୀତି ହୋଇପାରିବ। ତେବେ ସମସ୍ୟା ରହିଛି ସରକାରଙ୍କ ଇଚ୍ଛାଶକ୍ତିକୁ ନେଇ। ଏହା ଅର୍ଥ ନୁହେଁ ଯେ ବର୍ତ୍ତମାନର ମୋଦି ସରକାର କିଛି କରୁନାହିଁ। ପୂର୍ବର ସମସ୍ତ ସରକାର ତୁଳନାରେ ମୋଦି ସରକାର ବେକାରୀ ଦୂରୀକରଣ, ଅର୍ଥନୀତିର ଉତ୍ତରୋତ୍ତର ଉନ୍ନତି ନେଇ ଅଧିକ କାମ କରୁଛି, ଯାହା ଫଳରେ ଭାରତ ଆଜି ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି। ତେବେ ଏ ଦିଗରେ ଆହୁରି ଗତିଶୀଳତାର ଆବଶ୍ୟକତା ରହିଛି। ଯଦି ସରକାର ଏକ ସ୍ଥିର ଉତ୍ପାଦନ କ୍ଷେତ୍ର ସୃଷ୍ଟି ଏବଂ ଶ୍ରମ ଶକ୍ତି ବୃଦ୍ଧି ସହିତ କୁଶଳୀ ଶ୍ରମିକଙ୍କ ଅଭାବ ଦୂର କରିପାରିବେ, ତେବେ ଦେଶ ନିଶ୍ଚିତ ଭାବେ ବିଶ୍ଵର ସବୁଠାରୁ ସମ୍ପନ୍ନ ଆଉ ସମୃଦ୍ଧ ଦେଶ ବନିପାରିବ।