
ଭାରତରେ ଆୟକର ଓ ଜିଏସଟି ନିୟମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି କି ଦେଶବାସୀ ? ଏଭଳି କିଛି ପ୍ରସଂଗକୁ ନେଇ ଏବେ ଭାରତୀୟ ସାମାଜିକ ଗଣମାଧ୍ୟମରେ ଚାଲିଛି ବଡ଼ ବିତର୍କ । ଅନେକ ଷ୍ଟାର୍ଟଅପ୍ ଫାଉଣ୍ଡର ଦେଶ ଛାଡି ଚାଲିଯିବା ପାଇଁ ଦେଉଛନ୍ତି ପରାମର୍ଶ । ଯାହା ପଛରେ ଥିବା କାରଣକୁ ନେଇ ଚାଲିଛି ଏହି ବିତର୍କ । ସେପଟେ ଦେଶର ନାମୀ କ୍ରିକେଟର୍ ଓ ସେଲିବ୍ରିଟି ବି ଦେଶଛାଡି ଯିବା ପାଇଁ କରୁଛନ୍ତି ଯୋଜନା । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ପୋଷ୍ଟକୁ ନେଇ ଏବେ ଏହା ଉପରେ ଚାଲିଛି ଦେଶବ୍ୟାପୀ ବିତର୍କ । ପୋଷ୍ଟଟିରେ ଜଣେ ଷ୍ଟାର୍ଟଅପ ଫାଉଣ୍ଡର ଲେଖିଛନ୍ତି ଚକିତ କରିବା ଭଳି କଥା । ଯାହାକୁ ନେଇ ଦୁଇ ଭାଗ ହୋଇଯାଇଛି ସୋସିଆଲ ମିଡିଆ । ସମ୍ପୃକ୍ତ ବ୍ୟକ୍ତି ଲେଖିଛନ୍ତି,
ସୋସିଆଲ୍ ମିଡିଆରେ ବଡ଼ ବିତର୍କ,
ଦେଶ ଛାଡିବାର ଏହା ଉଚିତ୍ ସମୟ,
ଅଧିକ ଆୟ କରୁଥିଲେ ଭାରତ ଛାଡିଦିଅନ୍ତୁ,
ଭାରତର ଆୟକର ନିୟମ ନୂତନ ଷ୍ଟାର୍ଟଅପକୁ ସୁହାଉନି,
ଭାରତ ଛାଡି ବିଦେଶରେ ରହିବାର ଏହା ସଠିକ ସମୟ,
ଦେଶରେ ନୂତନ ଉଦ୍ଭାବନର କୌଣସି ବି ସମ୍ଭାବନା ନାହିଁ,
ଭାରତୀୟ ସମାଜରେ ମାନବିକ ନୈତିକତାର ଅଭାବ ରହିଛି,
ଭାରତରେ ଆପଣଙ୍କ ପାଖରେ ପ୍ରତିଭା ଥିଲେ ବି ସୁଯୋଗ ଦିଆଯାଉନାହିଁ,
ସରକାରୀ ସୁବିଧା ପାଇବାକୁ ହେଲେ ଆପଣଙ୍କୁ ନେତା ହେବାକୁ ପଡିବ। କେବଳ ଏତିକି ନୁହେଁ, ଏଥିସହିତ ପ୍ରତିଦିନ ବଦଳୁଥିବା ସରକାରୀ ନିୟମକୁ ନେଇ ମଧ୍ୟ ଅସନ୍ତୋଷ ଝାଡିଛନ୍ତି ସମ୍ପୃକ୍ତ ଷ୍ଟ୍ରାଟଅପ୍ ଫାଉଣ୍ଡର୍ । ତେବେ ତାଙ୍କ ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ବଡ଼ ବତର୍କ ଆରମ୍ଭ ହୋଇଯାଇଛି । ଅନେକ ତାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ କରୁଛନ୍ତି ତୀବ୍ର ବିରୋଧ । ତେବେ ବର୍ତ୍ତମାନ ଏହି ପୋଷ୍ଟଟି ସୋସିଆଲ ମିଡିଆରୁ ସେ ଡିଲିଟ୍ କରିଦେଇଥିବା ଜଣାପଡିଛି । ସେପଟେ ଇକୋନୋମିକ୍ସ ଟାଇମ୍ସର ତଥ୍ୟ କହୁଛି ଯେ, ୨୦୨୪ରେ ଦେଶ ଛାଡିଲେଣି ୪,୫୦୦ କୋଟିପତି ।
ନାମୀ କ୍ରିକେଟର ଓ ସେଲିବ୍ରିଟି ବି ଛାଡୁଛନ୍ତି ଭାରତ
ରିପୋର୍ଟ ଅନୁସାରେ ୨୦୨୪ରେ ୪,୩୦୦ କୋଟିପତି ଭାରତୀୟ ଦେଶର ନାଗରିକତା ଛାଡିଛନ୍ତି । ସମସ୍ତେ ବିଦେଶରେ ଯାଇଁ ସ୍ଥାୟୀ ନିବାସୀ ହୋଇଛନ୍ତି । ୨୦୨୩ରେ ଏହି ସଂଖ୍ୟା ୫,୧୦୦ ରହିଥିଲା । ଯାହା ବେଶ ଚିନ୍ତାଜନକ । ସେହିପରି ଦେଶ ଅନେକ ବଡ଼ ବଡ଼ ସେଲିବ୍ରିଟି ଓ କ୍ରିକେଟର ମଧ୍ୟ ଦେଶ ଛାଡିବାକୁ ଯାଉଛନ୍ତି । ନିକଟରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତ ଛାଡିବା ନେଇ ଜଣାପଡିଛି । ଉଭୟ ଲଣ୍ଡନର ସ୍ଥାୟୀ ଭାବରେ ରହିବାକୁ ପ୍ରସ୍ତୁତି କରିସାରିଛନ୍ତି । ଯାହାକୁ ନେଇ ଚାରି ଆଡେ ଏବ ଚର୍ଚ୍ଚା । ଏତେ ସଂଖ୍ୟା ଭାରତୀୟ ଦେଶ ଛାଡିବା ସମସ୍ତଙ୍କୁ ଚକିତ କରୁଛି । ଏହା ପଛର କାରଣ କଣ ତାକୁ ନେଇ ଆସୁଛି ଭିନ୍ନ ଭିନ୍ନ ମତ ।
ଭାରତୀୟମାନେ ଦେଶ ଛାଡୁଥିବା ନେଇ ଉକ୍ତ ଷ୍ଟାର୍ଟଅପ୍ ଫାଉଣ୍ଡରଙ୍କ ଦାବି ଯଦିଓ ଅମୂଳକ ନୁହେଁ, ପୁରା ସତ ବି ନୁହେଁ। କେତେକାଂଶରେ ଏହା ସତ। ତେବେ ଆଜି ଦେଶରେ ଦେଖାଦେଇଥିବା ଅବସ୍ଥା ଲାଗି ଏବେର ସରକାରଙ୍କୁ ପୁରା ଦାୟୀ କରାଯାଇପାରିନାହିଁ। ଦେଶ ସ୍ବାଧୀନ ହେବାର ଦୀର୍ଘ ୭୭ ବର୍ଷ ମଧ୍ୟରେ ଯେତିକି ସରକାର ଶାସନ ଡୋର ସମ୍ଭାଳିଛନ୍ତି, ସେମାନେ କେବେ ହେଲେ ଶାସନ ବ୍ୟବସ୍ଥାକୁ ସରଳ ଆଉ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିନାହାନ୍ତି, ଯାହା ଫଳରେ ଏଭଳି ବିଭିନ୍ନ ଅବସ୍ଥା ସୃଷ୍ଟି ହୋଇଛି। ତେବେ ୨୦୧୪ ରେ ନରେନ୍ଦ୍ର ମୋଦି ସରକାର ଆସିବା ପରଠାରୁ ଏ ଦିଗରେ ଅନେକଟା ସୁଧାର ଅଣାଯାଇଛି। ତେବେ ଏ ଦିଗରେ ଆହୁରି କିଛି କରିବାକୁପଡିବ। ଶାସନ, ପ୍ରଶାସନରେ ନାଲିଫିତା ରାଜ୍ୟ ପୂର୍ଣ୍ଣ ଅବସାନ ଆଣିବାକୁପଡିବ। ଏ ଦିଗରେ ମୋଦି ସରକାର କାମ କରୁଛନ୍ତି। ଆୟକର ଏବଂ ଜି,ଏସ୍,ଟି,କୁ ଆହୁରି ସରଳୀକରଣ କରିବାକୁହେବ। ତେବେ ଏତେ ସବୁ କରିଦେଲେ ଯେ ବିଦେଶକୁ କୋଟିପତି ଆଉ ସେଲିବ୍ରିଟୀଙ୍କ ଦେଶାନ୍ତର ବନ୍ଦ ହେବାର କୈାଣସି ଗ୍ୟାରେଣ୍ଟି ନାହିଁ। ସାଧାରଣ ଜନତା କେହି ଦେଶ ଛାଡି ଯାଉନାହାନ୍ତି। ଯେଉଁମାନେ ଥିଲାବାଲା, କେବଳ ସେହିମାନେ ଦେଶ ଛାଡିଯାଉଛନ୍ତି। ଏମାନଙ୍କ ଦେଶ ଛାଡିବାର କାରଣ ଦେଶରେ କେବଳ ଆୟକର ଆଉ ଜି,ଏସ୍,ଟି, ନୁହେଁ। ବିପୁଳ ଅର୍ଥ ଆୟ କାରଣରୁ ପ୍ରାଚୁର୍ଯ୍ୟ ମଧ୍ୟରେ ରହିବା କାରଣରୁ ଏମାନଙ୍କୁ ଭାରତ ଆଉ ଭାରତୀୟମାନେ ପସନ୍ଦ ହେଉନାହାନ୍ତି। ବସ୍ତୁବାଦ ଆଉ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଅତ୍ୟଧିକ ଆସକ୍ତି ସେମାନଙ୍କୁ ବିଦେଶ ମୁହାଁ କରିଛି। ଦେଶରୁ ଆୟକର ଆଉ ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଲେ ବି ଏମାନେ ହେଲେ ବିଦେଶ ପଳାଇବେ । କାରଣ ପାଶ୍ଚାତ୍ୟ ସଭ୍ୟତା ପ୍ରତି ସେମାନଙ୍କର ଆସକ୍ତି ଶତ ପ୍ରତିଶତ। ଏ ଆସକ୍ତି ରହିଥିବା ଯାଏ ଏମାନେ ଏହିପରି ଦେଶ ଛାଡିଯାଉଥିବେ।