
ଏବେ ଏଚ୍ ଏମ୍ ପି ଭି ତଥା ଏକ ନୂଆ ଭୂତାଣୁର ସଂକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି। ଏହା କରୋନା ସମାନ ବିପଦ ସୃଷ୍ଟି କରିବ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି। ତେବେ ବଡ ଆଶ୍ଵସ୍ତିର ବିଷୟ ଏହି ଯେ ଯେଉଁ ଚୀନରୁ ଏହି ଭୂତାଣୁ ସଂକ୍ରମଣ ହୋଇଥିବା କୁହାଯାଉଛି, ସେହି ଚୀନ ହ୍ୟୁମାନ ମେଟାନ୍ୟମୋଭାଇରସ ବା ଏଚ୍ ଏମ୍ ପି ଭି ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଖଣ୍ଡନ କରିଛି ।
ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଋତୁକାଳୀନ ଅବସ୍ଥା ଏବଂ ଶୀତ ଋତୁରେ ଏହା ଘଟିଥାଏ। ଦେଶରେ ଥିବା ପର୍ଯ୍ୟଟକ ଓ ନାଗରିକମାନେ ସୁରକ୍ଷିତ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଶୀତ ଋତୁରେ ସାଧାରଣତଃ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଚୀନ ନାଗରିକ ତଥା ବାହାର ଦେଶରୁ ଆସିଥିବା ଲୋକଙ୍କ ସ୍ୟାସ୍ଥ୍ୟ ସୁରକ୍ଷିତ ରହିଛି ।
ପ୍ରାୟ ଦୁଇ ଦଶନ୍ଧି ତଳେ ଏହି ଭାଇରସର ସନ୍ଧାନ ମିଳିଥିଲେ ବି ୨୪ ବର୍ଷ ପରେ ବି ଏହାର ଟିକା ବାହାର କରାଯାଇ ପାରିନାହିଁ । ୨୦୦୧ରେ ପ୍ରଥମ ଥର ଲାଗି ଡଚ ଗବେଷକମାନେ ଏହି ଭାଇରସକୁ ପିଲାମାନଙ୍କଠାରେ ଚିହ୍ନଟ କରିଥିଲେ । ସେରୋଲୋଜିକାଲ ତଥ୍ୟ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ୟାଣ୍ଡ କ୍ଳିନିକ । ସେହିପରି ଏହି ଭୂତାଣୁ ଲାଗି କୌଣସି ଟିକା ସମ୍ପର୍କରେ ବି ସୂଚନା ଦେଇନାହିଁ ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର । ଯଦି କୌଣସି ବ୍ୟକ୍ତି ବା ଶିଶୁ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ପରାମର୍ଶ ଦିଆଯାଇଛି ।
ଫରିଦାବାଦର ଅମ୍ରିତା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅର୍ଜୁନ ଖାନ୍ନା କହିଛନ୍ତି-ଏଚ୍ ଏମ୍ ପି ଭି ଏକ ସାଧାରଣ ଭୂତାଣୁ । ସେପଟେ କୋଭିଡ ପରି ଅବସ୍ଥା ସୃଷ୍ଟି ହେବାର ନାହିଁ ଏବଂ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭୂତାଣୁ ସାଧାରଣତଃ ଥଣ୍ଡା ରୋଗର କାରଣ । ବୟସ୍କ ଓ ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ପରିଲକ୍ଷିତ ହେବ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଅତୁଲ ଗୋଏଲ ।
ସେପଟେ ଚୀନରେ ଦେଖାଦେଇଥିବା ଅବସ୍ଥା ମାମୁଲି ବୋଲି କହିଛନ୍ତି ଭାରତ ସରକାର । ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଆଇଡିଏସପି, ଆଇସିଏମଆର, ଦିଲ୍ଲୀ ଏମସ, ଇଏମଆର ବିଭାଗର ପ୍ରତିନିଧି । ସାମ୍ପ୍ରତିକ ସ୍ଥିତି ପ୍ରତି ସରକାର ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସେପରି କିଛି ସଂକ୍ରମଣ ବୃଦ୍ଧି ପାଇନାହିଁ ବୋଲି ବୈଠକରେ ପ୍ରତିନିଧିମାନେ ସୂଚନା ଦେଇଥିଲେ । ସମ୍ଭାବ୍ୟ ସମସ୍ୟାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ବୋଲି କୁହାଯାଇଛି ।
ଗତ ୫ ବର୍ଷ ତଳେ କରୋନା ମହାମାରୀ କାରଣରୁ ସମଗ୍ର ବିଶ୍ବରେ ଯେ ପ୍ରକାର ଭୟାବହ ପରିସ୍ଥିତି ସୃଷ୍ଟି ହେଲା, ତାହାର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା ରହିଛି। ଏଣୁ କେଉଁଠି ଭୂତାଣୁ ସଂକ୍ରମଣ ହେଲେ ସାଧାରଣରେ ପୁରୁଣା ଭୟ ପୁଣି ସତେଜ ହୋଇଯାଉଛି।ଏହା ସ୍ଵାଭାବିକ। କାରଣ ଏହା ହ୍ୟୁମାନ ସାଇକୋଲଜୀର ତଥା ମାନବୀୟ ମନସ୍ତତ୍ତ୍ୱର ଏକ ବିଶେଷ ଦୁର୍ବଳ ପକ୍ଷ ଅଟେ। ଏହା ମଣିଷ ମନକୁ ଅଧିକ ଦୁର୍ବଳ କରି ତାକୁ ଭୟଭୀତ କରିଥାଏ। ମଣିଷ ମନର ଏହି ଦୁର୍ବଳତାର ଫାଇଦା କିଛି ଅସାଧୁ ଲୋକ ନିଜ ସ୍ଵାର୍ଥ ସିଦ୍ଧି ଲାଗି କରନ୍ତି। ଥଣ୍ଡାରୋଗର ଭୂତାଣୁ ଶୀତ ଦିନରେ ପ୍ରାଦୁର୍ଭୂତ ହେବେନାହିଁ ତ ଆଉ କଣ ଗ୍ରୀଷ୍ମ ଋତୁରେ ହେବେ? ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଏ ଭୂତାଣୁ କେବେ ତିଷ୍ଠି ପାରିବେନାହିଁ । ସେମାନଙ୍କର ପ୍ରାଦୁର୍ଭାବର ଦିନ ହେଲା ଶୀତ ଋତୁ। ଏଣୁ ଶୀତ ଋତୁ ପୂର୍ବରୁ ଏବଂ ଶୀତ ଋତୁରେ ଯେଉଁମାନେ ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ନ ହୋଇ ଅସ୍ଵାସ୍ଥ୍ୟକର କାର୍ଯ୍ୟ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଆନ୍ତି, ସେହିମାନେ ଶୀତ ଋତୁରେ ବିଭିନ୍ନ ଭୂତାଣୁ ସଂକ୍ରମଣର ଶିକାର ହୋଇଥାଆନ୍ତି। ଏଣୁ ସେମାନଙ୍କୁ ଯେ କୈାଣସି ଭୂତାଣୁ ସଂକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତେବେ ଭୂତାଣୁ ସଂକ୍ରମଣ ନେଇ ଆଜିଯାଏ ଯେତେ ଭୟକାରକ ପ୍ରଚାର କରାଯାଇଆସିଛି , ବାସ୍ତବରେ ତାହା ସେତିକି ବିପଦକାରକ ନୁହେଁ।ଏହାର ସୁଯୋଗରେ ଅସାଧୁ ବିଦେଶୀ ଔଷଧ ନିର୍ମାତା କମ୍ପାନୀମାନେ ଏପରି ଭୟ ଉଦ୍ରେକକାରୀ ପ୍ରଚାର କରାଇଥାଆନ୍ତି ବୋଲି କୁହାଯାଏ। ଏହା କାମ ଦେଉ କି ନ ଦେଉ ସେମାନଙ୍କ ଭୂତାଣୁ ପ୍ରତିରୋଧକ ଔଷଧ ସାରା ବିଶ୍ବରେ ଅଭୂତପୂର୍ବ ସଂଖ୍ୟାରେ ବିକ୍ରି ହେବ ଏବଂ ସେମାନେ ନାହିଁ ନ ଥିବା ଅର୍ଥ ଉପାର୍ଜନ କରିବେ । ଏହି କାରଣରୁ ସେମାନେ ଏପରି ଦୁଷ୍ପ୍ରଚାର କରାଇଥାଆନ୍ତି ବୋଲି କୁହାଯାଏ। ଏଣୁ ଲୋକେ ଯଦି ବର୍ଷ ସାରା ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ, ତେବେ ସେମାନେ ଶୀତ ଋତୁରେ ବିଭିନ୍ନ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବେ।କୋଲ୍ଡ ଡ୍ରିଙ୍କ୍ସ ପିଇବା, ଆଇସକ୍ରିମ ଖାଇବା , ସବୁବେଳେ ଏ, ସି, ରୁମ୍ ରେ ରହିବା ଦ୍ଵାରା ଶରୀରରେ କଫ ଦୋଷ ଅତ୍ୟଧିକ ବୃଦ୍ଧି ପାଏ। ଶୀତ ଋତୁ ଆସିଲେ ସେହି କଫ ଦୋଷ ପ୍ରକୁପିତ ହୋଇଥାଏ। ସେ ସମୟରେ ସାଧାରଣ ଥଣ୍ଡା ରୋଗକାରକ ଭାଇରସ୍ ମଧ୍ୟ ଏପରି ବ୍ୟକ୍ତିଙ୍କୁ ପୀଡିତ କରିବାକୁ ଯଥେଷ୍ଟ। ଏ ସବୁ ଅମୁକ ଭାଇରସ୍, ସମୁକ ଭାଇରସ୍ ବୋଲି ଯାହା କୁହାଯାଉଛି, ତାହା କେବଳ ବ୍ୟବସାୟିକ ସ୍ଵାର୍ଥ ସିଦ୍ଧିର ପ୍ରଚାର। ସେ ଭଳି କିଛି ଭୟଙ୍କର ଭାଇରସ୍ ନାହିଁ। ଯାହାର ରୋଗ ପ୍ରତିରୋଧକ ଶକ୍ତି ଅଛି, ତା ଲାଗି ଏ ସବୁ ଭାଇରସ୍ ମାମୁଲି। ଯାହାର ରୋଗ ପ୍ରତିରୋଧକ ଶକ୍ତି ଯେତେ ଦୁର୍ବଳ, ଭାଇରସ୍ ଗୁଡ଼ିକ ତା ଲାଗି ସେତେ ଭୟଙ୍କର। ଏଣୁ ଲୋକେ ଯଦି ନିଜ ସ୍ବାସ୍ଥ୍ୟର ସମୁଚିତ ଯତ୍ନ ନେଇ ରୋଗ ପ୍ରତିରୋଧକ ଶକ୍ତି ଉଚ୍ଚ କରିଥିବେ , ତେବେ ଭାଇରସ୍ ସବୁ ତାଙ୍କ ଠାରୁ ଶହେ ହାତ ଦୂରରେ ରହିବ।