
ପାକିସ୍ତାନର ସବୁ ଠାରୁ ଅଧିକ ବାଞ୍ଛିତ ଆତଙ୍କବାଦୀ ହାଫିଜ୍ ସଇଦର ଗୁପ୍ତ ଠିକଣା ପ୍ରଘଟ ହେବା ସାଙ୍ଗକୁ ତାକୁ ଲରେନ୍ସ ବିଷ୍ଣୋଇ ତରଫରୁ ପରୋକ୍ଷ ହତ୍ୟା ଧମକ ଫଳରେ ପାକ୍ ସେନା ପକ୍ଷରୁ ତାର ସୁରକ୍ଷା ବ୍ୟବସ୍ଥା ପୂର୍ବ ତୁଳନାରେ ବହୁତ ଅଧିକ ଗୁଣ ବୃଦ୍ଧି କରାଯାଇଛି।
ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଏବଂ ଲସ୍କର-ଏ-ତୈବାର ପ୍ରତିଷ୍ଠାତା ୭୭ ବର୍ଷ ବୟସ୍କ ହାଫିଜ୍ ସଇଦର ସୁରକ୍ଷା ସମ୍ପ୍ରତି ଚାରି ଗୁଣ ଅଧିକ ବୃଦ୍ଧି କରାଯାଇଛି। ପାକିସ୍ତାନର ଲାହୋରରେ ହାଫିଜ୍ ସଇଦର ଗୁପ୍ତ ଠିକଣା ଜଣାପଡିବା ପରେ ତାଙ୍କର ସୁରକ୍ଷାକୁ ସର୍ବୋଚ୍ଚ ସ୍ତରକୁ ନିଆଯାଇଛି। ଗୁଇନ୍ଦା ସଂସ୍ଥା ଅନୁଯାୟୀ, ହାଫିଜ୍ ସଇଦ ବର୍ତ୍ତମାନ ଲାହୋରର ଜୋହର ଟାଉନ୍ ଅଞ୍ଚଳର ଘର ନମ୍ବର ୧୧୬ଇରେ ରହୁଛି, ଯେଉଁଠାରେ ତାଙ୍କ ସୁରକ୍ଷା ପାଇଁ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପାକିସ୍ତାନର ଲାହୋରରେ ହାଫିଜ୍ ସଇଦର ଆଡ୍ଡା ଗୁପ୍ତ ଭାବରେ ପ୍ରକାଶ ପାଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଏହି ସ୍ଥାନଟି ଡ୍ରୋନ ଦ୍ୱାରା ନଜର ରଖାଯାଇଛି ଏବଂ ଏଠାରେ ସୁରକ୍ଷା ସ୍ତରକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ପାକିସ୍ତାନ ସେନା ହାଫିଜ୍ ସଇଦର ଘର ଚାରିପାଖରେ ସୈନିକ ମୁତୟନ କରିଛି ଏବଂ ଚାରି କିଲୋମିଟର ପରିଧି ମଧ୍ୟରେ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସିସିଟିଭି କ୍ୟାମେରାରେ ଫିଟ୍ କରାଯାଇଛି। ପୂର୍ବରୁ ସାଟେଲାଇଟ୍ ଚିତ୍ର ଏବଂ ଭିଡିଓ ମାଧ୍ୟମରେ ନିଶ୍ଚିତ କରାଯାଇଥିଲା ଯେ ହାଫିଜ୍ ସଇଦ ଲାହୋରରେ ତାଙ୍କ ପରିବାର ସହିତ ରହୁଛନ୍ତି। ଏହି ଚିତ୍ରଗୁଡ଼ିକରେ ହାଫିଜର ଘର ଏବଂ ଏହାର ଚାରିପାଖରେ ହେଉଥିବା କାର୍ଯ୍ୟକଳାପ ସ୍ପଷ୍ଟ ଭାବରେ ଦେଖାଯାଉଛି।
ଉଲ୍ଲେଖନୀୟ ପହଲଗାମ୍ ଆତଙ୍କୀ ଆକ୍ରମଣର ବଦଲା ନେବାକୁ ପାକିସ୍ତାନକୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ।ଏଇ ସେହି ଲରେନ୍ସ ବିଷ୍ଣୋଇ, ଯିଏ ବଲିଉଡର ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ବହୁବାର ଚେଷ୍ଟା କରିଛି।
ଆଉ ଏବେ ଯେତେବେଳେ ଦେଶ କଥା ଉଠିଛି, ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଲରେନ୍ସ ଅଣ୍ଟା ଭିଡ଼ିବା ସହ ଏକ ପୋଷ୍ଟ ମଧ୍ୟ କରିଛି।
ପାକିସ୍ତାନକୁ ଧମକ- ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ପରାୟଣ ହୋଇପଡିଛି। ପ୍ରତ୍ୟେକ ଭାରତୀୟ ନାଗରିକ ପାକିସ୍ତାନ ଠାରୁ ବଦଲା ଚାହୁଁଛନ୍ତି। ଆଉ ଏହାରି ଭିତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ ଦେଇ କହିଛି ଯେ ଏମିତି ଜଣଙ୍କୁ ମାରିବୁ, ଯାହାକି ଲକ୍ଷେ ଲୋକଙ୍କୁ ମାରିବା ସହ ସମାନ ହେବ। ଆଉ ସେହିଭଳି ପାକିସ୍ତାନର ଜଣେ ଲୋକ ହେଲା ହାଫିଜ୍ ସଇଦ୍। ଆଉ ହାଫିଜ୍ ସଇଦର ଏକ ଫଟୋରେ ନାଲି ଛକି ଚିହ୍ନ ଦେଇ ଏପରି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
କଣ ଲେଖା ଅଛି ପୋଷ୍ଟରେ- ଏହି ପୋଷ୍ଟ୍ ଉପରେ ଲେଖା ହୋଇଛି ,”ସବୁ ଭାଇମାନଙ୍କୁ ଜୟ ଶ୍ରୀରାମ , କାଶ୍ମୀରର ପହଲଗାମରେ ଯେଉଁ ଆତଙ୍କୀ ଆକ୍ରମଣ ହେଲା, ସେଥିରେ ଅନେକ ନିରୀହ ଲୋକଙ୍କୁ ମାରି ଦିଆଗଲା”। ଏହାର ପ୍ରତିଶୋଧ ଆମେ ଖୁବଶୀଘ୍ର ନେବୁ। ସେମାନେ ଆମର ଦେଶର ଲୋକଙ୍କୁ ମାରିଛନ୍ତି, ଆମେ ତାଙ୍କର ନିଜ ଲୋକଙ୍କୁ ମାରିବୁ। ପାକିସ୍ତାନରେ ପଶି ଗୋଟିଏ ଲୋକକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କୁ ମାରିବା ସମାନ ହେବ। ତୁମେ ହାତ ମିଳାଇବ ଆମେ ଆଲିଙ୍ଗନ କରିବୁ। ଯଦି ଆଖି ଦେଖାଇବ ଆଖି ଖୋଳି ହାତରେ ଧରାଇଦେବୁ। ଏଭଳି ନିଚ୍ଚ କାମ କଲେ ପାକିସ୍ତାନରେ ପଶି ଇଟାର ଜବାବ ପଥରରେ ଦେବୁ । ଜୟ ହିନ୍ଦ୍ ଜୟ ଭାରତ। ‘ ଏହି ପୋଷ୍ଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଗ୍ରୁପର ସମସ୍ତ ସଦସ୍ୟଙ୍କ ନାଁ ମଧ୍ୟ ଲେଖା ହୋଇଛି। ତେବେ ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ ବନ୍ଦୀ ଅଛନ୍ତି।
ହାଫିଜ୍ ସଇଦର ସୁରକ୍ଷା ତିନୋଟି ସ୍ତରରେ ତଦାରଖ କରାଯାଉଛି
ରିପୋର୍ଟ ଅନୁସାରେ ହାଫିଜ୍ ସଇଦର ସୁରକ୍ଷାକୁ ତିନୋଟି ସ୍ତରରେ କଡ଼ାକଡ଼ି କରାଯାଇଛି। ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ ୨୪ ଘଣ୍ଟା ସଜାଗ ରହିଛନ୍ତି। ଏହା ସହିତ, ପାକିସ୍ତାନୀ ସେନା ତାଙ୍କ ନିକଟ ସମ୍ପର୍କୀୟ ଏବଂ ବିଶେଷ ଲୋକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେଇଛି। ପାକିସ୍ତାନ ହାଫିଜ୍ ସଇଦ ଏବଂ ତାଙ୍କ ପରିବାରକୁ କୌଣସି ପ୍ରକାରର ଗତିବିଧି ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ, ହାଫିଜ୍ ସଇଦର ଗୁପ୍ତ ଆଡ୍ଡା ସମ୍ମୁଖରେ ଜଣେ ବ୍ୟକ୍ତିଗତ ବ୍ୟକ୍ତି ଠିଆ ହୋଇଛନ୍ତି।