
ପୂର୍ବତନ ମନ୍ତ୍ରୀ”ନବ ଦାସ ହତ୍ୟା ପଛରେ ଜଣେ ଆଇପିଏସ ଅଫିସର୍, ଜଣେ ଆଇଏଏସ୍ ଅଫିସର ଆଉ ୨ ଜଣ ବଡ଼ ନେତାଙ୍କ ହାତ ରହିଛି । ସିବିଆଇ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିବ ବୋଲି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର।
ସିବିଆଇ ତଦନ୍ତ ପାଇଁ ଆମେ ସରକାରଙ୍କୁ କହିବୁ । ନବ ଦାସଙ୍କ ସହିତ ମୋର ଏମିତି ସମ୍ପର୍କ ଥିଲା ଯେ,କିଏ ଆଗ ଗୁଳି ଖାଇବ।” ଏମିତି କିଛି କହି ପୁଣି ବିସ୍ଫୋରଣ ଘଟାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସୂଚନାଯୋଗ୍ୟ ଯେ ନବ ଦାସ ହତ୍ୟାକାଣ୍ଡକୁ ଆଜି ପୂରିଛି ୨ ବର୍ଷ । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ଗାଡିରୁ ଓହ୍ଲାଇବା କ୍ଷଣି ତାଙ୍କୁ ଗୁଳି କରାଯାଇଥିଲା । ଏହାରି ମଧ୍ୟରେ ଘଟଣାକୁ ୨ ବର୍ଷ ପୂରଣ ହୋଇଛି । କିନ୍ତୁ ତଦନ୍ତର ସ୍ଥିତି କଣ ତାହା କେବଳ କ୍ରାଇମବ୍ରାଞ୍ଚ ହିଁ ଜାଣିଛି । ବର୍ତ୍ତମାନ ସୁଦ୍ଧା ନବ ହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଛି ।
ବିଜେପି ଓ କଂଗ୍ରେସ ବାରମ୍ବାର ହତ୍ୟା ପଛରେ ଷଡଯନ୍ତ୍ର ଥିବା କହୁଥିବା ବେଳେ ସିବିଆଇ ତଦନ୍ତ କରିବାକୁ ଖୁବଶୀଘ୍ର ଚିଠି ଲେଖିବି ବୋଲି କହିଛନ୍ତି ଝିଅ ଦୀପାଳି ଦାସ । ସେପଟେ ନବ ହତ୍ୟାକାଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି ଯେ, ସ୍ବର୍ଗତ ନବ ଦାସଙ୍କ ସହ ମୋର କେବେ ବି ଭଲ ସମ୍ପର୍କ ନଥିଲା। ନବ ଆଉ ମୋ ଭିତରେ ଏମିତି ସମ୍ପର୍କ ଥିଲା ପ୍ରଥମେ କିଏ ଗୁଳି ଖାଇବ । ଆମ ଭିତରେ ଝଗଡାର କାରଣ କିଛି ନଥିଲା। ହୁଏତ ଆମେ ଦୁଇ ଜଣ ଯାକ ଭିନ୍ନ ଚରିତ୍ରର ବ୍ୟକ୍ତି।
ସେଥିପାଇଁ ଆମେ ପରସ୍ପରକୁ ପସନ୍ଦ କରୁନଥିଲୁ। ମାତ୍ର ୨୦୦୯ରେ ଆମର ସାମାନ୍ୟ କଥାବାର୍ତ୍ତା ଆରମ୍ଭ ହେଲା । ତେବେ ତାପରେ ମଧ୍ୟ ଆମ ଭିତରେ ବନ୍ଧୁତା ନଥିଲେ ମଧ୍ୟ ଶତ୍ରୁତା କମି ଯାଇଥିଲା।
ଜୟନାରାୟଣ ଆହୁରି କହିଛନ୍ତିଯେ, ନବ ଦାସଙ୍କ ମୃତ୍ୟୁକୁ ନେଇ ଅନେକ କିଛି ରହସ୍ୟ ହୋଇରହିଛି। ତେବେ ସରକାରଙ୍କ ଅନେକ ନିୟମଗତ ଔପଚାରିକତା ଥାଏ। ନବ ଦାସଙ୍କ ହତ୍ୟାକୁ ନେଇ ସିବିଆଇ ତଦନ୍ତ ପାଇଁ ଆମେ ଓଡିଶା ସରକାରଙ୍କୁ କହିବୁ।
ଅନେକ କଥା ମନରେ ସନ୍ଦେହ ସୃଷ୍ଟି କରୁଛି। ଗୋପାଳର ନବ ଦାସଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା, ତେଣୁ ସେ ନବ ଦାସଙ୍କୁ ମାରିଲା କାହିଁକି। ଗୁଳି ବାଜିଥିବା ସାର୍ଟ, ଗୁଳି ଏବଂ ଗାଡି ଗଲା କୁଆଡେ। ମୁଁ ପୂର୍ବରୁ ବିଧାନସଭାରେ କହିଛି ନବ ଦାସ ହତ୍ୟା ପଛରେ ଜଣେ ଆଇପିଏସ୍, ଜଣେ ଆଇଏଏସ୍ ଏବଂ ଦୁଇ ଜଣ ରାଜନେତାଙ୍କ ହାତ ରହିଛି ।
ତେବେ ଜୟନାରାୟଣଙ୍କ ପୂର୍ବରୁ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ବଡ଼ ବୟାନ ଦେଇଥିଲେ । ସେ କହିଛନ୍ତି, ଝାରସୁଗୁଡାକୁ ଏକ ଆଧୁନିକ ସହରରେ ପରିଣତ କରିବା ପାଇଁ ଶପଥ ନେଇଥିଲେ ସ୍ବର୍ଗତ ନବ ଦାସ । ଷଡଯନ୍ତ୍ର ଜରିଆରେ ହତ୍ୟା ହୋଇଛି ନବ ଦାସଙ୍କର। ଆଶ୍ଚର୍ଯ୍ୟର କଥା ସେ ସମୟରେ ବିଧାନସଭାରେ ମାନ୍ୟବର ଗୃହମନ୍ତ୍ରୀ ନିଜର ଉତ୍ତର ରଖିଛନ୍ତି, ନବଙ୍କର ହତ୍ୟା ଏକ ଷଡଯନ୍ତ୍ର। ମାତ୍ର ସେ ସରକାର ପଛଘୁଞ୍ଚା ଦେଇ ସିବିଆଇ ତଦନ୍ତ ବଦଳରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।
ସାଲୁଜା କହିଛନ୍ତି, “ନବ ଦାସ ମତେ କହୁଥିଲେ ସେ ସମୟର ତତ୍କାଳୀନ ଝାରସୁଗୁଡା କଲେକ୍ଟର, ଏସପି ତାଙ୍କୁ ଝାରସୁଗୁଡାରା କୋଲ୍ ଏରିଆ ଛାଡ଼ିବା ପାଇଁ କହୁଥିଲେ। ମାତ୍ର ସ୍ବର୍ଗତ ନବ ଦାସ ଉତ୍ତରରେ କହୁଥିଲେ ମୁଁ ୨୯ ଜ଼ିଲ୍ଲାରେ ମୁଣ୍ଡ ପୁରାଉନି, ମାତ୍ର ମୋ ଜ଼ିଲ୍ଲାକୁ ମୁଁ ଛଡିବିନି । ଆଉ ଏ ନେଇ ମୁଁ ହାଇକମାଣ୍ଡଙ୍କ ସହ କଥା ହେଉଛି।”
ତେବେ ନବ ଦାସ ଖଣି ଛାଡିବାକୁ ମନା କରିବାକୁ ଏଭଳି ହତ୍ୟାକାଣ୍ଡ ଘଟିଛି କି? ଯଦି ହଁ, ତେବେ ଘଟଣା ପଛର ମାଷ୍ଟରମାଇଣ୍ଡ କିଏ? ଆଉ ଯଦି ନା ତେବେ ନବ ହତ୍ୟାକାଣ୍ଡ ଘଟଣାରେ ଏଯାଏ କ୍ରାଇମବ୍ରାଞ୍ଚ କାହିଁକି ଠୋସ୍ ତଥ୍ୟ ପାଇନାହିଁ? ଏ ସବୁ କଥା ସନ୍ଦେହ ସୃଷ୍ଟି କରୁଛି।
ସାଲୁଜା କହିଛନ୍ତି, ସେ ସମୟରେ ରାଜ୍ୟ ସରକାର ଖାମଖିଆଲି ହୋଇ ତଦନ୍ତ ନିର୍ଦେଶ ଦେଲେ । ବର୍ତ୍ତମାନର ରାଜ୍ୟ ସରକାର, ନବଙ୍କ ହତ୍ୟା ପଛରେ ଯେଉଁ ବଡ଼ ବଡ ଲୋକ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ନବ ଦାସଙ୍କୁ ନ୍ୟାୟ ଦେଲେ ଆମେ ସମସ୍ତେ ଖୁସି ହେବୁ।