
ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କଂଗ୍ରେସ ହାଇକମାଣ୍ଡଙ୍କୁ ଓଡ଼ିଶା ଲାଗି ପିସିସି ସଭାପତି ମନୋନୟନ କରିବାକୁ ବଡ଼ ଅନୁନୟ ବିନୟ କରିବାର ଠିକ୍ ଦିନକ ପରେ ହାଇକମାଣ୍ଡ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ସଭାପତି ମନୋନୀତ କରିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏତେ ଦିନ ହେଲା ହାଇକମାଣ୍ଡ ସଭାପତି ମନୋନୟନ କରୁନଥିବାବେଳେ ତାରା ଗୁହାରୀ କରିବାର ଠିକ୍ ଦିନକ ପରେ ଭକ୍ତ ଦାସ ସଭାପତି ମନୋନୀତ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କଣ ତାରାଙ୍କ ଗୁହାରୀର ପ୍ରଭାବ ହାଇକମାଣ୍ଡଙ୍କ ଉପରେ ପଡିଲା କି ବୋଲି କୁହାଯାଉଛି।
ରାଜ୍ୟ ବିଧାନସଭା ନିର୍ବାଚନ ପରେ ଓଡିଶା କଂଗ୍ରେସ ନେତା ବିହୀନ ହୋଇପଡିଥିଲା। ନିର୍ବାଚନରେ ଅମାନତ ହରାଇବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଶରତ ନାୟକ ଇସ୍ତଫା ଦେଇଥିଲେ। ସେବେଠାରୁ ଦଳରେ ସବୁକିଛି କାର୍ଯ୍ୟକ୍ରମ ଠପ ପଡିଯାଇଥିଲା। ଗତ କିଛି ମାସ ହେବ ରାଜ୍ୟ ସଭାପତି ଚୟନ ହେବା ନେଇ ଆଲୋଚନା ହେଉଥିଲେ ମଧ୍ୟ କିଛି ହୋଇପାରୁ ନଥିଲା। ଏପରି ସମୟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି ରାହୁଲ ଗାନ୍ଧୀଙ୍କୁ ଏକ ପ୍ରକାର କାନ୍ଦ କାନ୍ଦ ହୋଇ କଲେ ବଡ଼ ଅନୁନୟ ବିନୟ।
ତାରା ତାଙ୍କ ବିବୃତିରେ କହିଲେ ଯେ ରାହୁଲ ଗାନ୍ଧିଙ୍କୁ ଅନୁରୋଧ କରୁଛି, ଦୟାକରି ଆମକୁ ଆଉ ନିନ୍ଦିତ କିମ୍ବା ଅପମାନିତ କରନ୍ତୁ ନାହିଁ। ଯାହାକୁ ହେଉ ଜଣକୁ ପିସିସି ସଭାପତି ଘୋଷଣା କରନ୍ତୁ। ସପ୍ତଗିରି ଉଲ୍କାକା କି ଭକ୍ତ ଦାସ ଯିଏ ହେଲେ ବି କିଛି କ୍ଷତି ନାହିଁ। ଯିଏ ହେଲେ ଜଣେ ହେବା ଦରକାର। ସମସ୍ତେ ବରିଷ୍ଠ ନେତା ନେତା ଅଛନ୍ତି।
ସେ ପୁଣି କହିଲେ ଯେ ମୋତେ ଛାଡ଼ି ଅନ୍ୟ ସମସ୍ତେ ବରିଷ୍ଠ ନେତା ଅଛନ୍ତି। ସପ୍ତଗିରି ହୁଅନ୍ତୁ ବୋଲି ମୁଁ ମୁଣ୍ଡିଆଟେ ମାରୁଛି। ସେ ରାହୁଲ ଗାନ୍ଧିଙ୍କ ପ୍ରିୟ ପାତ୍ର। ଆମ ଜିଲ୍ଲା ନେତା। ସେ ଭଲ ଇଂରାଜୀ କୁହନ୍ତି। ପଇସା ବି ଅଛି। କିଛି ଅସୁବିଧା ନାହିଁ। ସେ ହେବା ଆବଶ୍ୟକ ବୋଲି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି। ମୁଁ ଆଦୌ ଦିଲ୍ଲୀ ଯାଉନି, ରେସ୍ରେ କେମିତି ରହିଲି ବୋଲି ତାରା ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି।
ତେବେ ସେ ଯାହା ହେଉ ତାରାଙ୍କ ଗୁହାରୀର ପ୍ରଭାବ କାରଣରୁ ହେଉ କି ହାଇକମାଣ୍ଡ ବହୁ ବ୍ୟସ୍ତତା ପରେ ଏବେ ଫୁରସତ୍ ପାଇବାରୁ ହେଉ, ହାଇକମାଣ୍ଡ ଓଡ଼ିଶାକୁ ନୂଆ ସଭାପତିଟିଏ ଦେଇ ପିସିସି କୁ ମୁରବୀବି଼ହୀନ ହେବାରୁ ରକ୍ଷା କରିଛନ୍ତି।
ଭକ୍ତଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ କରାଯାଇଥିବା ନେଇ ଏଆଇସିସି ପକ୍ଷରୁ ଦିଆଯାଇଛି ସୂଚନା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଭକ୍ତ ଦାସ ଜନତା ପାର୍ଟି ଟିକେଟରେ ୧୯୮୫ ମସିହାରେ ଭବାନୀପାଟଣା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟ୍ରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଆସନ ବିଜେପି କବଜାରେ ରହିଥିଲା। ୨୦୦୯ରେ ଭକ୍ତ ଚରଣ ଦାସ ତୃତୀୟ ଥର ପାଇଁ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେଥର ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ସେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କ ପୁଅ ସଂଗ୍ରାମ ଚରଣ ଦାସ ଭବାନୀପାଟଣା ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
୬୭ ବର୍ଷୀୟ ଶ୍ରୀ ଦାସଙ୍କୁ ଗତ ସାଧାରଣ ନିର୍ବାଚନବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ୨୦୨୪ ମାର୍ଚ୍ଚରେ ଦାୟିତ୍ୱ ମିଳିଥିଲା। ଅବଶ୍ୟ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ସେ ନୈତିକତା ଦୃଷ୍ଟିରୁ ଜୁନ୍ ୧୦ତାରିଖରେ ଇସ୍ତଫା ଦେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଶ୍ରୀ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ । ଶ୍ରୀ ଦାସଙ୍କ ନାଁ ଦୀର୍ଘଦିନ ଧରି ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିଲା ।
ପିସିସି ସଭାପତି ଦାୟୀତ୍ୱ ମିଳିବା ପରେ ଭକ୍ତ ଚରଣ ଦାସ କହିଛନ୍ତି ଯେ , ତରୁଣ ଓ ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ୱ ଦେଇଛନ୍ତି। ସବୁ ଦାୟିତ୍ଷ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।