


ଆଲେଖ୍ୟ – ଜବାହର ମିଶ୍ର
…………………………………………………………………… ଏଇ କେଇ ଦିନ ହେବ ଦିଲ୍ଲୀର ରାଜନୈତିକ କରିଡରରେ ବଡ
ଉତ୍ତପ୍ତ ହଲଚଲ୍ ଦେଖିବାକୁମିଳୁଛି। ବନ୍ଦ କୋଠରୀରେ ଭିତରେ
ସଂଘ ଏବଂ ବିଜେପି ନେତୃତ୍ଵଙ୍କ ମଧ୍ୟରେ ଚାଲିଥିବା ମାରାଥନ କବାଟକିଳା ବୈଠକଗୁଡ଼ିକ କେବଳ ବିରୋଧୀ ଦଳଙ୍କୁ ଅସ୍ଥିର କରିନାହିଁ, ବରଂ ଶାସକ ବିଜେପି ଦଳ ଭିତରେ ଅନେକ ସଂଶୟପୂର୍ଣ୍ଣ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି। ବାସ୍ତବରେ କଣ ଚାଲିଛି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ ତାଙ୍କର ଉତ୍ତରାଧିକାରୀ ଖୋଜୁଛନ୍ତି ? ନା ବିଜେପି ଏବଂ ଆରଏସଏସ ୨୦୨୯ ନିର୍ବାଚନରେ ଏକ ବଡ଼ ବାଜି ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି
? ଗୁଜବର ବଜାର
ସରଗରମ ଏବଂ ସୂତ୍ରମାନଙ୍କ ପାଖରେ ଉତ୍ତର ଅପେକ୍ଷା ଅଧିକ କଳ୍ପନାଜଳ୍ପନାର ଭଣ୍ଡାର ଅଛି।
ରାଜନୈତିକ ଚେସବୋର୍ଡରେ ନୂଆ ଖେଳ- କୁହାଯାଉଛି ଯେ ଏହି ରୁଦ୍ଧଦ୍ଵାର ବୈଠକଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟତ ଏବଂ ବିଜେପିରେ ନେତୃତ୍ୱ ପରିବର୍ତ୍ତନର ରଣନୀତି ନେଇ ଚାଲିଛି। କେତେକ ଲୋକ ଚୁପ୍ ଚାପ୍ ସ୍ୱରରେ କହୁଛନ୍ତି ଯେ ମୋଦି ହୁଏତ ଅବସର ଗ୍ରହଣ ଆଡକୁ ଯାଉଛନ୍ତି ଏବଂ ଦଳ ଏବେଠାରୁ ତାଙ୍କର ବିକଳ୍ପ ଚେହେରା ଖୋଜୁଛି। ଏପରି ସ୍ଥିତିରେ ଏହି କଥିତ ପ୍ରଧାନମନ୍ତ୍ରୀ ଦୌଡ଼ରେ ଦୁଇଟି ନାମ ଉପରେ ସବୁଠାରୁ ଅଧିକ ଆଲୋଚନା ହେଉଛି । ସେମାନେ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶାହାଙ୍କ ରଣନୈତିକ ବୁଦ୍ଧିମତା ଏବଂ କେନ୍ଦ୍ରୀୟ କ୍ଷମତା ଉପରେ ତାଙ୍କର ପକଡ୍ ତାଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ପଦ ଲାଗି ଜଣେ ଦୃଢ଼ ଦାବିଦାର ରୂପେ ଉପସ୍ଥାପିତ କରୁଛି। କିନ୍ତୁ ଯୋଗୀଙ୍କ ଜନାଦେଶ ରାଜନୀତି ଏବଂ ଆକ୍ରମଣାତ୍ମକ ହିନ୍ଦୁତ୍ଵବାଦୀ ଛବି ତାଙ୍କୁ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍ ପ୍ରିୟ କରିଛି।
କିନ୍ତୁ ରାଜନୀତି ଏତେ ସରଳ ନୁହେଁ। କ୍ଷମତା ପାଇଁ ଲୋଭ ଏବଂ ମହତ୍ୱାକାଂକ୍ଷା କେତେବେଳେ ସବୁଠାରୁ ବଡ଼ ବଡ ଯୋଜନାକୁ ମଧ୍ୟ ଓଲଟପାଲଟ କରିଦିଏ। ବିଜେପି ଏବଂ ଆରଏସଏସ ୨୦୦୪ ମସିହାର ଭୁଲକୁ ଏଥର ଦୋହରାଇବା ମନୋଭାବରେ ନାହାନ୍ତି, ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ପରେ ଲାଲକୃଷ୍ଣ ଆଡଭାନୀଙ୍କୁ ନେତୃତ୍ୱ ଦାୟୀତ୍ୱ ଦିଆଯାଇଥିଲା। କିନ୍ତୁ ୨୦୦୯ ମସିହାରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ବିଜେପିକୁ ଏକ ଅପ୍ରତ୍ୟାଶିତ ପରାଜୟ ଦେଇଥିଲା। ଜିନ୍ନାଙ୍କ ଉପରେ ଆଡଭାନୀଙ୍କ ବକ୍ତବ୍ୟ ଆଲୋଚନାରେ ଥାଇପାରେ, କିନ୍ତୁ ପ୍ରକୃତରେ ସେମାନଙ୍କର ଅଭାବ ଥିଲା ଲୋକଙ୍କ ସହିତ ଦଳକୁ ଯୋଡ଼ି ହୋଇପାରୁଥିବା ଆକର୍ଷଣୀୟ ନେତୃତ୍ୱର ଉପସ୍ଥାପନ କରିବା।
ଶାହ ନା ଯୋଗୀ – ପରବର୍ତ୍ତୀ ମୁହଁ କିଏ ହେବ? ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ବିଜେପିର ରଣନୀତି ସ୍ପଷ୍ଟ – ତାହା ହେଉଛି ଉତ୍ତରାଧିକାରୀଙ୍କୁ ପୂର୍ବରୁ ପ୍ରସ୍ତୁତ କରିରଖିବା। ଅମିତ ଶାହଙ୍କ ସାଂଗଠନିକ ଦକ୍ଷତା ଏବଂ ମୋଦିଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ତାଙ୍କୁ ଏକ ସ୍ୱାଭାବିକ ଦାବିଦାର କରିଥାଏ। ଶାହଙ୍କ ଶରୀର ଭାଷା ମଧ୍ୟ ସୂଚାଇ ଦେଉଛି ଯେ ତାଙ୍କୁ ଏକ ବଡ଼ ଭୂମିକା ପାଇଁ ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥଙ୍କ ନାମ ୟୁପିରେ ତାଙ୍କର କ୍ରମାଗତ ତୃତୀୟ କାର୍ଯ୍ୟକାଳ ପରେ କେନ୍ଦ୍ରକୁ ଆସିବାର ସମ୍ଭାବନାକୁ ଦୃଢ଼ କରୁଛି। ବିଶେଷ କରି ହିନ୍ଦୁତ୍ୱ ଏବଂ ଆଇନ ଶୃଙ୍ଖଳା ରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ତାଙ୍କୁ ଏକ ଦୃଢ ଦାବିଦାର କରିଥାଏ।
କିନ୍ତୁ ସବୁକିଛି ଏତେ ସହଜ ହେବ କି? କ୍ଷମତା ଲଢେ଼ଇ ଏବଂ ଦଳରେ ଗୋଷ୍ଠୀବାଦ ଯେକୌଣସି ରଣନୀତିକୁ ଭଣ୍ଡୁର କରିପାରେ। ମୋଦି ନିଜେ ଜଣେ ମହାନ ରଣନୀତିଜ୍ଞ । ଏହି କାରଣରୁ ସେ ଆଡଭାନୀଙ୍କ ପରି ତାଙ୍କ ଉତ୍ତରାଧିକାରୀଙ୍କୁ ଅନିଶ୍ଚିତତା ଭିତରେ ଛାଡ଼ିବା ଚାହାଁନ୍ତି ନାହିଁ। ଏପରି କଳ୍ପନାଜଳ୍ପନା ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଭବିଷ୍ୟତରେ ସରକାର ମୁଖ୍ୟରୁ ରାଷ୍ଟ୍ର ମୁଖ୍ୟ ଭଳି ଭୂମିକା ଗ୍ରହଣ କରିପାରନ୍ତି, ଯେଉଁଠାରୁ ସେ ଦଳ ଏବଂ ସରକାରଙ୍କୁ ମାର୍ଗଦର୍ଶକ ଭାବରେ ଦିଗଦର୍ଶନ ଦେବେ। ତେବେ ସେ ଯାହା ହେଉ ଏହା ପ୍ରାୟ ନିଶ୍ଚିତ ଯେ ୨୦୨୯ ଲୋକସଭା ନିର୍ବାଚନ ମଧ୍ୟ ମୋଦିଙ୍କ ନେତୃତ୍ଵରେ ଲଢ଼ାଯିବ।
୨୦୪୭ର ଦୃଷ୍ଟିକୋଣ ଏବଂ ଆରଏସଏସର ଦୀର୍ଘକାଳୀନ ଚିନ୍ତାଧାରା – ଏହି ମାରାଥନ ବୈଠକଗୁଡ଼ିକ କେବଳ ନେତୃତ୍ୱ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ। ବିଜେପି ଏବଂ ଆରଏସଏସ ୨୦୪୭ ର ଆଗାମୀ ଦୃଶ୍ୟପଟ ଉପରେ ଏବେଠାରୁ କାମ କରୁଛନ୍ତି, ଯେଉଁଥିରେ ଭାରତକୁ ଏକ ବିଶ୍ୱ ମହାଶକ୍ତି କରିବାର ସ୍ୱପ୍ନ ଅନ୍ତର୍ଭୁକ୍ତ। ଏଥିପାଇଁ ଏପରି ନେତୃତ୍ୱ ଆବଶ୍ୟକ, ଯିଏ କେନ୍ଦ୍ରରେ ବିଜେପିକୁ ଅପରାଜେୟ ରଖିବ ଏବଂ ବିରୋଧୀଙ୍କୁ ମୁଣ୍ଡ ଟେକିବାକୁ କୌଣସି ସୁଯୋଗ ଦେବନାହିଁ। ଆରଏସଏସର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଏବଂ ବିଜେପିର ଯୋଜନା ଏହି ରଣନୀତିର ଅଂଶବିଶେଷ।
ମୋଦି ଜାଣନ୍ତି ଯେ କ୍ଷମତାକୁ ଆସିବା ଯେତେ କଷ୍ଟକର, ତାହାକୁ ବଜାୟ ରଖିବା ତାହା ଠାରୁ ଆହୁରି ଅଧିକ କଷ୍ଟକର। ସେଥିପାଇଁ ସେ କେବଳ ବିରୋଧୀ ଦଳ ନୁହେଁ, ବରଂ ତାଙ୍କ ନିଜ ଦଳ ଭିତରେ ମଧ୍ୟ ଏପରି ଏକ ବ୍ୟବସ୍ଥା ଚାହାଁନ୍ତି, ଯାହା ଦ୍ଵାରା ନେତୃତ୍ୱ ପରିବର୍ତ୍ତନ ପରେ ମଧ୍ୟ ବିଜେପିର ପ୍ରାଧାନ୍ୟ ବଜାୟ ରହିବ।
ଏହି ପ୍ରଶ୍ନଗୁଡ଼ିକର ଉତ୍ତର କିଏ ଦେବ?-
ଯକ୍ଷ ପ୍ରଶ୍ନ ହେଉଛି ଯେ “ମୋଦୀଙ୍କ ପରେ କିଏ?” ଏହି ପ୍ରଶ୍ନ ଆଜି ପ୍ରତ୍ୟେକ ରାଜନୈତିକ କରିଡରରେ ପ୍ରତିଧ୍ୱନିତ ହେଉଛି। କିନ୍ତୁ ବିଜେପି ଏବଂ ଆରଏସଏସ ଯେଉଁ ପ୍ରକାରର ରଣନୀତିରେ ଚାଲିଛନ୍ତି, ସେଥିରୁ ଜଣାପଡୁଛି ଯେ ଏହି ପ୍ରଶ୍ନ ଖୁବ୍ ଶୀଘ୍ର ଅନାବଶ୍ୟକ ହୋଇଯିବ। ମୋଦିଙ୍କ ଉତ୍ତରାଧିକାରୀ ଏପରି ଜଣେ ଚେହେରା ହେବେ, ଯାହାକୁ ଜନସାଧାରଣ ଏବଂ ସଂଗଠନ ଉଭୟ ଗ୍ରହଣ କରିବେ। ଯଦି ମୋଦି ନିଜେ ରାଷ୍ଟ୍ରପତି ହୁଅନ୍ତି ଏବଂ ମାର୍ଗଦର୍ଶକ ଭୂମିକାରେ ଆସନ୍ତି, ତେବେ ଏହି ପ୍ରଶ୍ନ ପଚାରିବାର କୌଣସି ଆବଶ୍ୟକତା ରହିବ ନାହିଁ।
ରାଜନୀତିର ଏହି ପଶା ଖେଳରେ ପରବର୍ତ୍ତୀ ଚାଲ କିଏ ଖେଳିବ? ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ହେବ କି, ନା ଦୁହେଁ ମିଶି ବିଜେପିକୁ ନୂତନ ଶିଖରରେ ପହଞ୍ଚାଇବେ? କେବଳ ସମୟ ହିଁ ଏହାର ଉତ୍ତର ଦେବ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଦିଲ୍ଲୀରେ ଏହି ମାରାଥନ ବୈଠକଗୁଡ଼ିକ ରାଜନୈତିକ ତାପମାତ୍ରାକୁ ଶୀର୍ଷରେ ପହଞ୍ଚାଇ ଦେଇଛି।