

ବୋତଲରୁ ଜିନ୍ ବାହାରିଲା ପରି ଦୁଇ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଏବେ ବଡ ଚାଞ୍ଚଲ୍ୟକର ଆକାରରେ ଆତ୍ମପ୍ରକାଶ କରି ରାଜ୍ୟ ରାଜନୀତିକୁ ଉଚ୍ଛନ୍ନ କରି ଉଠେଇଲାଣି ପକାଇଲାଣି।ଝିଅ ଦୀପାଳୀ ଦାସ ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇର ତଦନ୍ତ ଦାବିର ଏବେ ଏବେ ଯେଉଁ ସଦ୍ୟ ହାବେଳୀ ବାଣ ଛାଡିଦେଲେ, ତାହା ରାଜ୍ୟର ରାଜନୈତିକ ଆକାଶକୁ ଝାଇଁ ଝାଇଁ କରି ଆଖି ଝଲସାଇଦେଲାଣି। ଏହି ହାବେଳୀର ଆଖି ଝଲସା ଦୃଶ୍ୟରେ ଆକର୍ଷିତ ହୋଇ ରାଜନୈତିକ ଦଳ ଆଉ ରାଜନେତାମାନେ ଗୋଟିଏ ପରେ ଗୋଟିଏ ବୟାନର ଚାଇନା ବମ୍ ଫୁଟାଇବା ସାମ୍ପ୍ରତିକ ପରିଦୃଶ୍ୟକୁ ଆହୁରି ଉତ୍ତେଜକ କରିଦେଇଛି।
ପ୍ରଥମେ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ପରେ ଅଭିଯୁକ୍ତ ଏ,ଏସ୍,ଆଇ,ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଥିଲେ ବିସ୍ଫୋରକ ବୟାନ । ସେ କହିଥିଲେ ଯେ ନବ ଦାସଙ୍କୁ ହତ୍ୟା କରିନାହାନ୍ତି ଗୋପାଳ ଦାସ । ଗୋପାଳ କେବଳ ଶୂନ୍ୟକୁ ଫାୟାର୍ କରିଥିଲେ। ଅନ୍ୟ କେହି ନବ ଦାସଙ୍କ ଉପରକୁ ଗୁଳି ଚଳାଇଥାଇପାରନ୍ତି । ଓକିଲ ନରେଶ ନାୟକଙ୍କ ଏହି ” ଅନ୍ୟ କେହି” ବାକ୍ୟଟି ସମସ୍ତ ବିବାଦୀୟ କେଁ’ କୁ ଜନ୍ମ ଦେଇ ପରିବେଶକୁ ଉତ୍ତେଜକ କରିଦେଲା। ଏହା ପରେ ପରେ ବାକି ଉତ୍ତାପ ଛାଡିଦଲା ରାଜ୍ୟ ଫରେନ୍ସିକ ଲାବୋରେଟରୀର ଚାଞ୍ଚଲ୍ୟକର ରିପୋର୍ଟ। ଏହି ରିପୋର୍ଟ କହିଲା ଯେ ନବ ଦାସଙ୍କୁ ଗୋଟିଏ ନୁହେଁ, ଏକାଧିକ ବନ୍ଧୁକରୁ ଗୁଳି କରାଯାଇଥିଲା। ବାସ୍ ଏତିକିରେ ମାମଲା ପୁରା ହିଟ୍ ହୋଇଗଲା ଆଉ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଲା। ଏବେ ବିଜେପି ବିଧାୟକ ଏବଂ ସାଂସଦ ବିସ୍ଫୋରକ ବୟାନ ଦେଉଛନ୍ତି । ସେପଟୁ ବିଜେଡି ନେତାମାନେ ପାଲଟା ଆକ୍ରମଣ କରୁଛନ୍ତି। କଂଗ୍ରେସ ମଧ୍ୟ ଚୁପ୍ ବସିନାହିଁ। ଏହାର ନେତାମାନେ ମଧ୍ୟ ଗୋଟିଏ ଗୋଟିଏ ବିସ୍ଫୋରକ ବୟାନ ଦେଇ ରାଜନୈତିକ ଉତ୍ତାପ ବୃଦ୍ଧି ଅବ୍ୟାହତ ରଖିଛନ୍ତି।
ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡି ଆଉ ବିଜେପି ମଧ୍ୟରେ ଜୋର ହୋଇଛି ବୟାନବାଜି। ଏହାରି ଭିତରେ ନାଁ ନନେଇ ପୂର୍ବ ସରକାର ସମୟର ପାୱାରଫୁଲ ନେତାଙ୍କୁ ଟାଣିଛନ୍ତି ବିଜେପି ସାଂସଦ।
ମାତ୍ର ଦୁଇ ଦିନ ବ୍ୟବଧାନରେ ଦୀପାଳି ଦୁଇ ଦୁଇ ଥର ସିବିଆଇ ତଦନ୍ତ ଦାବି କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି। ମୋହନ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ଦୀପାଳି କହିଛନ୍ତି ଯେ, ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା, ଏବେ ସେମାନେ ସରକାରରେ ଅଛନ୍ତି, ଏଣୁ ତଦନ୍ତ ପାଇଁ ସୁପାରିଶ କରନ୍ତୁ। ଆଗକୁ ଲିଖିତ ଆକାରରେ ଜଣାଇବୁ ବୋଲି ସେ ଆହୁରି କହିଛନ୍ତି । ଏଥିସହ ସତ୍ୟ ଉନ୍ମୋଚନ ପାଇଁ ବିଜେପିର ଆନ୍ତରିକତା ନେଇ ମଧ୍ୟ ଦିପାଳୀ ପ୍ରଶ୍ନ ଉଠାଇଛନ୍ତି ।
ଦୀପାଳିଙ୍କ ଏଭଳି ଦାବି ପୂର୍ବର ନବୀନ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲାବେଳେ ଏବେ ମୋହନ ସରକାରକୁ ଅକଳରେ ପକାଇଛି। ମୋହନ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସିବିଆଇ ତଦନ୍ତ ଦାବି ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରଗଡ ବିଜେପି ସାଂସଦ ପ୍ରଦୀପ ପୁରୋହିତ। କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ ସେ ହିଁ ହତ୍ୟାକାରୀ । ତଦନ୍ତ କରି ମୁଖ୍ୟ ଖଳନାୟକଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି । ନବଙ୍କ ହତ୍ୟାକାଣ୍ଡରେ ଗୋପାଳକୁ ମୋହରା ବନାଯାଇଛି। ତାଙ୍କର ଏପରି ବିସ୍ଫୋରକ ବୟାନ ଗୋଟିଏ ଲକ୍ଷ୍ୟ ଉପରକୁ କେନ୍ଦ୍ରିତ ହୋଇଯାଇଛି । ଏଥିସହ ପୂର୍ବରୁ ଦୀପାଳୀ ଦାସ ଚୁପ ରହିବାକୁ ଦୁର୍ଭାଗ୍ୟଜନକ ବୋଲି ପୁରୋହିତ କହିଛନ୍ତି। ଜବାବରେ ପାଲଟା ଟାର୍ଗେଟ କରିବା ସହ ସିବିଆଇ ତଦନ୍ତ ପାଇଁ ଆହ୍ବାନ ଦେଇଛି ବିଜେଡି। ସାହାସ ଥିଲେ ବିଜେପି ସିବିଆଇ ତଦନ୍ତ କରୁ ବୋଲି କହିଛି ବିଜେଡି।
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ଚାଞ୍ଚଲ୍ୟକର ଖୁଲାସା ହେଉଛି । ନବ ଦାସଙ୍କୁ କିଏ ମାରିଲା? ଷଡ଼ଯନ୍ତ୍ର ହୋଇଛି କି? ଏନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଦେଇଛନ୍ତି ବିସ୍ଫୋରକ ବୟାନ । ନରସିଂହ କହିଛନ୍ତି, ମୋତେ ଲାଗୁଛି ନବ ଦାସଙ୍କ ହତ୍ୟା ପଛରେ ବହୁତ ନେତା ସମ୍ପୃକ୍ତ ଅଛନ୍ତି ।
ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଜଣେ ଆଇପିଏସ୍ ଅଧିକାରୀଙ୍କ ହାତ ଥିବା ସେ ପ୍ରକାଶ କରିଛନ୍ତି।
ତେବେ ସେ ଯାହା ହେଉ,ଦୀପାଳିଙ୍କ ଏଭଳି ଦାବି ପୂର୍ବର ନବୀନ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲାବେଳେ ଏବେ ମୋହନ ସରକାରକୁ ଅକଳରେ ପକାଇଛି। ମୋହନ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ବଢୁଛି। କିନ୍ତୁ ଏହି ମାମଲା କୋର୍ଟରେ ବିଚାରାଧିନ ଥିବାରୁ ରାଜ୍ୟ ସରକାର, କେବେ ଓ କେମିତି ସିବିଆଇ ତଦନ୍ତ ପାଇଁ ସୁପାରିଶ କରୁଛନ୍ତି ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ।