


୨୦୩୫ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥନୀତି ହେବ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଲକ୍ଷ୍ୟ ରହିଛି। ହେଲେ ଦେଶ ବିକାଶରେ ଯେଉଁମାନେ ପ୍ରମୁଖ ଭୂମିକା ନିର୍ବାହ କରିବେ ସେମାନଙ୍କ ଅବସ୍ଥା ଶୋଚନୀୟ। ସେମାନେ ହେଉଛନ୍ତି ଦେଶର ୱାର୍କଫୋର୍ସ ବା ଶ୍ରମ ବଳ । ଯଦି ସୂକ୍ଷ୍ମତାର ସହିତ ନିରୀକ୍ଷଣ କରାଯାଏ , ତେବେ ଜଣାଯିବ ଯେ ଦେଶର ଶ୍ରମବଳ ବର୍ତ୍ତମାନ ଅତ୍ୟନ୍ତ ଦୁର୍ବଳ।
ଚାକିରୀ ନାହିଁ କି ସାମାଜିକ – ଆର୍ଥିକ ସୁରକ୍ଷା ନାହିଁ। ଏମିତିରେ ବିକଶିତ ଭାରତର ସ୍ୱପ୍ନ ଆକାଶ କଇଁଆ ପରି ମନେ ହେଉଛି। ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ସ୍କୁଲ , କଲେଜ୍ ତ ଯାଉଛନ୍ତି, ହେଲେ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରୁ ନାହିଁ। ଦେଶର ଗ୍ରାମାଞ୍ଚଳରେ ୪୦ ପ୍ରତିଶତ ଯୁବକଙ୍କ ପାଖରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାମ କରିବାଲାଗି ଆବଶ୍ୟକ ଦକ୍ଷତାର ଅଭାବ ରହିଛି। ଏକ ସର୍ଭେ ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।
ଭାରତର ଆଇଟି, ବିଜନେସ୍ ପ୍ରୋସେସ୍ ମ୍ୟାନେଜ୍ମେଣ୍ଟ ଓ ବ୍ୟାଙ୍କିଙ୍ଗ, ଫାଇନାନ୍ସିଆଲ ସର୍ଭିସ୍ ଓ ଇନ୍ସୁରାନ୍ସ ଏବଂ ସ୍ୱାସ୍ଥ୍ୟ ସେବା ଭଳି ବିକାଶଶୀଳ ଉଦ୍ୟୋଗରେ ରହିଛି କୁଶଳୀ ୱାର୍କ ଫୋର୍ସର ଅଭାବ। କାରଣ ଏସବୁ କ୍ଷେତ୍ରରେ ଏବେ ଅତ୍ୟଧିକ କୁଶଳୀ ୱାର୍କଫୋର୍ସ ପ୍ରସ୍ତୁତ କରିବାରେ ବଡ଼ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ଏହା ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ବି ରହିଛି । ତେଣୁ ଏହା ଭାରତକୁ ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥନୀତି ହେବାର ଲକ୍ଷ୍ୟ ପଥରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ନିକଟରେ ହୋଇଥିବା ଏକ ସର୍ଭେରେ ହୋଇଛି ଏଭଳି ଖୁଲାସା ।
ଭାରତୀୟ ଗ୍ରାମାଞ୍ଚଳ ଯୁବକଙ୍କ ପ୍ରତିଭା ଏବଂ ସେମାନଙ୍କ ପାଇଁ ଚାକିରୀର ପ୍ରାଥମିକତା କ'ଣ ରହିଛି , ତାହା ଜାଣିବା ପାଇଁ ଭର୍ଟେକ୍ସ ଗ୍ଲୋବାଲ ସର୍ଭେ ସଂସ୍ଥା ଏକ ସର୍ଭେ କରିଥିଲା। ଯେଉଁଥିରୁ ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ ଅଧିକ ଯୁବକଙ୍କ ପାଖରେ ଭୋକେସନାଲ ଟ୍ରେନିଙ୍ଗ ବା ବ୍ୟବସାୟିକ ପ୍ରଶିକ୍ଷଣ, କୌଶଳ ବିକାଶ ଏବଂ ଭାଷାଗତ ଦକ୍ଷତାର ଅଭାବ ରହିଛି ବୋଲି ଜଣାପଡ଼ିଛି। ଫଳରେ ସେମାନେ ଆଇଟି, ଆଇଟି-ବିପିଏମ, ବିଏଫଏଆଇ ଏବଂ ସ୍ୱାସ୍ଥ୍ୟ ସେବା ଭଳି କ୍ଷେତ୍ରରେ ଭଲ ଚାକିରୀ ପାଇ ପାରୁନାହାଁନ୍ତି। ଯାହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏସବୁ କ୍ଷେତ୍ରରେ କୁଶଳୀ ୱାର୍କଫୋର୍ସ ସୃଷ୍ଟି କରିବାରେ ବାଧକ ସାଜୁଛି । ସର୍ଭେରେ କୁଶଳୀ ୱାର୍କଫୋର୍ସ ସୃଷ୍ଟି କରିବା କ୍ଷେତ୍ରରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି, ସେକଥା ଏଥିରେ କୁହାଯାଇଛି। ସେଥିରୁ ଗୋଟିଏ ହେଉଛି ଭାଷାରେ ନିପୁଣତାର ଅଭାବ। ଯାହା ବିଶେଷ କରି ଗ୍ରାମାଞ୍ଚଳର ଯୁବକଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରୁଛି। କାରଣ ଏସବୁ କ୍ଷେତ୍ରରେ ଭଲ ରୋଜଗାର ଅବସର ବା ଚାକିରୀ ପାଇଁ ଭଲ କମ୍ୟୁନିକେସନ ସ୍କି
ଲ୍ ର ତଥା ଯୋଗାଯୋଗ ନୈପୁଣ୍ୟର ଆବଶ୍ୟକତା ରହିଛି। ହେଲେ ଗ୍ରାମାଞ୍ଚଳରେ ଯୁବକଙ୍କ ଠାରେ ତାହାର ଅଭାବ ରହିଥିବାରୁ, ସେମାନଙ୍କୁ ଏହିସବୁ କ୍ଷେତ୍ରରେ ଭଲ ଚାକିରୀଟିଏ ମିଳିବା ଖୁବ୍ କଷ୍ଟକର ହୋଇପଡ଼ୁଛି।
ଉକ୍ତ ସର୍ଭେରେ ଆହୁରି କୁହାଯାଇଛି ଯେ ଭାରତର ଗ୍ରାମାଞ୍ଚଳରେ ହେଉଥିବା କାମ ବା ଏଠାକାର ୱାର୍କଫୋର୍ସ ମୁଖ୍ୟତଃ ଅନୌପଚାରିକ। ମାନେ ଏଠାରେ ଚାକିରୀର କୌଣସି ସାମାଜିକ, ଆଇନଗତ ସୁରକ୍ଷା ନାହିଁ କି କୌଣସି ସ୍ଥାୟୀତ୍ୱ ନାହିଁ। ଏଭଳି ସ୍ଥିତି କେବଳ ଗ୍ରାମାଞ୍ଚଳରେ ନୁହେଁ, ସହରାଞ୍ଚଳରେ ବି ରହିଛି। ତେବେ ଗ୍ରାମାଞ୍ଚଳରେ ଏହା ଅଧିକ ମାତ୍ରାରେ ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାର୍ଥକ୍ୟ କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଇଛି। ଏହି ସର୍ଭେରେ ଭାଗ ନେଇଥିବା ୩୩% ନିଜ ଅଞ୍ଚଳରେ ଥିବା ସୀମିତ ରୋଜଗାର ଅବସର କଥା ସାମ୍ନାକୁ ଆଣିଛନ୍ତି। ସେମାନେ କୁହନ୍ତି ଯେ ଉତ୍ତମ ପ୍ରଶିକ୍ଷଣ ଏବଂ ଉଦ୍ୟୋଗ ବିଷୟରେ ଅଧିକ ଶିଖିବା ତଥା ଅଧିକ ଦରମା ଥିବା ଚାକିରୀ ଆଶାରେ ଗାଁ ଛାଡ଼ି ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ୨୭% ଲୋକ ଆର୍ଥିକ ସ୍ଥିତି କାରଣରୁ ଭଲ ଚାକିରୀ ମିଳୁନଥିବା କଥା କହିଛନ୍ତି।
ସେମାନେ କହିଛନ୍ତି ଯେ ଟଙ୍କା ଅଭାବରୁ ସେମାନେ ଉପଯୁକ୍ତ ଟ୍ରେନିଙ୍ଗ ନେଇ ପାରୁନାହାଁନ୍ତି। ଫଳରେ ଅଧିକ ଦରମା ମିଳୁଥିବା ଚାକିରୀ ସେମାନେ ପାଇପାରୁନାହାଁନ୍ତି। ଭଲ ଟ୍ରେନିଂ ପାଇଁ ସହରକୁ ଯିବାକୁ ପଡ଼ୁଛି, କିନ୍ତୁ ସେଥିପାଇଁ ପାଇଁ ମଧ୍ୟ ଟଙ୍କାର ଅଭାବ ରହୁଛି। ଶିକ୍ଷାଗତ ଯୋଗ୍ୟତା ଥିଲେ ବି ଆର୍ଥିକ ପରିସ୍ଥିତି କାରଣରୁ ସହର ଯାଇ ଭଲ ଚାକିରୀ କରିବା କଷ୍ଟକର ହେଉଛି। ଏହି ବାଧାକୁ ଦୂର କଲେ ସେମାନଙ୍କ କ୍ୟାରିୟରର ଆଗକୁ ବଢ଼ନ୍ତା ତଥା ଆର୍ଥିକ ସ୍ଥିତିରେ ସୁଦୃଢ ହୋଇପାରନ୍ତା। ତେଣୁ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବାକୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।
ଭର୍ଟେକ୍ସ ଗ୍ଲୋବାଲ ସର୍ଭିସେଜର ସଂସ୍ଥାପକ ସିଇଓ ଗଗନ ଅରୋରା କହିଛନ୍ତି ଯେ ''ସରକାର କୌଶଳ ଭାରତ ମିଶନ ଏବଂ ଜନ ଶିକ୍ଷଣ ସଂସ୍ଥାନ (ଜେଏସଏସ) ଯୋଜନା ଅନ୍ତର୍ଗତ, 'ପ୍ରଧାନମନ୍ତ୍ରୀ କୌଶଳ ବିକଳଳଳଳଳଳ୍ମଳ)' ଭଳି ବିଭିନ୍ନ ପଦକ୍ଷେପ ନେଇ ଉଲ୍ଲେଖନୀୟ କାମ କରୁଛନ୍ତି।' ହେଲେ ଭାଷାରେ ନିପୁଣତା ବା ଲାଙ୍ଗୁଏଜ୍ ପ୍ରୋଫିସିଏନ୍ସି ଏବଂ ଭୋକେସନାଲ ଟ୍ରେନିଂ (ବ୍ୟବସାୟିକ ପ୍ରଶିକ୍ଷଣ)ର ଅଭାବ ଏବେବି ଏକ ବଡ଼ ବାଧା ଭାବରେ ରହିଛି।" ଏଥିପାଇଁ ଷ୍ଟେକ ହୋଲ୍ଡରମାନଙ୍କୁ ସରକାରଙ୍କ ଦ୍ବାରା ନିଆଯାଉଥିବା ଏହି ପଦକ୍ଷେପର ଲାଭ ଉଠାଇବା ଦରକାର। ପବ୍ଲିକ-ପ୍ରାଇଭେଟ-ପାର୍ଟନରସିପ୍ ବା ପିପିପି ମୋଡରେ ବ୍ୟବସାୟିକ ପ୍ରଶିକ୍ଷଣରେ ସୁଧାର, ଭାଷା କୌଶଳକୁ ବଢ଼ାଇବା ଉପରେ ଧ୍ୟାନ ଦେବା ଦରକାର । ଯେମିତି ଏସବୁ କ୍ଷେତ୍ରରେ ଥିବା ଆହ୍ବାନର ସମାଧାନ କରିହେବ। ଫଳରେ ଦେଶରେ ଗଢ଼ି ଉଠୁଥିବା ନୂଆ ଉଦ୍ୟୋଗଙ୍କ ପାଇଁ ଅଧିକ କୁଶଳ ଏବଂ ମଜଭୁତ ୱାର୍କଫୋର୍ସ ତିଆରି କରିହେବ । ଆଉ ଦେଶ ବିକାଶ ଆଡ଼କୁ ଅଧିକ ଦ୍ରୁତ ଭାବରେ ଅଗ୍ରସର ହେବ।
ଏହି ସର୍ଭେ ୫ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶକୁ ନେଇ କରାଯାଇଥିଲା। ଯେଉଁଥିରେ ପ୍ରାୟ ୧୨୦୦ ଯୁବକ ଏବଂ ଚାକିରିଆ ଭାଗ ନେଇଥିଲେ । ସର୍ଭେରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ସ୍ପଷ୍ଟ ଚିତ୍ର ମିଳିଛି । ଏହା ସହ ସର୍ଭେରେ ଗ୍ରାମାଞ୍ଚଳରେ କୌଶଳ, ପ୍ରଶିକ୍ଷଣ ଏବଂ ରୋଜଗାର ଅବସର ବଢ଼ାଇବା ପାଇଁ କରାଯାଉଥିବା ଯୋଜନା ଏବଂ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ଦେଶକୁ ତୃତୀୟ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଭାବରେ ସ୍ଥାପନ କରିବା ପାଇଁ ପ୍ରମୁଖ ଉଦ୍ୟୋଗଗୁଡିକରେ ପ୍ରତିଭା ଏବଂ କୌଶଳ ପ୍ରକ୍ରିୟାରେ ଥିବା ଅଭାବକୁ ତୁରନ୍ତ ଦୂର କରିବାର ଆବଶ୍ୟକତା ରହିଛି। ଗାମାଞ୍ଚଳ-ସହରାଞ୍ଚଳ ପାର୍ଥକ୍ୟକୁ କମ୍ କରିବା ପାଇଁ ରୋଜଗାର ସୁଯୋଗକୁ ପ୍ରୋତ୍ସାହନ ଦେବା ଏବଂ ସରକାରଙ୍କ ବିକଶିତ ଭାରତ ୨୦୪୭ ଭିଜନ ସାର୍ଥକ କରିବା ପାଇଁ ଆଗାମୀ ୩-୫ ବର୍ଷରେ ଭାରତର ଟିୟର-୨ ଏବଂ ଟିୟର-୩ ସହରରୁ ୪ ହଜାର ଭାଷା ବିଶେଷଜ୍ଞଙ୍କୁ ନିଯୁକ୍ତ କରିବା କଥା କୁହାଯାଇଛି।
ଏହା ହୋଇପାରିଲେ ଭାରତ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇପାରିବ