
ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଭାରତ ଏକ ଅନନ୍ୟ ଅର୍ଥନୈତିକ ବିରୋଧାଭାସର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଏହା ବିକାଶ ଏବଂ ପ୍ରଗତିରେ ନୂତନ ଉଚ୍ଚତା ଆରୋହଣ କରୁଛି, ଅନ୍ୟପଟେ ଦେଶର ସମ୍ପତ୍ତିର ଏକ ବଡ଼ ଅଂଶ କିଛି ବଛା ବଛା ପରିବାରଙ୍କ ହାତରେ କେନ୍ଦ୍ରିତ ହେଉଛି। ହୁରୁନ୍ ଇଣ୍ଡିଆ ଏବଂ ବାର୍କଲେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ “ମୋଷ୍ଟ ଭାଲ୍ୟୁଏବଲ୍ ଫ୍ୟାମିଲି ବିଜିନେସ୍ ଲିଷ୍ଟ” ପୁଣି ଥରେ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି।
ପ୍ରତିଦିନ ୭ ହଜାର ୧ ଶହ କୋଟି ଟଙ୍କା ରୋଜଗାର କରୁଥିବା ଦେଶର ୩୦୦ ପରିବାରର କାହାଣୀ-
ଏହି ରିପୋର୍ଟ ଅନୁଯାୟୀ, ଭାରତରେ ମାତ୍ର ୩୦୦ ଧନୀ ପରିବାରଙ୍କ ପାଖରେ ୧ଶହ ୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଛି। ଏହି ପରିମାଣ ଭାରତର ମୋଟ ଜି,ଡି,ପି,ର ୪୦% ରୁ ଅଧିକ। ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ, କାରଣ ଏହା ଦର୍ଶାଉଛି ଯେ ଦେଶର ଅଧା ସମ୍ପତ୍ତି କିଛି ଶହ ପରିବାରଙ୍କ ହାତରେ କେନ୍ଦ୍ରିତ, ଯେତେବେଳେ କି କୋଟି କୋଟି ଲୋକ ଏବେ ବି ସେମାନଙ୍କ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ପରିବାରଗୁଡ଼ିକ ଗତ ଗୋଟିଏ ବର୍ଷରେ ପ୍ରତିଦିନ ୭,୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି। ଏହି ଗତି ଅଭୂତପୂର୍ବ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତାକୁ ସୂଚିତ କରେ।
ଅମ୍ବାନୀ ବନାମ ଆଦାନୀ
ଭାରତର ସବୁଠାରୁ ଧନୀ ପରିବାରର କଥା ଆସିଲେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ନାମ ପ୍ରଥମେ ଆସିଥାଏ। ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ପରିବାରର ମୋଟ ସମ୍ପତ୍ତି ୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ, ଯାହା ତାଙ୍କୁ ଏହି ତାଲିକାର ଶୀର୍ଷରେ ରଖିଛି। ସେହି ସମୟରେ, ଆଦାନୀ ପରିବାରର ମୋଟ ସମ୍ପତ୍ତି ୧୪ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏହି ଦୁଇ ଦିଗ୍ଗଜ ବ୍ୟକ୍ତିଙ୍କ ସମ୍ପତ୍ତିରେ ପ୍ରାୟ ଦୁଇଗୁଣ ପାର୍ଥକ୍ୟ ଅଛି। କେବଳ ଅମ୍ବାନୀ ପରିବାରର ସମ୍ପତ୍ତି ଭାରତର ଜିଡିପି ର ୧୨%, ଯାହା ସ୍ପଷ୍ଟ ଭାବରେ ସେମାନଙ୍କର ଆର୍ଥିକ ପ୍ରାଧାନ୍ୟତାକୁ ଦର୍ଶାଏ।
ରିପୋର୍ଟରେ ପ୍ରକାଶିତ ଆଉ ଏକ ଆକର୍ଷଣୀୟ ତଥ୍ୟ ହେଉଛି ଯେ ୧ ବିଲିୟନ ଡଲାର (ପ୍ରାୟ ୮,୭୦୦ କୋଟି ଟଙ୍କା)ରୁ ଅଧିକ ସମ୍ପତ୍ତି ଥିବା ପରିବାରଙ୍କ ସଂଖ୍ୟା ଗୋଟିଏ ବର୍ଷ ମଧ୍ୟରେ ଚାରି ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ୩୭ ରୁ ୧୬୧ ହୋଇଛି। ଏହି ସଂଖ୍ୟା କେବଳ ସମ୍ପତ୍ତିର କେନ୍ଦ୍ରୀକରଣ ନୁହେଁ ବରଂ ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧିକୁ ମଧ୍ୟ ପ୍ରତିଫଳିତ କରେ।
ଏହି ରିପୋର୍ଟ ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ଉପସ୍ଥାପନ କରେ। ଏହା ସଫଳତାର କାହାଣୀଗୁଡ଼ିକୁ ଉଜାଗର କରେ, କିନ୍ତୁ ସମାଜରେ ଥିଲାବାଲା ଆଉ ନଥିଲାବାଲାଙ୍କ ମଧ୍ୟରେ ବଢ଼ୁଥିବା ବ୍ୟବଧାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଏ। ଏହି ଚ୍ୟାଲେଞ୍ଜ କେବଳ ସଂଖ୍ୟା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ସମାଜର ପ୍ରତ୍ୟେକ ବର୍ଗକୁ ସିଧାସଳଖ ପ୍ରଭାବିତ କରେ। ଏହି ମୁଷ୍ଟିମେୟ ପରିବାରଗୁଡ଼ିକର ଉତ୍ଥାନ ଭାରତର ଆର୍ଥିକ ଶକ୍ତିର ପ୍ରତୀକ, କିନ୍ତୁ ସେହି ସମୟରେ ଏହା ନିଶ୍ଚିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଅଭିବୃଦ୍ଧିର ଲାଭ ସମସ୍ତଙ୍କ ପାଖରେ ପହଞ୍ଚୁ ଏବଂ ଏହା ଏକ ସମାବେଶୀ ବିକାଶ ହେଉ।