
ଦଳର ଭବିଷ୍ୟତ ନେଇ ବିଜେଡିର ବରିଷ୍ଠ ନେତାମାନେ ପ୍ରମାଦ ଗଣିଲେଣି। ଦଳ ପରିଚାଳନା ପ୍ରତି ନବୀନଙ୍କ ଅନାଗ୍ରହ ଦେଖି ସେମାନେ ବଡ ଚିନ୍ତିତ। ଆଗକୁ ଯେପରି ଆଉ ଭୁଲ ହେବନି ଏବଂ ଦଳ ପରିଚାଳନା ଭାର ନିଜେ ନେବେ, ସେନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି ଦଳର ବରିଷ୍ଠ ନେତାମାନେ। ଫୁଲପ୍ରୁଫ ଦଳୀୟ ଷ୍ଟ୍ରାଟେଜୀ ଏବଂ ସଂଗଠନରେ ସବୁ ବର୍ଗଙ୍କ ପ୍ରତିନିଧିତ୍ବ ପାଇଁ କୁହାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି ।
ସେପଟେ ଅନେକ ପରାମର୍ଶକୁ ସୁପ୍ରିମୋ କାର୍ଯକାରୀ କରିଥିବା ବେଳେ ଆଗକୁ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ନେତା କହିଛନ୍ତି ।
୨୦୨୪ ନିର୍ବାଚନ ପରାଜୟ ପରେ ଆଗକୁ ବଢ଼ିବାକୁ ପ୍ଲାନ କରୁଛି ବିଜେଡି। କିନ୍ତୁ ବିରୋଧୀ ଦଳ ଭାବେ ବିଜେଡିକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି। କିଛି ନେତା ଦଳରୁ ମୁହଁ ଫରେଇ ଶାସକ ଦଳ ମୁହାଁ ହୋଇଥିବା ବେଳେ ଅନେକ ନେତା ବି ଦଳର ପରାଜୟ ପରେ ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ପୁନଃ ସଂଗଠିତ ହେବାକୁ ପ୍ରୟାସ ଜାରି ରଖିଛି। ନିର୍ବାଚନ ପରାଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ନେତା ବି କିଛି ପରାମର୍ଶ ଦେଇଛନ୍ତି।
କୁହାଯାଉଛି ଯେ ନିର୍ବାଚନ ପରାଜୟ ପଛରେ, ପ୍ରଚାର ଶୈଳୀ ,ପରିଚାଳନାଗତ ତ୍ରୁଟି, ପ୍ରାର୍ଥୀ ଚୟନ, ବରିଷ୍ଠଙ୍କୁ ଅଣଦେଖା ଭଳି ଅନେକ କାରଣ ରହିଥିବା ବେଳେ ଆଗମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନହେବ ଏବଂ ସଂସଦୀୟ ବ୍ୟାପାର କମିଟିକୁ ଅଧିକ ଶସକ୍ତ କରିବାକୁ ବି ପରାମର୍ଶ ଦେଇଛନ୍ତି ନେତା। ଦଳର ମୁଖ୍ୟ ସଙ୍ଗଠନରେ ବରିଷ୍ଠ, ଯୁବ, ମହିଳାଙ୍କ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେବା ଆବଶ୍ୟକ। ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ବ୍ୟାପକ କରିବା ସହ ନବୀନ ନିଜେ ସବୁ କଥା ବୁଝିବାକୁ ନେତା ପରାମର୍ଶ ଦେଇଛନ୍ତି। ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି ଅନେକ ପରାମର୍ଶକୁ ସୁପ୍ରିମୋ କାର୍ଯକାରୀ କରିଥିବା ବେଳେ ଆଗକୁ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
ବିଜେଡିର ହେବ ନବକଳେବର। ଦଳର ସାଙ୍ଗଠନିକ ପ୍ରକ୍ରିୟା ଜାରି ରହିଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ସରିବ ସାଂଗଠନିକ ନିର୍ବାଚନ। କୁହାଯାଉଛି ସାଂଗଠନିକ ଢାଞ୍ଚାର ପରିବର୍ତ୍ତନ କରିବ ଦଳ। ଦଳର ସମ୍ବିଧାନରେ ଥିବା ମହାସଚିବ ପଦବୀ କୁ ବହୁ ପୂର୍ବରୁ ଉଠାଇ ଦିଆଯାଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିଲା ସଙ୍ଗଠନ ସମ୍ପାଦକ ପଦ। ତେଣୁ ଏଥର ଏହି ପଦ ରହିବ ନା ଉଠିବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। କିନ୍ତୁ ସାଂଗଠନିକ ନିର୍ବାଚନ ପରେ ସମସ୍ତଙ୍କୁ ନେଇ ଜୁମ୍ବୋ ଟିମ ହେବ ପ୍ରସ୍ତୁତ କରିବ ଦଳ।
ବିଜେଡି ନେତାଙ୍କ କହିବା କଥା ବିଜେଡିକୁ ଲୋକ ବିରୋଧୀଦଳ ଆସନରେ ବସାଇଥିଲେ ବି ବିଜେପିଠୁ ୩୬ ହଜାର ଅଧିକ ଭୋଟ ପାଇଛି ଦଳ। ତେଣୁ ଲୋକଙ୍କ ପୁନଃ ଆସ୍ଥା ଭାଜନ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବିଜେଡି।