

ନବୀନ ସରକାର ଦୀର୍ଘ ୨୪ ବର୍ଷରେ ଯାହା କରିପାରିନଥିଲା, ମୋହନ ସରକାର କ୍ଷମତାସୀନ ହେବାର ୮ ମାସ ନ ପୁରୁଣୁ ତାହା ଠାରୁ କାହିଁ କେତେ ଅଧିକ କରି ସମସ୍ତଙ୍କୁ ଚକିତ କରିଦେଲା ଓଡ଼ିଶାକୁ ପୁଞ୍ଜି ନିବେଶର ସୁନାମୀ ଆଣି। ଏହା ପୂର୍ବରୁ ନବୀନ ସରକାରଙ୍କ ପୁଞ୍ଜି ନିବେଶ ଉଦ୍ୟମ କେବଳ କେବଳ ଓଡ଼ିଶା କନକ୍ଲେଭ୍ ଆଉ ପୁଞ୍ଜିପତିଙ୍କ ସହିତ କେବଳ ବ୍ୟୟବହୁଳ ଆଲୋଚନାରେ ସୀମିତ ରହିଥିଲା।
ଏହି ସ୍ଵାକ୍ଷରିତ ବୁଝାମଣାପତ୍ର ସବୁ ସାକାର ରୂପ ନେଲେ ଓଡ଼ିଶାରେ ନିଯୁକ୍ତିର ବାତ୍ୟା ପ୍ରବାହିତ ହେବ। ଲୋକଙ୍କୁ ଆଉ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିବନାହିଁ ।
ତେବେ ମୋହନ ସରକାର ଭୁବନେଶ୍ଵରରେ ଆରମ୍ଭ କରିଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଓଡ଼ିଶାରେ ପୁଞ୍ଜି ନିବେଶର ବନ୍ୟା ଆଣିଛି।
ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ତଥା ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି ରାଜ୍ୟ ସରକାର।
୪ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ପାଇଁ ଚୁକ୍ତି ହୋଇଛି। ପ୍ରଥମ ଦିନରେ ଆଦାନୀ ଗ୍ରୁପ ସର୍ବାଧିକ ନିବେଶ ପାଇଁ ହଁ ଭରିଛି। ଓଡ଼ିଶାରେ ଆଦାନୀ ଗ୍ରୁପ୍ ୨ ଲକ୍ଷ ୨୮ ହଜାର କୋଟିର ନିବେଶ କରିବ। ଗୋପାଳପୁର ଓ ଧାମରା ବନ୍ଦର ସମ୍ପ୍ରସାରଣ କରିବ ଆଦାନୀ ଗ୍ରୁପ୍।
ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବ ଜେଏସଡବ୍ଲୁ। ଏଠାରେ ୫ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ଶିଳ୍ପ ଅନୁକୂଳ ଥିବା ପ୍ରତି ଜିଲ୍ଲାରେ ଗଢିଉଠିବ ନୂଆ ନୂଆ ଶିଳ୍ପ । ଏଥିପାଇଁ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ କରିବ ବେଦାନ୍ତ ଗ୍ରୁପ୍।
ସେହିପରି ପଶ୍ଚିମ ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରି ବିର୍ଲା ଗ୍ରୁପ୍ କପର ବଏଲ ପ୍ଲାଣ୍ଟ କରିବ। ଜେଏସପିଏଲ ୭୦ ହଜାର କୋଟିର ନିବେଶ ପାଇଁ ଏମଓୟୁ କରିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା। ସମ୍ମିଳନୀର ପ୍ରଥମ ଦିନରେ ନିବେଶ ପାଇଁ ସାଢେ ୪ ଲକ୍ଷ କୋଟି ଟଙ୍କାର ଏମଓୟୁ ସରିଛି। ତଥାପି ଏହି ପୁଞି ନିବେଶ ପରିମାଣ ଆହୁରି ତିନି ଗୁଣ ଅଧିକ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ଆଶା ବ୍ୟକ୍ତ କରିଛନ୍ତି