
ଶୀତଳ ଭଣ୍ଡାରରେ ପୁରା ଶୋଇପଡିଥିଲା ନବ ଦାସ ହତ୍ୟା ମାମଲା। ସମସ୍ତେ ମନେ କରିଥିଲେ ଯେ ସବୁ ଦିନ ଲାଗି ମାମଲାଟି ଏମିତି ଚିର ନିଦ୍ରାରେ ଶୋଇ ଜନ ମାନସରୁ ଉଭାନ ହୋଇଯିବ। କିନ୍ତୁ ବିଧିର ବିଧାନ କାରଣରୁ ହେଉ କି ଅନ୍ୟ ଯେ କୈାଣସି କାରଣରୁ ହେଉ, ମାମଲାଟି କଡ ଲେଉଟାଇ ଜାଗ୍ରତ ଅବସ୍ଥାକୁ ଆସିବାର ଉପକ୍ରମ କରିଛି, ଯାହା ଫଳରେ ଏବେ ସମଗ୍ର ରାଜ୍ୟରେ ଏକ ଆଲୋଡ଼ନ ଖେଳିଯାଇଛି। ଏହା ପରେ ଏହା କେଉଁ ଦିଗକୁ ଅଗ୍ରସର ହେବ, ତାହା ସମୟ କହିବ, କିନ୍ତୁ ଏହା ଆଗକୁ ଯେ ବଡ ହଇଚଇ ସୃଷ୍ଟି କରିବ ଏବଂ ରାଜ୍ୟ ରାଜନୀତିରେ ସୁନାମୀ ନ ଆଣିବ ବୋଲି କିଏ କହିବ ?
କଥାଟି ହେଉଛି ଏପରି ଯେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଲାଗି ତାଙ୍କର ଝିଅ ଦୀପାଳୀ ଦାସ ଗଣମାଧ୍ୟମ ଆଗରେ ଦାବି କରିବା ପରେ ହତ୍ୟାକାରୀ କୁହାଯାଉଥିବା ଏ,ଏସ୍,ଆଇ, ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିନଥିବା ଗଣମାଧ୍ୟମରେ ଯେଉଁ ଚାଞ୍ଚଲ୍ୟକର ଦାବି କଲେ, ତାହା ସମଗ୍ର ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି।
ଏହାର ଠିକ୍ ପଛକୁ ରାଜ୍ୟ ଫରେନ୍ସିକ ଲାବୋରେଟରୀର ରିପୋର୍ଟ ମାମଲାଟିକୁ ଆହୁରି ଖୋଲି ଦେଇଛି, ଯାହା ଫଳରେ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିନଥିବା ନେଇ ଓକିଲ ନରେଶ ନାୟକଙ୍କ ଦାବିକୁ ପୁଷ୍ଟ କରୁଛି। ଯଦି ଏପରି ହୋଇଥାଏ, ତେବେ ପ୍ରକୃତ ହତ୍ୟାକାରୀ କିଏ ବୋଲି ଏକ ଯକ୍ଷ ପ୍ରଶ୍ନ ରାଜ୍ୟ ଆଗରେ ଉତଥାପିତ ହୋଇଛି ବୋଲି କୁହାଯାଇପାରେ। ସ୍ୱର୍ଗତ ନବ ଦାସଙ୍କୁ ହତ୍ୟା କରିନାହିଁ ଗୋପାଳ । କିଛି ଏଭଳି ଚାଞ୍ଚଳ୍ୟକର ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ସିଧାସଳଖ ପ୍ରଶ୍ନ ଉଠାଇ କହିଛନ୍ତି, କୁଆଡେ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ ? କାରଣ କ୍ରାଇମବ୍ରାଞ୍ଚ ଦେଇଥିବା ସିଜର ଲିଷ୍ଟରେ ରକ୍ତ ଭିଜା ସାର୍ଟ ମିସିଂ ଥିବା ଉଲ୍ଲେଖ ରହିଛି ।ଯାହା ପୂରା ଘଟଣାକୁ ସନ୍ଦେହ ଭିତରକୁ ଟାଣୁଛି । ଏ ସମ୍ପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରାଯିବ ବୋଲି କହିଛନ୍ତି ନରେଶ । ଏହାସହ ଗୋପାଳକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ନରେଶ । ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ଗୋପାଳ ଦାସ ସୁରକ୍ଷା ପାଇଁ ମୁତୟନ ଥିଲା। ବାଣ ବା ଗୁଳି ଶବ୍ଦ ଶୁଣି ଆଲର୍ଟ ହୋଇ ଗୋପାଳ ବ୍ଲାଙ୍କ ଫାୟାର କରିଥିଲା। ଗୋପାଳ ବନ୍ଧୁକ ଗୁଳିରେ ନବଙ୍କ ଜୀବନ ଯାଇନାହିଁ । ଅନ୍ୟ କାହା ଗୁଳିରେ ନବ ଦାସଙ୍କର ମୃତ୍ୟୁ ହୋଇଥାଇପାରେ । ନବ ଦାସଙ୍କ ହତ୍ୟା ପଛରେ ଯେଉଁ ଷଡଯନ୍ତ୍ର ଅଛି ତାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ ।
ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସବୁ ସାକ୍ଷ୍ୟ ଗ୍ରହଣ କରିଥିବା କହିଛନ୍ତି ନରେଶ । ନରେଶଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ, ତେବେ କିଏ କରିଛି ନବ ଦାସଙ୍କ ହତ୍ୟା? କାହିଁକି କରାଗଲା ନବଙ୍କୁ ହତ୍ୟା? ଗୋପାଳକୁ ଫଶାଇବାକୁ ହୋଇଛି କି ଉଦ୍ୟମ? ରକ୍ତଭିଜା ସାର୍ଟ ହଜିବା କଣ ସୂଚାଉଛି? ଏସବୁ ଭିତରେ ସିବିଆଇ ତଦନ୍ତ ପାଇଁ ଝିଅ ଦୀପାଳି ଇଙ୍ଗିତ କରିଥିବା ବେଳେ ରାଜ୍ୟ ସରକାର ଲିଖିତ ଅଭିଯୋଗକୁ ଅପେକ୍ଷା କରିଛନ୍ତି ।
ସେହିପରି ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା କରିଛି ରାଜ୍ୟ ଫରେନ୍ସିକ ଲାବୋରେଟରୀର ରିପୋର୍ଟ। ଗୋଟିଏ ନୁହେଁ ବରଂ ଏକାଧିକ ବନ୍ଧୁକରୁ ନବ ଦାସଙ୍କୁ ହୋଇଥିଲା ଗୁଳିମାଡ଼ । ଏନେଇ ରାଜ୍ୟ ଫରେନ୍ସିକ ଲାବ୍ରୋଟୋରୀରେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି ।ଏତିକି ଗୁଳି କରିଥିଲା ଗୋପାଳ- ତଥ୍ୟ ଅନୁସାରେ, ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା ।
ଗୋପାଳ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଖୋକା ଏଯାଏଁ ମିଳିନି । ଗୋପାଳର ଗୋଟିଏ ଗୁଳି ବ୍ଲାଙ୍କ ହୋଇଥିବା ବେଳେ ଆଉ ଗୋଟେ ଅକାମୀ ହୋଇଥିଲା । ତେବେ ଅନ୍ୟ ଗୁଳିର ଖୋକା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନବ ଦାସ ହତ୍ୟାକାଣ୍ଡ ମାମଲାରେ କେବଳ ଗୋପାଳ ନା ଆଉ କିଏ ରହିଛି । ଗୋପାଳଙ୍କ ଓକିଲଙ୍କ ବୟାନ- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ସୂଚନା ଦେଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ । ପୋଲିସ ଦାଖଲ କରିଥିବା ସିଜର ଲିଷ୍ଟରେ ନବଙ୍କ ରକ୍ତଭିଜା ସାର୍ଟ ନାହିଁ । ରକ୍ତ ଭିଜା ସାର୍ଟ ମିସିଙ୍ଗ୍ ଥିବା ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି । ନବଙ୍କ ଦେହରେ ବାଜି ବାହାରିଥିବା ଗୁଳି ମଧ୍ୟ ମିଳିନଥିବା ସୂଚନା ମିଳିଛି । ତେବେ ଏନେଇ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ପ୍ରତିକ୍ରିୟା ମିଳିପାରିନି । ସମସ୍ତ ବିଷୟକୁ ଦେଖି ଆଉ କିଏ ଗୁଳି କରି ଗୋପାଳ ମୁଣ୍ଡରେ
ଅଠା ବୋଳିଲା ଭଳି ମନେ ହେଉଛି ବୋଲି କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗ ଗାଡ଼ିକୁ ୫ ରାଉଣ୍ଡ ଗୁଳି କିଏ କରିଲା ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏବେ ଏହା ଘଟଣାକୁ ନେଇ ସସପେନ୍ସ ବଢ଼ାଇ ଦେଇଛି। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଓ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହଯୋଗୀମାନେ ବସିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି। ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା। କିନ୍ତୁ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟରେ ଏକ ଭିନ୍ନ କଥା ଉଲ୍ଲେଖ ଅଛି। ଦ୍ବିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍ ଥିଲା ଉକ୍ତ କାର୍ର ସମ୍ମୁଖ ପାର୍ଶ୍ବରେ 'ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ' ବୋଲି ଉଲ୍ଲେଖ ରହିଥିଲା। ୨୦୨୩ ମସିହା ଫେବ୍ରୁଆରି ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ଅର୍ଥାତ୍ ଗୁଳି ଦ୍ବାରା ହୋଇଥିବା କଣା ମିଳିଥିଲା। କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳି ଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି। ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ମିଳିପାରିନି। ସେପଟେ, ପଛ କାର୍ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ଉକ୍ତ ଗୁଳି ଓ ଖୋକା ମିଳିପାରିନି। ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ଆଶଙ୍କା କରି ଗୁଳି ବର୍ଷା କରାଯାଇଥିଲା କି? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା? ଘଟଣାସ୍ଥଳରେ ଏତେ ଗୁଳି ମାଡ଼ ହେବା ପରେ କେହି କେମିତି କିଛି ଜାଣିପାରିନଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି। ସେପଟେ, ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍ ଭିତରକୁ ନେଇଥିବା ଦ୍ବାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍ବ୍ରାଞ୍ଚ ଜବତ କରିଥିବା ବେଳେ ନବ ଦାସ ଘଟଣା ସମୟରେ ପିନ୍ଧିଥିବା ସାର୍ଟ ଓ ନବ ଦାସ ବସିଥିବା କାର୍ ସିଟ୍ର ରକ୍ତ ଭିଜା ଟର୍କିସ୍ ସିଜର ଲିଷ୍ଟରୁ ଗାଏବ୍ ହୋଇଯାଇଛି। ତେବେ ସେ ଯାହା ହେଉ, ଗୋପାଳ ଦାସଙ୍କ ଓକିଲ ନରେଶ ନାୟକଙ୍କ ଦାବି ବିଶେଷ କରି ରାଜ୍ୟ ଫରେନ୍ସିକ ଲାବୋରେଟରୀର ରିପୋର୍ଟ ଏବେ ଆଗକୁ ଘଟଣାଟିକୁ କି ଚାଞ୍ଚଲ୍ୟକର ମୋଡ଼ ଦେଉଛି, ତାହା ସମୟ କହିବ। ତେବେ ଏହା ସ୍ପଷ୍ଟ ଯେ ଏହାକୁ ନେଇ ଆଗକୁ ରାଜ୍ୟ ରାଜନୀତି ଖୁବ୍ ଉଠିବ ପଡିବ