
ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ କୁଆଡ଼େ ନୀତିଶଙ୍କୁ ବଡ଼ ଅଫର ଦେଇଛନ୍ତି । ହେଲେ ଏହି ଅଫର କଣ ରହିଛି ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସେପଟେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ମିଡ଼ିଆକୁ ଶାନ୍ତ କରିବାକୁ ଲାଲୁ ଏମିତି ବୟାନ ଦେଇଛନ୍ତି । ନୀତିଶଙ୍କ ସମ୍ପର୍କରେ ଯଦି ଗଣମାଧ୍ୟମ ନିଇତି କିଛି ନା କିଛି ପଚାରିବ ତାହାଲେ ଲାଲୁ କଣ କହିବେ ବୋଲି ସେ ଓଲଟି ମିଡିଆକୁ ପ୍ରଶ୍ନ କରିଛନ୍ତି ।
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା। ସେ ଚାହିଁଲେ ଆସିପାରିବେ। ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ।
ତେବେ ଲାଲୁଙ୍କ ଏହି ଅଫର୍କୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର। ନୀତୀଶ କୁମାର ଲାଲୁଙ୍କୁ କହିଛନ୍ତି – ତୁମେ କଣ କହୁଛ … ଛାଡିଦିଅ। ଏଥି ସହିତ ଲାଲୁ ଯାଦବଙ୍କ ଅଫରରେ ବିଶିଷ୍ଟ ଜେଡିୟୁ ନେତା ବିଜୟ ଚୌଧୁରୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ବିଜୟ ଚୌଧୁରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମ ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଉଭୟ ଦଳ ଏବଂ ସିଏମର ଷ୍ଟାଣ୍ଡ ସ୍ପଷ୍ଟ ଯେ ଆମେ ଏନଡିଏରେ ଅଛୁ ଏବଂ ଏନଡିଏରେ ରହିବୁ।
ଶୀତ ପାଗରେ ସରଗରମ ହେଲାଣି ବିହାର ରାଜନୀତି । ନୂଆ ସରକାରକୁ ମାତ୍ର ବର୍ଷେ ହେବା ପରେ ପୁଣି ଥରେ ନୀତିଶ ଏନଡିଏ ଛାଡ଼ି ଇଣ୍ଡି ମେଣ୍ଟ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପଟେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି କଂଗ୍ରେସର ବିଧାୟକ ଦଳ ନେତା ସକିଲ ଅହମ୍ମଦ ଖାନଙ୍କ ବୟାନ । ସେ କହିଛନ୍ତି, ଯେଉଁମାନେ ଗାନ୍ଧୀବାଦୀ ଥିବେ ସେମାନେ ଆମ ସହ ଆସିବେ । ନୀତିଶଙ୍କ କାମକୁ ଦେଖିଲେ ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କୁହାଯାଇପାରିବ । ତେଣୁ ସେ ବି ଆମ ପାଖକୁ ଆସିବାରେ କୌଣସି ଅସୁବିଧା ନାହିଁ ।
ନୂଆବର୍ଷରେ ଦଳ ବଦଳାଇବା ନୀତିଶଙ୍କ ଅଭ୍ୟାସ
ଅନେକ ସମୟରେ ଦେଖାଯାଇଛି କି ବର୍ଷ ଆରମ୍ଭରୁ ହିଁ ନୀତିଶ ଦଳ ବଦଳାଇ ଦିଅନ୍ତି । ଥରେ କି ଦୁଇଥର ନହେଁ ବରଂ ବାରମ୍ୱାର ଏମିତି କରୁଥିବା ନଜିର ରହିଛି । ତେଣୁ ଏମିତି ସ୍ଥିତିରେ ଆରଜେଡି ଓ କଂଗ୍ରେସ ନେତାଙ୍କ ବୟାନକୁ ତର୍ଜମା କଲେ ନୀତିଶ ଏନଡିଏ ଛାଡିବା ଚର୍ଚ୍ଚା ବଢିଛି । ତେବେ ପ୍ରଶ୍ନ ହେଉଛି, ସତରେ କଣ ଏନଡିଏ ଛାଡ଼ି ନୀତିଶ ପୁଣି ଥରେ ଇଣ୍ଡି ମେଣ୍ଟରେ ଯୋଗ ଦେବେ । ଯଦି କୌଣସି ଆଲୋଚନା ହୋଇ ନାହିଁ, ତାହାଲେ ବିରୋଧୀ ଦଳର ନେତା ନୀତିଶଙ୍କୁ ଗାନ୍ଧିବାଦି କହିଲେ କାହିଁକି । କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
କାହିଁକି ବଢୁଛି ଚର୍ଚ୍ଚା
କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ଖାଲି ଦୂରେଇ ରଖୁଛନ୍ତି ତାହା ନୁହେଁ ବରଂ ଗଣମାଧ୍ୟମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରଖୁଥିବା ନୀତିଶ ଏବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଆଉ ଯେବେ ଯେବେ ନୀତିଶ ଚୁପ୍ ରହିଛନ୍ତି, ସେବେ ସେବେ ଦଳ ବଦଳାଇଛନ୍ତି । ତେଣୁ ଚର୍ଚ୍ଚା ହେବାର ଇଏ ଗୋଟିଏ କାରଣ ହୋଇଥାଇପାରେ । ସଜସଜ ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ ।
ପୂର୍ବରୁ ବି ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ଗୋଟିଏ ପଟେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନୀତିଶଙ୍କର ଦେଖା ମିଳିନଥିଲା । ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଂଟାକୁ ସଫାସଫା ମନା କରିଦେଇଛି ।
ମୋଟ୍ ଉପରେ ନୀତିଶଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ବଢିଛି । ଆଉ ଏହାରି ଭିତରେ ଏନଡିଏ ନେତା କହିଛନ୍ତି, ଜେଡିୟୁର ଅନେକ ନେତା ଆମ ସହ ସମ୍ପର୍କରେ ଅଛନ୍ତି । ତେଣୁ ପୁରା ଘଟଣାକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆଗାମୀ ଦିନରେ ବିହାର ରାଜନୀତିରେ କିଛି ଗୋଟାଏ ପରିବର୍ତ୍ତନ ହେବ ।