
ପଦୋନ୍ନତିକୁ ନେଇ ନ୍ୟାୟ ଆଶାରେ ଓଡ଼ିଶା ପୋଲିସ୍। ପୁଲିସ ଏସ୍ ଆଇରୁ ଆରମ୍ଭ କରି ଏ ଏସ୍ ପି ପାହ୍ୟା ପର୍ଯ୍ୟନ୍ତ ପଦୋନ୍ନତି ତ୍ରିଶଙ୍କୁ ଅବସ୍ଥାରେ ଲଟକିରହିଛି। ଡିସେମ୍ବର ୩୧ ଭିତରେ ଯଦି ପଦୋନ୍ନତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ନଯାଏ, ତେବେ ସେଥିରୁ ଅନେକ ପଦୋନ୍ନତି ପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରିବାକୁ ହେବ। ପଦୋନ୍ନତି ଆଶାରେ ଥିବା ଶତାଧିକ ଅଧିକାରୀ ଏଥିପାଇଁ ଏକପ୍ରକାର ଚିନ୍ତାପୀଡିତ ଅବସ୍ଥାରେ ଦିନ ଗଣୁଥିବାବେଳେ ବରିଷ୍ଠ ଅଧିକାରୀ ସ୍ତରରେ ନିଷ୍କ୍ରିୟତା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି।ଏଭଳି ସ୍ଥିତି ପୋଲିସ ଅଧିକାରୀସ୍ତର (ଅଣ ଆଇପିଏସ୍)ରେ ମନୋବଳ ଦୁର୍ବଳ କରୁଥିବା ଅଭିଯୋଗ ହେବା ସହିତ ଅସନ୍ତୋଷ ବଢ଼ିବାରେ ଲାଗିଛି।
ତଥ୍ୟ ଅନୁଯାୟୀ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ୧୧୧ ଜଣ ପୁଲିସ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ମନୋନୀତ କରିଛି। କିନ୍ତୁ ପଦୋନ୍ନତି ବିଜ୍ଞପ୍ତି ଜାରି କରି ନିଯୁକ୍ତି ଦିଆଯାଉନାହିଁ। ଇନ୍ସପେକ୍ଟରରୁ ଡିଏସ୍ପି ପାହ୍ୟାକୁ ୧୯୨ ଜଣ ପଦୋନ୍ନତି ପାଇବାକୁ ଥିବାବେଳେ ତାହାକୁ ଚୂଡ଼ାନ୍ତ କରାଯାଉ ନାହିଁ। ଡି ଏସ୍ ପି ରୁ ଏଏସ୍ ପି ପାହ୍ୟାକୁ ୨୪ ଜଣଙ୍କର ପଦୋନ୍ନତି ସୁଯୋଗ ଥିଲେ ବି କାର୍ଯ୍ୟକାରୀ କରାଯାଉ ନାହିଁ। ଡିଏସ୍ ପି ରୁ ଏଏସ୍ ପି ପାହ୍ୟାକୁ ୧୨୩ ଜଣଙ୍କ ପଦୋନ୍ନତି ତାଲିକା ନଭେମ୍ବର ମାସରେ ଜାରି କରାଯାଇଥିବା ବେଳେ ସେଥିରୁ ୮୯ଜଣଙ୍କୁ ନିଯୁକ୍ତି ଦେଇ ବାକି ୨୪ ଜଣଙ୍କ ନିଯୁକ୍ତି ପକାଇ ରଖାଯାଇଛି। ଏଏସ୍ପି ପାହ୍ୟାରୁ ଏସ୍ପି ପାହ୍ୟାକୁ ଗୋଟିଏ ପଦୋନ୍ନତିର ସୁଯୋଗ ଥିଲେ ବି ତାହା ଅଟକି ରହିଛି। ଏସ୍ପି ସୁପରଟାଇମ୍ ସ୍କେଲ୍ରୁ ଏସ୍ପି (ଏସ୍ଏଜି)କୁ ୩ ଜଣଙ୍କର ପଦୋନ୍ନତି ସୁଯୋଗ ଥାଇ ବି ଅଟକି ରହିଛି।
ପୂର୍ବରୁ ଏସ୍ ସି/ଏସ୍ ଟି ବର୍ଗର ଅଧିକାରୀଙ୍କ ପଦୋନ୍ନତିକୁ ନେଇ ଯେଉଁ ବିବାଦ ବା ପ୍ରତିବନ୍ଧକ ରହିଥିଲା, ତାହା ୨୦୨୨ ଅକ୍ଟୋବର ୧୨ର ଗେଜେଟ୍ ବିଜ୍ଞପ୍ତି ପରେ ଦୂର ହୋଇସାରିଛି। ଏ ପ୍ରସଙ୍ଗରେ ବର୍ତ୍ତମାନ କୌଣସି ଅଦାଲତି ପ୍ରତିବନ୍ଧକ ବି ନାହିଁ। ଇନ୍ସପେକ୍ଟର ପାହ୍ୟାରୁ ପଦୋନ୍ନତି ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରସ୍ତାବ ଗୃହ ବିଭାଗକୁ ଯାଇ ସାରିଛି। କିନ୍ତୁ ଗୃହ ବିଭାଗରେ ଏହା ଅଟକି ରହିବାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି। ବିଭାଗୀୟ ପଦୋନ୍ନତି କ୍ଷେତ୍ରରେ ଏସ୍ସି/ଏସ୍ଟି ବର୍ଗର ପ୍ରାର୍ଥୀଙ୍କ ସଂପର୍କରେ ନିଷ୍ପତ୍ତି କେଉଁ ଆଧାରରେ ହେବ, ସେ ସଂପର୍କରେ ୨୦୨୨ ଜୁନ୍ ୩୦ରେ ରାଜ୍ୟ ସରକାରଙ୍କ ଏସ୍ସି/ଏସ୍ଟି ଉନ୍ନୟନ ବିଭାଗ ଚିଠି ଲେଖିବା ପରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। କିନ୍ତୁ ବିଭାଗ ନିଜର ଏହି ଚିଠିକୁ ୨୦୨୨ ଅଗଷ୍ଟ ୧୯ରେ ଅଟକାଇ ରଖିଲା। ପରବର୍ତ୍ତୀ ସମୟରେ ୨୦୨୨ ଅକ୍ଟୋବର ୧୨ରେ ସରକାର ଏ ସଂକ୍ରାନ୍ତରେ ବି ଗେଜେଟ୍ ବିଜ୍ଞପ୍ତି ଜାରି କଲେ।
ଅନ୍ୟପଟେ ୨୦୨୪ ମେ ୬ରେ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଏସ୍ ବି/ଏସ୍ ଟି ବର୍ଗଙ୍କ ପାଇଁ ‘ନିଜ ଯୋଗ୍ୟତା’ର ଅର୍ଥ କ’ଣ ରହିବ ସେ ସଂପର୍କରେ ବି ବିଭାଗୀୟ ସଚିବ ଲିଖିତ ସ୍ପଷ୍ଟୀକରଣ ରଖି ସାରିଛନ୍ତି। ଏ ସବୁ ପ୍ରକ୍ରିୟା ପରେ ବିଭିନ୍ନ ପଦବିରେ ପଦୋନ୍ନତି ସଂକ୍ରାନ୍ତରେ ନିଷ୍ପତ୍ତି ବି ନିଆଗଲା। କିନ୍ତୁ ଏବେ କେଉଁ କାରଣରୁ ଓଡ଼ିଶା ପୁଲିସର ଶତାଧିକ ଅଧିକାରୀଙ୍କ ପଦୋନ୍ନତି ଗୃହ ବିଭାଗରେ ଅଟକି ରହିଛି, ତାହାକୁ ନେଇ ପ୍ରଶ୍ନ ମୁଣ୍ଡ ଟେକୁଛି। ଆଉ ମାତ୍ର ୫ଟି କାର୍ଯ୍ୟ ଦିବସ ହାତରେ ଥିବାରୁ ଗୃହ ବିଭାଗ ପଦୋନ୍ନତି ଆଶାରେ ଥିବା ପୁଲିସ ଅଧିକାରୀଙ୍କୁ କିଭଳି ନ୍ୟାୟ ଦେଇ ପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।