
ଭାରତ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଯାଉଥିଲା, ଯୁଦ୍ଧ ବିରତିକୁ ନେଇ ଏହା ହେଉଛି ପାକିସ୍ତାନର ଆତ୍ମସମର୍ପଣର ଭିତର କାହାଣୀ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ୧୦ ମଇ ଅପରାହ୍ନ ସୁଦ୍ଧା, ଭାରତ ଦ୍ୱାରା ପାକିସ୍ତାନର ଅନେକ ବଡ଼ ଆକ୍ରମଣକୁ ପଣ୍ଡ କରିବା ପରେ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ତାଙ୍କ ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କ ସହ ହଟଲାଇନ୍ରେ ସିଧାସଳଖ କଥା ହୋଇଥିଲେ।
ଚାରି ଦିନ ଧରି ଡ୍ରୋନ୍ ଆକ୍ରମଣ, କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ଯୁଦ୍ଧ ବିମାନ ଦ୍ୱାରା ବୋମା ବର୍ଷଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେଲା। କିନ୍ତୁ ଚତୁର୍ଥ ଦିନରେ ଏମିତି କ’ଣ ହେଲା ଯେ ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ିବାକୁ ଔଦ୍ଧତ୍ୟ ଦେଖାଉଥିବା ପାକିସ୍ତାନ ପଛକୁ ହଟିବାକୁ ନିଷ୍ପତ୍ତି ନେଲା। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଭାରତର ଧୈର୍ଯ୍ୟ ଭାଙ୍ଗିବା ଦେଖି ପାକିସ୍ତାନ ଭୟଭୀତ ହୋଇଯାଇଥିଲା। ପାକିସ୍ତାନ ଭୟଭୀତ ଥିଲା ଯେ ଭାରତ ଏବେ ଏପରି କିଛି କରିବ, ଯାହା ସେଠାରେ ଧ୍ୱଂସଲୀଳା ଆଣିପାରେ। ଏପରି ପରିସ୍ଥିତିର ପାକିସ୍ତାନ ଆତ୍ମସମର୍ପଣ କରିବାକୁ ଉଚିତ ମନେ କଲା ଏବଂ ସିଧାସଳଖ ଜାତିସଂଘର ଆଶ୍ରୟ ନେଲା। ଏହା ପରେ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡି,ଜି, ଏମ୍, ଓ,) ହଟଲାଇନ୍ରେ ସିଧାସଳଖ ଭାରତ ସହିତ କଥା ହୋଇଥିଲେ ଏବଂ ତା’ପରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ।
ସରକାରୀ ସୂତ୍ର ଅନୁଯାୟୀ, ୧୦ ମଇ ସକାଳେ, ଭାରତୀୟ ବାୟୁସେନା ବିମାନ ପାକିସ୍ତାନ ବାୟୁସେନା (ପି,ଏଫ୍,ଏ,)ର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବ୍ରହ୍ମୋସ-ଏ (ବାୟୁ-ଲଞ୍ଚ) କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପ୍ରଥମ ନିଶ୍ଚିତ ଆକ୍ରମଣ ରାୱଲପିଣ୍ଡି ନିକଟସ୍ଥ ଚକଲାଲା ଏବଂ ପଞ୍ଜାବ ପ୍ରଦେଶର ସରଗୋଧାରେ ହୋଇଥିଲା। ଏହି ଉଭୟ ସେନା ଘାଟିରେ ପାକିସ୍ତାନ ସେନା ପାଇଁ ରଣନୈତିକ ବିମାନ ଚଳାଚଳ ଏବଂ ଗୋଳାବାରୁଦ ରହିଛି। ଗୁଇନ୍ଦା ସୂଚନା ଆଧାରରେ ଏଜେନ୍ସିଗୁଡ଼ିକ କ୍ଷୟକ୍ଷତି ଆକଳନ ସମାପ୍ତ କରିବା ପରେ ସନ୍ଧ୍ୟାରେ ହିଁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପୋକ୍)ର ଅତିରିକ୍ତ ସ୍ଥାନ – ଜାକୋବାବାଦ, ଭୋଲାରି ଏବଂ ସ୍କାର୍ଡୁରେ ଆକ୍ରମଣ ନିଶ୍ଚିତ ହୋଇଥିଲା।
ଆକ୍ରମଣ ପରେ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ପାକିସ୍ତାନୀ ପ୍ରତିରକ୍ଷା ନେଟୱାର୍କରେ ହାଇ ଆଲର୍ଟ ବାର୍ତ୍ତା ଝଲସୁଥିବାର ଲକ୍ଷ୍ୟ କରିଥିଲେ। ବାର୍ତ୍ତା ଥିଲା ଯେ ଭାରତର ପରବର୍ତ୍ତୀ ଟାର୍ଗେଟ ପାକିସ୍ତାନର ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣ ପ୍ରତିଷ୍ଠାନ ହୋଇପାରେ। ରାୱଲପିଣ୍ଡିରେ ଥିବା ରଣନୈତିକ ପ୍ରତିଷ୍ଠାନ, ଯେଉଁଥିରେ ପାକିସ୍ତାନର ରଣନୈତିକ ଯୋଜନା ବିଭାଗ ସହିତ ଜଡିତ କାର୍ଯ୍ୟାଳୟ ମଧ୍ୟ ଏହି ସାମ୍ଭାବ୍ୟ ଆକ୍ରମଣର ଅନ୍ତର୍ଭୁକ୍ତ। ତେଣୁ, ସେମାନେ ସୁରକ୍ଷା ପ୍ରୋଟୋକଲ ବୃଦ୍ଧି କରିଥିଲେ ।
ଏହି ସମୟରେ, ପାକିସ୍ତାନ ତୁରନ୍ତ ମଧ୍ୟସ୍ଥତା ପାଇଁ ଆମେରିକା ସହିତ ଯୋଗାଯୋଗ କରିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା କରି ଆମେରିକୀୟ ଅଧିକାରୀମାନେ ପୂର୍ବରୁ ଉଭୟ ପକ୍ଷଙ୍କ ସହିତ ଯୋଗାଯୋଗରେ ଥିଲେ। କିନ୍ତୁ ରଣନୈତିକ ଲକ୍ଷ୍ୟ ବିଷୟରେ ସତର୍କତା ୱାଶିଂଟନକୁ ଅଧିକ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା।
ଏହା ବିଶ୍ୱାସ କରାଯାଉଛି ଯେ ଆମେରିକା ଏକ ନିରପେକ୍ଷ ମନୋଭାବ ବଜାୟ ରଖିଛି ଏବଂ ଇସଲାମାବାଦକୁ ଏକ କଡ଼ା ବାର୍ତ୍ତା ଦେଇଛି: ସରକାରୀ ସାମରିକ ହଟଲାଇନ୍ ବ୍ୟବହାର କର ଏବଂ ବିଳମ୍ବ ନକରି ଉତ୍ତେଜନା ହ୍ରାସ କର। ଆମେରିକା “ବ୍ୟବହାରିକ ଭାବରେ” ପାକିସ୍ତାନୀ ପକ୍ଷକୁ ଭାରତୀୟ ସେନା ସହିତ ସିଧାସଳଖ ଯୋଗାଯୋଗ ସକ୍ରିୟ କରିବାକୁ ଏବଂ କୌଣସି ବିଳମ୍ବ ଏଡାଇବାକୁ ନିର୍ଦ୍ଦେଶ ଦେଇଥିଲା।
୧୦ ମଇ ଅପରାହ୍ନ ସୁଦ୍ଧା, ଭାରତ ଦ୍ୱାରା ପାକିସ୍ତାନର ଅନେକ ବଡ଼ ଆକ୍ରମଣକୁ ପଣ୍ଡ କରିବା ପରେ, ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ତାଙ୍କ ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ସିଧାସଳଖ ଫୋନ୍ କରିଥିଲେ। କଲ୍ ସମୟ ଥିଲା ଭାରତୀୟ ସମୟ ଦିନ ୩ ଟା ୩୫ ମିନିଟ , ଯାହାକୁ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ପ୍ରେସ୍ ବ୍ରିଫିଙ୍ଗରେ ନିଶ୍ଚିତ କରିଥିଲେ।
ସରକାରୀ ସୂତ୍ରଗୁଡ଼ିକ କହିଛନ୍ତି ଯେ ଭାରତ ପ୍ରୋଟୋକଲ ବାହାରେ ପାକିସ୍ତାନ ସହିତ କୌଣସି ଆନୁଷ୍ଠାନିକ, କୂଟନୈତିକ କିମ୍ବା ସାମରିକ ଆଲୋଚନା ନକରିବାର ନିଜର ମତ ବଜାୟ ରଖିଛି। ଏହାର ଅର୍ଥ ହେଉଛି ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଭାରତ ମଧ୍ୟସ୍ଥତାରେ ସାମିଲ ହୋଇନାହିଁ ଏବଂ ଏହା ବଦଳରେ ସୂଚାଇ ଦେଇଛି ଯେ ଭାରତୀୟ ସଶସ୍ତ୍ର ବାହିନୀ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ, ଯେଉଁଥିରେ ଶକ୍ତି ଏବଂ ଅର୍ଥନୈତିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ, ଏବଂ ଗଭୀର ରଣନୈତିକ ସଂଗଠନ ଅନ୍ତର୍ଭୁକ୍ତ ହେବ ବୋଲି ଜଣାପଡ଼ିଛି।
ଭାରତ ନିଶ୍ଚିତ କରିଛି ଯେ ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିବା ନିଷ୍ପତ୍ତି, ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବା ଅନ୍ତର୍ଭୁକ୍ତ, ଯୁଦ୍ଧବିରତି ଦ୍ୱାରା ପ୍ରଭାବିତ ହେବ ନାହିଁ। ଏହାର ଅର୍ଥ ହେଉଛି ପାକିସ୍ତାନ ଉପରେ ଭାରତ ଦ୍ୱାରା କରାଯାଉଥିବା ଜଳ ପ୍ରହାର ଜାରି ରହିବ।
ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ମେ ୧୨ ତାରିଖ ଦିନ ମଧ୍ୟାହ୍ନ ୧୨ ଟାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଭାରତ ସ୍ପଷ୍ଟ କରିଛି ଯେ ପରବର୍ତ୍ତୀ ସମୟରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ ଏବଂ ଦଣ୍ଡ ଏଥର ଅପେକ୍ଷା ବହୁତ ଅଧିକ ହେବ।
ଆମେ ଯୁଦ୍ଧବିରତି ବଜାୟ ରଖିବୁ, କିନ୍ତୁ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇବ’, ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ, “କାଶ୍ମୀର, ଆତଙ୍କବାଦ ଏବଂ ସିନ୍ଧୁ ଜଳ ଚୁକ୍ତିନାମା ହେଉଛି ତିନୋଟି ପ୍ରମୁଖ ପ୍ରସଙ୍ଗ ଯାହା ଉପରେ ଭାରତ ସହିତ ଆଲୋଚନା କରାଯାଇପାରିବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହି ଅସ୍ତ୍ରବିରତି ଶାନ୍ତି ପାଇଁ ପଥ ପ୍ରଦର୍ଶକ ହୁଏ, ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ।
ତେବେ ସେ ଯାହା ହେଉ, ପରିଶେଷରେ ଏକ ବଡ ଯୁଦ୍ଧ ସମ୍ଭାବନା ଟଳିଲା ଆଉ ଶାନ୍ତି ଆଶ୍ଵସ୍ତିର ମଳୟ ପ୍ରବାହିତ ହେଲା। ତେବେ ଆଗକୁ ଦେଖିବାକୁ ରହିଲା ଯେ ପାକିସ୍ତାନ ଏହି ଯୁଦ୍ଧ ବିରତି ପାଳନ କରିବ ନା କାର୍ଗିଲ ଯୁଦ୍ଧ ପରେ ୨୦୦୩ ପରି ପୁଣି ଯୁଦ୍ଧ ବିରତି ଉଲଂଘନ କରୁଛି। କାରଣ ଭାରତ ଏଥିନେଇ ସବୁବେଳେ ନୀତିନିଷ୍ଠ ରହି ଆସିଥିବା ବେଳେ ପାକିସ୍ତାନର ସବୁବେଳେ ଯୁଦ୍ଧ ବିରତି ଉଲଂଘନ କରିବାର ବଦ ଅଭ୍ୟାସ ରହିଛି। କିନ୍ତୁ ଏଥର ପାକିସ୍ତାନ ସେ ଭୁଲ୍ କଲେ ନାହିଁ ନ ଥିବା ବିପର୍ଯ୍ୟୟର ସମ୍ମୁଖୀନ ହେବ